ଆ' ଜହ୍ନମାମୁଁ

ଉଇକିପାଠାଗାର‌ରୁ
ଆ' ଜହ୍ନମାମୁଁ
ଲେଖକ/କବି: ଲକ୍ଷ୍ମୀକାନ୍ତ ମହାପାତ୍ର

ଆ' ଜହ୍ନମାମୁଁ


ଆ ଜହ୍ନମାମୁଁ ଓହ୍ଲେଇ ଆ'
ମୋ ଧନମଣିକି ଗେହ୍ଲେଇ ଯା,
ଟିକାଟିଏ ଯା' ଦେଇ,
ମୁଣ୍ଡେ ଟିକା ନାଇ ଧନମଣି ମୋର
ନାଚିବ ତା'-ଧେଇ-ଧେଇ ।

ଆ ଜହ୍ନମାମୁଁ ଶରଗଶଶୀ
ମୁରୁକି ମୁରୁକି ଦବୁଟି ହସି
ହସିବ ମୋ ଧନମଣି,
ତୋ' ହସ ମିଠା କି ଧନ ହସ ମିଠା
ହେବ ସିନା ଜଣାଜଣି ।
ଆ' ଜହ୍ନମାମୁଁ ଖେଳିବା ପୁଚି
ମେଘ ଉହାଡରେ ଯାଆନା ଲୁଚି
ଗଡି ଯାଉଅଛି ବେଳ,
ଧମମଣି ସାଙ୍ଗେ ଖେଳିବୁ ନାହିଁକି
ଆସି ଲୁଚକାଳି ଖେଳ ?

ଆ' ଜହ୍ନମାମୁଁ କତିକି ଧାଇଁ
ଧନା ପରା ତୋତେ ରହିଛି ଚାହିଁ -
ଅଗଣାରେ ଶେଯ ପାରି,
ଥକା ହୋଇ ଦୁହେଁ ଶୋଇପଡିବ ରେ
ନିଦ ଯେବେ ଦେବ ଘାରି ।

ଟୀକା[ସମ୍ପାଦନା]

  • ମୂଳ ରଚନା 'ଜହ୍ନମାମୁଁ' ପତ୍ରିକାର ଫାଲ୍ଗୁନ ୧୩୩୯ ସଂଖ୍ୟାରେ ପ୍ରକାଶିତ । ଗୀତଟିର ଏହି ପ୍ରତିଟି ଓଡ଼ିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ'ରୁ ଆହୃତ ।