ଓଡ଼ିଆ ଭାଗବତ/୬

ଉଇକିପାଠାଗାର‌ରୁ
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ଷଷ୍ଠ ସ୍କନ୍ଧ

ପ୍ରଥମ ଅଧ୍ୟାୟ[ସମ୍ପାଦନା]

ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥ ୧
ଶୁକ ଚରଣେ ପ୍ରଣମିତ । ହୋଇ ବୋଲନ୍ତି ପରୀକ୍ଷିତ ॥ ୨

ପରୀକ୍ଷିତ ଉବାଚ[ସମ୍ପାଦନା]

ଏକ ସଂଶୟ ମୋର ମନ । ତେଣୁ ମୁଁ କରି ନିବେଦନ ॥ ୩
ଭୋ ଭାଗବତ ତୁମ୍ଭେ ଆଦ୍ୟେ । କହିଲ ଯା ଦ୍ୱିତୀୟସ୍କନ୍ଧେ ॥ ୪
ଆଦ୍ୟରେ ଭଗବାନ ବ୍ରହ୍ମା । ଅଷ୍ଟ ଐଶ୍ୱର୍ଯ୍ୟ ସୁଖ ସୀମା ॥ ୫
ନିବୃତ୍ତିମାର୍ଗେ ଯା’ କହିଲେ । ତା ଯୋଗେଶ୍ୱର ନ ଜାଣିଲେ ॥ ୬
ନିବୃତ୍ତି ମାର୍ଗେ ଚକ୍ରପାଣି । କେବଳ ଯୋଗେ ତା’ ବଖାଣି ॥ ୭
ଯୋଗେ ଲଭନ୍ତି ପ୍ରଜାପତି । କ୍ରମେ ତାଙ୍କର ସଙ୍ଗେ ମୁକ୍ତି ॥ ୮
ଆର ପ୍ରବୃତ୍ତିମାର୍ଗ ଯେହି । ସ୍ୱର୍ଗାଦିସୁଖ ଯହିଁ ପାଇ ॥ ୯
ପ୍ରକୃତି ବିଲୟ ଅଭାବେ । ଜନ୍ମ ମରଣ ଜୀବ ଲଭେ ॥ ୧୦
କେମନ୍ତ ରୂପେ ତା ପ୍ରକାଶ । ବିଷ୍ଣୁର ମାୟାରେ ପ୍ରବେଶ ॥ ୧୧
ସ୍ଥିର ସମୂହ ଦୁଷ୍ଟଗଣ । ପ୍ରବୃତ୍ତି ସୃଷ୍ଟି ନୋହେ ଭିନ୍ନ ॥ ୧୨
ପୁଣି ହୁଏ ସେ ପୁଣି ଯାଏ । ସେ ମାର୍ଗ କହିଲ ତୃତୀୟେ ॥ ୧୩
ଯେ ନାନା ଅଧର୍ମ ଲକ୍ଷଣ । ନରକମାନଙ୍କ ବର୍ଣ୍ଣନ ॥ ୧୪
ଯେ ସ୍ୱାୟମ୍ଭୁବ ମନୁ ଆଦି । କହିଲ ଚତୁର୍ଥେ ସମ୍ପାଦି ॥ ୧୫
ଉତ୍ତାନପାଦ ପ୍ରିୟବ୍ରତ । ଏ ବେନି ବଂଶାନୁଚରିତ ॥ ୧୬
ଦ୍ୱୀପ ବରଷ ମହୀଧର । ନଦୀ ଉଦ୍ୟାନ ଯେ ସାଗର ॥ ୧୭
ପୃଥିବୀ ମଣ୍ଡଳର ସ୍ଥାନ । ସୂର୍ଯ୍ୟମଣ୍ଡଳ ଜ୍ୟୋତିର୍ଗଣ ॥ ୧୮
ଚନ୍ଦ୍ର ତାରକା ଆଦି କରି । ଭାଗ ବିବର ଅନୁସରି ॥ ୧୯
ଯେମନ୍ତ ପ୍ରକାରେ ଈଶ୍ୱର । ରଚିଲେ ଅଖିଳ ସଂସାର ॥ ୨୦
ନାନା ପ୍ରକାରେ ଯେ ନରକ । ପ୍ରାଣୀ ସଞ୍ଚରନ୍ତି ଅନେକ ॥ ୨୧
ଉଗ୍ର ଯାତନାକୁ ଭୁଞ୍ଜନ୍ତି । କି କଲେ ତହିଁ ନ ପଡ଼ନ୍ତି ॥ ୨୨
ବିଶେଷ କରି ମହାଭାଗ । କହ ତୁ ଭାବେ ମୋର ଆଗ ॥ ୨୩

ଶୁକଉବାଚ[ସମ୍ପାଦନା]

ମନ ବଚନ ଶରୀରରେ । ଯେ ପ୍ରାଣୀ ପାପକାର୍ଯ୍ୟ କରେ ॥ ୨୪
ଇହଲୋକରେ ଦେହ ଧରି । ଯେବେ ପ୍ରାୟଶ୍ଚିତ୍ତ ନ କରି ॥ ୨୫
କି ଅବା ପରମଈଶ୍ୱରେ । ପୂଜା ନ କରେ ଭକ୍ତିଭରେ ॥ ୨୬
ଅଥବା ନାମସଂକୀର୍ତ୍ତନେ । ଶ୍ରଦ୍ଧା ନ କରେ ଭଗବାନେ ॥ ୨୭
ବିଶେଷେ ଯାତନା ନରକ । ସେ ପ୍ରାଣୀ ଲଭେ ଅତିରେକ ॥ ୨୮
ଯେବଣ ପ୍ରକାରେ ଭିଷକ । କରଇ ଚିକିତ୍ସା ଅନେକ ॥ ୨୯
ରୋଗରୁ ଗୁରୁ ଲଘୁ ଜାଣି । ନିଦାନ କଥା ପରିମାଣି ॥ ୩୦
ତେମନ୍ତ ମରଣର ଆଗେ । ସଂଯତମନା ହୋଇ ବେଗେ ॥ ୩୧
ପାପର ନିବାରଣ ଅର୍ଥେ । କରିବ ସଦ୍ୟ ପ୍ରାୟଶ୍ଚିତ୍ତେ ॥ ୩୨

ପରୀକ୍ଷିତ ଉବାଚ[ସମ୍ପାଦନା]

ପାପ ଅହିତ ପରିମାଣି । ତଥାପି ବିଷୟାରେ ପ୍ରାଣୀ ॥ ୩୩
ପାପରେ ପୁଣିହିଁ ପ୍ରବର୍ତ୍ତେ । କି କାର୍ଯ୍ୟ ତେବେ ପ୍ରାୟଶ୍ଚିତ୍ତେ ॥ ୩୪
କେବେ ବା ପାପୁ ନିବର୍ତ୍ତଇ । ପୁଣି ହିଁ ପାପ ଆଚରଇ ॥ ୩୫
ଏଥୁ ଅନ୍ତରେ ପ୍ରାୟଶ୍ଚିତ୍ତେ । କୁଞ୍ଜରସ୍ନାନ କଲା ମତ ॥ ୩୬
ଏମନ୍ତ ରାଜନ ବଚନେ । ଶୁକ କହନ୍ତି ତୋଷମନେ ॥ ୩୭
କର୍ମରେ କରି କର୍ମମାନ । ନିଗ୍ରହ କରନ୍ତି ଯେ ଜନ ॥ ୩୮
କର୍ମ ସମୂଳେ ନାଶ ନୋହି । ଏହାର ସ୍ୱଭାବଟି ଏହି ॥ ୩୯
ଅଜ୍ଞାନୀ ଅଧିକାରୀ ଯେଣୁ । ବିଫଳ ପ୍ରାୟଶ୍ଚିତ୍ତ ତେଣୁ ॥ ୪୦
ସୁପଥ୍ୟ ଗ୍ରାସ ଯେ ନକରେ । ତାହାକୁ ବ୍ୟାଧି ପୀଡା କରେ ॥ ୪୧
ଏହି ନିୟମ ଯେ କରନ୍ତି । କର୍ମେ କଲ୍ୟାଣ ସେ ଲଭନ୍ତି ॥ ୪୨
ଦେହ ବଚନ ବୁଦ୍ଧି ଘେନି । ଯେ ପାପ କରିଥାଏ ପ୍ରାଣୀ ॥ ୪୩
ତପସ୍ୟା ଯମ ନିୟମରେ । ସମ ଦମ ତ୍ୟାଗ ଶୌଚରେ ॥ ୪୪
ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ । ଜ୍ଞାନୀ ନାଶନ୍ତି ପାପଘୋରେ ॥ ୪୫
ଯେସନେ ଦହଇ ସକଳ । ବେଣୁର ଗୁଳ୍ମ ଦାବାନଳ ॥ ୪୬
ତେସନେ ଭକ୍ତିଯୋଗୁ କରି । ଗୋବିନ୍ଦ ଚରଣ ସୁମରି ॥ ୪୭
ମଳୟ ଚନ୍ଦନ ଯେସନ । ଅଗ୍ନିପାରୁଶେ ଯେହ୍ନେ ହେମ ॥ ୪୮
ଗୋବିନ୍ଦ ପାଦେ ଆଶ୍ରେ କରେ । ତେଣୁ ଅଘତିମିର ହରେ ॥ ୪୯
ଅଶେଷ ପାପମାନ ନାଶେ । ତମ ଯେସନେ ରବିତ୍ରାସେ ॥ ୫୦
ହେ ରାଜା ଅଘବନ୍ତ ଯେହି । ତପେ ପବିତ୍ର ତେଡେ ନୋହି ॥ ୫୧
ଯେମନ୍ତ କୃଷ୍ଣର ବିଷୟେ । ପ୍ରାଣ ଅର୍ପିଲେ ଶୁଦ୍ଧ ହୋଏ ॥ ୫୨
ସୁଶୀଳ ସାଧୁ ଯେଉଁ ଜନ । ନାରାୟଣରେ ପରାୟଣ ॥ ୫୩
ତାହାଙ୍କ ଭକ୍ତିପଥମାନ । ଲୋକର କଲ୍ୟାଣ କାରଣ ॥ ୫୪
ସେ ନିତ୍ୟେ ଥାନ୍ତି ପରହିତେ । ଜଗତ ଦେଖେ ଆତ୍ମାଗତେ ॥୫୫
ଶୁଣ ରାଜନ ପରିମାଣି । କୃଷ୍ଣ-ବିମୁଖ ଯେତେ ପ୍ରାଣୀ ॥ ୫୬
ତାହାଙ୍କ ତପେ ଯେତେ ଫଳ । ସକଳ ହୁଅଇ ନିଷ୍ଫଳ ॥ ୫୭
ଶ୍ରୀକୃଷ୍ଣ-ପାଦପଦ୍ମ ଦୁଇ । ତା ଗୁଣେ ଅନୁରାଗୀ ହୋଇ ॥ ୫୮
ତାହାର ଯେଉଁ ଲୟ ଧ୍ୟାନ । ନିବେଦନରେ ତନୁ ମନ ॥ ୫୯
ଯେ ଏକାବେଳେ ବୋଲେ ନାମ । ସ୍ୱପ୍ନେ ସେ ନ ଦେଖଇ ଯମ ॥ ୬୦
ଯା ଦୂତ ଦଣ୍ଡ-ପାଶଧର । ନ ଦେଖେ ଚିହ୍ନ ତାହାଙ୍କର ॥ ୬୧
ଯେ ଇତିହାସ ପୁରାତନ । କହିବା ଶୁଣ ସାବଧାନ ॥ ୬୨
ବିଷ୍ଣୁଙ୍କ ଦୂତ ଯମଦୂତ । ସମ୍ବାଦ ଅତି ଅଦଭୂତ ॥ ୬୩
କାନ୍ୟକୁବୁଜ ନାମେ ଦେଶ । ଅଜାମିଳର ତହିଁ ବାସ ॥ ୬୪
ଆଶ୍ରମେ ଦ୍ୱିଜ ସେ ବୋଲାଇ । ସ୍ୱଭାବେ ଦାସୀପତି ହୋଇ ॥ ୬୫
ସଦାଚାରକୁ ନଷ୍ଟ କରି । ଦାସୀର ସଂସର୍ଗ ଆଚରି ॥ ୬୬
କୈତବ ଚୌର୍ଯ୍ୟପଣେ ଥାଇ । କୁତ୍ସିତକର୍ମ ଆଚରଇ ॥ ୬୭
ଏମନ୍ତେ କେତେଦିନ ଗଲା । ତାହାର ପୁତ୍ର ଉପୁଜିଲା ॥ ୬୮
ସେ ନଗ୍ରେ ଥାଇ ଦାସୀପତି । ପୁତ୍ରପାଳନେ ସଦା ମତି ॥ ୬୯
ଅଠାଶୀ ବରଷେ ତାହାର । କାଳ ହୋଇଲା ନୃପବର ॥ ୭୦
ବୃଦ୍ଧବୟସେ ତାର ସୁତ । ହୋଇଲା ଦଶ ପରିମିତ ॥ ୭୧
କନିଷ୍ଠ ନାମ ନାରାୟଣ । ପିତାର ଆନନ୍ଦ କାରଣ ॥ ୭୨
ତାହାର ତହିଁ ଚିତ୍ତ ଥାଇ । ଅନ୍ୟତ୍ର କେବେହେଁ ନ ଦେଇ ॥ ୭୩
ବାଳକ ସ୍ୱଭାବେ ଅଲ୍ୟଳ । ବଚନ କହଇ ମୃଦୁଳ ॥ ୭୪
ତାହାର ଲୀଳାମାନ ଦେଖି । ହରଷ କେ ପାରିବ ଲେଖି ॥ ୭୫
ଭୋଜନ-ଜଳପାନ ବେଳେ । ନାନାପ୍ରକାରେ ସୁଖ ଭୋଳେ ॥ ୭୬
ବାଳକ-ସ୍ନେହେ ବଶ ହୋଇ । ଅଗ୍ରଭୋଜନ ତାକୁ ଦେଇ ॥ ୭୭
ମରଣ ନ ଜାଣଇ ମୂଢ଼ । ବାଳକ-ସ୍ନେହେ ଚିତ୍ତ ଦୃଢ଼ ॥ ୭୮
ମରଣକାଳ ଉପଗତ । ତକ୍ଷଣେ କରି ଦୃଢ଼ଚିତ୍ତ ॥ ୭୯
ବାଳକ ନାମ ନାରାୟଣ । ମତି ନିବେଶିଲା ତକ୍ଷଣ ॥ ୮୦
ଯମର ଦୂତ ପାଶ କରେ । ମିଳିଲେ ତାର ସମୀପରେ ॥ ୮୧
ଉଚ୍ଚପୁରୁଷ ଭୟଙ୍କର । ବକ୍ର ବଦନ ମହାଘୋର ॥ ୮୨
ଲମ୍ବଲୋମ ସର୍ବଶରୀର । ଦେଖି ଅଜାମିଳ କାତର ॥ ୮୩
ଦୂରେ ବାଳକସଙ୍ଗେ ମିଳି । ତାହାର ପୁତ୍ର କରେ କେଳି ॥ ୮୪
ଗଭୀରସ୍ୱରେ ଉଚ୍ଚ କରି । ଡାକିଲା ପୁତ୍ରନାମ ଧରି ॥ ୮୫
ଇନ୍ଦ୍ରିୟ-ଆକୁଳେ ତକ୍ଷଣ । ଡାକିଲା ପୁତ୍ର ନାରାୟଣ ॥ ୮୬
ମଲା ଅଜାମିଳ ବ୍ରାହ୍ମଣ । ସେ ନାମ କରି ସଂକୀର୍ତ୍ତନ ॥ ୮୭
ଯମର ଦୂତେ ଥିଲେ ବେଢି । ହସ୍ତରେ ପାଶରଜ୍ଜୁ ଧରି ॥ ୮୮
ଶୁଣି ତା ମୁଖୁ ନାରାୟଣ । ଆସି ମିଳିଲେ ବିଷ୍ଣୁଗଣ ॥ ୮୯
ଏମନ୍ତେ ବିଷ୍ଣୁଦୂତେ ମିଳି । ଗନ୍ଧ-ଆମୋଦେ ଦିଗ ପୂରି ॥ ୯୦
ରୂପେ କି ଦେବା ପଟାନ୍ତର । ସୁବର୍ଣବେତ ଧରି କର ॥ ୯୧
ପୀତବସନ ପହରଣ । ଦିଶନ୍ତି ଦଗ୍‌ଧସ୍ୱର୍ଣ୍ଣବର୍ଣ୍ଣ ॥ ୯୨
ସେ ଅଜାମିଳହୃଦୟରୁ । ଜୀବକୁ ଆକର୍ଷଣ କରୁ ॥ ୯୩
ଯମଦୂତଙ୍କୁ ବିଷ୍ଣୁଦୂତେ । ବଳେ ନିବାରିଲେ ତୁରିତେ ॥ ୯୪
ବଇବସ୍ୱତ ପ୍ରଭୁ ଯାର । ସେ ଦୂତମାନଙ୍କ ଉପର ॥ ୯୫
ପ୍ରହାର କଲେ ବିଷ୍ଣୁଦୂତେ । ତାଙ୍କୁ କହନ୍ତି ଯମଦୂତେ ॥ ୯୬
ବିଷ୍ଣୁଦୂତମାନଙ୍କୁ କହି । ତୁମ୍ଭେ ନିବାର କାହିଁ ପାଇଁ ॥ ୯୭
ଧର୍ମରାଜର ଆଜ୍ଞାମାନ । କିମ୍ପାଇଁ କରୁଛ ଲଂଘନ ॥ ୯୮
କାହାର ତୁମ୍ଭେମାନେ ଦୂତ । କାହୁଁ ବା ଅଇଳ ତୁରିତ ॥ ୯୯
କିମ୍ପାଇଁ ଆମ୍ଭଙ୍କୁ ନିରୋଧ । କିବା ଉତ୍ତମ ତୁମ୍ଭେ ସିଦ୍ଧ ॥ ୧୦୦
କିବା ଦେବତା ତୁମ୍ଭେମାନେ । ଥାଅ ଦେବଙ୍କ ସନ୍ନିଧାନେ ॥ ୧୦୧
ତୁମ୍ଭର ଚକ୍ଷୁ ପଦ୍ମତୁଲ୍ୟ । ବିରାଜେ କିରୀଟ କୁଣ୍ଡଳ ॥ ୧୦୨
ଉରେ ଲମ୍ବଇ ବନମାଳ । ଶୋଭିତ ଯେ ପୀତ ଦୁକୂଳ ॥ ୧୦୩
ସର୍ବ ଲକ୍ଷଣ ତୁମ୍ଭ ଦେହ । ଚାରୁ ଚତ୍ୱାର ଭୁଜ ବହ ॥ ୧୦୪
ଶଙ୍ଖ ଚକ୍ର ଗଦା କମଳ । ଏଣେ ଶୋଭିତ ଯେ ତୁମ୍ଭର ॥ ୧୦୫
ଧନୁ ଖଡ଼ଗ ତୂଣ ଶର । ଏ ସର୍ବ ଆୟୁଧ ତୁମ୍ଭର ॥ ୧୦୬
ଦିଗମାନଙ୍କର ତିମିର । ଆତ୍ମକାନ୍ତିରେ କଲ ଦୂର ॥ ୧୦୭
ଆମ୍ଭେ ଧର୍ମରାଜ-କିଙ୍କର । କିମ୍ପା ନିରୋଧ ତୁମ୍ଭେ କର ॥ ୧୦୮
କି ହେତୁ ଏମନ୍ତ ଆଚର । କହିବା ଆମ୍ଭର ଆଗର ॥ ୧୦୯
ଆମ୍ଭମାନଙ୍କୁ ଦୟା ବହ । କିହେତୁ କିବା ପରିଚୟ ॥୧୧୦

ଶୁକ ଉବାଚ[ସମ୍ପାଦନା]

ଯମଦୂତଙ୍କ କଥା ଅନ୍ତେ । ହସି କହନ୍ତି ବିଷ୍ଣୁଦୂତେ ॥ ୧୧୧
ମେଘ-ଗମ୍ଭୀର ପ୍ରାୟେ ବାଣୀ । ଯମଦୂତଙ୍କ ଆଗେ ଭଣି ॥ ୧୧୨

ବିଷ୍ଣୁଦୂତ ଉବାଚ[ସମ୍ପାଦନା]

ତୁମ୍ଭେ ଦୂତ ଧର୍ମରାଜାର । ତାହାଙ୍କ ଆଜ୍ଞା ଯେବେ କର ॥ ୧୧୩
ଧର୍ମ ଅଧର୍ମର ଲକ୍ଷଣ । କହିବା ଆମ୍ଭର ଆଗେଣ ॥ ୧୧୪
ପ୍ରାଣୀ କି କଲେ ଦଣ୍ଡପାଇ । ଦଣ୍ଡର ସ୍ଥାନ କେବା ହୋଇ ॥ ୧୧୫
ଦଣ୍ଡକୁ ସହଇ କେମନ୍ତେ । ମନୁଷ୍ୟ-ଜନ୍ତୁ ଏ ଜଗତେ ॥ ୧୧୬

ଯମଦୂତ ଉବାଚ[ସମ୍ପାଦନା]

ବେଦବିହିତ ଯେତେ କର୍ମ । ସେହି ସଂସାରେ ନିତ୍ୟଧର୍ମ ॥ ୧୧୭
ତା ବିନୁ ଅନ୍ୟକର୍ମ ଯେତେ । ଅଧର୍ମ ବୋଲି ଶାସ୍ତ୍ରମତେ ॥ ୧୧୮
ସାକ୍ଷାତେ ବେଦ ନାରାୟଣ । ଏ ନିଶ୍ଚେ ବ୍ରହ୍ମାର ବଚନ ॥ ୧୧୯
ଏ ଦେବ ଆପଣା ଶକ୍ତିରେ । ସତ୍ତ୍ବ ରଜ ତମଗୁଣରେ ॥ ୧୨୦
ଗୁଣ ନାମ କ୍ରିୟା ରୂପରେ । ଯଥାତଥାରେ ଭିନ୍ନ କରେ ॥ ୧୨୧
ସୂର୍ଯ୍ୟ ଚନ୍ଦ୍ର ଦିଗ ଆକାଶ । ପବନ ସଂଧ୍ୟା ଅହର୍ନିଶ ॥ ୧୨୨
ଦେବ ଭୂ ଜଳ ଅଗ୍ନି ଧର୍ମ । ଦେହୀ ଧର୍ମର ସାକ୍ଷୀ ଜାଣ ॥ ୧୨୩
ପାପକୁ ଏଣେ କରି ଜାଣି । ଦଣ୍ଡର ସ୍ଥାନ ପରିମାଣି ॥ ୧୨୪
କର୍ମଆୟତ୍ତ ହୋଇ ଜନ । ଦଣ୍ଡରେ ହୁଅଇ ଭାଜନ ॥ ୧୨୫
ଆହେ ନିଷ୍ପାପ ପ୍ରାଣୀମାନେ । କର୍ମ କରନ୍ତି ଯେତେ ଜନେ ॥ ୧୨୬
ସତକର୍ମ ଯେମାନେ କରନ୍ତି । ସ୍ୱକର୍ମ ଫଳ ସେ ଲଭନ୍ତି ॥ ୧୨୭
ମନ୍ଦକରମଯୁକ୍ତ ଯେହୁ । ସଫଳ ଲଭିବ ସେ କାହୁଁ ॥ ୧୨୮
ବିଧି ନିଷେଧ ବେନିକର୍ମ । ଏ ନିତ୍ୟେ କହନ୍ତି ଆଗମ ॥ ୧୨୯
ବିହିତକର୍ମ ଯେ କରଇ । ତାର ପାପକୁ ଭୟ ନାହିଁ ॥ ୧୩୦
ନିଷେଧକର୍ମ କରେ ଯେହୁ । ସକଳ ଦଣ୍ତ ସହେ ସେହୁ ॥ ୧୩୧
ଏ ଘେନି ବେଦ ବ୍ରହ୍ମମୟେ । ସୁଜନ ବେଦମାର୍ଗେ ରହେ ॥ ୧୩୨
ଧର୍ମ ଅଧର୍ମ ଆଚରଣ । କରନ୍ତି ଯେହୁ ପ୍ରାଣୀମାନ ॥ ୧୩୩
ସେ ପ୍ରାଣୀମାନେ ଅବନୀରେ । ଫଳାଫଳକୁ ଭୋଗକରେ ॥ ୧୩୪
ହେ ଦେବଶ୍ରେଷ୍ଠ ତୁମ୍ଭେମାନେ । ସଂସାରେ ପ୍ରାଣୀମାନେ ଯେହ୍ନେ ॥ ୧୩୫
ତ୍ରିବିଧ-ଲକ୍ଷଣ ଲଭନ୍ତି । ଯେ ଯଥାକର୍ମ ଆଚରନ୍ତି ॥ ୧୩୬
ଗୁଣ ବିଚିତ୍ରଭାବୁଁ କରି । ପ୍ରାଣୀଙ୍କ ବିଷୟ ଆଚରି ॥ ୧୩୭
କାଳର ବର୍ତ୍ତମାନ ଗୁଣ । ଭୂତ ଭବିଷ୍ୟତ ପ୍ରମାଣ ॥ ୧୩୮
ତେସନେ ପ୍ରାଣୀ ଇହଜନ୍ମ । ପ୍ରକାଶ କରେ ଧର୍ମାଧର୍ମ ॥ ୧୩୯
ଯେ ଧର୍ମରାଜ ଜନ୍ତୁସାଇଁ । ସେ ସଞ୍ଜମନୀପୁରେ ଥାଇ ॥ ୧୪୦
ପ୍ରାଣୀର ଅନ୍ତର୍ଯ୍ୟାମୀ ହୋଇ । ଧର୍ମ ଅଧର୍ମକୁ ଜାଣଇ ॥ ୧୪୧
ତମୋଗୁଣରେ ଯୁକ୍ତ ହୋଇ । ସତ୍ତ୍ବଗୁଣକୁ ନ ଭାବଇ ॥ ୧୪୨
ଏ ଦେହେ ଅହମିକା ବହି । ଜନ୍ମ ଅକାରଣେ ନାଶଇ ॥ ୧୪୩
ଜ୍ଞାନ କରମ ଦଶେନ୍ଦ୍ରିୟ । ମନ ଆର ପଞ୍ଚବିଷୟ ॥ ୧୪୪
ଏ ଷଟଦଶ ଲିଙ୍ଗ ଦେହେ । ଏ ଜୀବ ଭୁଞ୍ଜଇ ବିଷୟେ ॥ ୧୪୫
ଯେ ଅବା ପଞ୍ଚଭୂତ ଗୁଣ । ସୃଷ୍ଟିକି କରଇ ଭିଆଣ ॥ ୧୪୬
ମହତତତ୍ତ୍ବ ଅହଙ୍କାର । ଏ ଆଦି ଯେତେକ ଅପର ॥ ୧୪୭
ତ୍ରିଗୁଣଶକ୍ତି ଆଦି ଯେତେ । ଏହାକୁ ଧରି ହୃଦଗତେ ॥ ୧୪୮
ଏମନ୍ତ ପ୍ରକାରଣେ ଦେହୀ । ହରଷ-ଶୋକକୁ ଲଭଇ ॥ ୧୪୯
ତେଣୁ ଷଡବର୍ଗ ଅଜିତ । କରଇ କର୍ମ ବିପରୀତ ॥ ୧୫୦
କୋଶକାରର ପ୍ରାୟ ହୋଇ । କର୍ମରେ ଆତ୍ମାକୁ ରୋଧଇ ॥ ୧୫୧
ଏଥୁ ଅନ୍ତରେ ପୁଣି ସେହି । ତହିଁ ରହଇ ମୋହ ହୋଇ ॥ ୧୫୨
ସ୍ୱଭାବେ କର୍ମବଶ ହୋଇ । ନିରତେ କର୍ମକୁ କରଇ ॥ ୧୫୩
ଏଥୁ ଅନ୍ତରେ ପୂଣ ସେହି । ଅଦୃଷ୍ଟବଶେ ଦେହ ବହି ॥ ୧୫୪
ମାତାପିତାର ଅନୁରୂପ । ଲଭଇ ସ୍ଥୂଳ-ସୂକ୍ଷ୍ମରୂପ ॥ ୧୫୫
ପ୍ରକୃତି ସଙ୍ଗରୁ ପୁରୁଷ । ସର୍ବକର୍ମକୁ କରେ ନାଶ ॥ ୧୫୬
ପୂର୍ବବୃତ୍ତାନ୍ତ ଏବେ ଶୁଣ । ବେଦସମ୍ପୂର୍ଣ୍ଣ ଏ ବ୍ରାହ୍ମଣ ॥ ୧୫୭
ଧର୍ମଜ୍ଞ ଶୀଳବନ୍ତ ପୁଣ । ସୁଶାନ୍ତ ସୁଜ୍ଞାନୀ ନିପୁଣ ॥ ୧୫୮
ମୃଦୁ ମନ୍ତ୍ରଜ୍ଞ ଶୁଚିଦାତା । ସତ୍ୟବଚନ ଧୃତବ୍ରତା ॥ ୧୫୯
ଅତିଥି ବୃଦ୍ଧ ଗୁରୁ ଅଗ୍ନି । ଏହାଙ୍କ ସେବା ଶିରେ ଘେନି ॥ ୧୬୦
ସର୍ବଭୂତରେ ମିତ୍ରପଣ । କୋପବର୍ଜିତ ସାଧୁଗୁଣ ॥ ୧୬୧
ଅଶେଷ-ଗୁଣ-ସ୍ଥାନ ଏହି । ସୁଶୀଳବୃତ୍ତିରେ ଜୀଅଇଁ ॥ ୧୬୨
ପିତୃ ଆଜ୍ଞାକାରୀ ବ୍ରାହ୍ମଣ । ଏକକାଳେ ବନେ ଗମିଣ ॥ ୧୬୩
ପୁଷ୍ପ ସମିଧ ଫଳ କୁଶେ । ଘେନି ଆସଇ ମନତୋଷେ ॥ ୧୬୪
ସ୍ତିରୀ ସହିତେ ବନେ ଥିଲା । କାମୀ ଶୂଦ୍ରକୁ ଏ ଦେଖିଲା । ୧୬୫
ମଧୁପାନରେ ରକ୍ତନେତ୍ର । ବିହ୍ୱଳ ହୋଇଅଛି ଚିତ୍ତ ॥ ୧୬୬
ନୀବି ଖସିଛି ମତ୍ତଭରେ । ମୂଢ ଲଜ୍ଜାକୁ କରି ଦୂରେ ॥ ୧୬୭
ହାସ୍ୟ ଗାୟନ କ୍ରୀଡାରସେ । ଲୀଳା କରଇ ତାର ପାଶେ ॥ ୧୬୮
କନ୍ଦର୍ପେ ଲିପ୍ତମନ ହୋଇ । ଭୂଜେ ଆଲିଙ୍ଗନ କରଇ ॥ ୧୬୯
ବିପ୍ର ସ୍ତିରୀକୁ ଦେଖି କରି । ଇନ୍ଦ୍ରିୟବଶେ ଅନୁସରି ॥ ୧୭୦
ଏମନ୍ତେ ତାହାକୁ ଦେଖିଲା । ମନରେ ମୋହିତ ହୋଇଲା ॥ ୧୭୧
ଆପଣା ଆତ୍ମା ସ୍ଥିର କରି । ମନରେ ବହୁତ ବିଚାରି ॥ ୧୭୨
ହେଲେ ହେଁ ସତ୍ତ୍ବଗୁଣେ ସ୍ଥିତ । କନ୍ଦର୍ପେ ହୋଇଲା ପୀଡିତ ॥ ୧୭୩
ସ୍ତିରୀ-ବିଷୟେ ଅଭିରାମ । କପଟ ଗ୍ରହ ହୋଇ କାମ ॥ ୧୭୪
ତେଣେ ପ୍ରମତ୍ତମନ ତାର । ନିଜଧର୍ମକୁ କଲା ଦୂର ॥ ୧୭୫
ପୀନ-ଉରଜ ମନ ହରେ । ସ୍ନେହରେ ସ୍ତିରୀ ବିଷୟରେ ॥ ୧୭୬
ପରିତୋଷଣ ତାକୁ କରି । ସେବକମତେ ଆଜ୍ଞାକାରୀ ॥ ୧୭୭
କୋମଳବାକ୍ୟେ ମନ ହରି । ପ୍ରସନ୍ନ ଯେମନ୍ତେ ସୁନ୍ଦରୀ ॥ ୧୭୮
ନିଜ ଯୁବତୀ କୁଳସ୍ତିରୀ । ତେଜିଲା ବିପ୍ର ମନ୍ଦାଚାରୀ ॥ ୧୭୯
ସ୍ୱୈରିଣୀ ଅପାଙ୍ଗ ଇଙ୍ଗିତେ । ବନ୍ଦୀ ହୋଇଲା ତାର ଚିତ୍ତେ ॥ ୧୮୦
ତା ବିନୁ ନ ଜାଣଇ ଆନ । ତିଳେ ବିଚ୍ଛେଦ ନୋହେ ମନ ॥ ୧୮୧
ଅଧର୍ମବୁଦ୍ଧି ସେ ବ୍ରାହ୍ମଣ । ନିରତେ ବେଶ୍ୟା ପରାୟଣ ॥ ୧୮୨
ଧର୍ମେ ଅଧର୍ମେ ଧନ ଆଣି । ସନ୍ତୋଷ କରଇ ସ୍ୱୈରିଣୀ ॥ ୧୮୩
ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର । ସ୍ୱୈରିଣୀରତ ଅବିରତ ॥ ୧୮୪
ଗର୍ହିତକର୍ମେ ପ୍ରବର୍ତ୍ତିଲା । ପୂର୍ବର ଧର୍ମ ନାଶ କଲା ॥ ୧୮୫
ଏଣୁ ଏ ପାପୀ ଦ୍ୱିଜେ ନେଇ । ଯମର ଛାମୁରେ ଦେବଇଁ ॥ ୧୮୬
ବୋଲଇ ଜଗନ୍ନାଥ ଦାସ । ଯମଦୂତେ ବେଦ ପ୍ରକାଶ ॥ ୧୮୭

ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ
ପ୍ରଥମୋଽଧ୍ୟାୟଃ ॥
•••

ଦ୍ୱିତୀୟ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ଯମଦୂତ ବାଣୀ । ବିଷ୍ଣୁ-ସେବକମାନେ ଶୁଣି ॥ ୧
ଶୁଣ ରାଜନ ଏ ଅନ୍ତରେ । ତାହାଙ୍କ ବାକ୍ୟ ଅନୁସାରେ ॥ ୨
ସକଳ ଧର୍ମ ସେ ଜାଣନ୍ତି । ଯମଦୂତଙ୍କୁ ବୋଲୁଛନ୍ତି ॥ ୩

ବିଷ୍ଣୁଦୂତ ଉବାଚ[ସମ୍ପାଦନା]

ଏ ତ ଅତ୍ୟନ୍ତ ଅଦଭୂତ । ଦେଖିଲୁ ତୁମ୍ଭର ଚରିତ ॥ ୪
ସମଦରଶୀ ସାଧୁଜନେ । ଅଧର୍ମ ସ୍ପରଶେ କେସନେ ॥ ୫
ଅଦଣ୍ଡ୍ୟ ଅପାପୀ ଯେ ପ୍ରାଣୀ । ତାହାଙ୍କୁ ବ୍ୟର୍ଥେ ଦଣ୍ଡ ପୁଣି ॥ ୬
ପ୍ରଜାମାନଙ୍କ ପିତା ହୋଇ । ସେ ଯେବେ ପ୍ରଜା ଶାସ୍ତି ଦେଇ ॥ ୭
ତେବେ ସେ କାହାର ଶରଣ । ହୋଇବ କହ ହେ କାରଣ ॥ ୮
ମହତେ ଯାହା ଆଚରିବେ । ଇତରେ ତାହାହିଁ କରିବେ ॥ ୯
ସେ ଯାହା ପ୍ରମାଣ କରିବେ । ଲୋକେ ସେ ପଥ ଆଚରିବେ ॥ ୧୦
ଯାହାର ଅଙ୍କେ ଶିର ଦେଇ । ନିଶଙ୍କେ ଜନ ନିଦ୍ରା ଯାଇ ॥ ୧୧
ପଶୁ ଯେସନେ ସୁଖେ ଥାଇ । ଧର୍ମ-ଅଧର୍ମ ନ ଜାଣଇ ॥ ୧୨
ମିତ୍ର ସ୍ୱଭାବେ ଯାର ତହିଁ । ବିଶ୍ୱାସେ ଆତ୍ମା ସମର୍ପଇ ॥ ୧୩
ବିଶ୍ୱାସ ସର୍ବ ପ୍ରାଣୀଙ୍କର । ଦୟାପୂରିତ ଯା ଶରୀର ॥ ୧୪
ବିଶ୍ୱାସୀ ପ୍ରାଣୀଙ୍କି କେମନ୍ତେ । ସେ ହିଂସା କରେ ହୃଦଗତେ ॥ ୧୫
କୋଟିଜନ୍ମର ଶୁଭଫଳ । କଲା ଏ ଦ୍ୱିଜ ଆଜାମିଳ ॥ ୧୬
ଯେଣୁ ଆକୁଳେ ନାରାୟଣ । ମଙ୍ଗଳ କଲା ଉଚ୍ଚାରଣ ॥ ୧୭
ଏଣୁ ଏ ପାପୀ ମନ୍ଦକୃତ୍ୟ । ସକଳ କଲା ପ୍ରାୟଶ୍ଚିତ୍ତ ॥ ୧୮
ଯେଣୁ ଚତୁରାକ୍ଷର ନାମ । ମୁଖେ ବୋଇଲା ନାରାୟଣ ॥ ୧୯
ଯେ ବ୍ରହ୍ମହତ୍ୟା ମଦ୍ୟପାନ । ଗୁରୁପତ୍ନୀ ଅଭିଗମନ ॥ ୨୦
ମିତ୍ର-ବିଷୟେ ଅପରାଧ । ସ୍ତିରୀ ରାଜ ପିତୃ ଗୋ ବଧ ॥ ୨୧
ଏ ଆଦି ପାପ ଅପସରେ । ସର୍ବଦୁରିତ ନିଶ୍ଚେ ହରେ ॥ ୨୨
ପ୍ରାଶ୍ଚିତ୍ତ ସର୍ବ ପ୍ରାଣୀଙ୍କର । ନାମ ଉଚ୍ଚାରଣ ବିଷ୍ଣୁର ॥ ୨୩
ତୁଣ୍ଡେ ବୋଲନ୍ତି ଯେବା ନର । ତରନ୍ତି ଏ ଭବସାଗର ॥ ୨୪
ଯାହାର ବିଷ୍ଣୁଭାବେ ମତି । ପାପରେ ଗ୍ରସ୍ତ ସେ ନୁହଁନ୍ତି ॥ ୨୫
ବ୍ରତ ପ୍ରାୟଶ୍ଚିତ୍ତ ଏମାନ । ଅଧିକ ତହୁଁ ହରିନାମ ॥ ୨୬
ଶୁଦ୍ଧସତ୍ତ୍ବକୁ ପରକାଶେ । ପାପର ମୂଳବୀଜ ନାଶେ ॥ ୨୭
ଏଣୁ ଏହାକୁ ତୁମ୍ଭେମାନେ । ତେଜିଣ ଯାଅ ନିଜସ୍ଥାନେ ॥ ୨୮
ଏହାର ଯେତେ ପାପମାନ । ନିଶ୍ଚୟେ କଲା ଏ ଖଣ୍ଡନ ॥ ୨୯
ଯେଣୁ ଏ ଦ୍ୱିଜ ଅଜାମିଳ । ନିକଟେ ମରଣର କାଳ ॥ ୩୦
ତୁଣ୍ଡେ ଉଚ୍ଚାରି ନାରାୟଣ । ପ୍ରାଣ ଛାଡ଼ିଲା ତତକ୍ଷଣ ॥ ୩୧
ସଙ୍କେତ-ପରିହାସବେଳେ । ଗୀତାଳାପରେ ଯେବେ ହେଳେ ॥ ୩୨
ବୈକୁଣ୍ଠନାମ ଉଚ୍ଚାରଇ । ତାର କଳୁଷ ନ ରହଇ ॥ ୩୩
ପତନ ସ୍ଖଳନ ଭଗ୍ନରେ । ନାନାପ୍ରକାରେ ଯେ ସୁମରେ ॥ ୩୪
ତୁଣ୍ଡେ ଉଚ୍ଚାରେ ରାମନାମ । ତାହାକୁ ନ ଦଣ୍ଡଇ ଯମ ॥ ୩୫
ଅଳ୍ପ ବହୁତ ପାପମାନ । ପ୍ରାୟଶ୍ଚିତ୍ତ ହିଁ ଯଥାକ୍ରମ ॥ ୩୬
ପାପର ଗୁରୁ ଲଘୁ ଜାଣି । ମୁନି କହନ୍ତି ପରିମାଣି ॥ ୩୭
ତପ ସମାଧି ଜପ ଦାନେ । ପାପ ନାଶନ୍ତି ମୁନିଜନେ ॥ ୩୮
ପାପର ବୀଜ ନାଶ ନୋହି । ଚିତ୍ତ ନିର୍ମଳ ନୋହେ ତହିଁ ॥ ୩୯
ଯେମନ୍ତେ ଶ୍ରୀହରି କୀର୍ତ୍ତନେ । ପାଦପଙ୍କଜ ସେବାଧ୍ୟାନେ ॥ ୪୦
ଜ୍ଞାନେ ଅଜ୍ଞାନେ ଯେଉଁପ୍ରାଣୀ । ସ୍ମରଣ କରେ ଚକ୍ରପାଣି ॥ ୪୧
ନାମ କରନ୍ତି ସଙ୍କୀର୍ତ୍ତନ । ପାପକୁ ନାଶନ୍ତି ବହନ ॥ ୪୨
ଯେସନେ ବହୁ କାଷ୍ଠ ରାଶି । ଅନଳ ପ୍ରବେଶେ ବିନାଶି ॥ ୪୩
ରୋ ଶରୀରେ ଉପଗତ । ହେଲେ ଔଷଧ ବଳବନ୍ତ ॥ ୪୪
ଅଜ୍ଞାନେ ପ୍ରୟୋଗ ହୋଇଲେ । ତେମନ୍ତ ନାମ ଉଚ୍ଚାରିଲେ ॥ ୪୫
ତେବେ ସେ ଆତ୍ମାଗୁଣୁ ତାର । ସେ କି ନ କରେ ଉପକାର ॥ ୪୬
ଶୁକ କହନ୍ତି ଅନୁରାଗେ । ବିଷ୍ଣୁଚରିତ ସୁଧାଭାଗେ ॥ ୪୭

ଶୁକ ଉବାଚ[ସମ୍ପାଦନା]

ବିଷ୍ଣୁଦୂତଙ୍କ ଧର୍ମବାଣୀ । କୃତାନ୍ତଦୂତମାନେ ଶୁଣି ॥ ୪୮
ଅଜାମିଳକୁ ପାଶୁ ଫେଇ । ମୃତ୍ୟୁରୁ ଦେଲେ ବାହୁଡାଇ ॥ ୪୯
ଯମର ଦୂତମାନେ ଗଲେ । ସ୍ୱାମୀଙ୍କି ସମସ୍ତ କହିଲେ ॥ ୫୦
ପାଶରୁ ମୁକ୍ତ ଅଜାମିଳ । ଦେହ ଲଭିଲା ତତକାଳ ॥ ୫୧
ବିନାଶି ସର୍ବଭୟ ତାର । ଶିରରେ ଦେଇ ବେନିକର ॥ ୫୨
ବିଷ୍ଣୁଦୂତଙ୍କୁ ନମସ୍କାର । ଉଚ୍ଛୁକ ହୋଇଛି ମନର ॥ ୫୩
ପ୍ରସନ୍ନମୁଖ ଦେଖି ତାର । ଜାଣିଲେ ବିଷ୍ଣୁର କିଙ୍କର ॥ ୫୪
ତକ୍ଷଣେ ଅନ୍ତର୍ଦ୍ଧାନ ହୋଇ । ତାର ନିକଟୁ ଗଲେ ସେହି ॥ ୫୫
ଗୁଣଆଶ୍ରିତ ବେଦସିଦ୍ଧ । ଯେ ଭାଗବତ-ଧର୍ମଶୁଦ୍ଧ ॥ ୫୬
ଯମ-ବିଷ୍ଣୁଦୂତଙ୍କ ବାଣୀ । ଗୋବିନ୍ଦ-ଗୁଣ ବିପ୍ରମଣି ॥ ୫୭
ତକ୍ଷଣେ ଚରଣାରବିନ୍ଦେ । ଭକ୍ତି ଲଭିଲା ଅପ୍ରମାଦେ ॥ ୫୮
ଶ୍ରୀକୃଷ୍ଣ ଚରିତ ଶ୍ରବଣେ । ପୂର୍ବର ଅଶୁଭ ସ୍ମରଣେ ॥ ୫୯
ମହାସନ୍ତାପ ମନେ କଲା । ତକ୍ଷଣେ ବିଷ୍ଣୁ ସୁମରିଲା ॥ ୬୦
ଅହୋ ମୋହର ବଡ କଷ୍ଟ । ଅଜିତ ଇନ୍ଦ୍ରିୟ ମୁଁ ନଷ୍ଟ ॥ ୬୧
ସୁକର୍ମ କଲି ମୋର କ୍ଷୀଣ । କଲି ମୁଁ ବୃଷଳୀ-ଗମନ ॥ ୬୨
ଅଧର୍ମ ଆଚରଣ କରି । କାଟିଲି ଦିବସ-ଶର୍ବରୀ ॥ ୬୩
ଧିକ ମୋହର ମନ୍ଦକୃତ୍ୟ । କୁଳରେ କଳଙ୍କ ବିଦିତ ॥ ୬୪
ତେଜିଣ ନିଜ ପତ୍ନୀ ସତୀ । ରମିଲି ମୁଁ ନୀଚ ଅସତୀ ॥ ୬୫
ବୃଦ୍ଧମୋହର ତାତମାତ । ମୋର ବିହୁନେ ଅରକ୍ଷିତ ॥ ୬୬
ତପସ୍ୱୀରୂପେ ଥାନ୍ତି ବନେ । ତାଙ୍କୁ ତେଜିଲି ଅକାରଣେ ॥ ୬୭
କି ଏ ଅର୍ଜିତକର୍ମ ମୋର । ନରକେ କଲି ନିଜଘର ॥ ୬୮
ବିଧି ହୋଇଲା ବିଡମ୍ବନ । ଲଭିବି ନରକ ଦାରୁଣ ॥ ୬୯
ଧର୍ମ-ହିଂସକ ପାପୀ ଯହିଁ । ନାନା-ଯାତନା ଭୁଞ୍ଜୁ ଥାଇ ॥ ୭୦
କି ଏ ସ୍ୱପନ ଅଦଭୁତେ । ନୟନେ ଦେଖିଲି ସାକ୍ଷାତେ ॥ ୭୧
ପାଶଦଉଡି ହସ୍ତେ କରି । ଯେ ମୋତେ ନେଉଥିଲେ ଧରି ॥ ୭୨
ଏ ତ ଆଶ୍ଚର୍ଯ୍ୟ ବଡ ଏଣେ । କ୍ଷଣକେ ଚାଲିଗଲେ କେଣେ ॥ ୭୩
ଏ ଅନ୍ତେ ସିଦ୍ଧ ଚାରିଜଣ । ତାଙ୍କର ରୂପ ମନୋରମ ॥ ୭୪
ପାଶେ ବନ୍ଧନ ମୋତେ କରି । ଅଧୋଭୂମିକୁ ନେଉଁ ଧରି ॥ ୭୫
ଛଡାଇ ଦେଲେ ଏହିକ୍ଷଣି । କ୍ଷଣକେ ଗଲେ କାହିଁ ପୁଣି ॥ ୭୬
ମୁଁ ତ ଅଟଇ ପାପୀହୀନ । ମୋହର ଦେବ-ଦରଶନ ॥ ୭୭
ଏଣୁ ହୋଇଲା ଏ ମଙ୍ଗଳ । ଆତ୍ମା ମୋ ହୋଇଲା ସୁଫଳ ॥ ୭୮
ଅଶୁଚି ଦାସୀପତି ମୁହିଁ । ମୋ ତହୁଁ ପାପୀ ଅଛି କାହିଁ ॥ ୭୯
ମୋହର ମରଣର କାଳେ । ନାମକୀର୍ତ୍ତନ ଅବହେଳେ ॥ ୮୦
ଜିହ୍ୱା ମୋ କେମନ୍ତେ ବୋଇଲା । ଶ୍ରୀକୃଷ୍ଣ ମୋତେ ଦୟାକଲା ॥ ୮୧
ମୁଁ କାହିଁ ଧୂର୍ତ୍ତ ପାପୀବର । ବିପ୍ରକୁଳର ଲଜ୍ଜାକର ॥ ୮୨
ସର୍ବ ମଙ୍ଗଳର କାରଣ । ବୈକୁଣ୍ଠନାମ ଉଚ୍ଚାରଣ ॥ ୮୩
କେମନ୍ତେ ବୋଇଲଇଁ ମୁହିଁ । ଦୟା ଯେ କଲେ ଭାବଗ୍ରାହୀ ॥ ୮୪
ଇନ୍ଦ୍ରି-ଅଜିତ ମୁଁ ଅଟଇ । ଏମନ୍ତ କରିବଇଁ ମୁହିଁ ॥ ୮୫
ଯେମନ୍ତେ ଆତ୍ମାଭୋଗ ଛାଡି । ବ୍ରହ୍ମଭାବରେ ରହେ ବୁଡି ॥ ୮୬
ଅବିଦ୍ୟା-କାମକର୍ମୁ ଜନ୍ମ । ମୋଚନ କରି ଏ ବନ୍ଧନ ॥ ୮୭
ସର୍ବଭୂତରେ ଶାନ୍ତ ହୋଇ । ଦୟା ବହିବି ଚିତ୍ତେ ମୁହିଁ ॥ ୮୮
ଏ ମାୟାଗ୍ରସ୍ତ ମୋରମନ । ନିଶ୍ଚୟ କରିବି ମୋଚନ ॥ ୮୯
ଯେଉଁ ମାୟାରେ ମୋହ ମୁହିଁ । କ୍ରୀଡା-କୁରଙ୍ଗ ପ୍ରାୟ ହୋଇ ॥ ୯୦
ଦେହ ସମ୍ପଦ ମୋର ଯେତେ । ଅକ୍ଷୟ-ଦମ୍ଭ ଅବିରତେ ॥ ୯୧
ଏହାଙ୍କୁ ତେଜି ଶୁଦ୍ଧମନ । କୃଷ୍ଣ ଚରଣେ ହେଉ ଲୀନ ॥ ୯୨

ଶୁକଉବାଚ[ସମ୍ପାଦନା]

ଏମନ୍ତେ ଜାତ ଦିବ୍ୟଜ୍ଞାନ । ଯେଣୁ ତା ସାଧୁ ଦରଶନ ॥ ୯୩
ତେଜିଣ ସକଳ-ବନ୍ଧନ । ଗଙ୍ଗାଦ୍ୱାରକୁ ଆଗମନ ॥ ୯୪
ଦେବସଦନେ ବିପ୍ର ଯାଇ । ନିଶ୍ଚଳ ମନେ ଯୋଗ ଧ୍ୟାୟି ॥ ୯୫
ଇନ୍ଦ୍ରିୟ ନିଗ୍ରହ କରିଣ । ବ୍ରହ୍ମେ ନିବେଶି ସ୍ଥିରମନ ॥ ୯୬
ସକଳ-ଗୁଣ ପରିହରି । ଆତ୍ମାକୁ ସମାଧିରେ ଧରି ॥ ୯୭
ପରମବ୍ରହ୍ମେ ମନ ଦେଲା । ମନକୁ ତହିଁ ନିବେଶିଲା ॥ ୯୮
ବ୍ରହ୍ମଭାବନେ ସ୍ଥିରମନ । ଦେଖିଲା ବିଷ୍ଣୁଦୂତମାନ ॥ ୯୯
ପୂର୍ବେ ଯେ ରୂପ ଦେଖିଥିଲା । ପୁଣି ଦେଖନ୍ତେ ପ୍ରଣମିଲା ॥ ୧୦୦
ଗଙ୍ଗାଜଳରେ ଦ୍ୱିଜବର । ତେଜିଲା ନିଜ କଳେବର ॥ ୧୦୧
ତକ୍ଷଣେ ବିଷ୍ଣୁ ଦୂତପ୍ରାୟେ । ହୋଇଲା ତାର ଦିବ୍ୟକାୟେ । ୧୦୨
ବିଷୟ-ଦୁର୍ଗତି ଖଣ୍ଡନ । ବେଷ୍ଟିତ ହୋଇ ବିଷ୍ଣୁଗଣ ॥ ୧୦୩
ହେମବିମାନ ଆରୋହିଲା । ତକ୍ଷଣେ ବିଷ୍ଣୁଲୋକେ ଗଲା ॥ ୧୦୪
ଦାସୀପତି ପତିତକର୍ମ । ନଷ୍ଟ ତାହାର ସର୍ବଧର୍ମ ॥ ୧୦୫
ବ୍ରତ-ବିହୀନ ନିନ୍ଦାଚାର । ନରକେ ପଡନ୍ତା ଶରୀର ॥ ୧୦୬
ଈଶ୍ୱର-ନାମ-ଗ୍ରହଣରୁ । ତତ୍କାଳ ମୁକ୍ତି ନରକରୁ ॥ ୧୦୭
ମୋକ୍ଷବାଞ୍ଛିତ ନରଙ୍କର । କୃଷ୍ଣକୀର୍ତ୍ତନୁ ନାହିଁ ପର ॥ ୧୦୮
କର୍ମବନ୍ଧନର ଛେଦନ । ଏହାର ସମ ନାହିଁ ଆନ ॥ ୧୦୯
ଯେ ମନରଜ-ତମେ ଥାଇ । କର୍ମେ ମଳିନ ସେ ହୁଅଇ ॥ ୧୧୦
ପରମ ଗୁହ୍ୟ ଅଘ ନାଶ । ନାମ-ମାହାତ୍ମ୍ୟ ଇତିହାସ ॥ ୧୧୧
ସେ ଯେବେ କୃଷ୍ଣନାମ ଧରେ । ଅଶେଷ-ପାତକ ନିବାରେ ॥ ୧୧୨
ଶୁଣଇ ଶ୍ରଦ୍ଧାଯୁକ୍ତ ହୋଇ । ବଦନେ କୀର୍ତ୍ତନ କରଇ ॥ ୧୧୩
ସେ ପ୍ରାଣୀ ନରକେ ନ ଯାଇ । ଯମଯାତନା ତାକୁ ନାହିଁ ॥ ୧୧୪
ତେବେ ନିର୍ମଳ ପ୍ରାଣୀ ହୋଏ । ନିଶଙ୍କେ ବିଷ୍ଣୁଲୋକେ ରହେ ॥ ୧୧୫
ଦେଖ ବ୍ରାହ୍ମଣ ପାପୀ ଥିଲା । ଅନ୍ତେ କୃଷ୍ଣଙ୍କୁ ସୁମରିଲା ॥ ୧୧୬
ଦେଖି ନିକଟେ ତା ମରଣ । ପୁତ୍ରର ନାମ ନାରାୟଣ ॥ ୧୧୭
ନାମକୁ ଆକୁଳେ ଉଚ୍ଚାରି । ଭବସାଗରୁ ହେଲା ପାରି ॥ ୧୧୮
ସକଳ ପାପେ ଅଧିକାରୀ । ସେହି ଲଭିଲା ନରହରି ॥ ୧୧୯
ସର୍ବ-ଦୁଷ୍କୃତ ତାର ଗଲା । ପରମପଦ ସେ ଲଭିଲା ॥ ୧୨୦
ଶ୍ରଦ୍ଧାରେ ନାମ ଯେ ଉଚ୍ଚାରେ । ତାର ମହିମା କେ ବିସ୍ତାରେ ॥ ୧୨୧
ଶୁଣ ରାଜନ ପୁଣ୍ୟଆତ୍ମା । ଗୋବିନ୍ଦ-ନାମର ମହିମା ॥ ୧୨୨
ନିଶ୍ଚଳଚିତ୍ତେ କୃଷ୍ଣଭଜ । ଏ ଭବବନ୍ଧମାୟା ତେଜ ॥ ୧୨୩
ଶ୍ରୀକୃଷ୍ଣନାମର ମହିମା । ଶୁକ କହିଲେ ଗୁଣସୀମା ॥ ୧୨୪
ସୁଜନେ ଏଣେ ଚିତ୍ତକର । ଏ ମାୟାବନ୍ଧନୁ ନିସ୍ତର ॥ ୧୨୫
ବୋଲଇ ଦାସ ଜଗନ୍ନାଥ । ଷଷ୍ଠସ୍କନ୍ଧରେ ଭାଗବତ ॥ ୧୨୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ
ଦ୍ୱିତୀୟୋଽଧ୍ୟାୟଃ ॥

•••

ତୃତୀୟ ଅଧ୍ୟାୟ[ସମ୍ପାଦନା]

ଶୁକ ଚରଣେ ଦେଇ କର । ବୋଲେ ପରୀକ୍ଷ ନୃପବର ॥ ୧

ପରୀକ୍ଷିତ ଉବାଚ[ସମ୍ପାଦନା]

ଆପଣା ଦୂତ ବାକ୍ୟ ଶୁଣି । କି ବା ବୋଇଲେ ଦଣ୍ଡପାଣି ॥ ୨
ଯମରାଜାର ଆଜ୍ଞାହତ । ଯେଣୁ ହୋଇଲା ବିପରୀତ ॥ ୩
ବିଷ୍ଣୁଦୂତରେ ଯମଦୂତ । ଯେଣୁ ହୋଇଲେ ପରାଜିତ ॥ ୪
ଯାହାର ବଶ ସର୍ବଜନେ । ଏ ତ ବିଚିତ୍ର ମୋର ମନେ ॥ ୫
ଯମଦଣ୍ଡର ଭଗ୍ନ କାହିଁ । ପୂର୍ବେ ଶୁଣିଲା କେହି ନାହିଁ ॥ ୬
ଏବେ ମୁଁ ଶୁଣିଲି ଅଦ୍ଭୁତ । ଭୋ ମୁନି କହିବା ତଦନ୍ତ ॥ ୭
ତୁମ୍ଭର ତହୁଁ ଅନ୍ୟ କେହୁ । ସଂଶୟ ଛେଦିବ ମୋ ତହୁଁ ॥ ୮

ଶୁକ ଉବାଚ[ସମ୍ପାଦନା]

ବିଷ୍ଣୁଦୂତରେ ଯମଦୂତ । ଯେଣୁ ହୋଇଲେ ପରାଜିତ ॥ ୯
ଯମର ଛାମୁରେ ମିଳିଲେ । ସକଳ ବାରତା କହିଲେ ॥ ୧୦

ଯମଦୂତଉବାଚ[ସମ୍ପାଦନା]

ସଂସାରେ ଜନ୍ତୁ ଛନ୍ତି ଯେତେ । ଏହାଙ୍କ ଶାସ୍ତି ଅବା କେତେ ॥ ୧୧
ତ୍ରିବିଧକର୍ମ ଯେ କରନ୍ତି । କା ତହୁଁ ସେ ଫଳ ଭୁଞ୍ଜନ୍ତି ॥ ୧୨
ଯେବେ ଏ ଅଖିଳଲୋକର । ଦଣ୍ଡର କରତା ଅପାର ॥ ୧୩
କାହାର ମୃତ୍ୟୁ ଅବା କାହିଁ । ଅମୃତ ଅଛି ଅବା ନାହିଁ ॥ ୧୪
କର୍ମର ବଶ ହୋଇ ଜନ୍ତୁ । ଶାସ୍ତି ଲଭନ୍ତି କର୍ମ-ହେତୁ ॥ ୧୫
ତେଣୁ ଏ ଶାସ୍ତା ଏକଜଣ । ଯେହ୍ନେ ଦୁଷ୍ଟଶାସ୍ତା ରାଜନ ॥ ୧୬
ଏଣୁ ଅଶେଷ-ଜନ୍ତୁଙ୍କର । ତୁମ୍ଭେ ଯେ ଶାସ୍ତା ଦଣ୍ଡଧର ॥ ୧୭
ଈଶ୍ୱରମାନଙ୍କ ଈଶ୍ୱର । ଶୁଭ-ଅଶୁଭର ଠାକୁର ॥ ୧୮
ତୁମ୍ଭର ଦଣ୍ଡ ଏବେ ନାହିଁ । ପାପିଷ୍ଠଜନଙ୍କର ତହିଁ ॥ ୧୯
ଅଦ୍ଭୁତ-ସିଦ୍ଧ ଚାରିଜଣ । ତୁମ୍ଭଙ୍କୁ କଲେ ଅବଜ୍ଞାନ ॥ ୨୦
ତୁମ୍ଭ ଆଦେଶ ଘେନି ଶିରେ । ଆମ୍ଭେ ଆଣୁଥିଲୁ ପାପୀରେ ॥ ୨୧
ଯାତନାଗୃହକୁ ଆଣନ୍ତେ । ମୋଚନ କରିଣ ତୁରିତେ ॥ ୨୨
ପାଶକୁ ଛେଦିଲେ ପ୍ରତ୍ୟକ୍ଷେ । ସେ ସିଦ୍ଧେ ଗଲେ ଅନ୍ତରୀକ୍ଷେ ॥ ୨୩
ଆଣନ୍ତେ ସେ ପାପୀ ବ୍ରାହ୍ମଣ । ଆସି ମିଳିଲେ ସିଦ୍ଧଗଣ ॥ ୨୪
ତାହାର ପୁତ୍ର ନାରାୟଣ । ଡାକିଲା ତା ନାମ ଧରିଣ ॥ ୨୫
ଆମ୍ଭର ରୂପକୁ ଡରିଲା । ତେଣୁ ତା ବାଳକେ ଡାକିଲା ॥ ୨୬
ବୋଇଲେ ସର୍ବପାପ ଗଲା । ଯେଣୁ ଏ ନାମ ଉଚ୍ଚାରିଲା ॥ ୨୭
ତାହାଙ୍କୁ ଭୟମାନ ପାଇ । ଛାଡି ଯେ ଦେଲୁ ଦଣ୍ଡସାଇଁ ॥ ୨୮
ଶୁଣିବା କ୍ଷମ ହେଉଁ ଯେବେ । ଏ କଥା କହ ପ୍ରଭୁ ତେବେ ॥ ୨୯
ଯେ କ୍ଷଣେ ସେ ପାପୀ ଦୁର୍ଜନ । ଉଚ୍ଚାର କଲା ନାରାୟଣ ॥ ୩୦
ତକ୍ଷଣେ ଆସି ସେ ମିଳିଲେ । ଭୟ ନ କର ହୋ ବୋଇଲେ ॥ ୩୧

ଶୁକ ଉବାଚ[ସମ୍ପାଦନା]

ଦୂତଙ୍କ ବାକ୍ୟ ଶୁଣି ଯମ । ଆନନ୍ଦେ ହରଷବଦନ ॥ ୩୨
ଶ୍ରୀକୃଷ୍ଣ-ଅଭୟଚରଣ । ତକ୍ଷଣେ କରି ସୁମରଣ ॥ ୩୩
ଅତ୍ୟନ୍ତ ପ୍ରୀତ ହୋଇ ମନେ । ବୋଲନ୍ତି ଶୁଣ ଭୃତ୍ୟଗଣେ ॥ ୩୪

ଯମ ଉବାଚ[ସମ୍ପାଦନା]

ମୋ ତହୁଁ ଅନ୍ୟ ଶ୍ରେଷ୍ଠ ପୁଣ । ଜଗତ ଯାହାର ଭିଆଣ ॥ ୩୫
କାର୍ପାସୁ ଯେହ୍ନେ ବସ୍ତ୍ର ହୋଇ । ବିଶ୍ୱ ତେମନ୍ତ ତାର ତହିଁ ॥ ୩୬
ଯାହାଙ୍କ ଅଂଶରୁ ଜଗତ । ଜନ୍ମ ପାଳନ ପୁଣି ହତ ॥ ୩୭
ଯାହାର ନାମ-ତତ୍ତ୍ବଗୁଣ । ବନ୍ଧନ କରେ ପ୍ରାଣୀମନ ॥ ୩୮
ରଜ୍ଜୁରେ ଯେହ୍ନେ ଗୋରୁ ଥାଇ । କେଣିକି ନ ପାରଇ ଯାଇ ॥ ୩୯
ନିୟମ-ଡ଼ୋରେ ତାହାଙ୍କର । ବନ୍ଧା ହୋଇଛି ଚରାଚର ॥ ୪୦
ନାନା କର୍ମରେ ବନ୍ଧା ହୋଇ । ଜଗତ ଯାହାକୁ ସେବଇ ॥ ୪୧
ମୁହିଁ ମହେନ୍ଦ୍ର ନଈଋତି । ବରୁଣ ଆଦି ଦିଗପତି ॥ ୪୨
ସୋମ ଅନଳ ମହେଶ୍ୱର । ପବନ ବ୍ରହ୍ମା ଦିବାକର ॥ ୪୩
ବିଶ୍ୱେଦେବା ଯେ ବସୁ ଯେତେ । ରୁଦ୍ର ମରୁଦ୍‌ଗଣ ସହିତେ ॥ ୪୪
ସିଦ୍ଧ କିନ୍ନର ସାଧ୍ୟ କରି । ସଂସାରେ ଯେତେ ଅଧିକାରୀ ॥ ୪୫
ସଂସାରକର୍ତ୍ତା ଆଉ ଯେତେ । ଭୃଗୁ ଆଦି ଋଷି ସହିତେ ॥ ୪୬
ଏ ଆଦି ଯେତେକ କହିଲୁଁ । ତାହାର ମାୟା ନ ଜାଣିଲୁଁ ॥ ୪୭
କେ ବା ଜାଣିବ ତା ମହିମା । ପ୍ରଭୁର ନାମ ଗୁଣ ସୀମା ॥ ୪୮
ଇନ୍ଦ୍ରି ହୃଦୟ ବାକ୍ୟ ମନେ । ଯାହାକୁ ନ ଜାଣନ୍ତି ଜନେ ॥ ୪୯
ସର୍ବ ଶରୀରେ ଆତ୍ମାରୂପ । ଯେ ଇନ୍ଦ୍ରିୟଙ୍କର ଅଧିପ ॥ ୫୦
ସେ ପ୍ରଭୁ ଆତ୍ମାତନ୍ତ୍ରେ ଥାଇ । ସଂସାର ଚେଷ୍ଟା ସେ କରଇ ॥ ୫୧
ତାହାର ଦୂତଗଣେ କରି । ତାହାର ରୂପ-ଗୁଣ ଧରି ॥ ୫୨
ସଂସାରେ ନିର୍ଭୟେ ବିହରେ । ହେଳେ ଅଶେଷ ପ୍ରାଣୀ ତାରେ ॥ ୫୩
ଦେବେ ପୂଜିତ ତେଜଯୁକ୍ତ । ଅଦି ଅଦ୍ଭୁତ ବିଷ୍ଣୁଦୂତ ॥ ୫୪
ଭକ୍ତିମନ୍ତ ପ୍ରାଣୀମାନଙ୍କୁ । ଶତ୍ରୁ ସକାଶରୁ ତାହାଙ୍କୁ ॥ ୫୫
ଆମ୍ଭଭୟରୁ ସେ ରଖନ୍ତି । ସର୍ବତ୍ର ସ୍ଥାନେ ବିରାଜନ୍ତି ॥ ୫୬
ବିଷ୍ଣୁ ବିଷୟେ ଯେଉଁ ଧର୍ମ । ଅଜ୍ଞାତ ଦେବ ଋଷିଗଣ ॥ ୫୭
ସିଦ୍ଧ ଅସୁର ଯେ ଚାରଣ । ମନୁଷ୍ୟ ବିଦ୍ୟାଧରମାନ ॥ ୫୮
ଏ ସର୍ବେ ଜାଣିବେ କେମନ୍ତ । ଯାହାର ମହିମା ଅନନ୍ତ ॥ ୫୯
ସ୍ୱୟମ୍ଭୁ ନାରଦ କୁମାର । ଶିବ କପିଳ ମନୁବର ॥ ୬୦
ପ୍ରହଲ୍ଲାଦ ଭୀଷ୍ମ ଜନକ । ମୁହିଁ ଦ୍ୱାଦଶ ବଳି ଶୁକ ॥ ୬୧
ହେ ଦୂତେ ଶୁଣ ମୋର ବାଣୀ । ବିଷ୍ଣୁ ଭକତି ଏତେ ଜାଣି ॥ ୬୨
ଗୁପତ ବିଶୁଦ୍ଧ ଦୁର୍ବୋଧ୍ୟ । ଯେ ଧର୍ମ ଜାଣି ମୃତ୍ୟୁ ଛେଦ ॥ ୬୩
କୃଷ୍ଣଚରଣେ ଯାର ମନ । ସଂସାରେ ଶ୍ରେଷ୍ଠ ସେହୁ ଜନ ॥ ୬୪
ନାମ ଉଚ୍ଚାରନ୍ତି ଯେ ବାରେ । ଶ୍ରୀକୃଷ୍ଣଭକ୍ତ ବୋଲି ତାରେ ॥ ୬୫
ଭାଗବତ ଯେ ବିଷ୍ଣୁବାଣୀ । ପରମଧର୍ମ ପରିମାଣି ॥ ୬୬
ହେ ଦୂତେ ଗୋବିନ୍ଦର ନାମ । ମହିମା ଦେଖ ଉଚ୍ଚାରିଣ ॥ ୬୭
ଅଜାମିଳହିଁ ଯେ ନାମରୁ । ମୁକ୍ତ ହେଲା ମୃତ୍ୟୁ ପାଶରୁ ॥ ୬୮
ଏ ତ ଅକର୍ମ କରୁଥାଇ । କୃଷ୍ଣ ତା ଗତି ନ ଜାଣଇ ॥ ୬୯
ତେଣୁ ପେଷିଲି ଦୂତ ତାରେ । ଏବେ ପଶିଲା ଶ୍ରୀପୟରେ ॥ ୭୦
ତୁମ୍ଭଙ୍କୁ ଦେଖି ଭୟ କଲା । ନାରାୟଣ ବୋଲି ବୋଇଲା ॥ ୭୧
ତକ୍ଷଣେ ସର୍ବପାପ ଗଲା । ମୋ ପାଶୁ ମୁକତ ହୋଇଲା ॥ ୭୨
ଯଜ୍ଞାଦି କରି ମୂଢମତି । ନାନା କର୍ମରେ ପ୍ରବର୍ତ୍ତନ୍ତି ॥ ୭୩
ନାମ ମହିମା ନ ଜାଣନ୍ତି । ବିଷ୍ଣୁମାୟାରେ ମୋହି ହୋନ୍ତି ॥ ୭୪
ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନ । ପ୍ରାଣୀଙ୍କ ପାପ ବିମୋଚନ ॥ ୭୫
ଏମନ୍ତେ ଯେ ପ୍ରାଣୀ ପଣ୍ଡିତ । କୃଷ୍ଣ ସୁମରେ ଅବିରତ ॥ ୭୬
ତାହାଙ୍କୁ ମୋର ଦଣ୍ଡ ନାହିଁ । ପାତକ ଯେତେ ତାଙ୍କ ଥାଇ ॥ ୭୭
ସକଳ ପାପ ହୋଏ ଭଙ୍ଗ । ଯେଣୁ ଈଶ୍ୱର ପରସଙ୍ଗ ॥ ୭୮
ସମଦରଶୀ ସାଧୁଜନ । ଯେମାନେ ବିଷ୍ଣୁପରାୟଣ ॥ ୭୯
ଦେବତା ସିଦ୍ଧ ତାହାଙ୍କର । ଯଶ କରନ୍ତି ସୁବିସ୍ତାର ॥ ୮୦
ପରମଈଶ୍ୱର ଗଦାରେ । ରକ୍ଷିତ ହୁଅନ୍ତି ସେନରେ ॥ ୮୧
ତାହାଙ୍କ ଦଣ୍ଡରେ ମୋହର । କେବେହେଁ ନାହିଁ ଅଧିକାର ॥ ୮୨
ମୁକୁନ୍ଦପାଦ-ଅରବିନ୍ଦ । ନିତ୍ୟେ ସ୍ରବଇ ମକରନ୍ଦ ॥ ୮୩
ତହିଁ ବିମୁଖ ଯେଉଁଜନ । ତାହାଙ୍କୁ କରିଣ ବନ୍ଧନ ॥ ୮୪
ଆଣି ତାହାଙ୍କୁ ମୋ ଅଗ୍ରତେ । ଯାତନା ଦେବ ଅବିରତେ ॥ ୮୫
ନିର୍ଲୋଭ ଯେ ପରମହଂସ । ତାହାଙ୍କୁ ନ କରି ଜିଂଘାସ ॥ ୮୬
ଗୃହବନ୍ଧନେ ମନ ଦେଇ । ନିତ୍ୟେ ଅସାଧୁ ସଙ୍ଗେ ଥାଇ ॥ ୮୭
ଜିହ୍ୱାରେ ନ ବୋଲଇ ନାମ । ନ ଚିନ୍ତେ ହରିପାଦପଦ୍ମ ॥ ୮୮
କୃଷ୍ଣର ପାଦେ ଚିତ୍ତ ଦେଇ । କେବେହେଁ ସ୍ତୁତି ନ କରଇ ॥ ୮୯
ବିଷ୍ଣୁର କର୍ମରେ ବର୍ଜିତ । ନିରତେ କୁସଙ୍ଗେ ଆଶ୍ରିତ ॥ ୯୦
ଏମନ୍ତ ଭାବେ ଯେତେ ପ୍ରାଣୀ । ଯାତନା ଦିଅ ତାଙ୍କୁ ଆଣି ॥ ୯୧
ଏମନ୍ତ ଦୂତ ଆଗେ କହି । ଯମ କହନ୍ତି କୃଷ୍ଣଧ୍ୟାୟି ॥ ୯୨
ମୋର ଦୂତଙ୍କ ଅପରାଧ । କ୍ଷମା କରିବା ପଦ୍ମପାଦ ॥ ୯୩
ଶ୍ରୀହରି ପୁରୁଷ ପୁରାଣ । କ୍ଷମା କରନ୍ତୁ ନାରାୟଣ ॥ ୯୪
ପଣ୍ଡିତେ ଯାର ପଦ୍ମପାଦେ । ସେବନ୍ତି ନିତ୍ୟେ ଅପ୍ରମାଦେ ॥ ୯୫
ତାହାଙ୍କୁ ମୋର ନମସ୍କାର । ଏ ଅପରାଧ କ୍ଷମା କର ॥ ୯୬

ଶୁକ ଉବାଚ[ସମ୍ପାଦନା]

ଏଣୁଟି ହରି ସଙ୍କୀର୍ତ୍ତନ । ଜଗତ ମଙ୍ଗଳ କାରଣ ॥ ୯୭
ମହତ ଲୋକମାନଙ୍କର । ଏକାନ୍ତଭକ୍ତି ନୃପବର ॥ ୯୮
ଈଶ୍ୱର ଉଦ୍ଦାମ ଚରିତ । ଶୁଣି ଗାବନ୍ତି ଅବିରତ ॥ ୯୯
ଶ୍ରୀକୃଷ୍ଣ ପାଦପଙ୍କଜରେ । ଯେ ନିତ୍ୟେ ମଧୁପାନ କରେ ॥ ୧୦୦
ସେ ପ୍ରାଣୀ ମାୟାବନ୍ଧ ମୋହେ । ନ ପଡେ ଯାତନା ସମୂହେ ॥ ୧୦୧
ଯେ ଜନ ଲୋଭମୋହେ ପଡି । ରଜତମରେ ଥାଇ ଜଡ଼ି ॥ ୧୦୨
ତାହାର ପୁନଃପୁନଃ ହୋଇ । ରଜତାମସ ଉପୁଜଇ ॥ ୧୦୩
ଏମନ୍ତ ଯମବାକ୍ୟ ଶୁଣି । ବିଷ୍ଣୁମହିମା ପରିମାଣି ॥ ୧୦୪
ଯମକିଙ୍କର ଭୟଚିତ୍ତ । ବୋଲନ୍ତି ଏ କି ବିପରୀତ ॥ ୧୦୫
ଗୋବିନ୍ଦ ଆଶ୍ରେ ଯେତେ ଜନେ । ତାହାଙ୍କୁ ଭୟକଲେ ମନେ ॥ ୧୦୬
ସେ ଦିନଠାରୁ ହେ ରାଜନ । ଦେଖିଲେ ଭୟେ ହୋନ୍ତି ଛନ୍ନ ॥ ୧୦୭
ମଳୟଗିରିତଟେ ବସି । କୃଷ୍ଣ-ମହିମା ପରଶଂସି ॥ ୧୦୮
କହିଲେ କୁମ୍ଭଜନ୍ମମୁନି । ଗୁପତ ଇତିହାସ ବାଣୀ ॥ ୧୦୯
ସୁଜନେ ଶୁଣି ଚିତ୍ତେ ଧର । ଶ୍ରୀକୃଷ୍ଣନାମ ଆଶ୍ରେ କର ॥ ୧୧୦
ଦାସ ଜଗନ୍ନାଥ ବୋଲଇ । କୃଷ୍ଣମହିମା ଯମ କହି ॥ ୧୧୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଯମପୁରୁଷ
ସମ୍ବାଦେ ତୃତୀୟୋଽଧ୍ୟାୟଃ ॥

•••

ଚତୁର୍ଥ ଅଧ୍ୟାୟ[ସମ୍ପାଦନା]

ପରୀକ୍ଷିତ ଉବାଚ[ସମ୍ପାଦନା]

ଦେବ ଅସୁର ନର ନାଗ । ତୁମ୍ଭେ କହିଲ ମହାଭାଗ ॥ ୧
ମୃଗ-ପକ୍ଷୀଙ୍କ ସୃଷ୍ଟି ଯେତେ । କହିଲ ମୋହର ଅଗ୍ରତେ ॥ ୨
ଯେତେ ସ୍ୱୟମ୍ଭୁ-ମନ୍ୱନ୍ତରେ । ସଂକ୍ଷେପେ କହିଲ ମୋହରେ ॥ ୩
ସେ ମନ୍ୱନ୍ତରେ ଭଗବାନ । ଯେ ଅନୁସର୍ଗର ବିଧାନ ॥ ୪
ଯେମନ୍ତ ଆତ୍ମାଶକ୍ତି ଘେନି । ସର୍ଜିଲେ ପ୍ରଭୁ ଅନ୍ତର୍ଯ୍ୟାମୀ ॥ ୫
ସେକଥା ଶୁଣିବାକୁ ମୋର । ଶ୍ରଦ୍ଧା ବଳିଲା ମୁନିବର ॥ ୬

ସୂତ ଉବାଚ[ସମ୍ପାଦନା]

ରାଜାର ପ୍ରଶ୍ନ ଶୁଣି କର୍ଣ୍ଣେ । ଆନନ୍ଦେ ହରଷ ବଦନେ ॥ ୭
ଭୋ ମୁନିଗଣେ ଶୁଣ ତାହା । ନୃପେ କହିଲେ ଶୁକ ଯାହା ॥ ୮
ଚିତ୍ତେ ଶ୍ରୀକୃଷ୍ଣପଦ ଧ୍ୟାୟି । କହନ୍ତି ରାଜା ମୁଖ ଚାହିଁ ॥ ୯

ଶୁକ ଉବାଚ[ସମ୍ପାଦନା]

ବୋଲନ୍ତି ଶୁଣ ହୋ ରାଜନ । ଈଶ୍ୱର ସୃଷ୍ଟିର ବିଧାନ ॥ ୧୦
ଯେବେ ପ୍ରଚେତା ଭାଇଦଶ । ସମୁଦ୍ରୁ ଉଠି ଦଶଦିଶ ॥ ୧୧
ଚାହିଁଲେ ବହୁ ଦ୍ରୁମମାନ । ପୃଥିବୀ କଲା ଆଚ୍ଛାଦନ ॥ ୧୨
ବୃକ୍ଷମାନଙ୍କୁ ଦେଖି ଡୋଳେ । ତପେ ଦୀପିତ କୋପାନଳେ ॥ ୧୩
ମୁଖରୁ ଅଗ୍ନି-ବାୟୁ ଦୁଇ । ସର୍ଜିଲେ ବୃକ୍ଷକ୍ଷୟ ପାଇଁ ॥ ୧୪
ପବନ-ଅଗ୍ନିରେ ଦହନ । ବୃକ୍ଷେ ହୋଇଲେ ଯହୁଁ କ୍ଷୀଣ ॥ ୧୫
ତା ଦେଖି ଶୁଣ ପରୀକ୍ଷିତ । ଚନ୍ଦ୍ର ହୋଇଲେ ଉପଗତ ॥ ୧୬
କ୍ରୋଧ-ସାନ୍ତ୍ୱନା କରିବାରେ । ତାଙ୍କୁ ବୋଇଲେ ସୁଧାକରେ ॥ ୧୭
ଭୋ ସ୍ୱାମୀମାନେ ତୁମ୍ଭେ ଶୁଣ । ବୃକ୍ଷେ ହୋଇଲେ ଅତି କ୍ଷୀଣ ॥ ୧୮
ଦହନ ନ କରଟି ଆର । ତୁମ୍ଭେ ଯେ ପତି ପ୍ରଜାଙ୍କର ॥ ୧୯
ପ୍ରଜାପତିଙ୍କ ପତି ହରି । ଅବ୍ୟୟ ପୁରୁଷ ମୁରାରି ॥ ୨୦
ଔଷଧି ବନସ୍ପତି ଯେତେ । ତାର ସଞ୍ଚିଲା ଏ ଜଗତେ ॥ ୨୧
ସଂସାରେ ଭକ୍ଷ୍ୟ ଭୋଜ୍ୟ ଅନ୍ନ । ସେ ବିଭୁ କରିଛି ସର୍ଜନ ॥ ୨୨
ଚର-ଅଚର ଆଦି ଯେତେ । ପାଦ-ଅପାଦର ସହିତେ ॥ ୨୩
ଅହସ୍ତ-ହସ୍ତଯୁକ୍ତ ଯେହୁ । ଦ୍ୱିପଦ-ଚତୁଷ୍ପଦ କେହୁ ॥ ୨୪
ତୁମ୍ଭେ ଏ ସକଳେ ସର୍ଜିବ । ସଂସାରେ ଛନ୍ତି ଯେତେ ଜୀବ ॥ ୨୫
ପ୍ରଜାର ସୃଷ୍ଟି କରିବାରେ । ଯେଣୁ ଅଇଲ ଏ ସଂସାରେ ॥ ୨୬
ମୋ ବାଣୀ ଶୁଣ ସାବଧାନ । ଦହନ ନ କର ଏ ବନ ॥ ୨୭
ପିତା ପିତାମହ ତୁମ୍ଭର । ସେବିତ ପ୍ରପିତାମହର ॥ ୨୮
ନ କର ସତ୍ୟ ମାର୍ଗ ଦୂର । କ୍ରୋଧ ଅନଳ ଦୂରକର ॥ ୨୯
ବାଳକ-ବନ୍ଧୁ ପିତାମାତା । ନୟନ-ବନ୍ଧୁ ଲୋମପତା ॥ ୩୦
ଭିକ୍ଷୁକ-ବନ୍ଧୁ ଗୃହୀଜନ । ଅଜ୍ଞର ବନ୍ଧୁ ସୁଜ୍ଞଜନ ॥ ୩୧
ସ୍ତିରୀର ବନ୍ଧୁ ସ୍ୱାମୀ ନିଜ । ପ୍ରଜାର ବନ୍ଧୁ ମହାରାଜ ॥ ୩୨
ଜୀବର ହୃଦଗତେ ହରି । ଅଛନ୍ତି ଆତ୍ମରୂପ ଧରି ॥ ୩୩
ସେ ସର୍ବ ସମାନ ଦେଖଇ । ତାହାର ଶତ୍ରୁମିତ୍ର ନାହିଁ ॥ ୩୪
ଜୀବେ ସମାନ ଯେ ଦେଖଇ। ତାହାକୁ ଜ୍ଞାନୀ ବୋଲି କହି ॥ ୩୫
କ୍ରୋଧକୁ ଜିଣେ ଯେଉଁ ନର । ସେ ଜାଣ ତ୍ରିଗୁଣୁଁ ବାହାର ॥ ୩୬
ଅନନ୍ତ ଗୁଣ ବୋଲି ତାରେ । ନିର୍ଭୟେ ବୁଲଇ ସଂସାରେ ॥ ୩୭
କଲ୍ୟାଣ ହୋଇବ ତୁମ୍ଭର । ଶେଷ ଦ୍ରୁମଙ୍କୁ ରକ୍ଷା କର ॥ ୩୮
ବୃକ୍ଷ-ପାଳିତ ଯେଉଁ କନ୍ୟା । ସେ ହେଉ ତୁମ୍ଭ ମନୋରମା ॥ ୩୯
ଏତେକ କହି ରାଜା ସୋମ । ଆନନ୍ଦେ ହରଷ ବଦନ ॥ ୪୦
କନ୍ୟାକୁ ଆଣି ତାଙ୍କୁ ଦେଲେ । ହରଷେ ନିଜପୁରେ ଗଲେ ॥ ୪୧
ସେମାନେ କନ୍ୟା ପ୍ରାପ୍ତ ହୋଇ । ବିବାହ ହେଲେ ଦୟାବହି ॥ ୪୨
ତାହାଙ୍କ ବୀର୍ଯ୍ୟେ ସେ କନ୍ୟାର । ଜନ୍ମିଲେ ଦକ୍ଷ ବେଦବର ॥ ୪୩
ଯାହାର ପ୍ରଜାର ସର୍ଜନେ । ପ୍ରଜା ପୂରିଲେ ତ୍ରିଭୁବନେ ॥ ୪୪
ଏମନ୍ତେ ଦକ୍ଷପ୍ରଜାପତି । ସର୍ଜିଲେ ସର୍ବଭୂତସ୍ଥିତି ॥ ୪୫
ମାନସେ ବୀଜେ ଅବା ଯାହା । ସର୍ଜିଲେ ଶୁଣ କହୁଁ ତାହା ॥ ୪୬
ପ୍ରଥମେ ମନୁଁ କଲା ଜାତ । ସେ ପ୍ରଜାପତି ଲୋକନାଥ ॥ ୪୭
ଦେବ ଅସୁର ନର ଆଦି । ଆକାଶ ଜଳ ସ୍ଥଳ ସିଦ୍ଧି ॥ ୪୮
ପ୍ରଜା ଅବୃଦ୍ଧି ଦେଖି ଦକ୍ଷ । ମନରେ କଲେ ଅତି ଦୁଃଖ ॥ ୪୯
ବିନ୍ଧ୍ୟପର୍ବତକୁ ସେ ଯାଇ । ତପ ଆରମ୍ଭକଲେ ତହିଁ ॥ ୫୦
ତକ୍ଷଣେ କରି ଆଚମନ । ଯେ ତୀର୍ଥ ଅଘମରଷଣ ॥ ୫୧
ଯାହାର ଜଳ ସ୍ପରଶରେ । ସକଳ ପାପ ଯାଇ ଦୂରେ ॥ ୫୨
ତହିଁ ବସିଲେ ତପ କରି । ତୋଷିଲେ ପ୍ରଭୁ ନରହରି ॥ ୫୩
ଏହି ସ୍ତବରେ କଲେ ସ୍ତୁତି । ଯେଣେ ପ୍ରସନ୍ନ ଶିରୀପତି ॥ ୫୪

ପ୍ରଜାପତି ଉବାଚ[ସମ୍ପାଦନା]

ନମସ୍ତେ ପ୍ରଭୁ ଆଦି ଧାତା । ଜୀବ-ମାୟା ଯେ ନିୟନ୍ତା ॥ ୫୫
ଅଦୃଷ୍ଟ ଯାହାର ମହିମା । ଗୁଣ-ବୁଦ୍ଧିରେ ନୋହେ ସୀମା ॥ ୫୬
ଯାହାର ଆଜ୍ଞାରେ ଜଗତ । ନମସ୍ତେ ପ୍ରଭୁ ଆଦିଭୂତ ॥ ୫୭
ଯାହାର ସଖା ଅଟେ ଜୀବ । ନ ଜାଣେ ତାହାର ପ୍ରଭାବ ॥ ୫୮
ଏ ଦେହେ ସମାନ ବସଇ । ତଥାପି ଜୀବ ନ ଜାଣଇ ॥ ୫୯
ସଂସାରେ ଅଛି ପୂର୍ଣ୍ଣ ହୋଇ । ଯାହାର ଶତ୍ରୁ-ମିତ୍ର ନାହିଁ ॥ ୬୦
ଯାର ଚରିତ ଅସମ୍ଭବ । ନମସ୍ତେ ପ୍ରଭୁ ସ୍ୱୟମ୍ଭୁବ ॥ ୬୧
ପ୍ରକାଶ ଇନ୍ଦ୍ରିୟ ଗଣର । ଯେହ୍ନେ ବିଷୟ ଅଗୋଚର ॥ ୬୨
ଗୁଣର ଗୁଣ ପ୍ରାୟେ ହୋଇ । ସେ ମହେଶ୍ୱରଙ୍କୁ ନମଇଁ ॥ ୬୩
ଦେହ ଇନ୍ଦ୍ରିୟ ପ୍ରାଣ ମନ । ଯେ ଭୂତ ମାତ୍ରାଦି ପଞ୍ଚମ ॥ ୬୪
ଏମାନେ ନିଜ ସ୍ୱରୂପକୁ । ନ ଜାଣେ କେହି ଯେ କାହାକୁ ॥ ୬୫
ଜୀବ ଯେ ଏ ସର୍ବ ଜାଣଇ । ସେ ଜୀବ ଯାକୁ ନ ଜାଣଇ ॥ ୬୬
ସର୍ବଜ୍ଞ ଅନନ୍ତ ଅଟଇ । ତାହାଙ୍କୁ ଦଣ୍ଡବତ ମୁହିଁ ॥ ୬୭
ଯାହାର ଗୁଣ ଏ ସଂସାରେ । ଶ୍ରୁତି ସ୍ମୃତିରେ ଅଗୋଚରେ ॥ ୬୮
ସକଳ ଭୂତରେ ଯେ ଥାଇ । ତାହାକୁ କେହି ନ ଜାଣଇ ॥ ୬୯
ସମାଧିଯୋଗେ ଦୃଷ୍ଟି ସ୍ମୃତି । ବିନାଶେ ଯେ ହୋଏ ପ୍ରତୀତି ॥ ୭୦
କେବଳ ସ୍ୱରୂପ-ଜ୍ଞାନରେ । ଅଶେଷ ଘଟେ ଯେହୁ ପୂରେ ॥ ୭୧
ଯେ ହଂସ ଶୁଦ୍ଧଚିତ୍ତ ଘର । ତାହାଙ୍କୁ ମୋର ନମସ୍କାର ॥ ୭୨
ହୃଦପଦ୍ମରେ ଯାକୁ ଧରି । ପଣ୍ଡିତେ ତପକୁ ଆଚରି ॥ ୭୩
ସର୍ବବିଷୟା ମାୟା ଯାର । ନିଃଶେଷମୋକ୍ଷ ସୁଖଘର ॥ ୭୪
ସର୍ବସ୍ୱରୂପ ସର୍ବନାମ । ସକଳ ଯାହାର ଭିଆଣ ॥ ୭୫
ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ । ସର୍ବ କାରଣ ଭଗବାନ ॥ ୭୬
ଭଜନ କରନ୍ତି ଯେ ଜନେ । ବୁଦ୍ଧି ଇନ୍ଦ୍ରିୟର ବଚନେ ॥ ୭୭
ଯେ ପ୍ରଭୁ ଏଥୁଁ ଅଗୋଚର । ତାହାଙ୍କୁ ମୋର ନମସ୍କାର ॥ ୭୮
ଯାହା ଠାବରେ ଯାହା ତହୁଁ । ଯେ ସର୍ବରୂପ ଏକ ଦେହୁ ॥ ୭୯
ସେ କାର୍ଯ୍ୟ କରାଇ କରଇ । ତାହାର ତହୁଁ ଆନ ନାହିଁ ॥ ୮୦
ପରମ ପରେ ଯେହୁ ପର । ଆଦ୍ୟହୁଁ ସିଦ୍ଧ ଯେ ଈଶ୍ୱର ॥ ୮୧
ଏମନ୍ତ ଯେହୁ ପରଂବ୍ରହ୍ମ । ତାହାଙ୍କୁ ନମସ୍କାର ମମ ॥ ୮୨
ନିଜ ଶକ୍ତିମାନେ ଯାହାର । ବକତାବାଦୀମାନଙ୍କର ॥ ୮୩
ବିବାଦ-ବିସମ୍ବାଦେ କରି । ପ୍ରାଣୀମାନଙ୍କ ଚିତ୍ତହରି ॥ ୮୪
ଏମନ୍ତ ଅନନ୍ତ ଯା ଗୁଣ । ନମଇଁ ତାହାର ଚରଣ ॥ ୮୫
ସଂସାରେ ଅସ୍ତି ନାସ୍ତି ଯେତେ । ବସ୍ତୁର ନିଷ୍ଠା ଏହିମତେ ॥ ୮୬
ସାଂଖ୍ୟଯୋଗରେ ପ୍ରବର୍ତ୍ତିତ । ସେ ସମ ଅଳପ ବହୁତ ॥ ୮୭
ଭିନ୍ନ ବିରୁଦ୍ଧ-ଧର୍ମ ସେହି । ତା ବିନୁ ଆନ କେହି ନାହିଁ ॥ ୮୮
ପଦ୍ମପାଦରେ ଯେ ଭଜଇ । ତାହାର ଅନୁଗ୍ରହ ପାଇ ॥ ୮୯
ଜନ୍ମଇ ନାମ-ରୂପ ଧରି । ଶରୀର ବହଇ ଯେ ହରି ॥ ୯୦
ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ । ସର୍ବକାରଣ ଭଗବାନ ॥ ୯୧
ସ୍ୱକୃତଜ୍ଞାନ ପଥେ କରି । ସେ ପ୍ରଭୁ ସର୍ବଘଟେ ପୂରି ॥ ୯୨
ଶୋଭା ପାଉଛି ଅନୁକ୍ଷଣ । ଅଖିଳ-ପ୍ରାଣ-ନାରାୟଣ ॥ ୯୩
ପୃଥିବୀଗୁଣକୁ ବସାଇ । ଅନିଳ ଯେସନେ ବହଇ ॥ ୯୪
ସେ ପ୍ରଭୁ ମହିମା ଏମନ୍ତ । ପୂର୍ଣ୍ଣ-ମୋ କରୁ ମନୋରଥ ॥ ୯୫

ଶୁକ ଉବାଚ[ସମ୍ପାଦନା]

ଏମନ୍ତେ ଦକ୍ଷ-ସ୍ତୁତି ଶୁଣି । ପ୍ରସନ୍ନ ହେଲେ ଚକ୍ରପାଣି ॥ ୯୬
ତକ୍ଷଣେ ଅଘମରଷଣ । ଆସି ମିଳିଲେ ନାରାୟଣ ॥ ୯୭
ଶୁଣ ହେ କୁରୁ ନୃପବର । ଭକ୍ତବତ୍ସଳ ଚକ୍ରଧର ॥ ୯୮
ଆରୋହି ଯାନ ଖଗରାଜ । ଲମ୍ବ ସୁନ୍ଦର ଅଷ୍ଟଭୁଜ ॥ ୯୯
ଶଙ୍ଖ ଚକ୍ର ଚର୍ମ ଖଡଗ । ଗଦା ଅସି ପାଶ ଶାରଙ୍ଗ ॥ ୧୦୦
ଧରିଣଛନ୍ତି ଅଷ୍ଟକର । ଅଦ୍ଭୂତ ରୂପ ମନୋହର ॥ ୧୦୧
ପୀତବସନ ଘନଶ୍ୟାମ । ବଦନ ଇକ୍ଷଣ ପ୍ରସନ୍ନ ॥ ୧୦୨
ନିବିଡଅଙ୍ଗେ ବନମାଳ । ଶୋଭିତ ମକରକୁଣ୍ଡଳ ॥ ୧୦୩
ଶ୍ରୀବତ୍ସ› କଉସ୍ତୁଭ ସାଜେ । କିରୀଟ କଙ୍କଣ ବିରାଜେ ॥ ୧୦୪
କାଞ୍ଚି ଅଙ୍ଗଦ ରତ୍ନମୁଦି । ବଳୟ ନୂପୁର ପ୍ରସିଦ୍ଧି ॥ ୧୦୫
ରୂପ ତ୍ରୈଲୋକ୍ୟ ମନୋହର । ଧରିଣ ବ୍ରହ୍ମାଣ୍ଡଠାକୁର ॥ ୧୦୬
ନନ୍ଦ-ସୁନନ୍ଦ ଆଦି ଯେତେ । ବେଷ୍ଟିତ ହୋଇଣ ସମସ୍ତେ ॥ ୧୦୭
ବିଷ୍ଣୁଙ୍କୁ କରନ୍ତି ଭଜନ । ସିଦ୍ଧ ଗନ୍ଧର୍ବ ଯେ ଚାରଣ ॥ ୧୦୮
ଅତି ଅଦ୍ଭୁତ ରୂପ ହରି । ଦକ୍ଷ ଦେଖିଣ ଭୟ କରି ॥ ୧୦୯
ନମିଲେ ଦଣ୍ଡବତ ହୋଇ । ଆନନ୍ଦ କେ ପାରିବ କହି ॥ ୧୧୦
ହରଷେ ବିହ୍ୱଳିତ ମନ । ମୁଖରୁ ନ ସ୍ଫୁରେ ବଚନ ॥ ୧୧୧
ଇନ୍ଦ୍ରିୟଙ୍କରେ ପୂର୍ଣ୍ଣମନ । ନିର୍ଝର ହ୍ରାଦିନୀ ଯେସନ ॥ ୧୧୨
ମୋର ଭକତ ପ୍ରଜାକାମ । ଏମନ୍ତ ଜାଣି ଭଗବାନ ॥ ୧୧୩
ସକଳପ୍ରାଣୀଙ୍କର ମନ । ଜାଣନ୍ତି ପ୍ରଭୁ ନାରାୟଣ ॥ ୧୧୪
ପ୍ରଜାପତିଙ୍କି ଚାହିଁ ହରି । କିଛି ବୋଇଲେ ଦୟାକରି ॥ ୧୧୫

ଭଗବାନ ଉବାଚ[ସମ୍ପାଦନା]

ହେ ପ୍ରଜାପତି ମହାଭାଗ । ତୁମ୍ଭରେ ମୋର ଅନୁରାଗ ॥ ୧୧୬
ଯେଣୁ ଭକତି ଦୃଢ଼ମନେ । ଭଜିଲ ମୋହର ଚରଣେ ॥ ୧୧୭
ତୋହର ତପେ ପ୍ରଜାନାଥ । ପ୍ରସନ୍ନେ ହେଲୁ ଉପଗତ ॥ ୧୧୮
ଯେଣୁ ତୋ ତପ ଜନହିତ । ପ୍ରସନ୍ନ ହେଲୁ ପ୍ରଜାନାଥ ॥ ୧୧୯
ଭକ୍ତମାନଙ୍କର ସନ୍ତତି । ନିରତେ ମନେ ମୁହିଁ ଚିନ୍ତି ॥ ୧୨୦
ବ୍ରହ୍ମା ଶଙ୍କର ମନୁବର । ତୁମ୍ଭେ ଇନ୍ଦ୍ରାଦି ଦେବବର ॥ ୧୨୧
ଉଦ୍ଭବ ପ୍ରାଣୀମାନଙ୍କର । ତୁମ୍ଭେ ଯେ ବିଭୂତି ମୋହର ॥ ୧୨୨
ତପସ୍ୟା ମୋହର ହୃଦୟ । ବେଦ-ବେଦାଙ୍ଗ ମୋର ଦେହ ॥ ୧୨୩
କ୍ରିୟା ଆକୃତି ମୋର ଜାଣ । ଯଜ୍ଞ ମୋହର ଅଙ୍ଗମାନ ॥ ୧୨୪
ମୋହର ଆତ୍ମା ଧର୍ମ ଜାଣ । ଦେବତାମାନେ ମୋର ପ୍ରାଣ ॥ ୧୨୫
ବାହ୍ୟଅନ୍ତରେ ମୁହିଁ ଥାଇ । ସକଳ ଆଦିଭୂତ ମୁହିଁ ॥ ୧୨୬
ସଂସାରେ ସର୍ବରୂପ ହୋଇ । ଅବ୍ୟକ୍ତ ରୂପେ ମୁହିଁ ଥାଇ ॥ ୧୨୭
ନାମରେ ଅବଶେଷ ହୋଇ । ମୋ ତହୁୁଁ ଅନ୍ୟ କେହିନାହିଁ ॥ ୧୨୮
ଅନନ୍ତଗୁଣେ ମୁଁ ଅନନ୍ତ । ମୋର ଗୁଣରୁ ସର୍ବେ ଜାତ ॥ ୧୨୯
ଗୁଣ-ଶରୀରକୁ ଧଇଲେ । ସ୍ୱୟମ୍ଭୁ ଦେହକୁ ପାଇଲେ ॥ ୧୩୦
ସ୍ୱୟମ୍ଭୁ ସୃଜନେ ସଂସାର । ନ ଦେଖି ସମର୍ଥ ଆତ୍ମାର ॥ ୧୩୧
ସୃଷ୍ଟି କରିବା ଚିତ୍ତେ ଧରି । ଉଦ୍ୟମ କଲେ ସେ ବିଚାରି ॥ ୧୩୨
ବୋଇଲୁ ଆମ୍ଭ ବାକ୍ୟ କର । ଘୋର-ତପସ୍ୟାକୁ ଆଚର ॥ ୧୩୩
ସୃଷ୍ଟିକରତା ତୁମ୍ଭେ କାହିଁ । ତପର ବଳେ ସୃଷ୍ଟି ହୋଇ ॥ ୧୩୪
ପଞ୍ଚଜନର ଏ କୁମାରୀ । ଅସିକ୍ନୀ ନାମେ ଯେ ସୁନ୍ଦରୀ ॥ ୧୩୫
ଏହାକୁ ପତ୍ନୀଭାବେ ତୋର । ଗ୍ରହଣ କରି ସୃଷ୍ଟିକର ॥ ୧୩୬
ମୈଥୁନେ ହେବ ବଡ଼ ଶୋଭା । ଆନନ୍ଦେ ହୁଅ ଶୁଭେ ବିଭା ॥ ୧୩୭
ତୁମ୍ଭର ଠାରୁ ପ୍ରଜାଯେତେ । ମୈଥୁନେ ହୋଇବେ ଜଗତେ ॥ ୧୩୮
ମୋର ମାୟାରେ ମୋହିହେବେ । ହରଷେ ସଂସାର କରିବେ ॥ ୧୩୯

ଶୁକ ଉବାଚ[ସମ୍ପାଦନା]

ଏତେକ କହି ଭଗବାନ । ଅଖିଳ-ସଂସାର-କାରଣ ॥ ୧୪୦
ସ୍ୱପ୍ନେ କହିଲା ପ୍ରାୟ କରି । ଅନ୍ତର ହୋଇଲେ ମୁରାରି ॥ ୧୪୧
ଏ ଦକ୍ଷପ୍ରଜାପତି କଥା । କଳ୍ପଭେଦର ଯେ ବ୍ୟବସ୍ଥା ॥ ୧୪୨
ବୋଲଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣଚରିତ ଅମୃତ ॥ ୧୪୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ହଂସଗୁହ୍ଯସ୍ତବୋ ନାମ ଚତୁର୍ଥୋଽଧ୍ୟାୟଃ ॥

•••

ପଞ୍ଚମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ବିଷ୍ଣୁ ମାୟାର ପ୍ରଭାବରୁ । ପଞ୍ଚଜନକନ୍ୟା ଗର୍ଭରୁ ॥ ୧
ହର୍ଯ୍ୟଶ୍ୱନାମରେ ଅୟୁତ । ସେ ଦକ୍ଷ ଜନ୍ମାଇଲେ ସୁତ ॥ ୨
ପୃଥକଭାବ ତାଙ୍କ ନାହିଁ । ସକଳେ ଧର୍ମଶୀଳ ହୋଇ ॥ ୩
ପିତାର ଆଜ୍ଞା ଘେନି ଶିରେ । ପ୍ରଜାସର୍ଜନ କରିବାରେ ॥ ୪
ପଶ୍ଚିମଦିଗକୁ ଗମିଲେ । ସେଠାରେ ତୀର୍ଥେକ ଦେଖିଲେ ॥ ୫
ଯା ନାମ ନାରାୟଣସର । ସଙ୍ଗମେ ସେ ସିନ୍ଧୁସାଗର ॥ ୬
ସିଦ୍ଧମୁନିରେ ଯେ ସେବିତ । ସ୍ପରଶେ ପାପ କରେ ହତ ॥ ୭
ସେ ସରୋବରକୁ ଯେ ଯାଇ । ପରମହଂସଦୀକ୍ଷା ବହି ॥ ୮
ଯନ୍ତ୍ରିତ ସେ ପିତା-ଆଜ୍ଞାରେ । ନାନା-ଉଗ୍ରତପ ସାଧିଲେ ॥ ୯
ପ୍ରଜାର ବୃଦ୍ଧିକାମକଲେ । ତପସାଧନେ ମନ ଦେଲେ ॥ ୧୦
ନାରଦ ଆସି ତତକ୍ଷଣେ । କହିଲେ ମଧୁର-ବଚନେ ॥ ୧୧
ହର୍ଯ୍ୟଶ୍ୱେ ଶୁଣ ମୋ ଉତ୍ତର । କେମନ୍ତେ ତୁମ୍ଭେ ପ୍ରଜାକର ॥ ୧୨
ପୃଥ୍ୱୀର ପରିମାଣ କାହିଁ । କେବେ କି ଦେଖିଅଛ କେହି ॥ ୧୩
ତୁମ୍ଭେ ବାଳକବୁଦ୍ଧି କର । ସୃଷ୍ଟି କରିବାକୁ ବିଚାର ॥ ୧୪
ଏକଗୋଟି ଯେ ରାଜ୍ୟ ଅଛି । ଏକ ପୁରୁଷ ତହିଁ ଅଛି ॥ ୧୫
ଗହ୍ୱର ଗୋଟିଏ ଅଛଇ । ଯହିଁରୁ କେହି ନ ଫେରଇ ॥ ୧୬
ବହୁରୂପର ସ୍ତିରୀ ଏକ । ଅଛି ପୁଂଶ୍ଚଳୀ ପତିଏକ ॥ ୧୭
ନଦୀଏ ବହେ ବେନିଆଡେ । ଘର ପଚିଶ ପଦାର୍ଥରେ ॥ ୧୮
ବିଚିତ୍ରନାଦ ହଂସ ଆର । ପଦାର୍ଥ ଅଛଇ ଅପର ॥ ୧୯
କ୍ଷୁରବଜ୍ରରେ ଗଢା ହୋଇ । ନିରତେ ଭ୍ରମଣ କରଇ ॥ ୨୦
ତୁମ୍ଭେ ହୋ ନ ଜାଣ ଏମାନ । ନ ବୁଝି ପିତାର ବଚନ ॥ ୨୧
କିପରି ସୃଷ୍ଟି କରିବାରେ । ମନ ବଳାଅ ଅବିଚାରେ ॥ ୨୨
ନାରଦତହିଁ କୂଟବାଣୀ । ହର୍ଯ୍ୟଶ୍ୱେ ଶୁଣି ମନେ ଗୁଣି ॥ ୨୩
ନିର୍ମଳବୁଦ୍ଧି ତାହାଙ୍କର । ଏମନ୍ତେ କରନ୍ତି ବିଚାର ॥ ୨୪
ପୃଥିବୀ ଜୀବ ନାମ ହୋଇ । ଅନାଦି ବାସନାକୁ ପାଇ ॥ ୨୫
ଯେଣୁ ଏ ବହଇ ଶରୀର । କାରଣ ଯେ ଆତ୍ମବନ୍ଧର ॥ ୨୬
ଅଦୃଶ୍ୟ ଏହାର ନିର୍ବାଣ । ତେଣୁ ନ ଜାଣି ପରିମାଣ ॥ ୨୭
ଅସତକର୍ମ ପ୍ରବର୍ତ୍ତନେ । କି ଅର୍ଥଲାଭ ଏ ସାଧନେ ॥ ୨୮
ଏକ ପୁରୁଷ ସେ ଈଶ୍ୱର । ସମସ୍ତ ସାକ୍ଷୀ ସେ ରାଜ୍ୟର ॥ ୨୯
ନିତ୍ୟ ମୁକତ ଭଗବାନ । ତେଣେ ତ ନାହିଁ ଆମ୍ଭଜ୍ଞାନ ॥ ୩୦
ପୁରୁଷ ଯହିଁ ପ୍ରବେଶିଲେ । ବାହୁଡି ନ ଆସଇ ଭଲେ ॥ ୩୧
ପାତାଳଗତି ପ୍ରାୟ ହୋଏ । ଜ୍ୟୋତିସ୍ୱରୂପ ବ୍ରହ୍ମମୟେ ॥ ୩୨
ତହିଁରେ ଆମ୍ଭ ନାହିଁ ଜ୍ଞାନ । ଏ ସୃଷ୍ଟିକର୍ମେ କି କାରଣ ॥ ୩୩
ଏ ବୁଦ୍ଧି ନାନାମାର୍ଗେ ଯାଇ । ଆତ୍ମାକାରଣ ନ ଜାଣଇ ॥ ୩୪
ରଜତମରେ ବିମୋହିତ । ପୁଂଶ୍ଚଳୀ ପରାୟେ ଚରିତ ॥ ୩୫
ପୁଂଶ୍ଚଳୀ ସଙ୍ଗେ କରି ଭାବ । କେବଳ ଶ୍ରମମାତ୍ର ଲାଭ ॥ ୩୬
କୁତ୍ସିତଭାର୍ଯ୍ୟା-ଗୃହୀ ଯେହ୍ନେ । ନିରତେ ବଞ୍ଚଇ କଷଣେ ॥ ୩୭
ଏଣୁ ଅସତ ଅବିବେକ । କର୍ମେ ବା କି ଲାଭ ଅଧିକ ॥ ୩୮
ଜନ୍ମ ମରଣ ବେନିଦିଗେ । ମାୟାନଦୀ ଯେ ବହେ ବେଗେ ॥ ୩୯
ତହିଁ ପଡ଼ିଣ ଜୀବ ଭ୍ରମେ । କି କାର୍ଯ୍ୟ ଅସତ କରମେ ॥ ୪୦
ପଚିଶ ତତ୍ତ୍ୱେ ଗଢ଼ା ଦେହ । ଶ୍ରୀହରି ତହିଁର ଆଶ୍ରୟ ॥ ୪୧
ତାହାଙ୍କୁ ନ ଜାଣିଣ ଭଲେ । କି ଲାଭ ତୁଚ୍ଛା କର୍ମ କଲେ ॥ ୪୨
ବିଚିତ୍ରନାଦ-ହଂସ ସେହି । ଅଧ୍ୟାତ୍ମଶାସ୍ତ୍ର ଯେ ବୋଲାଇ ॥ ୪୩
ତହିଁର ତତ୍ତ୍ୱ ନ ଜାଣିଲୁ । ଅସତ-କର୍ମରେ ଫୁଟିଲୁ ॥ ୪୪
ଯା ଚକ୍ର ତୀକ୍ଷ୍‌ଣ କ୍ଷୁରଧାର । ବଜ୍ରୁ କଠିନ ଯେହୁଁ କାଳ ॥ ୪୫
ସ୍ୱତନ୍ତ୍ରେ କରଇ ଭ୍ରମଣ । ଜଗତ କରେ କରଷଣ ॥ ୪୬
ତାହାର ଗତିକି ନ ବୁଝି । ଅସତକର୍ମେ କିମ୍ପା ମଜ୍ଜି ॥ ୪୭
ଅଧ୍ୟାତ୍ମଶାସ୍ତ୍ର ପିତା ସମ । ନ ବୁଝି ତାହାର ମରମ ॥ ୪୮
ପ୍ରବୃତ୍ତିମାର୍ଗେ କରି କର୍ମ । କିମ୍ପା ହୋଇବା ତୁଚ୍ଛା ଭ୍ରମ ॥ ୪୯
ଏମନ୍ତ ମନେ ବିଚାରିଲେ । ହର୍ଯ୍ୟଶ୍ୱେ ଏକଚିତ୍ତ ହେଲେ ॥ ୫୦
ନାରଦେ କରି ପ୍ରଦକ୍ଷିଣ । ଗଲେ ଅନିବର୍ତ୍ତ ପଥେଣ ॥ ୫୧
ଅଚ୍ୟୁତ ବ୍ରହ୍ମ ହୃଷୀକେଶ । ଅଖିଳ-ପ୍ରଭୁ-ପୀତବାସ ॥ ୫୨
ଅଭୟ-ପାଦପଙ୍କଜରେ । ଅଖଣ୍ତଚିତ୍ତ ହୋଇ ସ୍ଥିରେ ॥ ୫୩
ଆନନ୍ଦ ହୋଇ ମୁନିବର । ଗମନ କଲେ ନିଜପୁର ॥ ୫୪
ସୁତମାନଙ୍କ ନାଶ ଶୁଣି । ନାରଦକୃତ ବୋଲି ଜାଣି ॥ ୫୫
ପୁତ୍ରଙ୍କ ଗୁଣ ସୁମରିଲେ । ଦକ୍ଷ ଅନେକ ଶୋକ କଲେ ॥ ୫୬
ଅଜଙ୍କ ବାକ୍ୟେ ଶାନ୍ତ ହୋଇ । ପୁଣିହିଁ ଅସିକ୍ନୀର ତହିଁ ॥ ୫୭
ବୀର୍ଯ୍ୟଆଧାନ କଲେ ଦକ୍ଷ । ପୁତ୍ର ଜନ୍ମିଲେ ସବଳାଶ୍ୱ ॥ ୫୮
ସହସ୍ରପରିମିତ ହୋଇ । ସର୍ବେ ଜନ୍ମିଲେ ଦେହବହି ॥ ୫୯
ପିତାର ଆଜ୍ଞାକୁ ଧଇଲେ । ପ୍ରଜା-ସର୍ଜନେ ମନଦେଲେ ॥ ୬୦
ଯେ ନାରାୟଣ-ସରୋବର । ତହିଁ କି ଗଲେ ଖରତର ॥ ୬୧
ସେ ତୀର୍ଥ ସ୍ପରଶ ମାତ୍ରକେ । ଦହନ ହୋଇଲେ ପାତକେ ॥ ୬୨
ପରମବ୍ରହ୍ମ ଧ୍ୟାନ କରି । ମହତ ତପକୁ ଆଚରି ॥ ୬୩
କେତେହେଁ ଦିନ ନିରାହାରେ । ବଞ୍ଚିଲେ ପବନ ଆହାରେ ॥ ୬୪
ଏମନ୍ତ କରି ଆରାଧନ । ସ୍ମରଣ କଲେ ନାରାୟଣ ॥ ୬୫
ଓଁ ନମଃ ପ୍ରଭୁ ନାରାୟଣ । ଓଁ ନମଃ ପ୍ରଭୁ ଭଗବାନ ॥ ୬୬
ଅଶେଷ ପୁରୁଷ ପୁରାଣ । ଅନାଦି ପ୍ରଭୁ ନିରଞ୍ଜନ ॥ ୬୭
ବିଶୁଦ୍ଧ ସତ୍ତ୍ୱ ମହାହଂସ । ନମସ୍ତେ ପ୍ରଭୁ ହୃଷୀକେଶ ॥ ୬୮
ଏମନ୍ତ ପ୍ରକାରେ ରାଜନ । ପ୍ରଜା ନିମିତ୍ତେ ଦେଇ ମନ ॥ ୬୯
ତପ ସେ କରୁଥିଲେ ତହିଁ । ନାରଦମୁନି ତାଙ୍କୁ ଚାହିଁ ॥ ୭୦
କପଟ କରିଣ ବଚନ । ବୋଇଲେ ଶୁଣ ଋଷିଗଣ ॥ ୭୧
ଉଦ୍ଦେŸଶ୍ୟ ଭାଇମାନଙ୍କର । କିମ୍ପାଇଁ ତୁମ୍ଭେ ହୋ ନ କର ॥ ୭୨
ଭ୍ରାତୃବତ୍ସଳ ତୁମ୍ଭେମାନେ । ଏ କର୍ମ କରୁଛ କେସନେ ॥ ୭୩
ଭାଇର ଦୁଖେ ଯେହୁ ଦୁଃଖୀ । ସେ ପ୍ରାଣୀ ସର୍ବକାଳେ ସୁଖୀ ॥ ୭୪
ତାହାଙ୍କୁ ପୁଣ୍ୟବନ୍ତ କହି । ଦେବଙ୍କ ସଙ୍ଗେ ସ୍ୱର୍ଗେ ଥାଇ ॥ ୭୫
ଏମନ୍ତ କହି ତାଙ୍କ ଆଗେ । ନାରଦ ଗଲେ ଶୂନ୍ୟମାର୍ଗେ ॥ ୭୬
ସେ ପୁଣି ଭାଇମାନଙ୍କର । ଉଦ୍ଦେŸŸଶ୍ୟେ ଗଲେ ନୃପବର ॥ ୭୭
ଭାଇର କ୍ଷୋଭେ ଯେତେ ଗଲେ । ଅଦ୍ୟାପୀ ନିବୃତ୍ତ ନୋହିଲେ ॥ ୭୮
ପଶ୍ଚିମରାତ୍ରି ପ୍ରାୟ ହୋଇ । ନିବୃତ୍ତି ତାଙ୍କ ଆର କାହିଁ ॥ ୭୯
ଅନେକ କାଳ ଗଲା ଯହୁଁ । ଦକ୍ଷ ଜାଣିଲେ ପୁଣି ତହୁଁ ॥ ୮୦
ପୁତ୍ରମାନଙ୍କ ନାଶ ଶୁଣି । ନାରଦକୃତ ବୋଲି ଜାଣି ॥ ୮୧
ପୁତ୍ରଶୋକରେ ମୋହି ହୋଇ । ନାରଦେ ଅତି କ୍ରୋଧ ବହି ॥ ୮୨
ତକ୍ଷଣେ ନିକଟେ ମିଳିଲେ । ଦେଖି ନାରଦ ଭୟ କଲେ ॥ ୮୩
କୁପିତେ କମ୍ପାଇ ଅଧର । ନାରଦେ ବୋଲନ୍ତି ଉତ୍ତର ॥ ୮୪

ଦକ୍ଷ ଉବାଚ[ସମ୍ପାଦନା]

ଅହୋ ଅସାଧୁ ସାଧୁଙ୍କର । ଚିହ୍ନକୁ ବହୁ ଅଙ୍ଗେ ତୋର ॥ ୮୫
ଯେଣୁ ମୋ ବାଳକଙ୍କୁ ତୁହି । ଭିକ୍ଷୁକ-ମାର୍ଗକୁ ଦେଖାଇ ॥ ୮୬
ତିନିଋଣରୁ ଯେ ଅମୁକ୍ତ । ନୋହିଛି କର୍ମ ସମାପତ ॥ ୮୭
ଶ୍ରେୟ-କାରଣ ତାଙ୍କ ତପ । କିମ୍ପା ତୁ ନଷ୍ଟକଲୁ ପାପ ॥ ୮୮
କେମନ୍ତେ ଭକ୍ତବୋଲି ତୋତେ । ସକଳେ ବୋଲନ୍ତି ଜଗତେ ॥ ୮୯
ଈଶ୍ୱର ପାରିଷଦ ହେଉ । ମନ୍ଦକର୍ମରେ ନିତ୍ୟେ ଥାଉ ॥ ୯୦
ଯେ ଜନ କୃଷ୍ଣଭକ୍ତ ହୋଏ । ପ୍ରାଣୀଙ୍କୁ କରଇ ସଦୟେ ॥ ୯୧
ତୁ ମିତ୍ରଦ୍ରୋହୀ ପାପୀ ହେଉ । ଏ କର୍ମ କରେ ଅବା କେହୁ ॥ ୯୨
ନିର୍ଦ୍ଦୋଷଠାରେ ଶତ୍ରୁପଣ । କିମ୍ପାଇଁ କଲୁ ଅକାରଣ ॥ ୯୩
ସୁହୃଦଲୋକେ କ୍ରୋଧଭର । ତୋ ତହୁଁ ନାହିଁ ନା ଅପର ॥ ୯୪
ମୋହର ଯେଉଁ ସ୍ନେହପାଶ । ଛେଦିଣ କଲୁ ତୁ ନିରାଶ ॥ ୯୫
ପ୍ରାଣୀମାନଙ୍କ ସ୍ନେହପାଶ । ଏ ରୂପେ ନୁହଁଇ ବିନାଶ ॥ ୯୬
କଠୋର-ବୈରାଗ୍ୟ ସାଧନ । ଯହିଁ ସ୍ନେହପାଶ ଛେଦନ ॥ ୯୭
ବିଷୟକର୍ମ ଯେହୁ ଜନ । ନ ଜାଣି କରେ ଅନୁମାନ ॥ ୯୮
ତୋ ମତ ଅଳ୍ପବୁଦ୍ଧି-ଜ୍ଞାନେ । ହିତ-ଅହିତ ସେ ନ ଜାଣେ ॥ ୯୯
ତୁ ଯେଉଁ କାରଣରୁ କରି । ସାଧୁଙ୍କ ଅପ୍ରିୟ ଆଚରି ॥ ୧୦୦
ସ୍ୱକର୍ମବଦ୍ଧ ଗୃହମେଧି । ପରର ହିତେ ଯାର ବୁଦ୍ଧି ॥ ୧୦୧
ତାଙ୍କୁ ଅମାର୍ଗ ଦେଖାଇଲୁ । ବାରେକ ଆମ୍ଭେ ତା ସହିଲୁ ॥ ୧୦୨
ମୂଢ଼ ତୁ ଆମ୍ଭ ଶାପୁଁ କରି । ଲୋକବିଷୟେ ଅନାଚାରୀ ॥ ୧୦୩
ଭ୍ରମଣ କରୁଥିବୁ ତୁହି । ସ୍ଥିତି ନୋହିବ ତୋର କାହିଁ ॥ ୧୦୪

ଶୁକ ଉବାଚ[ସମ୍ପାଦନା]

ଅସ୍ତୁ ବୋଲିଣ ଶାପଘେନି । ସାଧୁଜନ ନାରଦ ମୁନି ॥ ୧୦୫
ଏଣୁ କରି ସେ ସାଧୁବାଦ । ସକଳ ବୋଲନ୍ତି ନାରଦ ॥ ୧୦୬
ସେ ସେହି ରୂପେ ତା ଘେନିଲେ । ଦକ୍ଷ ଯେବଣ ଶାପ ଦେଲେ ॥ ୧୦୭
ନାରଦ ଶାପ କର୍ମବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୦୮
ବୋଲଇ ଦାସ ଜଗନ୍ନାଥ । ସଂସାର ହିତେ ଭାଗବତ ॥ ୧୦୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ନାରଦଶାପୋ ନାମ

ପଞ୍ଚମୋଽଧ୍ୟାୟଃ ॥ •••

ଷଷ୍ଠ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଶୁଣ ରାଜନ ଏ ଅନ୍ତରେ । ଦକ୍ଷ ଯେ ବ୍ରହ୍ମାଙ୍କ ଆଜ୍ଞାରେ ॥ ୧
ଭାରିଯା ଅସିକ୍ନୀଙ୍କଠାରେ । ଷାଠିଏକନ୍ୟା ଜନ୍ମାଇଲେ॥ ୨
ଧର୍ମଙ୍କୁ ଦେଲେ କନ୍ୟା ଦଶ । କଶ୍ୟପେ ଦେଲେ ତ୍ରୟୋଦଶ ॥ ୩
ସପ୍ତବିଂଶତି ଚନ୍ଦ୍ର କରେ । ପ୍ରଦାନ କଲେ ଆନନ୍ଦରେ ॥ ୪
ଭୂତ ଅଙ୍ଗିରା କୃଶାଶ୍ୱଙ୍କୁ । ବେନି ବେନିଟି ଦେଲେ ତାଙ୍କୁ ॥ ୫
ଆବର ଚାରି ଯେ କନ୍ୟାଙ୍କୁ । ଅର୍ପିଲେ ତାର୍କ୍ଷ୍ୟକାଶ୍ୟପଙ୍କୁ ॥ ୬
ଏ ସର୍ବକନ୍ୟାଙ୍କର ନାମ । କହିବା ଶୁଣ ହେ ରାଜନ ॥ ୭
ପ୍ରଜାପତିଙ୍କ କନ୍ୟା ଯେତେ । ପୁତ୍ରବତୀ ହେଲେ ସମସ୍ତେ ॥ ୮
ଏହାଙ୍କ ପୁତ୍ର ପୌତ୍ରମାନେ । ପୂର୍ଣ୍ଣ ହୋଇଲେ ତ୍ରିଭୁବନେ ॥ ୯
ଧର୍ମ ଯେ କନ୍ୟାଙ୍କୁ ଗ୍ରହଣ । କଲେ ତାହାଙ୍କ ନାମ ଶୁଣ ॥ ୧୦
ଭାନୁ ଲମ୍ବା କକୁଭ ଜାମି । ମୁହୂର୍ତ୍ତା ବସୁ ଧର୍ମପତ୍ନୀ ॥ ୧୧
ବିଶ୍ୱା ସାଧ୍ୟ ଯେ ମରୁତ୍ୱତୀ । ସଙ୍କଳ୍ପା ନାମେ ଯେହୁ ସତୀ ॥ ୧୨
ଏବେ ତାହାଙ୍କ ପୁତ୍ର ନାମ । କହିବା ଶୁଣ ହେ ରାଜନ ॥ ୧୩
ଭାନୁର ପୁତ୍ର ହେ ରାଜନ । ଦେବଋଷଭ ଯେ ତା ନାମ ॥ ୧୪
ଋଷଭ ସୁତ ଇନ୍ଦ୍ରସେନ । ବିଦ୍ୟୋତ ଲମ୍ବାରୁ ଜନମ ॥ ୧୫
କକୁଭ ପୁତ୍ର ଯେ ସଙ୍କଟ । ତାହାର ତନୟ କୀକଟ ॥ ୧୬
ଦୁର୍ଗାଭିମାନୀ ଦେବଗଣ । ତା ଠାରୁ ହୋଇଲେ ଜନମ ॥ ୧୭
ଜାମିର ପୁତ୍ର ସ୍ୱର୍ଗନାମ । ତା ଠାରୁ ନନ୍ଦୀର ଜନମ ॥ ୧୮
ବିଶ୍ୱାର ତହୁଁ ବିଶ୍ୱଦେବା । ତାଙ୍କୁ ଅପୁତ୍ରିକ ବୋଲିବା ॥ ୧୯
ସାଧ୍ୟାର ସୁତ ସାଧ୍ୟଗଣ । ତା ତହୁଁ ଅର୍ଥସିଦ୍ଧି ଜନ୍ମ ॥ ୨୦
ଜୟନ୍ତ ମରୁତ୍ୱାନ ଦୁଇ । ଜନ୍ମିଲେ ମରୁତ୍ୱତୀ ତହିଁ ॥ ୨୧
ଜୟନ୍ତ ନାମେ ଯେ ପ୍ରକାଶ । ସେ ଅଟେ ବାସୁଦେବ ଅଂଶ ॥ ୨୨
ଉପେନ୍ଦ୍ର ବୋଲି ଜଗତରେ । ଯାକୁ ଜାଣନ୍ତି ବିଜ୍ଞନରେ ॥ ୨୩
ମୁହୂର୍ତ୍ତା ଗର୍ଭେ ଦେବଗଣ । ଜନ୍ମିଲେ ଅଖିଳକାରଣ ॥ ୨୪
ଏମାନେ ପ୍ରାଣୀହିତ ଚିନ୍ତି । ସ୍ୱକାମ ଫଳକୁ ଦିଅନ୍ତି ॥ ୨୫
ଯେ କାଳେ ଯେ ଫଳ ପ୍ରାଣୀରେ । ଦିଅନ୍ତି ମୁହୂର୍ତ୍ତ ରୂପରେ ॥ ୨୬
ସଙ୍କଳ୍ପ ସଙ୍କଳ୍ପାର ସୁତ । ତା ଠାରୁ କାମ ହେଲା ଜାତ ॥ ୨୭
ବସୁର ଅଷ୍ଟବସୁ ସୁତ । କହିବା ଶୁଣ ପରୀକ୍ଷିତ ॥ ୨୮
ଧ୍ରୁବାର୍କ ଦୋଷ ଅଗ୍ନି ଦ୍ରୋଣ । ବିଭାବସୁ ବସୁ ଯେ ପ୍ରାଣ ॥ ୨୯
ଦ୍ରୋଣର ପତ୍ନୀ ଅଭିମତି । ତା ଠାରୁ ହୋଇଲେ ଉତ୍ପତ୍ତି ॥ ୩୦
ହରଷ ଶୋକ ଭୟ ପୁଣ । ଏ ଆଦି ହୋଇ ଯେତେ ଗଣ ॥ ୩୧
ପ୍ରାଣର ଉର୍ଜସ୍ୱତୀ ନାମା । ପତ୍ନୀ ଯେ ଅତି ମନୋରମା ॥ ୩୨
ତା ତହୁଁ ଏ ତିନି ଉଦ୍ଭବ । ସହ ଆୟୁ ଯେ ପୁରୋଜବ ॥ ୩୩
ଧରଣୀ ଜାୟା ଯେ ଧ୍ରୁବର । ତା ଗର୍ଭୁ ଜାତ ନାନାପୁର ॥ ୩୪
ଅର୍କ ନାମରେ ଯେ ବସୁର । ବାସନା ନାମେ ପତ୍ନୀ ତାର ॥ ୩୫
ତା ତହୁଁ ତର୍ଷାଦି ତନୟ । ବହୁତ ହୋଇଲେ ଉଦୟ ॥ ୩୬
ଅଗ୍ନିର ଭାର୍ଯ୍ୟା ଧାରା ହେଲେ । ବହୁପୁତ୍ର ସେ ପ୍ରସବିଲେ ॥ ୩୭
ପୁଣି ତା ତହୁଁ ସ୍କନ୍ଧ ହେଲେ । କୃତ୍ତିକା ପୁତ୍ର ବୋଲାଇଲେ ॥ ୩୮
ଶର୍ବରୀ ରମଣୀ ଦୋଷର । ତା ତହୁଁ ଜନ୍ମ ଶିଶୁମାର ॥ ୩୯
ଯେ ଶିଶୁମାର ବିଷ୍ଣୁ ଅଂଶେ । ଜାତ ହୋଇଲେ ବସୁବଂଶେ ॥ ୪୦
ଈଶ୍ୱରଅଂଶ ସେ ଅଟଇ । ଜଗତବ୍ୟାପିତ ସେ ହୋଇ ॥ ୪୧
ବସୁ ବନିତା ଆଙ୍ଗିରସୀ । ତହୁଁ ବିଶ୍ୱକର୍ମା ପ୍ରକାଶି ॥ ୪୨
ସକଳକଳାମାନଙ୍କର । ସ୍ୱାମୀ ଅଟଇ ଜଗତର ॥ ୪୩
ସେ ବିଶ୍ୱକର୍ମା ବିର୍ଯ୍ୟୁଜାତ । ଚାକ୍ଷୁସ ମନୁ ନାମେ ସୁତ ॥ ୪୪
ବିଶ୍ୱଦେବାଦି ସାଧ୍ୟ ଯେତେ । ମନୁର ପୁତ୍ର ଏ ଜଗତେ ॥ ୪୫
ବିଭାବସୁଙ୍କ ତିନିସୁତ । ଉଷା-ଗର୍ଭରୁ ହେଲେ ଜାତ ॥ ୪୬
ତାହାଙ୍କ ନାମ ଶୁଣ ନୃପ । ବ୍ୟୁଷ୍ଟ ରୋଚିଷ ଯେ ଆତପ ॥ ୪୭
ଏ ତିନି ପୁତ୍ରଙ୍କ ମଧ୍ୟର । ଆତପ ନାମ ଅଟେ ଯାର ॥ ୪୮
ତା ଠାରୁ ଦିବସ ଜନମ । ଯାହାର ନାମ ପଞ୍ଚଯାମ ॥ ୪୯
ଯା ହେତୁ ପ୍ରାଣୀ ଜାଗରିତ । ସଂସାରେ ହୋନ୍ତି ଆତଯାତ ॥ ୫୦
ଏବେ ସେ ଭୂତଙ୍କର ବଂଶ । କହିବା ଶୁଣ ନରଈଶ ॥ ୫୧
ଯେ ପତ୍ନୀ ସ୍ୱରୂପା ନାମେଣ । ତା ଠାରୁ ଜାତ ରୁଦ୍ରଗଣ ॥ ୫୨
ତାହାଙ୍କ ନାମ ଏକ ଏକ । କହିବା କର ହେ ବିବେକ ॥ ୫୩
ରୈବତ ଅଜ ଭବ ଭୀମ । ଉଗ୍ର ବୃଷାକପି ଯେ ବାମ ॥ ୫୪
ଅଜୈକପାଦ ଅହିର୍ବୁଧ୍ନ୍ୟ । ମହାନ ବହୁରୂପ ନାମ ॥ ୫୫
ରୁଦ୍ରର ପାରିଷଦ ଯେତେ । କହିବି ଏକେ ଏକେ କେତେ ॥ ୫୬
ପ୍ରେତ ବିନାୟକ ଯେ ଘୋର । ଏମନ୍ତେ ଜନ୍ମିଲେ ଅପାର ॥ ୫୭
ଏ ଏକାଦଶ ରୁଦ୍ରଗଣ । ଜନମ ହେଲେ ପୃଥ୍ୱୀରେଣ ॥ ୫୮
ଅଙ୍ଗିରସ ଯେ ପ୍ରଜାପତି । ତାହାର ପତ୍ନୀ ସ୍ୱଧାସତୀ ॥ ୫୯
ପିତୃଗଣଙ୍କୁ ସେ ଜନ୍ମାଇଁ । ଆବର ଶୁଣ ଯାହା କହି ॥ ୬୦
ସତୀର ଅଥର୍ବାଙ୍ଗି ରସ । ସୁତ ହୋଇଲେ ହେ ନରେଶ ॥ ୬୧
କୃଶାଶ୍ୱନାମେ ପ୍ରଜାପତି । ଅର୍ଚ୍ଚି ଧୀଷଣା ତା ଯୁବତୀ ॥ ୬୨
ଧୂମକେତୁ ଯେ ଅର୍ଚ୍ଚିସୁତ । ଧୀଷଣା ଠାରୁ ଚାରିପୁତ୍ର ॥ ୬୩
ବେଦଶିରା ମନୁ ବୟୁନ । ଦେବଳ ଏ ଚାରିନନ୍ଦନ ॥ ୬୪
ତାର୍କ୍ଷ୍ୟ ନାମରେ ଯେ କଶ୍ୟପ । ତା ପତ୍ନୀ ନାମ ଶୁଣ ନୃପ ॥ ୬୫
ବିନତା ପତଙ୍ଗୀ ଯାମିନୀ । କଦ୍ରୂ ଏ ଚାରୋଟି କାମିନୀ ॥ ୬୬
ବିନତା ଗରୁଡ ଅରୁଣ । ଦୁଇ ସନ୍ତାନ କଲେ ଜନ୍ମ ॥ ୬୭
ଗରୂଡ ବିଷ୍ଣୁଙ୍କ ବାହାନ । ସୂର୍ଯ୍ୟଙ୍କ ସାରଥି ଅରୁଣ ॥ ୬୮
ପତଙ୍ଗୀ ପତଙ୍ଗମାନଙ୍କୁ । ଯାମିନୀ ଶଲଭ ପୁତ୍ରଙ୍କୁ ॥ ୬୯
କଦ୍ରୂର ଗର୍ଭୁନାଗ ଯେତେ । ଉତ୍ପନ୍ନ ହୋଇଲେ ସମସ୍ତେ ॥ ୭୦
କୃତ୍ତିକା ଆଦି ଯେତେ ଋକ୍ଷ । ଚନ୍ଦ୍ରର ପତ୍ନୀ ଏ ପ୍ରତ୍ୟକ୍ଷ ॥ ୭୧
ନିତ୍ୟେ କେବଳ ରୋହିଣୀର । ପ୍ରେମରେ ବଶ ଶଶଧର ॥ ୭୨
ଦେଖନ୍ତେ କନ୍ୟାଙ୍କର ଦୁଃଖ । ଶାପ ବିହିଲେ କୋପେ ଦକ୍ଷ ॥ ୭୩
ସେ ଶାପୁ କ୍ଷୟ ରୋଗେ ସୋମ । ଦିନକୁ ଦିନ ହେଲେ କ୍ଷୀଣ ॥ ୭୪
ଦକ୍ଷଙ୍କୁ ପ୍ରସନ୍ନ କରାଇ । କଳା ଲଭିଲେ ପୁଣ ସେହି ॥ ୭୫
କୃଷ୍ଣ-ଶୁକ୍ଳରେ ଏହି କଳା । କ୍ରମରେ କ୍ଷୟ ବୃଦ୍ଧି ହେଲା ॥ ୭୬
ଏ ଅନନ୍ତରେ ମାତୃଗଣ । ତାହାଙ୍କ ନାମ କହୁଁ ଶୁଣ ॥ ୭୭
କଶ୍ୟପ-ପତ୍ନୀମାନଙ୍କର । କହିବା ନାମର ବିସ୍ତାର ॥ ୭୮
ଯାହାର ଅପତ୍ୟରୁ କରି । ଜଗତଯାକ ଅଛି ପୂରି ॥ ୭୯
କୀର୍ତ୍ତନ କଲେ ତାଙ୍କ ନାମ । ପ୍ରାଣୀ ଲଭନ୍ତି ସୁଖଧାମ ॥ ୮୦
ତେଣୁ ମୁଁ ତୁମ୍ଭର ନିକଟେ । ତାହାଙ୍କ ନାମକୁ ପ୍ରକଟେ ॥ ୮୧
ଅଦିତି ଦିତି ଦନୁ ତିନି । କାଷ୍ଠା ଅରିଷ୍ଟା ପୁଣ ବେନି ॥ ୮୨
ସୁରସା ଇଳା ମୁନି ପୁଣି । କ୍ରୋଧବଶା ତାମ୍ରା ତରୁଣୀ ॥ ୮୩
ସୁରଭି ସରମା ପ୍ରକାଶ । ତିମି ସହିତେ ତ୍ରୟୋଦଶ ॥ ୮୪
ଏହାଙ୍କର ଯେ ହେଲେ ସୁତ । କହିବା ଶୁଣ ପରୀକ୍ଷିତ ॥ ୮୫
ଜଳଜନ୍ତୁଏ ତିମିଠାରୁ । ଶ୍ୱାପଦେ ସରମା-ଗର୍ଭରୁ ॥ ୮୬
ଗୋରୁ ମହୀଷ ଆଦି ଯେତେ । ଦ୍ୱିଖୁର-ପଶୁ ଏ ସମସ୍ତେ ॥ ୮୭
ସୁରଭିଠାରୁ ହେଲେ ଜାତ । କହିବା ଶୁଣ ତାମ୍ରା ସୁତ ॥ ୮୮
ଶ୍ୟେନ-ଗୃଧ୍ରାଦି ବିହଙ୍ଗମ । ମୁନିର ଅପସରୀଗଣ ॥ ୮୯
ଦ୍ୱନ୍ଦଶୂକାଦି ସର୍ପ ଯେତେ । କ୍ରୋଧବଶାସୁତ ସମସ୍ତେ ॥ ୯୦
ଇଳାର ତହୁଁ ବୃକ୍ଷମାନ । ସୁରସାସୁତ ଯାତୁଧାନ ॥ ୯୧
ଗନ୍ଧର୍ବେ ଅରିଷ୍ଠାର ପୁତ୍ର । କାଷ୍ଠାର ଏକଖୁର ସୁତ ॥ ୯୨
ଦନୁର ଏକଷଠିସୁତ । ଅଠର ପ୍ରଧାନ ଯେ ପୁତ୍ର ॥ ୯୩
ଶୁଣ କହିବା ହେ ରାଜନ । ଏହାଙ୍କ ଏକଏକ ନାମ ॥ ୯୪
ଦ୍ୱିମୂର୍ଦ୍ଧା ଅରିଷ୍ଟ ଶମ୍ବର । ହୟଗ୍ରୀବ ଯେ ଶଙ୍କୁଶିର ॥ ୯୫
ବିଭାବସୁ ଯେ ଅୟୋମୁଖ । ବୃଷପର୍ବା ଯେ ବିରୁପାକ୍ଷ ॥ ୯୬
ସ୍ୱର୍ଭାନୁ କପିଳ ଅରୁଣ । ପୁଲୋମା ଏକଚକ୍ର ଜାଣ ॥ ୯୭
ଧୂମ୍ରକେଶ ଅନୁତାପନ । ଦୁର୍ଜୟ ବିପ୍ରଚିତ୍ତି ନାମ ॥ ୯୮
ସ୍ୱର୍ଭାନୁ କୁମାରୀ ସୁପ୍ରଭା । ନମୁଚି ତାଙ୍କୁ ହେଲେ ବିଭା ॥ ୯୯
ରାଜନ ଯେ ବୃଷପର୍ବାର । ଶର୍ମିଷ୍ଠା ନାମେ କନ୍ୟାବର ॥ ୧୦୦
ଅତି ସୁନ୍ଦରୀ କନ୍ୟା ଥିଲା । ଯଯାତି ତାକୁ ବିଭା ହେଲା ॥ ୧୦୧
ଦନୁର ପୁତ୍ର ବୈଶ୍ୱାନର । ଚାରୋଟି କନ୍ୟା ହେଲେ ତାର ॥ ୧୦୨
ସେମାନେ ପରମାସୁନ୍ଦରୀ । କହିବା ନାମ ତାହାଙ୍କରି ॥ ୧୦୩
ଉପଦାନବୀ ହୟଶିରୀ । କାଳକା ପୁଲୋମା ସୁନ୍ଦରୀ ॥ ୧୦୪
ଉପଦାନବୀ କନ୍ୟା ତୁଲେ । ହିରଣ୍ୟାକ୍ଷ ଯେ ବିଭାହେଲେ ॥ ୧୦୫
ହୟଶିରୀ ନାମେ ସୁନ୍ଦରୀ । କ୍ରତୁର ସେହି ହେଲା ନାରୀ ॥ ୧୦୬
ପୁଲୋମା କାଳକା ଏ ଦୁଇ । କଶ୍ୟପ ସଙ୍ଗେ ବିଭା ହୋଇ ॥ ୧୦୭
ବ୍ରହ୍ମାଙ୍କ ଆଜ୍ଞା ପାଇ କରି । କଶ୍ୟପ ବିଭା ବେନିନାରୀ ॥ ୧୦୮
ଏ ଦୁଇକନ୍ୟାଙ୍କ ଗର୍ଭରୁ । ଦାନବେ କଶ୍ୟପ-ବୀର୍ଯ୍ୟରୁ ॥ ୧୦୯
ଷାଠିଏ ସହସ୍ର ସମ୍ଭୂତ । ସର୍ବେ ହୋଇଲେ ବଳବନ୍ତ ॥ ୧୧୦
ଇନ୍ଦ୍ରର ଅପ୍ରୀତି କରନ୍ତି । ନିତ୍ୟେ କୁକର୍ମ ଆଚରନ୍ତି ॥ ୧୧୧
ସର୍ବଦା ଯୁଦ୍ଧେ ରତ ହେଲେ । ଋଷିଙ୍କ ଯାଗ ବିନାଶିଲେ ॥ ୧୧୨
ପିତାର ପିତା ଯେ ତୋହର । ଅର୍ଜ୍ଜୁନ ନାମଟି ଯାହାର ॥ ୧୧୩
ସ୍ୱର୍ଗକୁ ଯାଇ କଲା ନଷ୍ଟ । ଦାନବ ବଳବନ୍ତ ଦୁଷ୍ଟ ॥ ୧୧୪
ଦାନବ ବିପ୍ରଚିତ୍ତି ନାରୀ । ସିଂହିକା ନାମଟି ତାହାରି ॥ ୧୧୫
ଏକ ଦାନବ ଶତେ ସୁତ । ତା ଗର୍ଭୁ ହୋଇଲେ ସମ୍ଭୂତ ॥ ୧୧୬
ରାହୁ ତା ପ୍ରଥମ ନନ୍ଦନ । ଶତକନିଷ୍ଠ କେତୁ ନାମ ॥ ୧୧୭
ସେ ସର୍ବେ ଗ୍ରହମାନଙ୍କରେ । ବିଖ୍ୟାତ ହୋଇଲେ ସଂସାରେ ॥ ୧୧୮
ଏଥୁ ଅନ୍ତରେ ନୃପବର । ଅଦିତି ବଂଶର ବିଚାର ॥ ୧୧୯
ଯହିଁ ଶ୍ରୀବ୍ରହ୍ମାଣ୍ତଠାକୁର । ଅଂଶେ ହୋଇଲେ ଅବତାର ॥ ୧୨୦
ଅର୍ଯ୍ୟମା ବିବସ୍ୱାନ ତ୍ୱଷ୍ଟା । ଧାତା ବିଧାତା ଯେ ସବିତା ॥ ୧୨୧
ପୂଷା ଭଗ ଆର ବରୂଣ । ମିତ୍ର ଶକ୍ର ଯେ ଉଋକ୍ରମ ॥ ୧୨୨
ବିବସ୍ୱାନଙ୍କ ତହୁଁ ଜାତ । ଶ୍ରଦ୍ଧାଦେବ ହେଲେ ସାକ୍ଷାତ ॥ ୧୨୩
ସେ ଶ୍ରାଦ୍ଧଦେବ ମନୁ ନାମେ । ଖ୍ୟାତ ହୋଇଲା ଧରାଧାମେ ॥ ୧୨୪
ଭାଗ୍ୟବତୀ ଯାମୀ ଏ ଦୁଇ । ଯମ ଯମୁନା ପ୍ରସବଇ ॥ ୧୨୫
ଯେ ଯାମୀ ବଡବା ରୂପରେ । ଜନ୍ମାଇ ଅଶ୍ୱିନୀକୁମାରେ ॥ ୧୨୬
ଛାୟାରେ ଶନିଶ୍ଚର ସୁତ । ବିବସ୍ୱାନର ବିର୍ଯ୍ୟୁ ଜାତ ॥ ୧୨୭
ଏ ଅନନ୍ତରେ ତାର ତହିଁ । ସାବର୍ଣ୍ଣିମନୁ ଜାତ ହୋଇ ॥ ୧୨୮
କନ୍ୟାଏ ହୋଇଲା ଜନମ । ଯାହାର ପତି ସମ୍ବରଣ ॥ ୧୨୯
ମାତୃକା ପତ୍ନୀ ଅର୍ଜମାର । ବହୁତ ସୁତ ହେଲେ ତାର ॥ ୧୩୦
ଏ ସର୍ବ ମନୁଷ୍ୟଜାତିରେ । କଳ୍ପନା କଲେ ବେଦବରେ ॥ ୧୩୧
ପୂଷା ସ୍ୱଭାବେ ଅନପତ୍ୟ । ପୂର୍ବେ ତ ଥିଲା ଭଗ୍ନଦନ୍ତ ॥ ୧୩୨
ପୂର୍ବକାଳରେ ଦକ୍ଷ ପ୍ରତି । କୁପିତ ହେଲେ ଉମାପତି ॥ ୧୩୩
ତା ଦେଖି ପୂଷା ନିଜ ଦନ୍ତ । ଦେଖାଇ ହସିଲା ବହୁତ ॥ ୧୩୪
ଏଣୁ ତା ଦନ୍ତ ଭଗ୍ନ ହୋଏ । ଏବେ କହିବା ଶୁଣ ରାୟେ ॥ ୧୩୫
ଦୈତ୍ୟ କନ୍ୟା ପତ୍ନୀ ତ୍ୱଷ୍ଟାର । ରଚନା ନାମ ସେ କନ୍ୟାର ॥ ୧୩୬
ଏହାଙ୍କ ସୁତ ଶୁଣ ନୃପ । ସନ୍ନିବେଶ ଯେ ବିଶ୍ୱରୂପ ॥ ୧୩୭
ଯାହାଙ୍କୁ ସୁରଗଣମାନେ । ବରିଲେ ପୁରୋହିତ ପଣେ ॥ ୧୩୮
ଶତ୍ରୁମଉଳା ଯେବେ ତାର । ସେ ଯେ ସ୍ୱଭାବେ ବଳିୟାର ॥ ୧୩୯
ତଥାପି ପୁରୋହିତ ପଣେ । ବରଣ କଲେ ଦେବଗଣେ ॥ ୧୪୦
ଯେବେ ସେ ଗୁରୁ ଆଙ୍ଗିରସ । ମନରେ ହୋଇ ଅସନ୍ତୋଷ ॥ ୧୪୧
ତାଙ୍କୁ ତେଜିଲେ ମୁନିରାଣ । ସେ ମୁନି ସକଳକାରଣ ॥ ୧୪୨
ସେ କଥା ସୁଜ୍ଞଜନ ହିତେ । ଏ ଷଷ୍ଠସ୍କନ୍ଧ ଭାଗବତେ ॥ ୧୪୩
ବୋଲଇ ଦାସ ଜଗନ୍ନାଥ । ଦକ୍ଷଙ୍କ ସୃଷ୍ଟି ଏ ଜଗତ ॥ ୧୪୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ॥

•••

ସପ୍ତମ ଅଧ୍ୟାୟ[ସମ୍ପାଦନା]

ପରୀକ୍ଷିତ ଉବାଚ[ସମ୍ପାଦନା]

କେଉଁ ହେତୁରୁ ଆଙ୍ଗିରସ । ଦେବଙ୍କୁ କଲେ ଅବିଶ୍ୱାସ ॥ ୧
ନିଜର ଶିଷ୍ୟ ଦେବଗଣେ । ବର୍ଜିଲେ ତାଙ୍କୁ କି କାରଣେ ॥ ୨
ଏକଥା କହ ମୁନିବର । ଯେବେ କରୁଣା ମୋତେ କର ॥ ୩

ଶୁକ ଉବାଚ[ସମ୍ପାଦନା]

ଶୁଣ କହିବା ଯା ପଚାର । ଯେହେତୁ ଛାଡିଲେ ଅମର ॥ ୪
ଏକ କାଳରେ ପୁରୁହୂତ । ଐଶ୍ୱର୍ଯ୍ୟେ ହୋଇ ବିହ୍ୱଳିତ ॥ ୫
ନିରତେ ଅସତ-ମାର୍ଗରେ । ପ୍ରବୃତ୍ତ ହେଲେ ସେ ଗର୍ବରେ ॥ ୬
ପବନ ବସୁ ରୁଦ୍ରଗଣ । ଆଦିତ୍ୟ ଯେତେ ଋଭୁ ପୁଣ ॥ ୭
ବିଶ୍ୱଦେବା ସାଧ୍ୟ ସହିତେ । ଅଶ୍ୱିନୀକୁମାର ସମେତେ ॥ ୮
ସିଦ୍ଧ ଗନ୍ଧର୍ବ ଯେ ଚାରଣ । ବ୍ରହ୍ମା ଶଙ୍କର ମୁନିଗଣ ॥ ୯
କିନ୍ନର ବିଦ୍ୟାଧରଗଣ । ସେବିତ ଅପସରାମାନ ॥ ୧୦
ପତଙ୍ଗ ଉରଗ ଯେ ଆଦି । ସେବନ୍ତି ଯେ ଯାହା ପ୍ରସିଦ୍ଧି ॥ ୧୧
ସ୍ତୁତି କରନ୍ତି ବନ୍ଦୀଗଣ । ଆସ୍ଥାନେ ବସି ମଘବାନ ॥ ୧୨
ଲଳିତେ କେହୁ ଗୀତ ଗାଇ । ଚାମର ଧରି କେ ବିଞ୍ଚଇ ॥ ୧୩
ଚନ୍ଦ୍ରମଣ୍ଡଳ ପ୍ରାୟ ହୋଇ । ଯେ ଶ୍ୱେତଛତ୍ର ଶୋଭାପାଇ ॥ ୧୪
ଅନ୍ୟ ଯେ ପାରିଷଦଗଣ । ବିଞ୍ଚନ୍ତି ଘେନିର ବ୍ୟଜନ ॥ ୧୫
ଶଚୀ ସଙ୍ଗତେ ଦେବରାୟେ । ରତ୍ନଆସନରେ ବିଜୟେ ॥ ୧୬
ଏମନ୍ତ ସମୟେ ରାଜନ । କହିବା ଶୁଣ ଏକମନ ॥ ୧୭
ପରମଗୁରୁ ଦେବଙ୍କର । ପ୍ରବେଶ ହେଲେ ସେ ସଭାର ॥ ୧୮
ପୂଜିତ ମୁନିମାନଙ୍କର । ବନ୍ଦିତ ସୁରାସୁରଙ୍କର ॥ ୧୯
ତାହାଙ୍କ ପ୍ରତି ଆନ କରି । ଅଭିବାଦନକୁ ନ କରି ॥ ୨୦
ଏମନ୍ତେ ମୁନିଙ୍କି ଦେଖିଲେ । ଇନ୍ଦ୍ର ଆସନୁ ନ ଉଠିଲେ ॥ ୨୧
ସେଠାରୁ ଶୀଘ୍ରେ ଆଙ୍ଗିରସ । ମଉନେ ମନ୍ଦିରେ ପ୍ରବେଶ ॥ ୨୨
ଶ୍ରୀମଦେ ଇନ୍ଦ୍ରର ବିକ୍ରିୟା । ମନେ ଜାଣିଲେ ମୁନି ଏହା ॥ ୨୩
ତାହାଙ୍କ ବିନୁ କେ ପଣ୍ଡିତ । ସ୍ୱର୍ଗ-ରକ୍ଷଣେ ସମରଥ ॥ ୨୪
ତକ୍ଷଣେ ଇନ୍ଦ୍ରଜାଣି କରି । ଗୁରୁ-ଅପରାଧ ବିଚାରି ॥ ୨୫
ଆତ୍ମାକୁ ଇନ୍ଦ୍ର ନିନ୍ଦା କଲେ । ଅନେକ ସନ୍ତାପ ପାଇଲେ ॥ ୨୬
ବଡ଼ ଅସାଧୁପଣ କଲି । ମୁଁ ଅଳ୍ପବୁଦ୍ଧିକି ପାଇଲି ॥ ୨୭
ଗୁରୁ-ଆଚାର୍ଯ୍ୟଙ୍କୁ ସଭାରେ । ନିନ୍ଦିଲି ଐଶ୍ୱର୍ଯ୍ୟ-ମଦରେ ॥ ୨୮
ମୁଁ ଦେବମାନଙ୍କ ଈଶ୍ୱର । କଲି ଅସୁରଙ୍କ ବେଭାର ॥ ୨୯
ଯେ ମହାରାଜ-ଚିହ୍ନ ବହି । ମନରେ ମତ୍ତଗର୍ବ ବହି ॥ ୩୦
ଧର୍ମଧରତା ଯେଉଁମାନେ । ସାଧୁ ପଣ୍ଡିତ ଯେତେ ଜନେ ॥ ୩୧
ତାହାଙ୍କୁ ଦେଖି ନ ଉଠନ୍ତି । ସେମାନେ ଧର୍ମ ନ ଜାଣନ୍ତି ॥ ୩୨
କୁପଥ ଦେଖାନ୍ତି ଯେ ଜନ । ନରକେ ପଡ଼ନ୍ତି ବହନ ॥ ୩୩
ତାହାଙ୍କ ବୋଲ ଯେ କରନ୍ତି । ପାଷାଣଭେଳା ଆବୋରନ୍ତି ॥ ୩୪
ସ୍ୱଭାବେ ଗରୁ ଯେ ପାଷାଣ । ତାହାର ଆଶ୍ରୟେ ମରଣ ॥ ୩୫
ଏବେ ଅମରଗଣଙ୍କର । ଆଚାର୍ଯ୍ୟ ଅଗାଧବୁଦ୍ଧିର ॥ ୩୬
ମୁଁ ମୂଢ ସେହି ବ୍ରାହ୍ମଣର । ପୟରେ ମଣ୍ଡିବି ମୋ ଶିର ॥ ୩୭
ତାଙ୍କୁ କରାଇଲେ ପ୍ରସନ୍ନ । ଦୁଃଖ ମୋ ହୋଇବ ଦହନ ॥ ୩୮
ଏମନ୍ତ ଚିନ୍ତା ମନେ କରି । ଗୁରୁ-ଭୁବନେ ଆଗୁ ସରି ॥ ୩୯
ଗୁରୁ ତା ଆଗମନ ଦେଖି । ଗୃହକୁ ଗଲେ ସେ ଉପେକ୍ଷି ॥ ୪୦
ଗୁରୁଦରଶନ ନ ପାଇ । ଭୟ-ଶୋକରେ ଯୁକ୍ତ ହୋଇ ॥ ୪୧
ଆତ୍ମାର ଅକୁଶଳ ଜାଣି । ଚିନ୍ତିତ ହେଲେ ବଜ୍ରପାଣି ॥ ୪୨
ଅସୁରମାନେ ତାହା ଜାଣି । ଶୁକ୍ର-ମନ୍ତ୍ରଣା ପରିମାଣି ॥ ୪୩
ଦେବଙ୍କ ନାଶ ବିଚାରନ୍ତି । ସ୍ୱଭାବେ ଦୁର୍ମଦ ହୁଅନ୍ତି ॥ ୪୪
ତାହାଙ୍କ ବାଣେ ମଘବାନ । ଦେବଙ୍କ ଦେହ ହେଲା କ୍ଷୀଣ ॥ ୪୫
ବ୍ରହ୍ମା-ଛାମୁକୁ ଦେବେ ଗଲେ । ଏ ସର୍ବକଥା ନିବେଦିଲେ ॥ ୪୬
ଛନ୍ନଚିତ୍ତରେ ଦେବଗଣ । ନମିଲେ ବ୍ରହ୍ମାଙ୍କ ଚରଣ ॥ ୪୭
ଦୁଃଖିତ ଦେଖି ଦେବଗଣ । ସ୍ୱୟମ୍ଭୁ ଅଜ ଭଗବାନ ॥ ୪୮
ପରମକୃପାଯୁକ୍ତ ହୋଇ । କିଛି ବୋଇଲେ ସ୍ନେହବହି ॥ ୪୯

ବ୍ରହ୍ମା ଉବାଚ[ସମ୍ପାଦନା]

ହେ ଦେବ ଶୁଣ କହୁଁ ଆମ୍ଭେ । ଅତ୍ୟନ୍ତ-ମନ୍ଦ କଲ ତୁମ୍ଭେ ॥ ୫୦
ଯେ ବ୍ରହ୍ମବାଦୀ ସୁବ୍ରାହ୍ମଣ । ତାହାଙ୍କୁ କଲ ଅବମାନ ॥ ୫୧
ତୁମ୍ଭଙ୍କୁ ସେ ପାପ-କାରଣେ । ଜିଣିଲେ ତେଣୁ ଶତ୍ରୁଗଣେ ॥ ୫୨
ତୁମ୍ଭଙ୍କୁ ନ ଜିଣନ୍ତି ବାଦେ । ଏବେ ଜିଣିଲେ ଅପ୍ରମାଦେ ॥ ୫୩
ହେ ଇନ୍ଦ୍ର ଶୁଣ ସାବଧାନେ । ଗୁରୁଙ୍କୁ ଲଙ୍ଘିଲ ଅଜ୍ଞାନେ ॥ ୫୪
ଶୁକ୍ରଙ୍କୁ ଆରାଧି ଅସୁର । ସୁଖେ ଲଭିଲେ ତୁମ୍ଭ ପୁର ॥ ୫୫
ଗୋ ବିପ୍ର ଗୋବିନ୍ଦ ଯାହାର । ଠାକୁର ବିଘ୍ନ କାହିଁ ତାର ॥ ୫୬
ଅଶେଷପ୍ରାଣୀଙ୍କ ଈଶ୍ୱର । ଶୁଭ କରିବେ ଚକ୍ରଧର ॥ ୫୭
ବିଶ୍ୱରୂପକୁ ବେଗେ ଭଜ । ତୁମ୍ଭର କରିବେ ଯେ କାର୍ଯ୍ୟ ॥ ୫୮
ସେ ବିପ୍ର ପ୍ରସନ୍ନ ହୋଇଲେ । ତୁମ୍ଭର ଦୁଃଖ ଯିବ ଭଲେ ॥ ୫୯
ଶୁକ କହିଲେ ଶୁଣ ରାୟେ । ବ୍ରହ୍ମା ଯେ କହିଲେ ଉପାୟେ ॥ ୬୦
ଶୁଣି ଦେବତାଏ ହରଷ । ବ୍ରହ୍ମା ଏହି ଉପଦେଶ ॥ ୬୧
ଋଷିଙ୍କ ଠାବକୁ ସେ ଗଲେ । ହରଷେ ଆଲିଙ୍ଗନ କଲେ ॥ ୬୨
ଏ ଅନନ୍ତରେ ହୃଷ୍ଟ ହୋଇ । ଦେବେ କହିଲେ କଥା ଏହି ॥ ୬୩

ଦେବଗଣଉବାଚ[ସମ୍ପାଦନା]

ଆମ୍ଭେ ଅତିଥି ହେଲୁ ଯହୁଁ । ତୁମ୍ଭ ଆଶ୍ରମେ ଶୁଭ ହେଉ ॥ ୬୪
ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣ । କର ଏ ଯଥୋଚିତ ଧର୍ମ ॥ ୬୫
ଉତ୍ତମପୁତ୍ରଙ୍କର ଧର୍ମ । ଯେ ପିତୃଗଣ ଶୁଶ୍ରୂଷଣ ॥ ୬୬
ଗୃହସ୍ଥଜନଙ୍କ ଏ ଧର୍ମ । ଅଧିକେ ବ୍ରହ୍ମଚାରୀ କର୍ମ ॥ ୬୭
ଆଚାର୍ଯ୍ୟ ବ୍ରହ୍ମାର ମୂରତି । ପିତା ପ୍ରତ୍ୟକ୍ଷେ ପ୍ରଜାପତି ॥ ୬୮
ଭ୍ରାତା ଯେ ମୂରତି ଇନ୍ଦ୍ରର । ମାତା ସାକ୍ଷାତ ପୃଥିବୀର ॥ ୬୯
ଭଗିନୀ ଦୟାର ମୂରତି । ଧର୍ମର ମୂରତି ଅତିଥି ॥ ୭୦
ଅଗ୍ନି-ମୂରତି ଅଭ୍ୟାଗତ । ଆତ୍ମାର ମୂର୍ତ୍ତି ସର୍ବଭୂତ ॥ ୭୧
ଶତ୍ରୁ ସକାଶୁ ପରାଭବ । ଯେଣେ ପିତାଙ୍କ ଆର୍ତ୍ତିଭାବ ॥ ୭୨
ଏହି କାରଣୁ ମୁନିବର । ତପସ୍ୟା ସାଧି ଦୂର କର ॥ ୭୩
ଗୁରୁ ଉପାଧ୍ୟାୟ ବ୍ରାହ୍ମଣ । ବ୍ରହ୍ମିଷ୍ଠ ଯେତେ ତୁମ୍ଭ ଗୁଣ ॥ ୭୪
ତୁମ୍ଭଙ୍କୁ କଲୁ ପୁରୋହିତ । ଶତ୍ରୁଙ୍କୁ ଜିଣିବୁ ତୁରିତ ॥ ୭୫
କାର୍ଯ୍ୟର ପ୍ରୟୋଜନ ପାଇଁ । କନିଷ୍ଠ-ପୂଜା ନିନ୍ଦା ନୋହି ॥ ୭୬
ବେଦରେ ଯାର ଜ୍ଞାନ ନାହିଁ । ଜ୍ୟେଷ୍ଠରେ ଯୋଗ୍ୟ ସେହୁ ନୋହି ॥ ୭୭
ବୟସେ ହେଲେ ହେଁ କନିଷ୍ଠ । ଜ୍ଞାନରେ ଅଟ ତୁମ୍ଭେ ଜ୍ୟେଷ୍ଠ ॥ ୭୮

ଶୁକ ଉବାଚ[ସମ୍ପାଦନା]

ତାହାଙ୍କୁ ପୁରୋହିତ ପଣେ । ବରଣ କଲେ ଦେବଗଣେ ॥ ୭୯
ମୁନି ବିଶ୍ୱରୂପ ହସିଲେ । ଦେବତାମାନଙ୍କୁ ବୋଇଲେ ॥ ୮୦

ବିଶ୍ୱରୂପ ଉବାଚ[ସମ୍ପାଦନା]

ଭୋ ଦେବଗଣେ କହୁଁ ଶୁଣ । ତୁମ୍ଭେ ଯେ ଅଖିଳକାରଣ ॥ ୮୧
ନିନ୍ଦିତ-କାର୍ଯ୍ୟ ପୌରୋହିତ୍ୟେ । କିମ୍ପା ଆରାଧ ତୁମ୍ଭେ ମୋତେ ॥ ୮୨
ହେ ଅଧୀଶ୍ୱର ତୁମ୍ଭେ ଶୁଣ । ଅର୍ଥେ ମୋ ନାହିଁ ପ୍ରୟୋଜନ ॥ ୮୩
କ୍ଷେତ୍ରରୁ ଧାନ୍ୟାଦି ଗ୍ରହଣ । କରି ବଞ୍ଚଇ ମୁହିଁ ଦିନ ॥ ୮୪
କିମ୍ପାଇ ତୁଚ୍ଛବୁଦ୍ଧି କରି । ପୁରୋହିଁତପଣ ଆଚରି ॥ ୮୫
ଅଜ୍ଞାନୀଲୋକ ଏହି କର୍ମ । ପାଇ ହୁଅନ୍ତି ମହାପ୍ରେମ ॥ ୮୬
ତଥାପି ତୁମ୍ଭର କଥାରେ । ଏହା କେ ଅସ୍ୱୀକାର କରେ ॥ ୮୭
କିନ୍ତୁ ତୁମ୍ଭେ ଯେ ମୋର ଗୁରୁ । ଆମ୍ଭେ ଯେ ଅବଜ୍ଞା ନ କରୁ ॥ ୮୮
ତୁମ୍ଭର ଯେତେ କଥାମାନ । ସାଧିବୁ ଶୁଣ ଦେବଗଣ ॥ ୮୯

ଶୁକ ଉବାଚ[ସମ୍ପାଦନା]

ଏ ଅନନ୍ତରେ ବିଶ୍ୱରୂପ । ବରଣ ହୋଇ ଶୁଣ ନୃପ ॥ ୯୦
ଶ୍ରୀକୃଷ୍ଣ ବୋଲିଣ ସୁମରି । ପରମ ସମାଧିରେ କରି ॥ ୯୧
ଶୁକ୍ରର ବିଦ୍ୟାବଳୁ କରି । ଅସୁରଙ୍କର ଯଶ ଶିରୀ ॥ ୯୨
ନିଶ୍ଚୟେ କରିଥିଲେ ନାଶ । ଶୁଣ ରାଜନ ଇତିହାସ ॥ ୯୩
ବୈଷ୍ଣବୀବିଦ୍ୟା ବୋଲି ଯାହା । ଇନ୍ଦ୍ରର ଅର୍ଥେ ଆଣି ତାହା ॥ ୯୪
ଇନ୍ଦ୍ରଙ୍କୁ ଆଣି ତାହା ଦେଲେ । ଯାହାକୁ ଅସୁରେ ଶଙ୍କିଲେ ॥ ୯୫
ସେ ବିଦ୍ୟାପ୍ରଭାବରୁ ଇନ୍ଦ୍ର । ଜିଣିଲା ଯେ ଦାନବବୃନ୍ଦ ॥ ୯୬
ମହତ ବିଶ୍ୱରୂପ ଧୀର । ଦେଲେ ଇନ୍ଦ୍ରଙ୍କୁ ବିଦ୍ୟାସାର ॥ ୯୭
ଇନ୍ଦ୍ରର ଗୁରୁଦ୍ରୋହ-ଦୋଷ । କହିଲେ ଜଗନ୍ନାଥ ଦାସ ॥ ୯୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ସପ୍ତମୋଽଧ୍ୟାୟଃ ॥

•••

ଅଷ୍ଟମ ଅଧ୍ୟାୟ[ସମ୍ପାଦନା]

ପରୀକ୍ଷିତ ଉବାଚ[ସମ୍ପାଦନା]

ଶୁଣ ହେ ମୁନି ତପୋଧନ । ତୁମ୍ଭେ ଯେ କହିଲ ବିଧାନ ॥ ୧
କବଚ ନାରାୟଣ ରୂପ । ଇନ୍ଦ୍ରଙ୍କୁ ଦେଲେ ବିଶ୍ୱରୂପ ॥ ୨
ଯେଣେ ଇନ୍ଦ୍ର ରକ୍ଷିତ ହୋଇ । ସ୍ୱର୍ଗରେ ଭୋଗ ସେ ଭୁଞ୍ଜଇ ॥ ୩
ଗଜ ତୁରଙ୍ଗ ରିପୁବଳେ । ଲୀଳାମାତ୍ରକେ ଜିଣି ହେଳେ ॥ ୪
ତ୍ରୈଲୋକ୍ୟ ଅଶେଷ ସମ୍ପଦେ । ଭୁଞ୍ଜୁ ଅଛନ୍ତି ଅପ୍ରମାଦେ ॥ ୫
ଭୋ ସ୍ୱାମୀ ମୋତେ ଯେବେ ଦୟା । ବିସ୍ତାରି କହିବାକ ଏହା ॥ ୬
କେମନ୍ତ ବର୍ମ ନାରାୟଣ । ଇନ୍ଦ୍ରର ରକ୍ଷାର କାରଣ ॥ ୭
ଯେ ବର୍ମବଳେ ଶତ୍ରୁଜିଣି । ସ୍ୱର୍ଗେ ନିର୍ଭୟ ବଜ୍ରପାଣି ॥ ୮
ରାଜା ବିନୟ ଦେଖି ମୁନି । କହନ୍ତି ତାର ଭାବ ଘେନି ॥ ୯

ଶୁକ ଉବାଚ[ସମ୍ପାଦନା]

ଇନ୍ଦ୍ର ନିମନ୍ତେ ହୋଇ ବୃତ । ପ୍ରସନ୍ନ ହୋଇ ପୁରୋହିତ ॥ ୧୦
ଯେ ବର୍ମ ନାମ ନାରାୟଣ । କହିଲେ ଏକମନେ ଶୁଣ ॥ ୧୧

ବିଶ୍ୱରୂପ ଉବାଚ[ସମ୍ପାଦନା]

କର ଚରଣ ଜଳେ ଧୋଇ । ଗଣ୍ଡୂଷ ଉଦଙ୍ମୁଖ ହୋଇ ॥ ୧୨
ମନ୍ତ୍ରରେ କରି ଅଙ୍ଗନ୍ୟାସ । ମଉନ ଶୁଚି ହୋଇ ତୋଷ ॥ ୧୩
ଯେବଣ ବର୍ମେ ନାରାୟଣ । ତୋଷ ହୋଇବେ ତତକ୍ଷଣ ॥ ୧୪
ନିକଟ ଭୟ ଯେତେବେଳେ । ଜାନୁ ଚରଣ ବକ୍ଷସ୍ଥଳେ ॥ ୧୫
ଉଦର ହୃଦୟ ମୁଖରେ । ଓଁକାର ଆଦି ଦେଇ ଶିରେ ॥ ୧୬
ଓଁକାର ଆଦି ନାରାୟଣ । ଉଚ୍ଚାର କରିବ ତକ୍ଷଣ ॥ ୧୭
କରେ କରିବ କରନ୍ୟାସ । ଯେ ବିଦ୍ୟା ଅକ୍ଷରଦ୍ୱାଦଶ ॥ ୧୮
ପ୍ରଣବ ଆଦି କରି ଯେତେ । କରିବ '‘ୟ'’ କାର ପର୍ଯ୍ୟନ୍ତେ ॥ ୧୯
ଅଙ୍ଗୁଳି ଅଙ୍ଗୁଷ୍ଟି ପର୍ବରେ । ଯଥାକ୍ରମେ ଦେଇ ଅକ୍ଷରେ ॥ ୨୦
ହୃଦରେ ଦେଇଣ ଓଁକାର । ମସ୍ତକେ ଦେବ ସେ '‘ବି'’ କାର ॥ ୨୧
‘'ଷ'’ କାର ଭୁରୁଯୁଗେ ଦେଇ । '‘ଣ'’ କାର ଶିଖାରେ ବସାଇ ॥ ୨୨
‘'ବେ’' କାର ନୟନ ମଧ୍ୟରେ । ‘'ନ'’ କାର ସକଳ ସନ୍ଧିରେ ॥ ୨୩
‘'ମ'’ କାର କରିବ ସ୍ମରଣ । ମନ୍ତ୍ର-ସ୍ୱରୂପେ ହୋଇ ଜନ୍ମ ॥ ୨୪
ବିଷ୍ଣବେ ନମଃ ଉଚ୍ଚାରିବ । ଓଁକାର ତହିଁ ଆଦ୍ୟେ ଦେବ ॥ ୨୫
ପରମ-ଆତ୍ମା ଏହି ମନ୍ତ୍ରେ । ଧ୍ୟାନ କରିବ ଅବିରତେ ॥ ୨୬
ଷଟ ଶକତି ରୂପ ଯୁତ । ଅନାଦି ଦିବ୍ୟ ଶୁଦ୍ଧସତ୍ତ୍ୱ ॥ ୨୭
ଯେ ହରି ଗରୁଡ଼ପୃଷ୍ଠରେ । ପାଦପଦ୍ମ ଦେଇଛି ଶିରେ ॥ ୨୮
ଯେ ଅଷ୍ଟବାହୁରେଣ କରି । ଚର୍ମ ଆସି ଗଦାକୁ ଧରି ॥ ୨୯
ଶଙ୍ଖ ପାଶ ଇଷୁ ଚାପରେ । ରଖନ୍ତୁ ମୋତେ ଚକ୍ରଧରେ ॥ ୩୦
ଯେ ଜଳେ ମର୍ତ୍ସ୍ୟରୂପ ହୋଇ । ସେ ପ୍ରଭୁ ରକ୍ଷାକରୁ ଦେହୀ ॥ ୩୧
ଜଳଜନ୍ତୁଙ୍କ ସକାଶରୁ । ରଖିବେ ବରୁଣ-ପାଶରୁ ॥ ୩୨
ମାୟାବାମନ ରୂପ ଛଳେ । ସେ ରକ୍ଷାକରୁ ଅବହେଳେ ॥ ୩୩
ତ୍ରିବିକ୍ରମ ରଖୁ ଭୂମିରେ । ବିଶ୍ୱରୂପ ଯେ ଆକାଶରେ ॥ ୩୪
ବନ ସଂଗ୍ରାମ ସଙ୍କଟରୁ । ଦୁର୍ଗମୁ ସେ ମୋତେ ସେ ଉଦ୍ଧରୁ ॥ ୩୫
ଅସୁରଯୂଥର ଅଇରି । ନୃସିଂହ ମୋତେ ସେ ଉଦ୍ଧରି ॥ ୩୬
ଯାହାର ଅଟ୍ଟ…ହାସ ଶୁଣି । କମ୍ପନ୍ତି ଏ ଦିଗ ଧରଣୀ ॥ ୩୭
ଦୈତ୍ୟପତ୍ନୀଙ୍କ ଗର୍ଭମାନେ । ପଡ଼ନ୍ତି ଯେ ହାସ-ନିଃସ୍ୱନେ ॥ ୩୮
ସେ ପ୍ରଭୁ ଯୁଦ୍ଧଆଦି ସ୍ଥଳେ । ମୋତେ ରଖନ୍ତୁ ଅବହେଳେ ॥ ୩୯
ପଥେ ରଖନ୍ତୁ ଯଜ୍ଞକଳ୍ପ । ଅଖିଳାଧାର ବିଶ୍ୱରୂପ ॥ ୪୦
ଦଶନେ ଅବନୀ ଯେ ଧରି । ମୋତେ ସେ ବରାହ ଉଦ୍ଧରି ॥ ୪୧
ଅଦ୍ରିକୂଟରେ ପର୍ଶୁରାମ । ପ୍ରବାସେ ରାମ ଯେ ଲକ୍ଷ୍ମଣ ॥ ୪୨
ଭରତ-ଅଗ୍ରଜଟି ଯେହୁ । ସେ ମୋ ରକ୍ଷକ ସଦା ହେଉ ॥ ୪୩
ଅଖିଳ-ଚିନ୍ତା-ପ୍ରମାଦରୁ । ସେ ନାରାୟଣ ରକ୍ଷାକରୁ ॥ ୪୪
ନରକ-ଶରୀରରୁ ମୋତେ । ରକ୍ଷା କରିବେ ଜଗନ୍ନାଥେ ॥ ୪୫
ଆବର ନରରୂପୀ ହରି । ରଖନ୍ତୁ ଗର୍ବରୁ ଉଦ୍ଧରି ॥ ୪୬
ବିପତ୍ତିମାନ ହୋଇ ଯେତେ । ରଖିବେ ଜଗନ୍ନାଥ ମୋତେ ॥ ୪୭
ଯୋଗଭ୍ରଷ୍ଟରୁ ଦତ୍ତାତ୍ରେୟ । ରଖନ୍ତୁ ହୋଇ ସେ ସଦୟ ॥ ୪୮
କିପଳରୂପୀ ଦେବହରି । ରଖନ୍ତୁ କର୍ମବନ୍ଧ ହରି ॥ ୪୯
ଅନଙ୍ଗପୀଡ଼ାରୁ ଜଗତେ । ସନତ୍କୁମାର ରଖୁ ମୋତେ ॥ ୫୦
ଦେବହେଳନାଦି ଦୋଷରୁ । ହୟଗ୍ରୀବ-ମୂର୍ତ୍ତି ଉଦ୍ଧରୁ ॥ ୫୧
ଦେବତାଆରାଧନବିଘ୍ନୁ । ନାରଦ ରଖନ୍ତୁ ମୋ ତନୁ ॥ ୫୨
କମଠରୂପୀ ଚକ୍ରଧର । ଅଶେଷପାପୁ ତ୍ରାହିକର ॥ ୫୩
ଅପଥ୍ୟଭୋଜନରୁ ମୋର । ଯେ ବ୍ୟାଧିଜନ୍ମେ ଅତିଘୋର ॥ ୫୪
ତାହା ନାଶିବେ ଧନ୍ୱନ୍ତରି । ଯେ ଦ୍ୱନ୍ଦ୍ୱଭୟଟି ମୋହରି ॥ ୫୫
ତହୁଁ ରଖିବେ ନାଭିସୁତ । ଋଷଭ ନାମେ ଯେ ବିଦିତ ॥ ୫୬
ଦୁର୍ବାଦ-ଜନସମୂହରୁ । ଯଜ୍ଞ ମୂରତି ରକ୍ଷା କରୁ ॥ ୫୭
ବଳବନ୍ତଙ୍କ ତହୁଁ ମୋତେ । ରଖନ୍ତୁ ବଳଦେବ ନିତ୍ୟେ ॥ ୫୮
ସର୍ପଙ୍କ ପ୍ରତାପରୁ ମୋତେ । ଶେଷରୂପୀ ରଖୁଯୁଗତେ ॥ ୫୯
ମୋହର ମନ ବୁଦ୍ଧି ବେନି । ରଖନ୍ତୁ ବ୍ୟାସ ମହାମୁନି ॥ ୬୦
ପାଷନିକର-ପ୍ରମାଦ । ତହୁଁ ରଖିବେ ଦେବବୁଦ୍ଧ ॥ ୬୧
ଧର୍ମପାଳନେ ଅବତାର । ଯେ ପ୍ରଭୁ କଳ୍କିରୂପଧର ॥ ୬୨
କଳିର ପାପ ନାଶ କରି । ରଖନ୍ତୁ କଳ୍କିରୂପଧାରୀ ॥ ୬୩
ହେ ଦେବ ଇନ୍ଦ୍ର ଏ ବିଧିରେ । ଧ୍ୟାୟିବ ଦିବା-ରଜନୀରେ ॥ ୬୪
ପ୍ରାତଃକାଳରେ କୃପା କରି । ମୋର ସକଳରିଷ୍ଟ ହରି ॥ ୬୫
କେଶବ ଗଦା ଧରି କରେ । ମୋତେ ରଖନ୍ତୁ ପ୍ରଭାତରେ ॥ ୬୬
ଗୋବିନ୍ଦ ବେଣୁ ଧରି କରେ । ରଖନ୍ତୁ ଦିବସଆଦ୍ୟରେ ॥ ୬୭
ପୂର୍ବାହ୍ନେ ଶକ୍ତି ଧରି ହସ୍ତେ । ରଖନ୍ତୁ ନାରାୟଣ ମୋତେ ॥ ୬୮
ରଖନ୍ତୁ ବିଷ୍ଣୁ ଚକ୍ରଧର । ଦିବସ-ମଧ୍ୟମଭାଗର ॥ ୬୯
ଅପରାହ୍ନରେ ମଧୁହାରୀ । ରଖନ୍ତୁ ଧନୁ କରେ ଧରି ॥ ୭୦
ରଖନ୍ତୁ ସାୟଂକାଳେ ମୋତେ । ତ୍ରିଧାମା-ମାଧବ ତୁରିତେ ॥ ୭୧
ପ୍ରଦୋଷେ ରଖୁ ହୃଷୀକେଶ । ଅଶେଷ ବ୍ରହ୍ମାର ଈଶ ॥ ୭୨
ଅର୍ଦ୍ଧରଜନୀ ବା ନିଶୀଥେ । ରଖନ୍ତୁ ପଦ୍ମନାଭ ମୋତେ ॥ ୭୩
ଶ୍ରୀବ›ଧାମା ପରରାତ୍ରେ । ଖଡ୍ଗଆୟୁଧ ଧରି ହସ୍ତେ ॥ ୭୪
ଅନୁସନ୍ଧ୍ୟାରେ ଦାମୋଦର । ରାତ୍ରିର ପ୍ରଭାତେ ବିଶ୍ୱେଶ୍ୱର ॥ ୭୫
କାଳମୂରତି-ଭଗବାନ । ରଖନ୍ତୁ ମୋହର ଜୀବନ ॥ ୭୬
ଯେ ଚକ୍ର ତେଜ ଏ ସଂସାରେ । ପ୍ରଳୟାନଳ ତୁଚ୍ଛ କରେ ॥ ୭୭
କୃଷ୍ଣରେ ପ୍ରଯୋଜିତ ହୋଇ । ନିର୍ଭୟେ ଜଗତେ ଭ୍ରମଇ ॥ ୭୮
ତା ପାଦପଦ୍ମେ ମୋର ଶିର । ନିତ୍ୟେ କରଇ ନମସ୍କାର ॥ ୭୯
ସେ ଚକ୍ର ମୋର ଅରି-ସୈନ୍ୟ । ଦହନ କରିବ ବହନ ॥ ୮୦
ପବନ ସହ ହୁତାଶନ । ଦହଇ ଯେହ୍ନେ ଶୁଷ୍କତୃଣ ॥ ୮୧
ଗଦା ଅଶନି ପ୍ରାୟ ହୋଇ । ମୋର ବିପକ୍ଷ ଦେହେ ଯାଇ ॥ ୮୨
ସ୍ଫୁଲିଙ୍ଗେ ଚୂର୍ଣ୍ଣକର ହିଆ । ତୁମ୍ଭେ ଅଖିଳନାଥ-ପ୍ରିୟା ॥ ୮୩
ମୁହିଁ ଅଟଇ ତାର ଦାସ । ମୋ ଶତ୍ରୁପକ୍ଷ କର ନାଶ ॥ ୮୪
କୁଷ୍ମା ବିନାୟକ ଯକ୍ଷ । ଗୁହ୍ୟକ ଭୂତଗଣ ରକ୍ଷ ॥ ୮୫
ପିଶାଚ ପ୍ରେତ ମାତୃଗଣ । ଶୀଘ୍ରେ କର ତୁ ପ୍ରମଥନ ॥ ୮୬
ହେ ପାଞ୍ଚଜନ୍ୟ ଶଙ୍ଖସାର । କୃଷ୍ଣେ ପୂରିତ ହୋଇ ମୋର ॥ ୮୭
ଶତ୍ରୁର ହୃଦୟ କମ୍ପାଅ । ନିଃସ୍ୱନେ ମହାଭୟ ଦିଅ ॥ ୮୮
ତୁ ହେ ଖଡଗ ତୀକ୍ଷ୍ଣ ଧାର । ଅଶେଷ ରିପୁ ନାଶ କର ॥ ୮୯
କୃଷ୍ଣରେ ହୋଇ ପ୍ରଯୋଜିତ । ସକଳ ରିପୁ କର ଗ୍ରସ୍ତ ॥ ୯୦
ହେ ଶତଚନ୍ଦ୍ର ଧର୍ମ ଶୁଣ । ଯେତେ ଅଛନ୍ତି ରିପୁଗଣ ॥ ୯୧
ତାହାଙ୍କ ଲୋଚନ ଆଚ୍ଛାଦ । ଯେଣେ ହୋଇବ ଦୃଷ୍ଟିଭେଦ ॥ ୯୨
ଯହୁଁ ମୋ ଭୟଜାତ ହୋଇ । ଗ୍ରହ ମନୁଷ୍ୟ କେତୁ ଯେହି ॥ ୯୩
ଯେ ସରୀସୃପ ଭୂତ ଆଦି । ହିଂସକ ପାପ ମନ୍ଦବାଦୀ ॥ ୯୪
ଶ୍ରୀକୃଷ୍ଣ-ରୂପ-ଅସ୍ତ୍ର ନାମ । ଯେଣୁ ମୁଁ କଲି ସଂକୀର୍ତ୍ତନ ॥ ୯୫
ତାର ପ୍ରସାଦୁ ଯାଉ କ୍ଷୟ । ଏ ଯେତେ ସର୍ବଦୁଷ୍ଟଭୟ ॥ ୯୬
ଯେ ମୋର ଶ୍ରେୟ ଆଚରଣେ । ହିଂସା କରନ୍ତି ଦୁଷ୍ଟଗଣେ ॥ ୯୭
ଗରୁଡ ଭଗବାନ ମୋତେ । ରକ୍ଷା କରିବେ ଅବିରତେ ॥ ୯୮
ରଖିବେ ବିଶ୍ୱକ୍ସେନ-ହରି । ଅଶେଷ କଷ୍ଟୁ ମୋତେ ତାରି ॥ ୯୯
ବିଷ୍ଣୁର ନାମ ରୂପ ଯାନ । ଆବର ଆୟୁଧ ବାହନ ॥ ୧୦୦
ଏମାନେ ହୋଇ ପରସନ୍ନ । ଆପଦୁ କରିବେ ମୋଚନ ॥ ୧୦୧
ପ୍ରଭୁ ନିକଟେ ଯେତେ ଗଣ । ଅପରେ ବାହନ ଭୂଷଣ ॥ ୧୦୨
ବୁଦ୍ଧି ଇନ୍ଦ୍ରିୟ ମୋର ମନ । ସର୍ବେ ରଖନ୍ତୁ ମୋର ପ୍ରାଣ ॥ ୧୦୩
ଯେମନ୍ତେ ପ୍ରଭୁ ଭଗବାନ । ସତ-ଅସତର କାରଣ ॥ ୧୦୪
ଏହି କବଚୁ ମୋର ସର୍ବ । ନଷ୍ଟ ହୁଅନ୍ତୁ ଉପଦ୍ରବ ॥ ୧୦୫
ଆତ୍ମା ଅଶେଷ-ପ୍ରାଣୀଙ୍କର । ସକଳ-କାର୍ଯ୍ୟରୁ ବାହାର ॥ ୧୦୬
ଭୂଷଣ ଆୟୁଧ ସ୍ୱନାମ । ଧରନ୍ତି ସ୍ୱମାୟାରେ ଭିନ୍ନ ॥ ୧୦୭
ଏମନ୍ତ ପରମଈଶ୍ୱର । ରକ୍ଷାକରନ୍ତୁ ମୋ ଶରୀର ॥ ୧୦୮
ସର୍ବଜ୍ଞ ଭଗବାନ ହରି । ସର୍ବ-ସ୍ୱରୂପେ ରୂପ ଧରି ॥ ୧୦୯
ସଦା ସର୍ବତ୍ର ସର୍ବଠାରୁ । ସତ୍ୟ-ପ୍ରମାଣେ ରକ୍ଷାକରୁ ॥ ୧୧୦
ଦିଗ ବିଦିଗ ଅଧ ଉର୍ଦ୍ଧ୍ବ । ରଖନ୍ତୁ ନରସିଂହ ଦେବ ॥ ୧୧୧
ସ୍ୱନରେ ଲୋକଭୟ ଧ୍ୱଂସେ । ସ୍ୱତେଜେ ସର୍ବତେଜ ନାଶେ ॥ ୧୧୨
ଭୋ ଇନ୍ଦ୍ର ଶୁଣ ମୋ ବଚନ । କହିଲି ବର୍ମ-ନାରାୟଣ ॥ ୧୧୩
ତୁମ୍ଭେ ଏ ବର୍ମକୁ ଧାରଣ । ଶରୀରେ କର ଦେବଗଣ ॥ ୧୧୪
ଅସୁରଯୂଥପଙ୍କୁ ଯୁଦ୍ଧେ । ଜୟ କରିବ ଅପ୍ରମାଦେ ॥ ୧୧୫
ହତ ହୋଇବେ ଯାତୁଧାନେ । ସ୍ୱର୍ଗ ଲଭିବେ ଦେବଗଣେ ॥ ୧୧୬
ତେଜ ଗୁଣ ଯେତେ ଆୟୁଧ । ପୁଣି ହିଁ ଲଭିବ ସମ୍ପଦ ॥ ୧୧୭
ମୋର ଭକତ ଲୋକଙ୍କର । ହିଂସା ନୋହିବ ପୁନର୍ବାର ॥ ୧୧୮
ପୁଣି କହନ୍ତି ବିଶ୍ୱରୂପ । କହିବା ଶୁଣ ସାଧୁ ନୃପ ॥ ୧୧୯
ଏ ବିଦ୍ୟା ଯାରତହିଁ ଥାଇ । ଯେ ଯାକୁ ଦୃଷ୍ଟିରେ ଦେଖଇ ॥ ୧୨୦
ପାଦେ ବା ସ୍ପରଶ କରଇ । ତା ଗାତ୍ରେ ଭୟ ନ ରହଇ ॥ ୧୨୧
ଏ ବିଦ୍ୟା ଯେହୁ ଧରିଥାଇ । ଭୀତି ତାହାର କାହିଁ ନାହିଁ ॥ ୧୨୨
ରାଜା ତସ୍କର ଗ୍ରହ ଆଦି । ଯେ ଦୁଷ୍ଟଗଣ ନାନାବ୍ୟାଧି ॥ ୧୨୩
ଏ ବିଦ୍ୟା ପୂର୍ବେ ଦ୍ୱିଜ ଏକ । ଧରିଣ ଥିଲା କଉଶିକ ॥ ୧୨୪
ମରୁଭୂମିରେ ବସି ସେହି । ଯୋଗ ଧାରଣେ ନିଜ ଦେହୀ ॥ ୧୨୫
ତେଜିଲା ତହିଁ ଦ୍ୱିଜବର । ଶୁଣ କହିବା ସୁନାସୀର ॥ ୧୨୬
ଗନ୍ଧର୍ବପତି ଏକଦିନେ । ତାହାର ଉପରେ ବିମାନେ ॥ ୧୨୭
ଯାଉଣ ଥିଲା ଚିତ୍ରରଥ । ଅମରକନ୍ୟାରେ ବେଷ୍ଟିତ ॥ ୧୨୮
ଯହିଁ ବ୍ରାହ୍ମଣ ମରିଥିଲା । ତାହାର ଉର୍ଦ୍ଧ୍ବେ ଯହୁଁ ଗଲା ॥ ୧୨୯
ଗଗନୁ ପଡିଲା ତକ୍ଷଣେ । ବିମାନ ଗଲା ତାର କେଣେ ॥ ୧୩୦
ପଡିଲା ଅଧୋମୁଖ । ସଭୟେ ଚକିତେ ଚାହଁଇ ॥ ୧୩୧
ବାଳଖିଲ୍ୟାର ବାକ୍ୟ ଶୁଣି । ତକ୍ଷଣେ ବିପ୍ର-ଅସ୍ଥି ଆଣି ॥ ୧୩୨
ନଦୀରେ ନେଇ ପକାଇଲା । ମନରେ ବିସ୍ମୟ ହୋଇଲା ॥ ୧୩୩
ସରସ୍ୱତୀରେ କରି ସ୍ନାନ । ଶୀଘ୍ରେ ସେ କଲାକ ଭୋଜନ ॥ ୧୩୪
ପୁଣି ବିମାନ ଆରୋହିଲା । ସୁଖେ ସେ ନିଜପୁରେ ଗଲା ॥ ୧୩୫

ଶୁକ ଉବାଚ[ସମ୍ପାଦନା]

ଯେ ଏହା ଶ୍ରବଣରେ ଶୁଣି । ଆଦର କରି ଧରେ ପ୍ରାଣୀ ॥ ୧୩୬
ସେ ସର୍ବପାପୁଁ ହୋଏ ପାର । ସର୍ବେ କରନ୍ତି ନମସ୍କାର ॥ ୧୩୭
ଇନ୍ଦ୍ର ବିଶ୍ୱରୂପର ତହିଁ । ଏ ମହାବିଦ୍ୟା ଶିକ୍ଷାପାଇ ॥ ୧୩୮
ସଂଗ୍ରାମେ ଅସୁର ଜିଣିଲେ । ତ୍ରୈଲୋକ୍ୟେ ଲକ୍ଷ୍ମୀ ଭୋଗକଲେ ॥ ୧୩୯
ବୋଲଇ ଜଗନ୍ନାଥ ଦ୍ୱିଜ । ଗୋବିନ୍ଦନାମ ନିତ୍ୟେ ଭଜ ॥ ୧୪୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ନାରାୟଣବର୍ମ କଥନଂ ନାମ ଅଷ୍ଟମୋଽଧ୍ୟାୟଃ ॥

•••

ନବମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଶୁଣ ପରୀକ୍ଷ ନୃପବର । କୃଷ୍ଣମହିମା ଅଗୋଚର ॥ ୧
ଶୁଣ ହେ ସେ ବିଶ୍ୱରୂପର । ତ୍ରିଶିର ଥିଲା ନୃପବର ॥ ୨
ଏକମୁଖରେ ସୋମପାନ । କରଇ ସେହୁ ପ୍ରତିଦିନ ॥ ୩
ଦ୍ୱିତୀୟେ ସୁରାପାନ କରେ । ଅନ୍ନ ଭକ୍ଷଇ ତୃତୀୟରେ ॥ ୪
ସେ ବିଶ୍ୱରୂପ ବିନୟରେ । ଦେବଗଣଙ୍କୁ ଉଚ୍ଚସ୍ୱରେ ॥ ୫
ଡାକି ଦିଅଇ ହବିର୍ଭାଗ । ଯେଣୁ ସେମାନେ ପିତୃବର୍ଗ ॥ ୬
ଦେବମାନଙ୍କ ତହୁଁ ଆଣି । ଯଜ୍ଞର ଭାଗ ନୃପମଣି ॥ ୭
ଦେଲା ଅସୁରମାନଙ୍କରେ । ଯଜ୍ଞଭାଗକୁ ପରୋକ୍ଷରେ ॥ ୮
ଯଦ୍ୟପି ଦେବେ ପିତା ତାର । ତାହାଙ୍କୁ କରି ଅନାଦର ॥ ୯
ପୁଣି ସେ ମାତୃସ୍ନେହବଶ । ହୋଇଣ ଅର୍ଜିଲା ଅଯଶ ॥ ୧୦
ମାତୃପକ୍ଷରେ ସ୍ନେହକରି । ଏମନ୍ତ କର୍ମ ସେ ଆଚରି ॥ ୧୧
ଏମନ୍ତ ଦେବଙ୍କ ହେଳନ । ଦେଖି ତାହାର ମଘବାନ ॥ ୧୨
ସଭୟେ ହୋଇ ଖରତର । ରୋଷେ ଛେଦିଲେ ତାର ଶିର ॥ ୧୩
ଯେ ମୁଣ୍ଡେ କରେ ସୋମପାନ । ତାହାକୁ କରନ୍ତେ ଛେଦନ ॥ ୧୪
ଜନ୍ମିଲା ହୋଇ ପକ୍ଷୀ ଏକ । ନାମ ତା ହୋଇଲା ଚାତକ ॥ ୧୫
ସୁରାପାୟୀ ଯେଉଁ ମସ୍ତକ । ଛେଦନ୍ତେ ସେ ହେଲା ଚଟକା ॥ ୧୬
ଅନ୍ନଭୋଜୀ ମସ୍ତକ ତାର । ହୋଇଲା ତିତ୍ତିର ଆକାର ॥ ୧୭
ଏମନ୍ତେ ସେ ବିଶ୍ୱରୂପର । ଇନ୍ଦ୍ର ଛେଦିଲେ ଯହୁଁ ଶିର ॥ ୧୮
କର ଅଞ୍ଜଳି ପ୍ରସାରିଣ । ବ୍ରହ୍ମହତ୍ୟା କଲେ ଗ୍ରହଣ ॥ ୧୯
ଏ ପାପୁ ଲୋକ କରେ ନିନ୍ଦା । ଇନ୍ଦ୍ର ପାଇଲେ ମନେ ବାଧା ॥ ୨୦
ଆତ୍ମାର ବିଶୁଦ୍ଧି ନିମନ୍ତେ । ବିଭାଗ କରି ଏହି ମତେ ॥ ୨୧
ସ୍ତିରୀ ଭୂ ଜଳ ଦ୍ରୁମଠାରେ । ଅର୍ପିଲେ ଏମନ୍ତ ପ୍ରକାରେ ॥ ୨୨
ଭୂମି ଘେନିଲେ ଭାଗ ଚାରି । ଖାତ ପୂରଣ ବର ବରି ॥ ୨୩
ବ୍ରହ୍ମହତ୍ୟା ତେଣୁ ଉଷରେ । ଅଦ୍ୟାପି ଦିଶଇ ଭୂମିରେ ॥ ୨୪
ଦ୍ରୁମେ ଯେ ଚାରିଭାଗ ନେଲେ । ଛେଦନେ ବଢ଼ିବାର ବରେ ॥ ୨୫
ନିର୍ଯ୍ୟାସରୂପେ ଏହାଙ୍କର । ପାପ ଦିଶଇ ନୃପବର ॥ ୨୬
କାମବଶରେ ସ୍ତିରୀଜନ । ସମ୍ଭୋଗୀ ହେବେ ପ୍ରତିଦିନ ॥ ୨୭
ଏରୂପେ ବରକୁ ପାଇଣ । ଚାରିଭାଗ କଲେ ଗ୍ରହଣ ॥ ୨୮
ରଜରୂପରେ ପ୍ରତିମାସ । ଏବେହେଁ ପାପ ହୋଏ ଦୃଶ୍ୟ ॥ ୨୯
ପାପର ଶେଷ ଚାରିଅଂଶ । ଜଳକୁ ଦେଇ ଦେବଈଶ ॥ ୩୦
ପୁଣି ସେ ଦେଲେ ତାକୁ ବରେ । ମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ ॥ ୩୧
ସେ ପାପ ବୁଦ୍‌ବୁଦ-ଫେନରେ । ଅଦ୍ୟାପି ଦିଶଇ ସଂସାରେ ॥ ୩୨
ସେହି ଫେନକୁ ପକାଇଲେ । ଜଳର ପାପ ନାଶେ ଭଲେ ॥ ୩୩
ଏମନ୍ତ ପ୍ରକାରେ ହେ ନୃପ । ହରି-କଳ୍ପିତ ହେଲା ପାପ ॥ ୩୪
ଏ ଅନନ୍ତରେ ସେ ତ୍ୱଷ୍ଟାର । ଯେଣୁ ହତ ହେଲା କୁମର ॥ ୩୫
ପୁତ୍ରଶୋକରେ ଦୁଃଖୀ ହୋଇ । ଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇଁ ॥ ୩୬
ହୋମ ଆରମ୍ଭକୁ ବିଚାରି । ବୋଇଲେ ଅତି କ୍ରୋଧ କରି ॥ ୩୭
ଇନ୍ଦ୍ରର ଶତ୍ରୁ ହେଉ ଜାତ । ବେଗେ ଇନ୍ଦ୍ରକୁ କରୁ ହତ ॥ ୩୮
ଏମନ୍ତ ବୋଲି ସେ ବଚନ । କେତେ ଆହୁତି କଲା ଦାନ ॥ ୩୯
ପୁରୁଷେ ତହିଁରୁ ବାହାର । ରୂପ ତା ଅତି ଭୟଙ୍କର ॥ ୪୦
ଯୁଗ-ଅନ୍ତକାଳେ ଯେମନ୍ତ । ପ୍ରାଣୀଙ୍କି ଯେସନେ କୃତାନ୍ତ ॥ ୪୧
ଦିନକୁଦିନ ଅତିଘୋର । ବଢଇ ବିଶ୍ୱରୂପ ତାର ॥ ୪୨
ଦଗଧ-ଗିରି ପ୍ରାୟେ ହୋଇ । ତାହାର ଶରୀର ଦିଶଇ ॥ ୪୩
କାନ୍ତି ତାହାର ବିରାଜଇ । କଳ୍ପାନ୍ତମେଘ ପ୍ରାୟ ହୋଇ ॥ ୪୪
ତପତ-ତମ୍ବାଶିଖା ଯେହ୍ନେ । କେଶ ତା ବିରାଜେ ତେସନେ ॥ ୪୫
ମଧ୍ୟାହ୍ନ-ରବି ପ୍ରାୟ ହୋଇ । ବେନିଲୋଚନ ବିରାଜଇ ॥ ୪୬
ଅନଳ-ତେଜ ପ୍ରାୟେ ତାର । ଏମନ୍ତ ଶୂଳ ଧରି କର ॥ ୪୭
ବୁଲାଇ ଅତି ଖରତର । ଶବଦ କରେ ମହାଘୋର ॥ ୪୮
ନୃତ୍ୟ କରଇ ମତ୍ତ ହୋଇ । ପାଦେ କମ୍ପାଇ ମହାମହୀ ॥ ୪୯
ଗିରିଗୁହା ପ୍ରାୟେ ବଦନ । ତେଣୁ କି ଗ୍ରାସିବ ଗଗନ ॥ ୫୦
ଜିହ୍ୱା ବୁଲାଉଛି ଏସନ । ଗିଳିବ କିବା ତ୍ରିଭୁବନ ॥ ୫୧
ଦନ୍ତ ଅତି ରୌଦ୍ର ଦିଶଇ । ପୁଣ ପୁଣ ହୋଇ ହସଇ ॥ ୫୨
ଭୀତ ହୋଇଣ ସର୍ବଜନ । ପଳାନ୍ତି ଘେନିଣ ଜୀବନ ॥ ୫୩
ତ୍ୱଷ୍ଟାର ପୁତ୍ର ଏ ଯେ ପାପ । ଲୋକେ ପାଇଲେ ବହୁ ତାପ ॥ ୫୪
ପରମ-ଦାରୁଣ-ଅସୁର । ଏଣୁ ବୃତ୍ର ନାମଟି ତାର ॥ ୫୫
ଇନ୍ଦ୍ର ଦେବଗଣ ସହିତେ । ମିଳିଲେ ତାହାର ଅଗ୍ରତେ ॥ ୫୬
ଯେ ଯାହା ଶସ୍ତ୍ର ଧରି କରେ । ପିଟିଲେ ବୃତ୍ରର ଉପରେ ॥ ୫୭
ଶସ୍ତ୍ର ଯେତେକ ଦେବଙ୍କର । ସବୁ ଗିଳିଲା ସେ ଅସୁର ॥ ୫୮
ଏ ଅନନ୍ତରେ ଦେବଗଣ । ବିସ୍ମୟେ ହୋଇ ହତଜ୍ଞାନ ॥ ୫୯
କୃଷ୍ଣରେ ମନ ସ୍ଥିର କଲେ । ମହାପୁରୁଷ ଆରାଧିଲେ ॥ ୬୦

ଦେବଗଣ ଉବାଚ[ସମ୍ପାଦନା]

ପବନ ଆକାଶ ଯେ ଅଗ୍ନି । ଜଳର ସହିତେ ଅବନୀ ॥ ୬୧
ଏ ମହାଭୂତେ ହୋଇ ଏକ । ନିର୍ମିତ ହୋଇଛି ତ୍ରିଲୋକ ॥ ୬୨
ବ୍ରହ୍ମା ସହିତେ ଆମ୍ଭେମାନେ । ଉଦ୍‌ବେଗ ପାଉଅଛୁ ମନେ ॥ ୬୩
ଯାହାକୁ ବଳି ଆମ୍ଭେମାନେ । ଦେଇଣ ସେବୁଁ ଅନୁକ୍ଷଣେ ॥ ୬୪
ଯେ କାଳ ଅନ୍ତକ ବୋଲାଇ । ସେ ଯାହାଠାରୁ ଭୟ ପାଇ ॥ ୬୫
ସେ ପ୍ରଭୁ ଆମ୍ଭର ଶରଣ । ହୁଅନ୍ତୁ ଅଖିଳକାରଣ ॥ ୬୬
ସେ ଅବିସ୍ମିତ ପୂର୍ଣ୍ଣକାମ । ପ୍ରଶାନ୍ତ ସର୍ବଭୂତେ ସମ ॥ ୬୭
ଏମନ୍ତ ଯେ ପରମେଶ୍ୱର । ତାହାଙ୍କୁ ତେଜି ଯେଉଁ ନର ॥ ୬୮
ଅନ୍ୟରେ ପଶଇ ଶରଣ । ତାହାଙ୍କୁ ମୂର୍ଖ ବୋଲି ଜାଣ ॥ ୬୯
ଶ୍ୱାନପୁଚ୍ଛକୁ ଧରି କରେ । ଅଗମ୍ୟସିନ୍ଧୁ କେହୁ ତାରେ ॥ ୭୦
ନଉକାରରୂପେଣ ସଂସାର । ଶୃଙ୍ଗରେ ବାନ୍ଧିଣ ଯାହାର ॥ ୭୧
ମନୁ ଅଛନ୍ତି ଦୁଃଖୁ ତରି । ଯାହାର ପ୍ରସାଦରୁ କରି ॥ ୭୨
ଏମନ୍ତ ଯେଉଁ ମହାବାହୁ । ତାରିବେ ବୃତ୍ରାସୁର ତହୁଁ ॥ ୭୩
ପୂର୍ବେ ସ୍ୱୟମ୍ଭୁ ପଡି ଜଳେ । ବାତେ ଉଲ୍ଲୋଳ-ଉର୍ମିମାଳେ ॥ ୭୪
ତେଣେ ଶବଦ ମହାଘୋରେ । ରଖିଲା ଯେ ନାଭିକମଳେ ॥ ୭୫
ସେ ଏକ ସଙ୍ଗେ ନାହିଁ କେହି । ସେ ଭୟୁ ରଖିଲାକ ଯେହି ॥ ୭୬
ଦୁରନ୍ତ-ପାପ ଯେ ଦାରୁଣ । ତହୁଁ ରଖନ୍ତୁ ନାରାୟଣ ॥ ୭୭
ଯେ ଏକ ଈଶ୍ୱର ଅଟଇ । ମାୟାାରେ ଆମ୍ଭଙ୍କୁ ସର୍ଜଇ ॥ ୭୮
କରୁଛୁ ଜଗତ-ପାଳନେ । ଯାର ପ୍ରସାଦୁ ଆମ୍ଭେମାନେ ॥ ୭୯
ଯାହାର ମହିମା ପ୍ରସିଦ୍ଧି । ଆମ୍ଭେ ନ ଜାଣୁ ମନ୍ଦବୁଦ୍ଧି ॥ ୮୦
ଆମ୍ଭେ ଈଶ୍ୱର ବୋଲି ମାନି । ମୋହରେ ଯେସନେ ଅଜ୍ଞାନୀ ॥ ୮୧
ଶତ୍ରୁର ଠାରୁ ଆମ୍ଭେମାନେ । ଦୁଃଖ ପାଇଲୁ ଅନୁକ୍ଷଣେ ॥ ୮୨
ଋଷି ମନୁଷ୍ୟ ପଶୁ ଆଦି । ସଂସାରେ ଯେତେକ ପ୍ରସିଦ୍ଧି ॥ ୮୩
ଯେ ପ୍ରଭୁ ଧରି ଅବତାର । ଖଣ୍ଡନ୍ତି ଦୁଃଖକୁ ଆମ୍ଭର ॥ ୮୪
ଆମ୍ଭେଟି ସର୍ବେ ଅରକ୍ଷିତ । ରଖନ୍ତୁ ପ୍ରଭୁ ଜଗନ୍ନାଥ ॥ ୮୫
ସେ ଯୁଗେ-ଯୁଗେ ରକ୍ଷାକରୁ । ଯାର ମହିମା ମହାମେରୁ ॥ ୮୬
ପରମ-ପ୍ରଧାନ ପୁରୁଷ । ଅଖିଳ ସଂସାରର ଈଶ ॥ ୮୭
ଅଖିଳଜନ୍ତୁଙ୍କ ଶରଣ । ଏମନ୍ତ ଯେଉଁ ନାରାୟଣ ॥ ୮୮
ଆମ୍ଭେ ତାହାଙ୍କର ଶରଣ । ଆମ୍ଭଙ୍କୁ କରନ୍ତୁ କଲ୍ୟାଣ ॥ ୮୯

ଶୁକ ଉବାଚ[ସମ୍ପାଦନା]

ଦେବଙ୍କ ସ୍ତୁତି ଏ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୯୦
ପଶ୍ଚିମଦିଗେ ହେ ରାଜନ । ହୋଇଲେ ଆସି ସେ ପ୍ରସନ୍ନ ॥ ୯୧
ଶଙ୍ଖ ଚକ୍ର ଗଦା କମଳ । ଧରିଣ ପ୍ରଭୁ ଆଦିମୂଳ ॥ ୯୨
ଆତ୍ମାର ତୁଲ୍ୟ ଷୋଳଜଣ । ସେବୁ ଅଛନ୍ତି ଅନୁକ୍ଷଣ ॥ ୯୩
ଶ୍ରୀବତ୍ସ›-କଉସ୍ତୁଭ ବିନେ । ପୂର୍ଣ୍ଣ ହୋଇଣ ସର୍ବଗୁଣେ ॥ ୯୪
ଶରଦ-କମଳ-ଲୋଚନ । ଦେବେ ଦେଖିଣ ହୃଷ୍ଟମନ ॥ ୯୫
ଇନ୍ଦ୍ରାଦି ଦଶଦିଗପାଳେ । ପ୍ରଭୁଙ୍କୁ ନମିଲେ ସକଳେ ॥ ୯୬
ଦଣ୍ତବତ ପଡି ରାଜନ । ସ୍ତୁତି କଲେ ଧୀରେ ଉଠିଣ ॥ ୯୭

ଦେବଗଣ ଉବାଚ[ସମ୍ପାଦନା]

ତୁମ୍ଭେ ଯେ ସର୍ବଯଜ୍ଞବର । ତୁମ୍ଭଙ୍କୁ କରୁଁ ନମସ୍କାର ॥ ୯୮
ସକଳ ବୟୋଧିକ ତୁମ୍ଭେ । ତୁମ୍ଭ ଚରଣେ ନମୁଁ ଆମ୍ଭେ ॥ ୯୯
ଅଖିଳ-ଈଶ୍ୱର ଗୋସାଇଁ । ନମସ୍ତେ ପ୍ରଭୁ ଭାବଗ୍ରାହୀ ॥ ୧୦୦
ତୁ ପୁରୁହୂତି ଶ୍ରେଷ୍ଠପର । ନମସ୍ତେ ପ୍ରଭୁ ଚକ୍ରଧର ॥ ୧୦୧
ନିୟନ୍ତା ତୁହି ତ୍ରିଗୁଣର । ତୋହ ଗତି କ୍ରୀଡା ବିହାର ॥ ୧୦୨
ଏହା ସଂଖ୍ୟା କରିବା ପାଇଁ । ବିଧାତା ସମର୍ଥ ନୁହଇ ॥ ୧୦୩
ହେ ଭଗବାନ ବାସୁଦେବ । ନାରାୟଣ ମହାନୁଭାବ ॥ ୧୦୪
ଆଦି ପୁରୁଷ ସର୍ବେଶ୍ୱର । କେବଳ ଜଗତ ଆଧାର ॥ ୧୦୫
ପରମହଂସ ଲକ୍ଷ୍ମୀକାନ୍ତ । ଜଗୁଜୀବନ ଜଗନ୍ନାଥ ॥ ୧୦୬
ଭୋ ନାଥ ପରମମଙ୍ଗଳ । ପରମକଲ୍ୟାଣର ମୂଳ ॥ ୧୦୭
ଭୋନାଥ ତୁମ୍ଭେ ଆତ୍ମାରାମ । ସକଳକାର୍ଯ୍ୟେ ଭାବନ ॥ ୧୦୮
ତୁ ସର୍ବ ପରମକାରଣ । ଅଖିଳଭୂତଙ୍କ ଭାବନ ॥ ୧୦୯
ପରମ-ଯୋଗ-ସମାଧିରେ । ଭଜନ ବିବିଧ ପ୍ରକାରେ ॥ ୧୧୦
ପରମ ହଂସ-ମୁନିଗଣେ । ସେବନ୍ତି ଯାହାର ବିହରେ ॥ ୧୧୧
ପରମହଂସ-ଦୀକ୍ଷା କରି । ଅଜ୍ଞାନ ଦୂରେ ପରିହରି ॥ ୧୧୨
ଏକାନ୍ତ-ଲୋକଙ୍କ ଆତ୍ମାରେ । ପ୍ରଭାବ ଯାହାର ବିହରେ ॥ ୧୧୩
ଏମନ୍ତ ପ୍ରଭୁ ତୁ ଈଶ୍ୱର । ନମସ୍ତେ ବ୍ରହ୍ମାଣ୍ତ ଠାକୁର ॥ ୧୧୪
ତୋହର ମହିମା ବିହାର । ବ୍ରହ୍ମାରେ ନୁହଁଇ ଗୋଚର ॥ ୧୧୫
ଏ ମାୟା ଅଖିଳ-ସଂସାର । ଭୋ ଦେବ ଭିଆଣ ତୋହର ॥ ୧୧୬
ତ୍ରିଗୁଣ ଘେନି ପ୍ରଭୁ ତୁହି । ସର୍ଜୁ ପାଳୁ ସଂହାରୁ ମହୀ ॥ ୧୧୭
ଭୋଦେବ ଏ ମାୟାସଂସାରେ । ତ୍ରିଗୁଣେ ଜଡି ଯେଉଁ ନରେ ॥ ୧୧୮
ପରତନ୍ତ୍ରରେ ବଶ ହୋଇ । ଶୁଭାଶୁଭ-କର୍ମ କରଇ ॥ ୧୧୯
ତାହାର ଶୁଭାଶୁଭ -ଫଳ । ତୁମ୍ଭର ତହିଁ ଆଦିମୂଳ ॥ ୧୨୦
ଭୋ ସ୍ୱାମୀ ତୁମ୍ଭେ ଆତ୍ମାରାମ । ସକଳ-କଳ୍ପେ ଉପଶମ ॥ ୧୨୧
ତୁ ସର୍ବବସ୍ତୁରୁ ବାହାର । ଏମନ୍ତ ମଣୁଁ ଚକ୍ରଧର ॥ ୧୨୨
ତୋର ବିରୋଧ ନାହିଁ ପୁଣ । ଅପରୀକ୍ଷିତ ତୋର ଗୁଣ ॥ ୧୨୩
ସଂଖ୍ୟା ନୁହଁଇ ତୋ ମହିମା । ତୋତେ ବା କେ କରିବ ସୀମା ॥ ୧୨୪
ବିତର୍କ ବିକଳ୍ପ ବିଚାର । ପ୍ରମାଣ ନ କରେ ଯାହାର ॥ ୧୨୫
ନାନା ବିଚାର ଶାସ୍ତ୍ର ଆଦି । ସଂସାରେ ଯେତେକ ପ୍ରସିଦ୍ଧି ॥ ୧୨୬
ଏହା ବିଚାରି ସାଧୁଜନେ । ତୋତେ ଚିନ୍ତନ୍ତି ଦିବ୍ୟଜ୍ଞାନେ ॥ ୧୨୭
କ୍ଷଣକେ ମତି ତାହାଙ୍କର । ଭ୍ରମ କରାଉ ଚକ୍ରଧର ॥ ୧୨୮
ସକଳ ମାୟାମୟ ହେଉ । ନଟର ପ୍ରାୟେ ତୁ ଦେଖାଉ ॥ ୧୨୯
ଯଦ୍ୟପି ଏକରୂପ ହୁଅ । ନାନାରୂପକୁ ତୁମ୍ଭେ ବହ ॥ ୧୩୦
ସମ-ବିଷମ-ବୁଧଙ୍କର । ପ୍ରବେଶ ହେଉ ତୁ ମନର ॥ ୧୩୧
ରଜ୍ଜୁରେ ସର୍ପ ବୁଦ୍ଧି ଯେହ୍ନେ । ଏକ ତୁ ଦିଶୁ ଭିନ୍ନେ ଭିନ୍ନେ ॥ ୧୩୨
ବିଚାରେ ଏକବସ୍ତୁ ତୁହି । ସର୍ବ-ଈଶ୍ୱର ତୁ ଗୋସାଇଁ ॥ ୧୩୩
ସକଳ ଜଗତ-କାରଣ । ଶୋଭାପାଉଛି ସର୍ବ ଗୁଣ ॥ ୧୩୪
ପ୍ରତ୍ୟେକ ନାମ ରୂପ ଧରି । ଲକ୍ଷିତ ହେଉ ନରହରି ॥ ୧୩୫
ଏକତୁ ପରମପୁରୁଷ । ସକଳଠାରୁ ଅବଶେଷ ॥ ୧୩୬
ଭୋ ନାଥ ମହିମା ତୁମ୍ଭର । ଅମୃତ-ରସର ସାଗର ॥ ୧୩୭
ତାହା ଆସ୍ୱାଦ କରି ମନେ । ଏକାନ୍ତ ଭକ୍ତ ଯେଉଁଜନେ ॥ ୧୩୮
ବିଷୟ ସୁଖ ଲେଶ ଛାଡି । ନିତ୍ୟେ ତୋ ରସେ ଥାନ୍ତି ବୁଡି ॥ ୧୩୯
ସର୍ବାତ୍ମା ସର୍ବଭୂତ ପ୍ରିୟ । ଭଗବାନ ସ୍ୱରୂପ ହୁଅ ॥ ୧୪୦
ଏ ସର୍ବଗୁଣେ ପୂର୍ଣ୍ଣ ହୋଇ । କେ ତୋତେ ଜାଣେ ଭାବଗ୍ରାହୀ ॥ ୧୪୧
ଅନବରତେ ସ୍ଥିରମନ । ତୋ ପାଦେ କରି ନିବେଦନ ॥ ୧୪୨
ହେ ମଧୁମଥନ ଈଶ୍ୱର । ଆତ୍ମାକୁ ଚିହ୍ନେ ସାଧୁନର ॥ ୧୪୩
କମଳଚରଣେ ତୁମ୍ଭର । ସେବୁ ଅଛନ୍ତି ନିରନ୍ତର ॥ ୧୪୪
ଯେ ପାଦପଙ୍କଜରେ ଧ୍ୟାନ । ସଂସାରେ ଗତାଗତ ଜନ ॥ ୧୪୫
ନୁହଁଇ ଯାହାର ପ୍ରସାଦେ । ଗତି ଲଭଇ ଅପ୍ରମାଦେ ॥ ୧୪୬
ତ୍ରୈଲୋକ୍ୟପ୍ରଭୁ ଭଗବାନ । ହେ ତ୍ରିବିକ୍ରମ ତ୍ରିନୟନ ॥ ୧୪୭
ତିନିଲୋକର ମନୋହର । ଅନୁଭାବ-ରୂପ ଯାହାର ॥ ୧୪୮
ତୁମ୍ଭ ପ୍ରକୃତିରୁ ଉଦିତ । ଏମନ୍ତ ଯେତେକ ଦଇତ୍ୟ ॥ ୧୪୯
ଏହାଙ୍କ କର୍ମ-ଭାଗ୍ୟଫଳ । ଶାନ୍ତିକି କର ଆଦିମୂଳ ॥ ୧୫୦
ଆତ୍ମମାୟାରେ ସୁରନର । ମୃଗ ସହିତେ ଜଳଚର ॥ ୧୫୧
ଏ ଆଦି ଯେତେକ ଅପର । ଯଥା ଅପ୍ରାଧେ ଦଣ୍ଡ କର ॥ ୧୫୨
ଏମନ୍ତ ତୁମ୍ଭେ ଯେ ଈଶ୍ୱର । ବୃତ୍ରକୁ ଭୋନାଥ ସଂହର ॥ ୧୫୩
କହିଲୁ ପ୍ରଭୁ ଭବଗ୍ରାହୀ । ଯେବା ତୁମ୍ଭର ଇଚ୍ଛା ହୋଇ ॥ ୧୫୪
ତୋର ତନୟ ହେଉ ଆମ୍ଭେ । ଭୋ ନାଥ ଆମ୍ଭ ପିତା ତୁମ୍ଭେ ॥ ୧୫୫
ତୋହର ଚରଣନଳିନ । ବନ୍ଦିକରିଛି ଆମ୍ଭମନ ॥ ୧୫୬
ଆପଣାକରି ଆମ୍ଭମାନ । ରଖିଣଅଛୁ ଭଗବାନ ॥ ୧୫୭
ଆମ୍ଭଙ୍କୁ ଅନୁକମ୍ପା କରି । ଏହା ଦେଖାଅ ନରହରି ॥ ୧୫୮
ବିଶଦହାସ ମନୋହର । ବଦନ ଈକ୍ଷଣ ତୁମ୍ଭର ॥ ୧୫୯
ସ୍ରବୁଛି ଯହୁଁ ମଧୁରସ । ଅମୃତସମ ପୀତବାସ ॥ ୧୬୦
ଆମ୍ଭର ତ୍ରାସ ଦୂରକର । ଭୋନାଥ ଶରଣ ତୋହର ॥ ୧୬୧
ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ । ଏହା କାରଣ ତୁମ୍ଭେ ହୁଅ ॥ ୧୬୨
ସକଳ ଜୀବେ ପୂର୍ଣ୍ଣ ହୋଇ । ଅକ୍ଷୟ-ବ୍ରହ୍ମ-ରୂପ ବହି ॥ ୧୬୩
ତୁ ସର୍ବ-ମାୟାମୟ-ରୂପ । ଅଶେଷ-ପ୍ରଧାନ-ସ୍ୱରୂପ ॥ ୧୬୪
ତୁ ଦେଶକାଳପାତ୍ର ହୋଇ । ସକଳଠାରେ ଅଛୁ ରହି ॥ ୧୬୫
ସକଳବ୍ୟାପୀ ଚକ୍ରଧର । ଆାକାଶ ଶରୀର ତୋହର ॥ ୧୬୬
ପରମବ୍ରହ୍ମରୂପ ତୁହି । ଥାଉ ତୁ ଆତ୍ମାରୂପ ବହି ॥ ୧୬୭
ଆମ୍ଭେ ଅଗ୍ନିର କଣା ପ୍ରାୟେ । କିସ କହିବୁଁ ଦେବରାୟେ ॥ ୧୬୮
ଆମ୍ଭ ପରମଗୁରୁ ତୁହି । ତୋ ପାଦ-ଶତଦଳ ଦୁଇ ॥ ୧୬୯
ବିବିଧ ପାପକର୍ମ ମୋହେ । ସଂସାରେ ଯେବା ଶ୍ରମ ହୋଏ ॥ ୧୭୦
ଛେଦଇ ଯେ ଦଳକମଳ । ଛାୟାରେ ଆମ୍ଭେ ତାର ମୂଳ ॥ ୧୭୧
ଆଶ୍ରୟକରି ଆମ୍ଭମନ । ଅଛି ହେ ପ୍ରଭୁ ଭଗବାନ ॥ ୧୭୨
ଆମ୍ଭର କାର୍ଯ୍ୟ ଆଦିମୂଳ । ଭୋ ନାଥ କର ତୁ ସଫଳ ॥ ୧୭୩
ହେ ପ୍ରଭୁ ଏ ତିିନିଭୁବନ । ଗ୍ରାସୁଛି ତ୍ୱଷ୍ଟାର ନନ୍ଦନ ॥ ୧୭୪
ବଳ ଆୟୁଧ ଯେ ଆମ୍ଭର । ନାଶୁଛି ପାପୀ ବୃତ୍ରାସୁର ॥ ୧୭୫
ଏବେ ବିନାଶ କର ତାକୁ । ହେ କୃଷ୍ଣ ଆମ୍ଭର ତେଜକୁ ॥ ୧୭୬
ନମସ୍ତେ ପ୍ରଭୁ ଶୁଦ୍ଧ-ହଂସ । ବିହାର ହୃଦୟ-ଆକାଶ ॥ ୧୭୭
ନମସ୍ତେ ପ୍ରଭୁ କୃଷ୍ଣ ତୁହି । ବ୍ରହ୍ମାଣ୍ଡେ ଯାର ଯଶ ଶୋହି ॥ ୧୭୮
ଭବସାଗର ପଥଶ୍ରମ । ତୁ ତାହା ନାଶୁ ଭଗବାନ ॥ ୧୭୯
ପରମଗତି ଶ୍ରେଷ୍ଠଗତି । ନମସ୍ତେ ପ୍ରଭୁ ଦାଶରଥି ॥ ୧୮୦
ପବନ ଆକାଶ ଯେ ଅଗ୍ନି । ଜଳସହିତେ ଯେ ଅବନୀ ॥ ୧୮୧
ବ୍ରହ୍ମାଦି କରି ଆମ୍ଭେମାନେ । ଉଦ୍‌ବେଗ କରିଅଛୁ ମନେ ॥ ୧୮୨

ଶୁକ ଉବାଚ[ସମ୍ପାଦନା]

ଏ ଅନନ୍ତରେ ହେ ରାଜନ । ସ୍ତୁତି କରନ୍ତେ ଦେବଗଣ ॥ ୧୮୩
ସାଦରେ ସ୍ତୁତି ଶୁଣି ହରି । ସନ୍ତୋଷ ହେଲେ ଦଇତ୍ୟାରି ॥ ୧୮୪
ଶୁଣି ସାନନ୍ଦ ଭଗବାନ । ଦେବଙ୍କୁ ବୋଲନ୍ତି ବଚନ ॥ ୧୮୫

ଭଗବାନ ଉବାଚ[ସମ୍ପାଦନା]

ଏ ତୁମ୍ଭ ସୁବିଦ୍ୟା-ସ୍ତୁତିରେ । ସନ୍ତୋଷ ହେଲୁ ଦେବବରେ ॥ ୧୮୬
ଯେଉଁ ସ୍ତୁତିର ପରସାଦେ । ସ୍ତୁତି-ଭକତି ମୋର ପାଦେ ॥ ୧୮୭
ତତ୍ତ୍ୱଜ୍ଞ ଏକାନ୍ତ ଯେ ମତି । ମୋ ତହୁଁ ଅନ୍ୟ ନ ବାଞ୍ଛନ୍ତି ॥ ୧୮୮
ମୁହିଁ ପ୍ରସନ୍ନ ହୋଏ ଯାରେ । କି ଅବା ଦୁର୍ଲ୍ଲଭ ତାହାରେ ॥ ୧୮୯
ଗୁଣରେ ବସ୍ତୁ ଯେ ଦେଖନ୍ତି । ଏମନ୍ତ କୃପଣ ଯେ ଛନ୍ତି ॥ ୧୯୦
ସେ ଆତ୍ମା-ଶ୍ରେୟ ନ ଜାଣନ୍ତି । ସଂସାର ମୋହେ ସେ ପଡ଼ନ୍ତି ॥ ୧୯୧
ଯେ ବିଦ୍ୟାବନ୍ତ ଏ ଜଗତେ । ସେ ଶ୍ରେୟ ଚିନ୍ତେ ମୋକ୍ଷପଥେ ॥ ୧୯୨
ଇଚ୍ଛା ନ ରହଇ ତାହାର । ସର୍ବକାମ ଦେଇ ହସ୍ତର ॥ ୧୯୩
ହେ ଇନ୍ଦ୍ର ଯାଅ ହରଷେଣ । ତୁମ୍ଭର ହୋଇବ କଲ୍ୟାଣ ॥ ୧୯୪
ଅଥର୍ବଣ ଯେ ଋଷିବର । ମାଗ ତାହାଙ୍କର ଶରୀର ॥ ୧୯୫
ବିଦ୍ୟା ତପ ବ୍ରତେ ଯାହାର । ପବିତ୍ର ହୋଇଛି ଶରୀର ॥ ୧୯୬
ପ୍ରାର୍ଥନା ତୁମ୍ଭେମାନେ କଲେ । ଧର୍ମଜ୍ଞ ଅଙ୍ଗ ଦେବ ଭଲେ ॥ ୧୯୭
ଅସ୍ଥି ତାହାଙ୍କର ଆଣିବ । ଆୟୁଧ ବଜ୍ର ଗଢାଇବ ॥ ୧୯୮
ବିଶ୍ୱକର୍ମାନିର୍ମିତ କରି । ବଜ୍ରକୁ ଧରି ବଜ୍ରଧାରୀ ॥ ୧୯୯
ସେ ବଜ୍ରେ କରି ବୃତ୍ରାସୁର । ଛେଦିବ ଶୁଣ ପୁରନ୍ଦର ॥ ୨୦୦
ମୋହର ତେଜେ ଯୁକ୍ତ ହୋଇ । ଶତ୍ରୁ ନାଶିବ ଦେବସାଇଁ ॥ ୨୦୧
ବୃତ୍ରକୁ କରି ପ୍ରାଣେ ହତ । ସ୍ୱର୍ଗ ଲଭିବ ଦେବଯୂଥ ॥ ୨୦୨
ଯେ ତେଜ ଯଶ ସେ ଆୟୁଧ । ପୁଣି ହିଁ ଲଭିବ ସମ୍ପଦ ॥ ୨୦୩
ମୋର ଭକତଲୋକଙ୍କର । ହିଂସା ନୋହିବ ପୁରନ୍ଦର ॥ ୨୦୪
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ରକୁ କୃଷ୍ଣ କୃପାଚିତ୍ତ ॥ ୨୦୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ନବମୋଽଧ୍ୟାୟଃ ॥ •••

ଦଶମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଏ ରୂପେ ଇନ୍ଦ୍ରକୁ କହିଣ । ବିଶ୍ୱଭାବନ-ଭଗବାନ ॥ ୧
ଦେବତାମାନେ ଦେଖୁଥିଲେ । ତକ୍ଷଣେ ଅନ୍ତର୍ଦ୍ଧାନହେଲେ ॥ ୨
ଶ୍ରୀକୃଷ୍ଣ ଆଜ୍ଞା ପରମାଣେ । ମାଗିଲେ ଯାଇ ଦେବଗଣେ ॥ ୩
ମହତଋଷି ଆଥର୍ବଣ । ଯା ତହୁଁ ଇନ୍ଦ୍ର-ପରିତ୍ରାଣ ॥ ୪
ହରଷେ ଋଷି ଆଥର୍ବଣ । ବୋଇଲେ ଦେବଗଣେ ଶୁଣ ॥ ୫
ଜନ୍ତୁଙ୍କ ପ୍ରାଣ ପରିତ୍ରାଣେ । ଦୁସ୍ତର-ଦୁଃଖ ନିବାରଣେ ॥ ୬
ତୁମ୍ଭେ ସ୍ୱଭାବେ ଦେବଗଣ । ମରଣଦୁଃଖକୁ ନ ଜାଣ ॥ ୭
ଜୀବନ ପାଇଁ ପ୍ରାଣୀଙ୍କର । ସୁତ-କଳତ୍ର ଏ ସଂସାର ॥ ୮
ଏମନ୍ତ ପ୍ରାଣୀ ଅଛି କାହିଁ । ଜୀବନ ମାଗିଲେ ଦିଅଇ ॥ ୯
ଯେବେ ମାଗିବେ ନାରାୟଣ । ତେବେ ବା କେ ଦେବ ଜୀବନ ॥ ୧୦

ଦେବଗଣ ଉବାଚ[ସମ୍ପାଦନା]

ଯେ ପ୍ରାଣୀ ସର୍ବଭୂତଠାରେ । ଆତ୍ମାର ପ୍ରାୟ ଦୟାକରେ ॥ ୧୧
ଈଷତମାତ୍ରେ ଦେଇ ପ୍ରାଣ । କରଇ ପ୍ରାଣୀ ପରିତ୍ରାଣ ॥ ୧୨
ତୁମ୍ଭର ପ୍ରାୟ ପୁଣ୍ୟଶ୍ଳୋକ । ଯେ ଅବା ପୁଣ୍ୟବନ୍ତ ଲୋକ ॥ ୧୩
ତାହାର ଏମନ୍ତ ବିଚାର । ସେ ନ ଜାଣଇ ପରାପର ॥ ୧୪
ଅଜ୍ଞାନ ପାଣୀ ଯେଉଁମାନେ । ପର ସଙ୍କଟ ଯେ ନ ଘେନେ ॥ ୧୫
ଯାଚଞ୍ଜା ଶ୍ରେଷ୍ଠଲୋକଙ୍କର । କେବେହେଁ ନୋହେ ହତାଦର ॥ ୧୬

ଋଷି ଉବାଚ[ସମ୍ପାଦନା]

ଭୋ ଦେବରାଜ ଦେବବୃନ୍ଦ । ଧର୍ମ କହିଲ ମୋକ୍ଷପ୍ରଦ ॥ ୧୭
ଏ ଯେ ମୋହର ନିଜ ଦେହ । ଛାଡିବି ନ କର ସନ୍ଦେହ ॥ ୧୮
ଦେହକୁ ଧରି ଯେଉଁଜନ । ନ କରେ ଯଶ-ପୁଣ୍ୟକର୍ମ ॥ ୧୯
ତାହାକୁ ଆତ୍ମଘାତୀ କହି । ସ୍ଥାବରୁ ଅଧିକଟି ସେହି ॥ ୨୦
ଯେ ପ୍ରାଣୀ ପରଦୁଃଖେ ଦୁଃଖୀ । ପରସୁଖରେ ମହାସୁଖୀ ॥ ୨୧
ଅବ୍ୟୟ ଅକ୍ଷୟ ଏ ଧର୍ମ । କହନ୍ତି ପୁଣ୍ୟଶୋକଜନ ॥ ୨୨
ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ । କ୍ଷଣଭଙ୍ଗୁର ଦେହେ ନରେ ॥ ୨୩
କରନ୍ତି ଆତ୍ମସ୍ୱାର୍ଥଭେଦ । ଇହଲୋକରେ ଅପବାଦ ॥ ୨୪

ଶୁକ ଉବାଚ[ସମ୍ପାଦନା]

ଏମନ୍ତ କହି ଆଥର୍ବଣ । ନିଶ୍ଚଳ କରି ଆତ୍ମାମନ ॥ ୨୫
ପରମବ୍ରହ୍ମେ ନିବେଶିଲେ । ସଂଯମେ ଶରୀର ଛାଡିଲେ ॥ ୨୬
ମନ-ବୁଦ୍ଧି ବ୍ରହ୍ମେ ନିବେଶି । ଏହି ଯୋଗରେ କରି ଋଷି ॥ ୨୭
ତେଜିଣ ଗଲେ ସେ ଶରୀର । ଜାଣିଲେ ଦେବ-ପୁରନ୍ଦର ॥ ୨୮
ଏଥୁ ଅନ୍ତରେ ଦେବରାଜ । ବିଶ୍ୱକର୍ମା-ନିର୍ମିତ ବଜ୍ର ॥ ୨୯
ମୁନି-ଅସ୍ଥିରେ ସୁନିର୍ମିତ । ଶ୍ରୀକୃଷ୍ଣ-ତେଜରେ ମିଶ୍ରିତ ॥ ୩୦
ବିଷ୍ଣୁ ଆଜ୍ଞାରେ ତତପର । ସେ ବଜ୍ର ଧରି ପୁରନ୍ଦର ॥ ୩୧
ସେ ଦେବଗଣରେ ବେଷ୍ଟିତ । ଆରୋହି ଗଜ-ଐରାବତ ॥ ୩୨
ମୁନିଗଣରେ ସ୍ତୁତ ହୋଇ । ତ୍ରୈଲୋକ୍ୟ ହରଷ କରାଇ ॥ ୩୩
ବୃତ୍ରମାରଣେ ଦେବରାଜ । ସୈନ୍ୟ ସହିତେ ହେଲେ ସଜ ॥ ୩୪
ଅଶେଷବଳ ସଙ୍ଗେ ଲଇଁ । ଅନ୍ଧକେ ଯେହ୍ନେ ରୁଦ୍ର ଧାଇଁ ॥ ୩୫
ଏ ଅନନ୍ତରେ ହେ ରାଜନ । କହିବା ଏକମନେ ଶୁଣ ॥ ୩୬
ସୁର-ଅସୁରଙ୍କର ରଣ । ଅତ୍ୟନ୍ତ-ପରମ-ଦାରୁଣ ॥ ୩୭
ତ୍ରେତୟାଯୁଗର ଆଦ୍ୟରେ । ହୋଇଲା ନର୍ମଦାତୀରରେ ॥ ୩୮
ରୁଦ୍ର ବସୁ ପୁଣି ଆଦିତ୍ୟେ । ବହ୍ନି ପିତୃ ଅଶ୍ୱିନୀସୁତେ ॥ ୩୯
ସାଧ୍ୟ ବିଶ୍ୱଦେବା ମରୁତ । ରୁଭୁ ଦେବଗଣେ ବେଷ୍ଟିତ ॥ ୪୦
ବିରାଜମାନ ସମ୍ପଦରେ । ବଜ୍ରକୁ ଧରି ନିଜ କରେ ॥ ୪୧
ଏ ଭାବେ ଇନ୍ଦ୍ରକୁ ଦେଖିଲେ । ଅସୁରେ କ୍ରୋଧରେ ଧାଇଁଲେ ॥ ୪୨
ନମୁଚି ଦ୍ୱିମୂର୍ଦ୍ଧା ଶମ୍ବର । ଅନର୍ବା ଋଷଭ-ଅସୁର ॥ ୪୩
ହୟଗ୍ରୀବ ଯେ ବିପ୍ରଚିତ୍ତି । ଅୟୋମୁଖ ହେତି ପ୍ରହେତି ॥ ୪୪
ଶଙ୍କୁଶିରା ଯେ ବୃଷପର୍ବ । ଉତ୍କଳ ପୁଲୋମା-ଦାନବ ॥ ୪୫
ଦାନବ ଦୈତ୍ୟଗଣ ଦକ୍ଷ । ଅସଂଖ୍ୟ ଆବର ଯେ ରକ୍ଷ ॥ ୪୬
ସୁମାଳୀ ମାଳୀ ଆଦି ଯେତେ । ସୁବର୍ଣ୍ଣେ ହୋଇଣ ମଣ୍ଡିତେ ॥ ୪୭
ଇନ୍ଦ୍ରର ସେନାର ଅଗ୍ରତେ । ବଳେ ଓଗାଳିଲେ ତୁରିତେ ॥ ୪୮
ଇନ୍ଦ୍ରଙ୍କ ସେନାର ସମୂହ । କାଳହୁଁ ଅତି ଦୁରାଶୟ ॥ ୪୯
ନିଃଶଙ୍କେ ଦେଇ ସିଂହନାଦ । ପୂରିଲେ ଦାନବ ଦୁର୍ମଦ ॥ ୫୦
ଗଦା ପରିଘ ବାଣ ପ୍ରାସ । ମୁଦ୍‌ଗର ତୋମର ଅଶେଷ ॥ ୫୧
ଶୂଳ ଖଡ଼ଗ ପରଶ୍ୱଧ । ଶତଘ୍ନୀ ଭୂଷଣ୍ଡୀ ଆୟୁଧ ॥ ୫୨
ଏ ଯେତେ ଅସ୍ତ୍ରଶସ୍ତ୍ରମାନ । ଦେବଙ୍କୁ କଲେ ପ୍ରହାରଣ ॥ ୫୩
ଅସୁର-ଶର-ବରଷଣେ । ଦୁଶ୍ୟ ନୁହନ୍ତି ଦେବଗଣେ ॥ ୫୪
ପୁଣ ପୁଣହିଁ ପଡିବାରେ । ନକ୍ଷତ୍ର ଯେସନେ ମେଘରେ ॥ ୫୫
ଯେ ଶସ୍ତ୍ର-ତେଜ ଦାନବର । କିଛି ନ କଲା ଦେବଙ୍କର ॥ ୫୬
ଯେତେ ଅସୁରଙ୍କ ଆୟୁଧ । ସକଳ ଦେବେ କଲେ ଛେଦ ॥ ୫୭
ଏଥୁ ଅନ୍ତରେ ଶୂନ୍ୟହସ୍ତ । ଦାନବେ ଅତ୍ୟନ୍ତ କୋପିତ ॥ ୫୮
ଶିଳାର ସଙ୍ଗେ ଦ୍ରୁମମାନ । ଦେବଙ୍କୁ କଲେ ପ୍ରହାରଣ ॥ ୫୯
ପୁଣିହିଁ ଇନ୍ଦ୍ର-ସୈନ୍ୟଗଣ । ତକ୍ଷଣେ କଲେ ତା ଛେଦନ ॥ ୬୦
ପ୍ରତାପ ଦେଖି ଦେବଙ୍କର । କୋପେ ଦାନବେ ଖରତର ॥ ୬୧
ପୁଣି ପଥର ଘେନି କରେ । ପିଟିଲେ ଦେବଙ୍କ ଉପରେ ॥ ୬୨
ବିବିଧ ଗିରିଶୃଙ୍ଗମାନ । ଦେବଙ୍କୁ କଲେ ପ୍ରହାରଣ ॥ ୬୩
ଦୈତ୍ୟେ ନିଷ୍ଫଳକାର୍ଯ୍ୟ ହୋଇ । ଆତ୍ମା ଦେହକୁ ନିନ୍ଦା ବହି ॥ ୬୪
ଯାହାକୁ ରଖନ୍ତି ଈଶ୍ୱର । ଅସୁରେ କେତେକ ମାତର ॥ ୬୫
ଆତ୍ମାର ଦମ୍ଭ ଯହୁଁ ହତ । ଦେଖି ଅସୁରେ ଭୟଚିତ୍ତ ॥ ୬୬
ସ୍ୱଭାବେ ବିଷ୍ଣୁର ବିମୁଖ । ରଣେ ଲଭିଲେ ମହାଦୁଃଖ ॥ ୬୭
ସ୍ୱାମୀକି ଛାଡି ସଂଗ୍ରାମରେ । ପଳାଇଗଲେ ପ୍ରାଣଡରେ ॥ ୬୮
ବୃତ୍ର ଅସୁର-ଚୂଡାମଣି । ସୈନ୍ୟ ପଳାନ୍ତି ବୋଲି ଜାଣି ॥ ୬୯
ଆପଦ ଦେଖି ବୃତ୍ରାସୁର । କହଇ ବଚନ ମଧୁର ॥ ୭୦
ଅତି ଭୟରେ ରଣ ଛାଡି । ପଳାନ୍ତି ହୋଇ ମଡାମଡି ॥ ୭୧
ଏମନ୍ତ ଦେଖି ବୃତ୍ରାସୁର । ସୈନ୍ୟଙ୍କୁ ବୋଲଇ ଉତ୍ତର ॥ ୭୨
ହେ ବିପ୍ରଚିତ୍ତି ଅନର୍ବନ । ନମୁଚି ଶୁଣ ମୋ ବଚନ ॥ ୭୩
ଜାତ ହୋଇଲେ ଏ ସଂସାର । ମରଣ ଧ୍ରୁବଟି ତାହାର ॥ ୭୪
ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର । ସାର ବୋଲନ୍ତି ଏ ସଂସାର ॥ ୭୫
ବ୍ରହ୍ମ-ଭାବନେ ଦେଇ ଚିତ୍ତ । ଯେ ପ୍ରାଣୀ ପ୍ରାଣ ହୋଏ ହତ ॥ ୭୬
ଯେ ରଣକ୍ଷେତ୍ରେ ପ୍ରାଣ ଦେଇ । ବୀରଶଯ୍ୟାରେ ରହେ ଶୋଇ ॥ ୭୭
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ର ଯୁଦ୍ଧ-ଚରିତ ॥ ୭୮
ସୁଜନେ ଏଣେ କର ଆଶ । ମୁଁ ତୁମ୍ଭ ଦାସଙ୍କର ଦାସ ॥ ୭୯
ଯେ ଏହା ଶ୍ରବଣେ ଶୁଣନ୍ତି । ସକଳ-ପାପକୁ ନାଶନ୍ତି ॥ ୮୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରାସୁର-ଯୁଦ୍ଧବର୍ଣ୍ଣ‌ନଂ
ନାମ ଦଶୁମୋଽଧ୍ୟାୟଃ ॥

•••

ଏକାଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

କହନ୍ତି ଶୁକ-ବ୍ରହ୍ମବେତ୍ତା । ଇନ୍ଦ୍ର-ବୃତ୍ରର ଯୁଦ୍ଧକଥା ॥ ୧
ସ୍ୱାମୀର ଧର୍ମକଥା ଭୃତ୍ୟେ । ଆରତେ ନ ଘେନିଲେ ଚିତ୍ତେ ॥ ୨
ଶୁଣି ସମସ୍ତେ ପଳାଇଲେ । ସଭୟେ ସଂଗ୍ରାମ ଛାଡିଲେ ॥ ୩
କାଳଅନଳ-ତେଜେ ଯେହ୍ନେ । ଅସୁରଙ୍କର ସୈନ୍ୟମାନେ ॥ ୪
କାଳ-ପ୍ରତିକୂଳରୁ କରି । ଅନାଥ ପ୍ରାୟେ ସେ ଆଚରି ॥ ୫
ଗରୁଡ ପନ୍ନଗକୁ ଧରି । ତେସନେ ଦେବେ ଦୈତ୍ୟ ମାରି ॥ ୬
ସକଳେ ଇତସ୍ତତଃ ହୋଇ । ପଳାନ୍ତି ପ୍ରାଣଭୟ ପାଇ ॥ ୭
ଏମନ୍ତ ଦେଖି ସୈନ୍ୟଗଣ । ଅସୁର କୋପ ଗରୁଟାଣ ॥ ୮
ଦେବଙ୍କୁ ଆବୋରି ଆପଣେ । ଭର୍ତ୍ସନା କରଇ ବହନେ ॥ ୯
ପଳାଉଛନ୍ତି ଯେ ଅସୁର । ତାଙ୍କୁ ପଛରୁ କିମ୍ପା ମାର ॥ ୧୦
ଭୟେ ପଳାନ୍ତି ଯେଉଁଜନ । ତାଙ୍କ ବଧ କି ଭଲ ମଣ ॥ ୧୧
ଏମନ୍ତ ବଳବନ୍ତଙ୍କର । ସ୍ୱର୍ଗ-ପ୍ରାପତି ଯେ ଦୁସ୍ତର ॥ ୧୨
ଏତେ ବୋଲିଣ ତାଙ୍କୁ କହି । ଦେବଗଣଙ୍କୁ କ୍ରୋଧ ବହି ॥ ୧୩
ଆତ୍ମ-ଶରୀର ପ୍ରକାଶିଲା । ଦେବଙ୍କୁ ଭୟ ଦେଖାଇଲା ॥ ୧୪
ଅସୁର କଲା ଘୋରନାଦ । ବ୍ରହ୍ମାଣ୍ଡେ ପୂରିଲା ଶବଦ ॥ ୧୫
ଲୋକେ ହୋଇଲେ ହତଜ୍ଞାନ । ଦେବେ ଶୁଣିଲେ ତାର ସ୍ୱନ ॥ ୧୬
ସେ ନାଦ ଶୁଣି ଦେବଗଣେ । ମୂର୍ଚ୍ଛିତ ହୋଇ ହତଜ୍ଞାନେ ॥ ୧୭
ବିକଳେ ପଡିଲେ ଭୂମିରେ । ବଜ୍ର ପଡିଲା ଯେହ୍ନେ ଶିରେ ॥ ୧୮
ଚକ୍ଷୁ ବୁଜିଣ ଦେବଗଣେ । ପଡି ଅଛନ୍ତି ଘୋରରଣେ ॥ ୧୯
ଦ୍ୱର୍ମଦ ରଣରଙ୍ଗେ ବୀର । ପାଦେ ମର୍ଦ୍ଦିଲା ବୃତ୍ରାସୁର ॥ ୨୦
ଅବନୀ କମ୍ପେ ପାଦଭରେ । ଶୂଳ ଘେନିଣ ନିଜ କରେ ॥ ୨୧
ଭ୍ରମଇ ସଂଗ୍ରାମ-ଭୂମିରେ । ଯେସନେ ମତ୍ତ-କରିବରେ ॥ ୨୨
ତାହାକୁ ଦେଖି ବଜ୍ରଧର । କୋପେ କମ୍ପଇ ଥରହର ॥ ୨୩
ମହାଗଦାରେ ଦେବବର । ବୃତ୍ରକୁ କଲେ ସେ ପ୍ରହାର ॥ ୨୪
ଦୁଃସହ-ଗଦା ଆସିବାରେ । ବୃତ୍ର ଧଇଲା ବାମକରେ ॥ ୨୫
ଇନ୍ଦ୍ରର ଗଦା ଘେନି କର । ସେହି ଗଦାରେ ବୃତ୍ରାସୁର ॥ ୨୬
ଐରାବତର କୁତ୍ସସ୍ଥଳେ । ଦାନବ ପ୍ରହାରିଲା ବଳେ ॥ ୨୭
ତାହାର ଏ କର୍ମ ଦେଖିଣ । ସକଳେ କଲେ ଧନ୍ୟ ଧନ୍ୟ ॥ ୨୮
ବୃତ୍ର ଗଦାରେ ଐରାବତ । ବଜ୍ରରେ ଯେହ୍ନେ ଗିରିହତ ॥ ୨୯
ରଣେ ସେ ବିମୁଖ ହୋଇଲା । ଇନ୍ଦ୍ରକୁ ଘେନି ବାହୁଡିଲା ॥ ୩୦
ଅତ୍ୟନ୍ତ ହୋଇଣ ଆରତ । ବାହୁଡିଗଲା ଧନୁସାତ ॥ ୩୧
ଚକିତେ ହୋଇ ଛନ୍ନଚିତ୍ତ । ଏମନ୍ତେ ଦେବ ପୁରହୂତ ॥ ୩୨
ବୃତ୍ର ଅସୁର ପୁନର୍ବାର । ଇନ୍ଦ୍ରକୁ ନ କଲା ପ୍ରହାର ॥ ୩୩
ଇନ୍ଦ୍ର ଅମୃତସ୍ରାବୀ କର । ଦେଇଣ ହସ୍ତୀ କୁମ୍ଭସ୍ଥଳ ॥ ୩୪
ଆଶ୍ୱାସ କରି ଦେବବର । ରହିଲେ ବୃତ୍ରର ଆଗର ॥ ୩୫
ସଂଗ୍ରାମ କରିବାରେ ଆଶେ । ଇନ୍ଦ୍ରକୁ ଦେଖି ନିଜ ପାଶେ ॥ ୩୬
ଭ୍ରାତାର ହନ୍ତା ବଜ୍ରାୟୁଧ । ଦେଖି ଅସୁର କଲା କ୍ରୋଧ ॥ ୩୭
ସ୍ମରଣ କଲା ଭ୍ରାତୃନାଶ । ଶୋକ-ମୋହେ ହୋଇ ବିରସ ॥ ୩୮
ବୋଲଇ ଇନ୍ଦ୍ର ମୋ ବଚନ । ଶୁଣ ତୁ ହୋଇ ସାବଧାନ ॥ ୩୯
ଭାଗ୍ୟବଶରୁ ତୁ ମୋହର । ସଂଗ୍ରାମେ ମିଳିଲୁ ଛାମୁର ॥ ୪୦
ମୋହର ଭ୍ରାତୃନାଶକାରୀ । ଆଜ ନାଶିବି ତୋର ଶିରୀ ॥ ୪୧
ମୋହର ଶୂଳେ ହୃଦ ତୋର । ନିଶ୍ଚୟେ କରିବି ବିଦାର ॥ ୪୨
ଯେଉଁ କାରଣେ ମୋ ଅଗ୍ରଜ । ଅପାପୀ ଆତ୍ମଜ୍ଞାନୀ ଦ୍ୱିଜ ॥ ୪୩
ଖଡ଼ଗେ କରି ତୋର ଶିର । ଛେଦିଲୁ ତୁହି ଦୁରାଚାର ॥ ୪୪
ପଶୁର ପ୍ରାୟେକ ମାଇଲୁ । ସ୍ୱର୍ଗଭୋଗକୁ ବାଞ୍ଛା କଲୁ ॥ ୪୫
ଲଜ୍ଜା ସମ୍ପଦ ଦୟା କୀର୍ତ୍ତି । ସବୁ ଛାଡିଲୁ ମୂଢ଼ମତି ॥ ୪୬
ମୋର ତ୍ରିଶୂଳେ ତୋ ଶରୀର । ନାଶ ହୋଇବ ଦୁରାଚାର ॥ ୪୭
ଅଗ୍ନି ନ କରିବ ଦହନ । ଖାଇବେ ଗୃଧ୍ର କୃମି ଶ୍ୱାନ ॥ ୪୮
ଯେତେ ତୋ ସଙ୍ଗେ ଦୁଷ୍ଟଜନେ । ଶସ୍ତ୍ର ଧରିଣଛନ୍ତି ରଣେ ॥ ୪୯
ଯେ ମୋତେ ପ୍ରହାରକୁ କଲେ । ତାହାଙ୍କୁ ଛାଡ଼ିବି କି ଭଲେ ॥ ୫୦
ତ୍ରିଶୂଳ କରିଣ ପ୍ରହାର । କନ୍ଧ ଛେଦିବି ଏହାଙ୍କର ॥ ୫୧
ଏଥୁଉତ୍ତାରେ ପାଇ ଜ୍ଞାନ । ଇନ୍ଦ୍ରକୁ ବୋଲଇ ବଚନ ॥ ୫୨
ଭୋ ଇନ୍ଦ୍ର ଦେବଙ୍କ ଠାକୁର । କୁଳିଶେ ମୋର ଶିର ହର ॥ ୫୩
ଆତ୍ମାକୁ ବଳି ମୁହିଁ ଦେବି । ଶ୍ରୀକୃଷ୍ଣ-ଚରଣ ଭଜିବି ॥ ୫୪
ଭୋ ଦେବ ଦେବଙ୍କ ଈଶ୍ୱର । ବଜ୍ର କିମ୍ପାଇଁ ନ ପ୍ରହାର ॥ ୫୫
ଅଗ୍ରେ ଯେ ଅଛି ଉଭା ହୋଇ । ସଂଶୟ କର କାହିଁପାଇଁ ॥ ୫୬
ଗଦା ପ୍ରାୟେ ବଜ୍ର ନ ମଣ । ବଜ୍ର ମୋ ମରଣ କାରଣ ॥ ୫୭
ଆପଣା ତେଜେ ବଜ୍ରଧର । ଦେବଙ୍କ ଅଇରି ସଂହାର ॥ ୫୮
ବିଷ୍ଣୁ-ଯନ୍ତ୍ରିତ ଦେବବର । ବିଜୟ ହୋଇବ ତୁମ୍ଭର ॥ ୫୯
ସଙ୍କରଷଣ ଯଥୋଚିତେ । ଯାହା ସେ କହିଛନ୍ତି ମୋତେ ॥ ୬୦
ଶ୍ରୀକୃଷ୍ଣ-ପାଦପଙ୍କଜରେ । ମନ ମୁଁ ନିବେଶିବି ସ୍ଥିରେ ॥ ୬୧
ତୁମ୍ଭର ବଜ୍ରରେ ମୋହର । ହୋଇବ ମୋହପାଶ ଦୂର ॥ ୬୨
ଯେ ଗତି ଯୋଗୀ ଯୋଗେପାଇ । ସେ ଗତି ପାଇବଇଁ ମୁହିଁ ॥ ୬୩
ତିନିଭୁବନ ପ୍ରାଣୀଙ୍କର । ବହୁତ ସମ୍ପଦ ଯାହାର ॥ ୬୪
ଉଦ୍‌‌ବେଗ ଆଧି ଗର୍ବ ଆର । କଳତ୍ର ସ୍ନେହ ଯେ ଅପାର ॥ ୬୫
ତ୍ରିବର୍ଗ ଦୁଃଖ ଭକ୍ତଙ୍କର । ନାଶନ୍ତି ପ୍ରଭୁ ଚକ୍ରଧର ॥ ୬୬
ଦୁର୍ଲ୍ଲଭ ଯେ ପ୍ରଭୁ ପ୍ରସାଦ । ତେଣୁ ଲଭନ୍ତି ଅପ୍ରମାଦ ॥ ୬୭
ଭୋ ପ୍ରଭୁ ତୁମ୍ଭ ପଦ୍ମପାଦେ । ଭୃତ୍ୟର ଭୃତ୍ୟ ମୁଁ ଆନନ୍ଦେ ॥ ୬୮
ହୋଇବି ଏ ମୋହର ମନ । ସେବା କରିବି ଅନୁକ୍ଷଣ ॥ ୬୯
କୀର୍ତ୍ତନ-କର୍ମ ଯେ ତୁମ୍ଭର । କରୁ ମୋ ବଚନ ଶରୀର ॥ ୭୦
ସ୍ୱର୍ଗଲୋକରେ ଇନ୍ଦ୍ର ପଦ । ବ୍ରହ୍ମଲୋକେ ବ୍ରହ୍ମସମ୍ପଦ ॥ ୭୧
ପାତାଳଭୋଗ ଯୋଗ ଯେହି । ସପତଦ୍ୱୀପେ ରାଜାହୋଇ ॥ ୭୨
ଏଣେ ମୋହର ନାହିଁ ଇଚ୍ଛା । ତୋ ପାଦସେବାରେ ମୋ ବାଞ୍ଛା ॥ ୭୩
ଯୋଗସିଦ୍ଧି ଅବା ମୋକ୍ଷରେ । କାର୍ଯ୍ୟ ମୋ ନାହିଁ ଏହାଙ୍କରେ ॥ ୭୪
ଏକାନ୍ତଭକ୍ତି ତୁମ୍ଭ ପାଦ । ବାଞ୍ଛା କରଇ ଚକ୍ରାୟୁଧ ॥ ୭୫
ଅଜାତପକ୍ଷ-ଖଗ ଯେହ୍ନେ । ମାତା ଲୋଡ଼ଇ ଅନୁକ୍ଷଣେ ॥ ୭୬
କ୍ଷୁଧାର୍ତ୍ତ ହୋଇଣ ବାଛୁରୀ । ମାତାସ୍ତନକୁ ଇଚ୍ଛା କରି ॥ ୭୭
ପ୍ରବାସୀ-ପତି-ପ୍ରିୟା ଯେହ୍ନେ । ଲୋଡ଼ଇ ମୋ ମନ ତେସନେ ॥ ୭୮
ଭୋ ପ୍ରଭୁ କମଳଲୋଚନ । ତୋ ପାଦେ ରହୁ ମୋର ମନ ॥ ୭୯
ଆପଣା କର୍ମବନ୍ଧେ ଜଡି । ସଂସାରଚକ୍ରେ ଅଛି ପଡି ॥ ୮୦
ଏମନ୍ତ ପାପୀ ମୁହିଁ ଯହୁଁ । ଉତ୍ତମଲୋକ ସଙ୍ଗ ହେଉ ॥ ୮୧
ଯେ ଗୃହବନ୍ଧ-ପାଶ ମୋର । ଭୋ ନାଥ ଛେଦ ଦାମୋଦର ॥ ୮୨
ଦାରା-ତନୟ-ଗୃହେ ମୋର । ଭୋ ନାଥ ମନ ମୋ ନକର ॥ ୮୩
ଅସୁରବାଣୀ ସୁଧାମୟ । ଶୁଣି ସକଳ ପାପକ୍ଷୟ ॥ ୮୪
ଭୁବନମଙ୍ଗଳ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୮୫
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ରାସୁର ଚରିତ ॥ ୮୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରସ୍ୟ ଇନ୍ଦ୍ରାେପଦେଶୋ
ନାମ ଏକାଦଶୋଽଧ୍ୟାୟଃ ॥

•••

ଦ୍ୱାଦଶ ଅଧ୍ୟାୟ[ସମ୍ପାଦନା]

ଶୁକ କହନ୍ତି ହରଷିତ । ଇନ୍ଦ୍ର - ବୃତ୍ରାସୁର ଚରିତ ॥ ୧

ଶୁକ ଉବାଚ[ସମ୍ପାଦନା]

ଏମନ୍ତେ ସଂଗ୍ରାମେ ଅସୁର । ଛାଡିବ ବୋଲି କଳେବର ॥ ୨
ଜୟରୁ ଭଲ ମୋ ମରଣ । ମନରେ କଲା ହେ ରାଜନ ॥ ୩
ଶୂଳ ଧରିଣ ବୃତ୍ରାସୁର । ଧାଇଁଲା ଇନ୍ଦ୍ରର ଉପର ॥ ୪
ଯେମନ୍ତେ କଇଟଭ ବୀର । ଧାଇଁଲା ବିଷ୍ଣୁଙ୍କ ଉପର ॥ ୫
ଯୁଗାନ୍ତଅଗ୍ନିପ୍ରାୟ ତେଜେ । ସେ ଶୂଳ ଅତ୍ୟନ୍ତ ବିରାଜେ ॥ ୬
ବୃତ୍ର ଅସୁରଚୂଡାମଣି । ଇନ୍ଦ୍ରଙ୍କୁ ପ୍ରହାରିଲା ଆଣି ॥ ୭
ଘୋରଶବଦ ରୋଷେ କଲା । ପାପିଷ୍ଠ ମଲୁ ତୁ ବୋଇଲା ॥ ୮
ଆକାଶୁ ଗ୍ରହ-ଉଲ୍କାମାନ । ଖସି ପଡିଲେ ତତକ୍ଷଣ ॥ ୯
ଦୁର୍ଜୟ ଦେଖିଣ ଅସୁର । ଭୟେ କମ୍ପିଲେ ସୁରନର ॥ ୧୦
ବଜ୍ର ଧରିଣ ଦେବରାଜ । ଛେଦିଲେ ତାର ଏକଭୁଜ ॥ ୧୧
ପରିଘ ଘେନି ଆରକରେ । ଧାଇଁଲା ଇନ୍ଦ୍ରର ଉପରେ ॥ ୧୨
କ୍ରୋଧରେ ପରିଘ ଉଞ୍ଚାଇ । ଇନ୍ଦ୍ରକୁ ପ୍ରହାରିଲା ନେଇ ॥ ୧୩
ଇନ୍ଦ୍ରହସ୍ତୁ ବଜ୍ର ଖସିଲା । ଅଧୋଭୂମିରେ ସେ ପଡିଲା ॥ ୧୪
ଅଦ୍ଭୁତ ଦେଖି ବୃତ୍ରକର୍ମ । ସୁର ଚାରଣ ସିଦ୍ଧଗଣ ॥ ୧୫
ସକଳେ କଲେ ଧନ୍ୟ ଧନ୍ୟ । ଇନ୍ଦ୍ର ସଙ୍କଟେ ଛନ୍ନ ମନ ॥ ୧୬
ଯେତେକ ସୈନ୍ୟ ଇନ୍ଦ୍ରଙ୍କର । ସକଳେ କଲେ ହାହାକାର ॥ ୧୭
ଲଜ୍ଜାରେ ବୃତ୍ରର ଅଗ୍ରତେ । ବଜ୍ର ନ ନେଲେ ଇନ୍ଦ୍ର ହସ୍ତେ ॥ ୧୮
ଇନ୍ଦ୍ରଙ୍କୁ ଚାହିଁ ବୃତ୍ରାସୁର । ବଚନ କହଇ ମଧୁର ॥ ୧୯

ବୃତ୍ର ଉବାଚ[ସମ୍ପାଦନା]

ମନରେ ବିଷାଦ ନ କର । ବଜ୍ର ଧରିଣ ବେଗେ ମାର ॥ ୨୦
ଯୁଦ୍ଧ ଇଚ୍ଛଇ ଯେଉଁ ନର । ଦୁସ୍ତର ଜୟଟି ତାହାର ॥ ୨୧
ଯେ ଜନ ରଣେ ଭୀତ ହୋଇ । ଜୟର ଲେଶ ତାର ନାହିଁ ॥ ୨୨
ଉତ୍ପତ୍ତି-ପାଳନ-ସଂହାର । ଯେ ପ୍ରଭୁ ଏହାଙ୍କ ଈଶ୍ୱର ॥ ୨୩
ସର୍ବଜ୍ଞ ଆଦି ସନାତନ । ଅଖିଳ-ପୁରୁଷ ପୁରାଣ ॥ ୨୪
ତା ବିନୁ ଜୟ ବା ଅଜୟ । କାହାର ବୋଲେ ହୋଇ କହ ॥ ୨୫
ଯେ ପ୍ରଭୁ ଅଖିଳର ଈଶ । ଅଖିଳଲୋକ ଯାର ବଶ ॥ ୨୬
କାଳସ୍ୱରୂପ ଯେ ଈଶ୍ୱର । ମୃତ୍ୟୁ ଅମୃତ୍ୟୁ ରୂପଧର ॥ ୨୭
ସକଳ ହେତୁ ସେ ଅଟଇ । ତାହାଙ୍କୁ ଅଜ୍ଞ ନ ଜାଣଇ ॥ ୨୮
କାଷ୍ଠର ପିତୁଳୀ ଯେସନ । ଜଗତ ତାହାର ଭିଆଣ ॥ ୨୯
ଯେମନ୍ତେ ଯନ୍ତ୍ରମୟ-ମୃଗ । ପ୍ରାଣୀ ତା ବଶେ ମହାଭାଗ ॥ ୩୦
ପ୍ରକୃତି-ପୁରୁଷ ଯେ ଦୁଇ । ତା ବିନୁ ଜଡପ୍ରାୟେ ହୋଇ ॥ ୩୧
ସୃଷ୍ଟିକରତା ଅବା କେହି । ତା ବିନୁ ଯେତେକ ଅଛଇ ॥ ୩୨
ସକଳ ଆତ୍ମାରୂପ ସେହି । ଅଜ୍ଞାନୀ ଜାଣିବ ବା କାହିଁ ॥ ୩୩
ସେହି ପ୍ରାଣୀଙ୍କି ସୃଷ୍ଟିକରି । ପ୍ରତିପାଳନକୁ ଆଚରି ॥ ୩୪
ଗ୍ରାସଇ କାଳରୂପ ହୋଇ । ଧର୍ମ-ଅଧର୍ମ ରୂପ ସେହି ॥ ୩୫
ଆୟୁ ସମ୍ପଦ କୀର୍ତ୍ତି ଯେତେ । ପ୍ରାଣୀର ହୁଅଇ ଯୁଗତେ ॥ ୩୬
ସେ ଯାକୁ ପ୍ରସନ୍ନ ହୁଅଇ । ଅଷ୍ଟ ଐଶ୍ୱର୍ଯ୍ୟ ତାର ହୋଇ ॥ ୩୭
ସୁଖ ଦୁଃଖ ମୃତ୍ୟୁ ଜୀବିତ । ଏ ସର୍ବ ଈଶ୍ୱର-ଆୟତ୍ତ ॥ ୩୮
ଏ ଘେନି ଇନ୍ଦ୍ର ସମ ହୁଅ । ହର୍ଷ-ବିଷାଦକୁ ନ ପାଅ ॥ ୩୯
ସେ ସତ୍ତ୍ୱ ରଜ ତମ ଜାଣ । ପ୍ରକୃତିଗୁଣ ଏ ପ୍ରମାଣ ॥ ୪୦
ଆତ୍ମାଟି ସାକ୍ଷୀ ବୋଲି ଜାଣ । ସେ ଯାକୁ ହୁଅଇ ପ୍ରସନ୍ନ ॥ ୪୧
ସଂସାରେ ବଦ୍ଧ ସେ ନୁହଇ । ସକଳ ପାପୁଁ ସେ ତରଇ ॥ ୪୨
ରଣରେ ଛିନ୍ନଭୁଜ ହୋଇ । ଭୋ ଇନ୍ଦ୍ର ଦେଖ ମୁଁ ଅଛଇ ॥ ୪୩
ଜୟ ବା ଅଜୟ କାହାର । ଜାଣିବ କେ ବିନା ଈଶ୍ୱର ॥ ୪୪
ଶରସମୂହ ପଶାକାଠି । ଏ ଚତୁରଙ୍ଗବଳ ଗୋଟି ॥ ୪୫
ଜୀବନ ହୁଡ଼ ଜୁଆ ରଣେ । କେ ଜାଣି କେ ହାରେ କେ ଜିଣେ ॥ ୪୬

ଶୁକ ଉବାଚ[ସମ୍ପାଦନା]

ଶୁଣ ପରୀକ୍ଷ ନୃପମଣି । ବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି ॥ ୪୭
ବୃତ୍ରକୁ ଧନ୍ୟ ଧନ୍ୟ କରି । ହସି ବୋଇଲେ ବଜ୍ରଧାରୀ ॥ ୪୮

ଇନ୍ଦ୍ର ଉବାଚ[ସମ୍ପାଦନା]

ଆହେ ଦାନବ ସିଦ୍ଧ ତୁହି । ତେଣୁ ତୋ ସିଦ୍ଧମତି ହୋଇ ॥ ୪୯
ସକଳ-ଆତ୍ମାର ଈଶ୍ୱର । ଭଜିଲୁ ଚରଣ ତାଙ୍କର ॥ ୫୦
ଜଗମୋହିନୀ-ବିଷ୍ଣୁ ମାୟା । ଦାନବ ଛେଦିଲୁ ତୁ ତାହା ॥ ୫୧
ଅଇରିଭାବ କରି ଦୂର । କଲୁ ତୁ ସ୍ୱର୍ଲୋକ ଆଚାର ॥ ୫୨
ଅହୋ ଆଶ୍ଚର୍ଯ୍ୟ ବଡ଼ ମୋର । ସ୍ୱଭାବେ ରଜଗୁଣ ତୋର ॥ ୫୩
ଅଖିଳବ୍ରହ୍ମାଣ୍ତର ପତି । ତା ତହିଁ ତୋର ଦୃଢ଼ମତି ॥ ୫୪
ପରମବହ୍ମ ହରି ଯେହି । ତା ତହିଁ ଯାର ଭକ୍ତି ହୋଇ ॥ ୫୫
ଅମୃତସିନ୍ଧୁରେ ସେ ଜନ । କ୍ରୀଡା କରିବ ଅନୁକ୍ଷଣ ॥ ୫୬
କି କାର୍ଯ୍ୟ କୂପଜଳେ ତାର । ସେ ସ୍ୱର୍ଗଭୋଗଟି ଅସାର ॥ ୫୭

ଶୁକ ଉବାଚ[ସମ୍ପାଦନା]

ଅନ୍ୟୋନ୍ୟେ ଧର୍ମକୁ କହିଲେ । ପୁଣି ହିଁ ଯୁଦ୍ଧ ଆରମ୍ଭିଲେ ॥ ୫୮
ସମ୍ମୁଖେ ବୀର ଦୁଇଜଣ । କରି ଲାଗିଲେ ଘୋରରଣ ॥ ୫୯
ବୃତ୍ର ପରିଘ କରେ ଲଇ । ଇନ୍ଦ୍ରକୁ ପ୍ରହାରିଲା ଧାଇଁ ॥ ୬୦
ପରିଘ ଘେନି ବାମକରେ । ଶବଦ କଲା ମହାଘୋରେ ॥ ୬୧
କର ପରିଘ ଏକାବେଳେ । ଇନ୍ଦ୍ର ଛେଦିଲେ ଅବହେଳେ ॥ ୬୨
ବୃତ୍ରର ଗଲା ଦୁଇକର । ରକତେ ହୋଏ ଜରଜର ॥ ୬୩
ପକ୍ଷ ଛିଡ଼ନ୍ତେ ବଜ୍ରାଘାତେ । ଯେସନେ ଦିଶନ୍ତି ପର୍ବତେ ॥ ୬୪
ଆୟୁଧ ଭୁଜ ଯହୁଁ ଗଲା । ସେ ବୃତ୍ର ମହାକ୍ରୋଧ କଲା ॥ ୬୫
ଅଧର ଚାପି କ୍ରୋଧଭର । ଶରୀର ବିସ୍ତାରେ ଅସୁର ॥ ୬୬
ଅଧର ହନୁ ତା ଭୂମିରେ । ଉପର ହନୁ ତା ସ୍ୱର୍ଗରେ ॥ ୬୭
ଆକାଶ ଗଭୀର ମୁଖରେ । ଲିହଇ କଠୋର ଜିହ୍ୱାରେ ॥ ୬୮
କାଳର ପ୍ରାୟେ ଦନ୍ତମାନ । ଗ୍ରାସିବ ଯେହ୍ନେ ତ୍ରିଭୁବନ ॥ ୬୯
ଅତ୍ୟନ୍ତ ଶରୀର ବିସ୍ତାରି । ଧାମଇଁ ଯେହ୍ନେ ମହାଗିରି ॥ ୭୦
ପାଦେ ଅବନୀ କମ୍ପାଇଲା । ଇନ୍ଦ୍ରର ନିକଟେ ମିଳିଲା ॥ ୭୧
ଇନ୍ଦ୍ରକୁ ଗଜେନ୍ଦ୍ର ସହିତ । ଗିଳିଲା ବୃତ୍ର ମହାଦୈତ୍ୟ ॥ ୭୨
ସ୍ୱଭାବେ ଗିଳିଲା ଅସୁର । ଗଜକୁ ଯେହ୍ନେ ସର୍ପବର ॥ ୭୩
ଦେଖି ଇନ୍ଦ୍ରକୁ ଗିଳିବାର । ବ୍ରହ୍ମାଦି ଯେତେ ସୁରନର ॥ ୭୪
ସକଳେ କଲେ ହାହାକାର । ଇନ୍ଦ୍ରକୁ ଗିଳିଲା ଅସୁର ॥ ୭୫
ଅସୁର-ଉଦରରେ ଥାଇ । ନାଶ ନୋହିଲା ସୁରସାଇଁ ॥ ୭୬
ମହାପୁରୁଷ ଧ୍ୟାନ କରି । ଯୋଗମାର୍ଗକୁ ସେ ଆବୋରି ॥ ୭୭
ପେଟଚିରିଲେ ବଜ୍ରେ ତାର । ଗର୍ଭରୁ ହୋଇଲେ ବାହାର ॥ ୭୮
ଆପଣାବଳେ ଦେବବର । ବଜ୍ରେ ଛେଦିଲେ ତାର ଶିର ॥ ୭୯
ବଜ୍ରହିଁ ଅତିବେଗେ ଗଲା । କନ୍ଧରୁ ମସ୍ତକ କାଟିଲା ॥ ୮୦
ସମ୍ପୂର୍ଣ୍ଣ ସମ୍ବତ୍ସର କାଳେ । ଶିର ତା ପଡିଲାକ ତଳେ ॥ ୮୧
ଆକାଶେ ଦୁନ୍ଦୁଭି ତକ୍ଷଣେ । ଶବଦ କଲେ ଦେବଗଣେ ॥ ୮୨
ସିଦ୍ଧ-ଗନ୍ଧର୍ବ-ଋଷିଗଣେ । ଆନନ୍ଦେ ହରଷିତ ମନେ ॥ ୮୩
ବୃତ୍ରଶତ୍ରୁକୁ ସ୍ତୁତିକଲେ । ହରଷେ ପୁଷ୍ପ ବରଷିଲେ ॥ ୮୪
ବୃତ୍ରର ତହୁଁ ଜ୍ୟୋତିରୂପ । ବାହାର ହୋଇଲା ହେ ନୃପ ॥ ୮୫
ସକଳେ ଦେଖୁଥିଲେ ରହି । ସାଲୋକ୍ୟ ପାଇଲା ସେ ତହିଁ ॥ ୮୬
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ର-ଯୁଦ୍ଧ-ବୃତ୍ତାନ୍ତ ॥ ୮୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରବଧୋ ନାମ
ଦ୍ୱାଦଶୋଽଧ୍ୟାୟଃ ॥

•••

ତ୍ରୟୋଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ବୃତ୍ର ହୋଇଲା ଯହୁଁ ହତ । ଶୁଣି ହରଷ ତ୍ରିଜଗତ ॥ ୧
ଯେତେ ଏ ଦିଗପାଳଗଣ । ନିଶ୍ଚିନ୍ତ ହୋଇଲେ ତକ୍ଷଣ ॥ ୨
ଇନ୍ଦ୍ରର ବିନୁ ଯେତେ ଜନ । ହରଷ ହୋଇଲେ ରାଜନ ॥ ୩
ଅମର ଦେବଋଷିଗଣ । ପିତୃ ଦୈବତ ଯେତେ ପୁଣ ॥ ୪
ବ୍ରହ୍ମା ଶଙ୍କର ବଜ୍ରଧର । ଗଲେ ସେ ଯେ ଯାହା ମନ୍ଦିର ॥ ୫

ରାଜା ଉବାଚ[ସମ୍ପାଦନା]

ଭୋ ମୁନି ହୁଅ ସାବଧାନ । ଏହା ଶୁଣିବାକୁ ମୋ ମନ ॥ ୬
କିମ୍ପା ହରଷ ଦେବଗଣେ । ଇନ୍ଦ୍ର ବିଷାଦ କି କାରଣେ ॥ ୭
କିମ୍ପାଇଁ ତାଙ୍କ ଦୁଃଖମନ । କହିବ ମୋତେ ତପୋଧନ ॥ ୮
କହିବା ଏଥିର କାରଣ । ନମଇଁ ତୁମ୍ଭର ଚରଣ ॥ ୯

ଶୁକ ଉବାଚ[ସମ୍ପାଦନା]

ବୃତ୍ର ବିକ୍ରମ ଦେଖି ଦେବେ । ମହତ ଋଷି ଆଦି ସର୍ବେ ॥ ୧୦
କହିଲେ ଇନ୍ଦ୍ରଙ୍କୁ ସେ ଯାଇ । ଭୟେ ଉଦ୍ଦେଗ ମନ ହୋଇ ॥ ୧୧
ଭୋଦେବଦେବଙ୍କ ଈଶ୍ୱର । ବୃତ୍ର ଅସୁରକୁ ସଂହର ॥ ୧୨
ବୃତ୍ର ଯେ ବ୍ରାହ୍ମଣକୁମର । ଇନ୍ଦ୍ର ନ କଲେ ସିଉକାର ॥ ୧୩

ଇନ୍ଦ୍ର ଉବାଚ[ସମ୍ପାଦନା]

ଯେବେ ମାରିଲି ବିଶ୍ୱରୂପ । ଘେନିଲି ବ୍ରହ୍ମହତ୍ୟା ପାପ ॥ ୧୪
ଭୂ ଜଳ ସ୍ତିରୀ ଦ୍ରୁମମାନେ । ପାପ ଘେନିଲେ ବିଦ୍ୟମାନେ ॥ ୧୫
ଏବେ ବୃତ୍ରକୁ ବିନାଶିବି । କେମନ୍ତେ ପାପୁଁ ନିସ୍ତରିବି ॥ ୧୬

ଶୁକ ଉବାଚ[ସମ୍ପାଦନା]

ଇନ୍ଦ୍ରବଚନେ ଋଷିଗଣ । ଶୁଣି ସେ କହନ୍ତି ବଚନ ॥ ୧୭

ଋଷିଗଣ ଉବାଚ[ସମ୍ପାଦନା]

ଅଶ୍ୱମେଧ-ଯଜ୍ଞକୁ କରି । ଏ ପାପ ନାଶିବୁ ତୋହରି ॥ ୧୮
ମହାପୁରୁଷ ଆତ୍ମାପର । ଅଖିଳ-ଜଗତ-ଈଶ୍ୱର ॥ ୧୯
ଯେ ଦେବ ପ୍ରଭୁ ନାରାୟଣ । ଯଜ୍ଞରେ କରାଇ ପ୍ରସନ୍ନ ॥ ୨୦
ବୃତ୍ରର ବଧୁ ଦେବବର । ଅବହେଳାରେ ହେବୁ ପାର ॥ ୨୧
ବ୍ରାହ୍ମଣ ଗୁରୁ ପିତାମାତା । ଯେ ଜନ ଆଚାର୍ଯ୍ୟର ହନ୍ତା ॥ ୨୨
ଶ୍ୱାନକୁ ଖାଇ ଅବା ଯେହୁ । ଶୁଣ କହିବା ମହାବାହୁ ॥ ୨୩
ଯେବା ବୃଷଳୀପତି ହୋଇ । ସୁରାପାନ ଯେବା କରଇ ॥ ୨୪
ଗୋବିନ୍ଦନାମ ଯେହୁ ଧରେ । ଏ ସର୍ବ ପାପୁଁ ସେହୁ ତରେ ॥ ୨୫
ମହାଯଜ୍ଞକୁ କରି ତୁହି । ଜପିବୁ ପ୍ରଭୁ ଭାବଗ୍ରାହୀ ॥ ୨୬
ତାଙ୍କ ପ୍ରସନ୍ନେ ଦେବବର । ଦୁରିତ କେତେକ ମାତର ॥ ୨୭

ଶୁକ ଉବାଚ[ସମ୍ପାଦନା]

ଶୁଣିଣ ଋଷିଙ୍କ ବଚନ । ଶତ୍ରୁ ମାଇଲେ ମଘବାନ ॥ ୨୮
ତକ୍ଷଣେ ବ୍ରହ୍ମହତ୍ୟା ଗଲା । ଇନ୍ଦ୍ରଦେବଙ୍କୁ ଆଶ୍ରେ କଲା ॥ ୨୯
ତାହାଙ୍କୁ ଦେଖି ଦୁଃଖ ପାଇ । ଦେବେନ୍ଦ୍ର ଗଲାକ ପଳାଇ ॥ ୩୦
ଚାଣ୍ଡାଳୀ ରୂପକୁ ଧଇଲା । ଇନ୍ଦ୍ରର ପଛେ ଗୋଡାଇଲା ॥ ୩୧
ବୃଦ୍ଧାରୂପକୁ ଧରି ସେହି । ଯକ୍ଷ୍ମାରୋଗରେ ଗ୍ରସ୍ତହୋଇ ॥ ୩୨
ଶୋଣିତପ୍ରାୟେ ବସ୍ତ୍ର ତାର । ବିବର୍ଣ୍ଣ କେଶ ମସ୍ତକର ॥ ୩୩
ରହ ରହ ବୋଲି ଡାକଇ । ଆମିଷଗନ୍ଧ ତାର ଦେହୀ ॥ ୩୪
ଆକାଶେ ସକଳଦିଗରେ । ଇନ୍ଦ୍ର ପଳାନ୍ତି ଖରତରେ ॥ ୩୫
ଉତ୍ତରଦିଗକୁ ସେ ଗଲେ । ମାନସରୋବରେ ଲୁଚିଲେ ॥ ୩୬
ପୁଷ୍କରନାଳେ ଦେବବର । ଚଞ୍ଚଳମନ କରି ସ୍ଥିର ॥ ୩୭
ସହସ୍ରସମ୍ଭତ୍ସର ତହିଁ । ବ୍ରହ୍ମଭାବନେ ମନ ଦେଇ ॥ ୩୮
ବ୍ରହ୍ମବଧରୁ ମୋକ୍ଷ ପାଇଁ । ରହିଲେ ନିରାହାର ହୋଇ ॥ ୩୯
ତାବତ ନହୁଷରାଜନ । ସ୍ୱର୍ଗରେ କଲେ ଇନ୍ଦ୍ରପଣ ॥ ୪୦
ବିଦ୍ୟା ତପସ୍ୟା ଯୋଗବଳେ । ସ୍ୱର୍ଗସମ୍ପଦ ଭୋଗକରେ ॥ ୪୧
ଐଶ୍ୱର୍ଯ୍ୟ ସମ୍ପଦଭୋଗରେ । ନହୁଷ ମଦାନ୍ଧବୁଦ୍ଧିରେ ॥ ୪୨
ଇନ୍ଦ୍ରପତ୍ନୀଙ୍କ ଇଚ୍ଛା କଲା । ସ୍ୱର୍ଗଲୋକରୁ ଚ୍ୟୁତ ହେଲା ॥ ୪୩
ନହୁଷ ସ୍ୱର୍ଗେ ଇନ୍ଦ୍ରହୋଇ । ବାରତା ଇନ୍ଦ୍ରାଣୀକୁ ଦେଇ ॥ ୪୪
ଇନ୍ଦ୍ର ମୁଁ ସ୍ୱର୍ଗଭୁବନରେ । ତୁ ମୋତେ ଭଜ ଗୋ ବିଧିରେ ॥ ୪୫
ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ । ପ୍ରତିଉତ୍ତର ଗୁରୁ ଦେଲେ ॥ ୪୬
ଗୁରୁ ଏମନ୍ତ ବିଚାରିଲେ । ଅତି ଅସମ୍ଭବ ବୋଇଲେ ॥ ୪୭
ଅନେକ ତପସ୍ୟାର ଫଳେ । ମନୁଷ୍ୟ ହୋଇ ଦେବ ପାଳେ ॥ ୪୮
ବ୍ରାହ୍ମଣ କୋପ-ଶାପୁଁ କରି । ହତ ହୋଇବ ଏହା ଶିରୀ ॥ ୪୯
ନହୁଷେ ଏମନ୍ତ କହିବ । ଋଷିଙ୍କ କନ୍ଧେ ଦୋଳା ଥିବ ॥ ୫୦
ତୁମ୍ଭେ ଦୋଳାରେ ବସିଥିବ । ଆମ୍ଭର ପୁରକୁ ଆସିବ ॥ ୫୧
ଦେବେ ଯେ ତୁମ୍ଭଙ୍କୁ ଭଜିବୁ । ସ୍ୱର୍ଗେ ଇନ୍ଦ୍ରବୋଲି ଜାଣିବୁ ॥ ୫୨
ବ୍ରାହ୍ମଣେ କ୍ରୋଧ ଉପୁଜିବ । ତେବେ ସେ ସ୍ୱର୍ଗୁ ଚ୍ୟୁତ ହେବ ॥ ୫୩
ଏମନ୍ତ ଗୁରୁଆଜ୍ଞା ଶୁଣି । ନହୁଷେ କହିଲେ ଇନ୍ଦ୍ରାଣୀ ॥ ୫୪
ଶୁଣି ହରଷ ନୃପମଣି । ଉତ୍ତମଋଷିଙ୍କି ସେ ଆଣି ॥ ୫୫
ଦୋଳା ବୁହାଇ ତାଙ୍କ କନ୍ଧେ । ସତ୍ୱରେ ଗମିଲେ ଆନନ୍ଦେ ॥ ୫୬
ଚଳଇ ଦୋଳା ମନ୍ଦଗତି । ତା ଦେଖି କୁପିତ ନୃପତି ॥ ୫୭
ସର୍ପ ସର୍ପ ବୋଲି ବୋଇଲା । ପାଦେ ଅଗସ୍ତିଙ୍କି ମାଇଲା ॥ ୫୮
ଅଗସ୍ତି କ୍ରୋଧଭର ହୋଇ । ନହୁଷକୁ ସେ ଶାପ ଦେଇ ॥ ୫୯
ତୁ ସର୍ପ ହୁଅ ବେଗ ହୋଇ । ଯେଣୁ ସଙ୍କଟ ଦେଲୁ ତୁହି ॥ ୬୦
ଏ ହେତୁ ନହୁଷ ସ୍ୱର୍ଗରୁ । ଚ୍ୟୁତ ହୋଇଲା ସେ ଶାପରୁ ॥ ୬୧
ମହାସର୍ପ ଯେ ସେ ହୋଇଲା । ମର୍ତ୍ତ୍ୟଲୋକରେ ସେ ପଡିଲା ॥ ୬୨
ଏବେ ହୋ ଶୁଣ ପରୀକ୍ଷିତ । ଇନ୍ଦ୍ରରାଜାର ଯେ ଚରିତ ॥ ୬୩
ପରମେଶ୍ୱର ଧ୍ୟାନ କରି । ବ୍ରହ୍ମହତ୍ୟା ପାପରୁ ତରି ॥ ୬୪
ସ୍ୱର୍ଗରେ ଇନ୍ଦ୍ର ପୁନର୍ବାର । ଦେବଙ୍କୁ ଘେନି ସେ ବିହାର ॥ ୬୫
ଇନ୍ଦ୍ରଙ୍କୁ ଦେବଋଷିମାନେ । ଅଶ୍ୱମେଧଯଜ୍ଞ ବିଧାନେ ॥ ୬୬
ମହାପୁରୁଷ - ଆରାଧନ । ଦୀକ୍ଷା କରାଇଲେ ରାଜନ ॥ ୬୭
ଏଅନନ୍ତରେ ଦେବମୟ । ସର୍ବାତ୍ମା-ପୁରୁଷ-ଅବ୍ୟୟ ॥ ୬୮
ଇନ୍ଦ୍ର ବ୍ରହ୍ମଋଷି ସହିତେ । ଆରାଧି ଅଶ୍ୱମେଧ ମତେ ॥ ୬୯
ବ୍ରହ୍ମବଧ ପାତକ ଭୟ । ଯଜ୍ଞହେତୁରୁ ହେଲା କ୍ଷୟ ॥ ୭୦
ରବିକିରଣେ ତମପ୍ରାୟେ । ସକଳପାପ ହେଲା କ୍ଷୟେ ॥ ୭୧
ଅଶ୍ୱମେଧରେ ବରି ଇନ୍ଦ୍ର । ମରୀଚିଆଦି ମୁନିବୃନ୍ଦ ॥ ୭୨
ଆରାଧି ପୁରୁଷପୁରାଣ । ସ୍ୱର୍ଗେ ହୋଇଲେ ସେ ରାଜନ ॥ ୭୩
ଯେ ଯଜ୍ଞପ୍ରସାଦରୁ କରି । ନିଷ୍ପାପ ହୋଏ ବଜ୍ରଧାରୀ ॥ ୭୪
ଅଶେଷପ୍ରାଣୀମାନଙ୍କର । ପାପକୁ କରଇ ଯେ ଦୂର ॥ ୭୫
ଏ ମହାଜ୍ଞାନ ସୁଖମୟୀ । ଯେ ଜନ ଶ୍ରଦ୍ଧାରେ ଶୁଣଇ ॥ ୭୬
ଭକତଜନର ବର୍ଣ୍ଣନ । ଇନ୍ଦ୍ର-ଜୟ-ମୋକ୍ଷ କାରଣ ॥ ୭୭
ଶ୍ରଦ୍ଧାରେ କରି ଯେ ପଢ଼ଇ । ଯେ ଅବା ଅଜ୍ଞାନେ ଶୁଣଇ ॥ ୭୮
ଗାୟନ କରି ପ୍ରତିଦିନ । ସର୍ବସିଦ୍ଧି ଲଭେ ସେ ଜନ ॥ ୭୯
ଶତ୍ରୁକୁ ଜୟ ଧନ ଯଶ । ପାପମୋଚନ ଦୀର୍ଘାୟୁଷ ॥ ୮୦
ସର୍ବକଲ୍ୟାଣ ତାର ହୋଇ । ଧନ ଧ୍ୟାନ ଯଶ ଲଭଇ ॥ ୮୧
ହରିକୀର୍ତ୍ତନେ ସର୍ବ ହୋଇ । କଳିରେ ଆନଗତି ନାହିଁ ॥ ୮୨
ବୋଲଇ ଜଗନ୍ନାଥ ଦାସ । ଇନ୍ଦ୍ର ଯେ ପାପ କଲା ନାଶ ॥ ୮୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ଷଷ୍ଠସ୍କନ୍ଧେ ଇନ୍ଦ୍ରବିଜୟୋ ନାମ
ତ୍ରୟୋଦଶୋଽଧ୍ୟାୟଃ ॥

•••

ଚତୁର୍ଦ୍ଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଚରଣ ଧରି ରାଜା । ସାନନ୍ଦମନେ କଲେ ପୂଜା ॥ ୧

ପରୀକ୍ଷିତ ଉବାଚ[ସମ୍ପାଦନା]

ଭୋ ମୁନି ଶୁଣ ସାବଧାନେ । ଏ ତ ସଂଶୟ ମୋର ମନେ ॥ ୨
ଭୋ ମୁନି ଅସମ୍ଭବ କଥା । ବୃତ୍ର ଅସୁରର ବ୍ୟବସ୍ଥା ॥ ୩
ରଜ ତାସମ ଭାବ ତାର । ପାପୀ ଅଟଇ ବୃତ୍ରାସୁର ॥ ୪
ଅଖିଳ-ହେତୁ ଭଗବାନେ । ତାହାର ମତି ବା କେସନେ ॥ ୫
ସତ୍ତ୍ୱପ୍ରଧାନ ଦେବଗଣ । ନିର୍ମଳଆତ୍ମା ମୁନିଜନ ॥ ୬
ମୁକୁଦ-ପାଦପଙ୍କଜରେ । ଏହାଙ୍କ ମନ ନୋହେ ସ୍ଥିରେ ॥ ୭
ରଜଗୁଣରେ ଯୁକ୍ତ ହୋଇ । ସଂସାରେ ଯେତେକ ଅଛଇ ॥ ୮
ଏହାଙ୍କ ମଧ୍ୟେ କେହି ଜନ । ଶ୍ରେୟ କରଇ ଆଚରଣ ॥ ୯
ଏହାଙ୍କ ମଧ୍ୟେ କେହି ନରେ । ମୋକ୍ଷ ବା‚ଞ୍ଛନ୍ତି ଏ ସଂସାରେ ॥ ୧୦
ତାହାଙ୍କ ମଧ୍ୟେ କେହି ଜନ । କଷ୍ଟେ ଲଭନ୍ତି ଭଗବାନ ॥ ୧୧
ଦୁର୍ଲ୍ଲଭ ମୁନିମାନଙ୍କର । ବିଷ୍ଣୁଭକତ ଯେଉଁ ନର ॥ ୧୨
କୋଟିକେ ଗୋଟିଏ ଯେ ଥାଇ । ଶୁଣିମା ସାବଧାନ ହୋଇ ॥ ୧୩
ସ୍ୱଭାବେ ବୃତ୍ର ଅତିପାପ । ଲୋକଙ୍କୁ ଦେଇଅଛି ତାପ ॥ ୧୪
କେମନ୍ତେ ମହାଘୋରରଣେ । ତା ମତି ହେଲା ନାରାୟଣେ ॥ ୧୫
ଏଣେ ସଂଶୟ ମନ ମୋର । ଫେଡ଼ି କହିବା ମୁନିବର ॥ ୧୬
ଯେ ବୃତ୍ର ଘୋରସଂଗ୍ରାମରେ । ବଳେ ତୋଷିଲା ବଜ୍ରଧରେ ॥ ୧୭

ସୂତ ଉବାଚ[ସମ୍ପାଦନା]

ସନ୍ତୋଷେ ରାଜା ପ୍ରଶ୍ନ ଶୁଣି । ଆନନ୍ଦେ ଯେ ବାଦରାୟଣି ॥ ୧୮
ହରଷ ହୋଇ ମୁନିବର । ବଚନ କହନ୍ତି ମଧୁର ॥ ୧୯

ଶୁକ ଉବାଚ[ସମ୍ପାଦନା]

ଶୁଣ ରାଜନ ଏକମନେ । ଯେ ଇତିହାସ ପୁରାତନେ ॥ ୨୦
ବେଦବ୍ୟାସଙ୍କ ବାକ୍ୟ ମୁହିଁ । ନାରଦ ତହୁଁ ଶୁଣିଛଇଁ ॥ ୨୧
ପୂର୍ବେ ଶୂରସେନ - ଦେଶର । ଥିଲା ଯେ ଏକ ନୃପବର ॥ ୨୨
ଚିତ୍ରକେତୁ ନାମ ତାହାର । କାମଧେନୁ ପୃଥ୍ୱୀ ଯାହାର ॥ ୨୩
ଦଶନିୟୁତ ପତ୍ନୀ ତାର । ରୂପେ କି ଦେବା ପଟାନ୍ତର ॥ ୨୪
ଯେତେକ ଥିଲେ ତାର ନାରୀ । ପୁତ୍ର ଯେ ନୋହିଲା କାହାରି ॥ ୨୫
ରୂପେ ସୁନ୍ଦର ମନୋହର । ବିଦ୍ୟା ସମ୍ପଦ ମତି ଧୀର ॥ ୨୬
ଏ ସର୍ବଗୁଣ ଅଛି ତାର । ସୁତ ନ ଲଭି ଚିନ୍ତାଭର ॥ ୨୭
ଅମାତ୍ୟ ସମ୍ପଦ ସହିତେ । ପଟ୍ଟମହିଷୀ ତାର ଯେତେ ॥ ୨୮
କାମଦୁଘାର ପ୍ରାୟେ ମହୀ । ସୁଖ ନୋହିଲେ ତାର କେହି ॥ ୨୯
ଶୁଣ ରାଜନ ଏକଦିନେ । ସେ ଚିତ୍ରକେତୁର ଭୁବନେ ॥ ୩୦
ଅଙ୍ଗିରାଋଷି ବ୍ରହ୍ମସୁତ । ମିଳିଲେ ରାଜାର ଅଗ୍ରତ ॥ ୩୧
ସ୍ୱଇଚ୍ଛାଲୋକରେ ବିହାର । ମିଳିଲେ ଚିତ୍ରକେତୁ ପୁର ॥ ୩୨
ତାହାଙ୍କୁ ଦେଖି ନୃପବର । ସତ୍ୱରେ କଲେ ନମସ୍କାର ॥ ୩୩
ଉତ୍ତମ-ଆସନେ ବସାଇ । ପୂଜିଲେ ପାଦ୍ୟଅର୍ଘ୍ୟ ଦେଇ ॥ ୩୪
ସୁଖେ ଆସନେ ବସି ଋଷି । ଚିତ୍ରକେତୁକୁ ପରଶଂସି ॥ ୩୫
ଭକତି ଦେଖିଣ ତାହାର । ଆଶିଷ ଦେଲେ ମୁନିବର ॥ ୩୬
ରାଜାକୁ କରି ଆଶ୍ୱାସନ । କହନ୍ତି ମଧୁର-ବଚନ ॥ ୩୭
ହେ ରାଜା ଚିତ୍ରକେତୁ ଶୁଣ । ତୁମ୍ଭର ପରମ କଲ୍ୟାଣ ॥ ୩୮
ତୁମ୍ଭର ପାତ୍ରମନ୍ତ୍ରୀ ଯେତେ । କୁଶଳଟି କି ଏ ସମସ୍ତେ ॥ ୩୯
ଦାରା ତନୟ ଭୃତ୍ୟ ଯେତେ । ସୁହୃଦ ପରଜା ସହିତେ ॥ ୪୦
ଯାହାର ଆତ୍ମା ଆତ୍ମବଶ । ତାହାର ବଶ ଏ ଅଶେଷ ॥ ୪୧
ଯାହାର ଆତ୍ମା ବଶ ହୋଇ । ସର୍ବତ୍ର ପୂଜ୍ୟ ସେ ଅଟଇ ॥ ୪୨
ଆତ୍ମସମ୍ପଦ ତୋର ଯେତେ । ଅମାତ୍ୟ ପୁରବାସୀ ଯେତେ ॥ ୪୩
ତୁମ୍ଭର ପ୍ରିୟ ନୋହେ କେହି । ଏମନ୍ତ ପ୍ରାୟ ମୁଁ ମଣଇଁ ॥ ୪୪
ଚିନ୍ତା-ମଳିନ ମୁଖ ତୋର । ଅଲବ୍ଧକାମ ନୃପବର ॥ ୪୫

ଶୁକ ଉବାଚ[ସମ୍ପାଦନା]

ଶୁଣ ପରୀକ୍ଷ ନୃପମଣି । ସେ ରାଜା ମୁନିବାକ୍ୟ ଶୁଣି ॥ ୪୬
ହୃଦରେ ପୁତ୍ରକାମୀ ହୋଇ । ବିରସେ ମୁନିଙ୍କି କହଇ ॥ ୪୭

ଚିତ୍ରକେତୁ ଉବାଚ[ସମ୍ପାଦନା]

ଭୋ ମୁନି ତୁମ୍ଭ ଅଗୋଚରେ । କି ଅବା ଅଛି ଏ ସଂସାରେ ॥ ୪୮
ପ୍ରାଣୀର ଅନ୍ତର ବାହାରେ । ଦେଖ ତପସ୍ୟା-ପ୍ରଭାବରେ ॥ ୪୯
ତଥାପି ଆଜ୍ଞା ପରମାଣେ । କହିବି ଶୁଣ ସାବଧାନେ ॥ ୫୦
ମନରେ ଯେବା ଚିନ୍ତା ମୋର । ପ୍ରଶ୍ନ ଯେ କଲ ମୁନିବର ॥ ୫୧
ଦେବଗଣଙ୍କୁ ଯେ ଦୁର୍ଲ୍ଲଭ । ସାମ୍ରାଜ୍ୟ ସମ୍ପଦ ବିଭବ ॥ ୫୨
ପୁତ୍ର-ବିହୀନେ ମୋର ଦେହୀ । କେବେହେଁ ସୁଖ ନ ଲଭଇ ॥ ୫୩
କ୍ଷୁଧା ତୃଷାରେ ଖିନ୍ନଜନ । ନ ଲୋଡେ ବିନୁ ଅନ୍ନପାନ ॥ ୫୪
ଭୋ ମହାଭାଗ ମୁନିବର । କେମନ୍ତେ ତରିବି ସଂସାର ॥ ୫୫
ପିତୃଋଣରୁ ମୋତେ ପାର । କରିବାହେଉ ମୁନିବର ॥ ୫୬
ପୁତ୍ର ଯେମନ୍ତେ ମୋର ହୋଇ । ସଂସାର-ଦୁଃଖରୁ ତରଇ ॥ ୫୭

ଶୁକ ଉବାଚ[ସମ୍ପାଦନା]

ରାଜାର ଶୁଣି ଏ ବଚନ । କୃପାଳୁ ବ୍ରହ୍ମାଙ୍କ ନନ୍ଦନ ॥ ୫୮
ଯଜ୍ଞ କରିଣ ମୁନିବର । ଆରାଧି ଅଖିଳ ଈଶ୍ୱର ॥ ୫୯
ରାଜାର ଜ୍ୟେଷ୍ଠ ଯେହୁନାରୀ । କୃତଦ୍ୟୁତି ନାମ ତାହାରି ॥ ୬୦
ଯଜ୍ଞର ଚରୁ ତାକୁ ଦେଲେ । ରାଜାକୁ ଏମନ୍ତ କହିଲେ ॥ ୬୧
ଭୋ ଚିତ୍ରକେତୁ ନୃପବର । ହୋଇବ ଏକ ତୋ କୁମର ॥ ୬୨
ହରଷ-ଶୋକ ଦେବ ତୋତେ । କହି ଚଳିଲେ ଶୂନ୍ୟପଥେ ॥ ୬୩
ଚିତ୍ରକେତୁର ତହୁଁ ସେହି । କୃତଦ୍ୟୁତି ଯେ ମହାଦେଈ ॥ ୬୪
ଚରୁର ଭୋଜନ ମାତ୍ରକେ । ଗର୍ଭ ଧଇଲେ ସେହୁ ସୁଖେ ॥ ୬୫
ଅଙ୍ଗିରାମୁନିର ପ୍ରସାଦେ । ଗର୍ଭ ହୋଇଲା ଅପ୍ରମାଦେ ॥ ୬୬
ଅଗ୍ନିରୁ କୃତ୍ତିକା ଯେମନ୍ତ । ଗର୍ଭ ଧଇଲା ସେହିମତ ॥ ୬୭
ତାହାର ଗର୍ଭ ପ୍ରତିଦିନେ । ଶୁକ୍ଳପକ୍ଷର ଚନ୍ଦ୍ର ଯେହ୍ନେ ॥ ୬୮
ଚିତ୍ରକେତୁ-ତେଜେ ରାଜନ । ଗର୍ଭବଢ଼ିଲା ଦିନୁଦିନ ॥ ୬୯
ଏମନ୍ତେ ପୂର୍ଣ୍ଣ ସମ୍ବତ୍ସ›ରେ । ଜନ୍ମିଲା ତାହର କୁମରେ ॥ ୭୦
ଶୂରସେନରେ ଯେତେ ଲୋକ । ହରଷ ଲଭିଲେ ଅନେକ ॥ ୭୧
ପରମାନନ୍ଦେ ସେ ରାଜନ । ତକ୍ଷଣେ କଲାକ ସ୍ନାହାନ ॥ ୭୨
ଶୁଚି ହୋଇଣ ନୃପବର । ଭୂଷିତ ହୋଇ ଅଳଙ୍କାର ॥ ୭୩
ବ୍ରାହ୍ମଣ ଆଣି ବେଦଧର୍ମ । କଲା ସେ ପୁତ୍ର ଜାତକର୍ମ ॥ ୭୪
ବ୍ରାହ୍ମଣେ ସୁବର୍ଣ୍ଣ ରଜତ । ଦେଲା ସେ ଧେନୁ ଶତଶତ ॥ ୭୫
ପୃଥିବୀ ଗଜ ହୟମାନ । ଦେଲା ସେ ବିବିଧବସନ ॥ ୭୬
ଯେ ଲୋକେ ଯାହା ବାଞ୍ଛାକଲେ । ମନ-ସନ୍ତୋଷେ ତା ଲଭିଲେ ॥ ୭୭
ପ୍ରାଣୀ - ସନ୍ତୋଷେ ମଘବାନ । ବରଷା କରଇ ଯେସନ ॥ ୭୮
ପୁତ୍ର ଆୟୁଷ ଯଶ ଧର୍ମ । ବିବୃଦ୍ଧି ଅର୍ଥେ ଦେଲା ଦାନ ॥ ୭୯
କଷ୍ଟରେ ଲଭିଲା ଯେ ସୁତ । ତାଠାରେ ସ୍ନେହ ତା ବହୁତ ॥ ୮୦
ଦରିଦ୍ର ଯେହ୍ନେ ଧନ ପାଇ । ତେସନେ ହରଷ ସେ ହୋଇ ॥ ୮୧
ମାତା ଯେ ଅତି ସ୍ନେହଭରେ । ମୋହ ହୋଇଲା ପୁତ୍ରଠାରେ ॥ ୮୨
କୃତଦ୍ୟୁତି ସପତ୍ନୀମାନେ । ଦୁଃଖିତ ସନ୍ତତି ବିହୀନେ ॥ ୮୩
ଚିତ୍ର କେତୁର ସ୍ନେହ ହୋଇ । ପୁତ୍ରବତୀ ଭାରିଯା ତହିଁ ॥ ୮୪
ଅନ୍ୟ ଯେ ପତ୍ନୀମାନେ ଥାନ୍ତି । ସେଭାବେ ନାହିଁ ସ୍ନେହମତି ॥ ୮୫
ଅପରେ ଦୁଃଖ ତାହାଙ୍କର । ରାଜାର ଯେଣୁ ଅନାଦର ॥ ୮୬
ସେମାନେ ମନେ ଦୁଃଖ କରି । ଆତ୍ମାର ନିନ୍ଦାକୁ ଆଚରି ॥ ୮୭
ପାପିଷ୍ଠୀ ଏହୁ କୃତଦ୍ୟୁତି । ଧିକ ଏହାର ଏ ସନ୍ତତି ॥ ୮୮
ଗୃହ ସମ୍ପଦ ଯେ ସ୍ୱାମୀର । ଧିକ ଏ ହେଉ ଦୁରାଚାର ॥ ୮୯
ଏ ସପତଣୀର ଚରଣେ । ଦାସୀ ହୋଇଲୁ ଅକାରଣେ ॥ ୯୦
ଦାସୀର କି ଅବା ସନ୍ତାପ । ଯେ ସେବେ ସ୍ୱାମୀର ସମୀପ ॥ ୯୧
ମାନ ନ ଲଭୁ ଆମ୍ଭେ କ୍ଷଣେ । ଦାସୀର ଦାସୀ ହୋଇ ଯେହ୍ନେ ॥ ୯୨
ସପତ୍ନୀ-ପୁତ୍ର-ବିଭୂତିରେ । ଅନ୍ଧ ହୋଇଲେ କ୍ରୋଧଭରେ ॥ ୯୩
ସକଳେ ଏକଚିତ୍ତ ହେଲେ । ରାଜାର ହିଂସା ଆଚରିଲେ ॥ ୯୪
ଦାରୁଣଚିତ୍ତ ସ୍ତିରୀଜନ । କ୍ରୋଧେ ହୋଇଲେ ହତଜ୍ଞାନ ॥ ୯୫
ସ୍ୱାମୀକୁ ଅତି କ୍ରୋଧକଲେ । ଗରଳ କୁମରକୁ ଦେଲେ ॥ ୯୬
ଏହା ନ ଜାଣେ କୃତଦ୍ୟୁତି । ସପତ୍ନୀମାନଙ୍କର ଗତି ॥ ୯୭
ପୁତ୍ର ଶୁଆଇଥିଲା ଘରେ । ଗଲା ସେ ଗୃହ ଅଭ୍ୟନ୍ତରେ ॥ ୯୮
ଅନେକବେଳ ତହୁଁ ଗଲା । ପୁତ୍ର ଆଣିବ ମନେ କଲା ॥ ୯୯
ଧାଈକି ବୋଲଇ ଉତ୍ତର । ଭୋ ସଖି ପୁତ୍ର ଆଣ ମୋର ॥ ୧୦୦
ତାହାର ଆଜ୍ଞା ପାଇ ଧାଈ । ବାଳକ ନିକଟେ ମିଳଇ ॥ ୧୦୧
ଦେଖିଲା ଶୋଇଅଛି ପୁତ୍ର । ଲେଉଟି ପଡିଛି ତା ନେତ୍ର ॥ ୧୦୨
ପ୍ରାଣ ଇନ୍ଦ୍ରିୟ ନାହିଁ ତାର । ଦେଖି ସେ ପଡିଲା ଭୂମିର ॥ ୧୦୩
ହତ ହୋଇଲି ବୋଲି ଧାଈ । ପଡ଼ିଲା ଚେତନା ହରାଇ ॥ ୧୦୪
ବେନିକରରେ ହୃଦ ତାଡି । ଆରତେ ପାଡିଲା ଯେ ରଡି ॥ ୧୦୫
ତା ଶୁଣି ପାଟ ମହାଦେଈ । ଧାଇଁଲା ଅସମ୍ଭାଳ ହୋଇ ॥ ୧୦୬
ପୁତ୍ରର ନିକଟେ ମିଳିଲା । ମୃତପୁତ୍ରକୁ ସେ ଦେଖିଲା ॥ ୧୦୭
ରମ୍ଭାଦ୍ରୁମ କି ବାତଭରେ । ତେସନେ ପଡିଲା ଭୂମିରେ ॥ ୧୦୮
ତକ୍ଷଣେ ମୋହ ସେ ପାଇଲା । କେଶ-ବସନ ଖସିଗଲା ॥ ୧୦୯
ରାଜାର ଅନ୍ତଃପୁରଜନ । ସ୍ତିରୀ ପୁରୁଷ ହେ ରାଜନ ॥ ୧୧୦
ରୋଦନ ଶୁଣିଣ ଅଇଲେ । ସମସ୍ତେ ଶୋକରେ ମଜ୍ଜିଲେ ॥ ୧୧୧
କହିବା ଶୁଣ ନୃପବର । ଯେତେକ ସପତ୍ନୀ ତାହାର ॥ ୧୧୨
ଅନ୍ତରେ ସୁଖ ସେ ଆଚରି । ବାହ୍ୟେ କପଟ-ଶୋକ କରି ॥ ୧୧୩
ପୁତ୍ର-ମରଣ ରାଜା ଶୁଣି । ମୃତ୍ୟୁର କାରଣ ନ ଜାଣି ॥ ୧୧୪
ମୋହରେ ନଦିଶଇ ପଥ । ପାଦ ପାଦକେ ଜ୍ଞାନହତ ॥ ୧୧୫
ସ୍ନେହବନ୍ଧନୁ ଶୋକ ବଢ଼ି । ମୂର୍ଚ୍ଛିତ ହୋଇ ଛାଡେ ରଡି ॥ ୧୧୬
ଅମାତ୍ୟ ଆଦି ଯେତେଜନ । ଦେଖୁଅଛନ୍ତି ସେ ରାଜନ ॥ ୧୧୭
ମୃତବାଳକ-ପାଦତଳେ । ପଡ଼ିଲା ଯାଇ ମତିଭୋଳେ ॥ ୧୧୮
ଖସିଣ ପଡିଅଛି କେଶ । ବିଚିତ୍ର-ପରିଧାନ-ବାସ ॥ ୧୧୯
ଦୀର୍ଘନିଃଶ୍ୱାସ ସେ ଛାଡ଼ଇ । ନୟନୁ ଅଶ୍ରୁଜଳ ବହି ॥ ୧୨୦
ନିରୋଧ କଣ୍ଠଦ୍ୱାର ହୋଇ । ବଚନ ନ ପାରଇ କହି ॥ ୧୨୧
ପତିକୁ ଦେଖି ଶୋକଭର । ମରଣ ଦେଖି କୁମରର ॥ ୧୨୨
କୃତଦ୍ୟୁତି ଯେ ମହାଦେଈ । ବିଚିତ୍ର-ବିଳାପ କରଇ ॥ ୧୨୩
ସ୍ତନଯୁଗଳ ଯେ ତାହାର । ମଣ୍ଡିତ କୁଙ୍କୁମପଙ୍କର ॥ ୧୨୪
ଅଞ୍ଜନ ସହିତେ ଲୋତକ । ଧଉତ କଲା ତାର ବକ୍ଷ ॥ ୧୨୫
କେଶ ହୋଇଲା ଅସମ୍ଭାଳ । ଖସି ପଡ଼ିଲା ପୁଷ୍ପମାଳ ॥ ୧୨୬
କୁରରୀ ପ୍ରାୟେ ଶୋକଭରେ । ରୋଦନ କରେ ଉଚ୍ଚସ୍ୱରେ ॥ ୧୨୭
ହେ ବିଧି ମତି ତୋ ଦାରୁଣ । ବାଳକ ପ୍ରାୟ ଆଚରଣ ॥ ୧୨୮
ସକଳ କରି ନିରିମାଣ । ଆପଣେ କରୁ ତୁ ଭଞ୍ଜନ ॥ ୧୨୯
ସାନ ମରଇ ବଡ ଥାଇ । ଏହାର ନିଦାନ ନ ପାଇ ॥ ୧୩୦
ଯେବେ ସଂସାରେ ପ୍ରାଣୀଙ୍କର । ଅକ୍ରମ ଜନ୍ମ ମରଣର ॥ ୧୩୧
ସ୍ନେହପାଶକୁ ବଢ଼ାଇଣ । କିମ୍ପାଇଁ କରୁ ରଣଭଣ ॥ ୧୩୨
ଏମନ୍ତେ ସୃଷ୍ଟି ତୋ ଭିଆଣ । ଅଜ୍ଞାନୀ ପରାଣୀ ଯେସନ ॥ ୧୩୩
ହେ ତାତ ତନୟ ମୋହର । ଦେଖୁ କି ନାହୁଁ ତୋ ପିଅର ॥ ୧୩୪
ଶୋକସାଗରେ ମୋତେ ଥୋଇ । ଛାଡ଼ିଣ ନ ଯା ବାବୁ ତୁହି ॥ ୧୩୫
ମୁଁ ଯେ ପାପିଷ୍ଠୀ ଦୁଃଖୀଜନ । ତୁ ମୋତେ ନ ଯାଅ ଛାଡ଼ିଣ ॥ ୧୩୬
ତୋର ଆଶ୍ରୟେ ଅବା ମୁହିଁ । ଦୁସ୍ତର ତମରୁ ତରଇ ॥ ୧୩୭
ଦାରୁଣଯମ-ବଶ ହୋଇ । ଛାଡ଼ି ନ ଯାଅ ମୋତେ ତୁହି ॥ ୧୩୮
ଉଠ ହେ ନୃପତିନନ୍ଦନ । ଆନନ୍ଦେ କର ସ୍ତନ୍ୟପାନ ॥ ୧୩୯
ସମବୟସୀ ଯେ କୁମରେ । ଡାକୁଅଛନ୍ତି ବାବୁ ତୋତେ ॥ ୧୪୦
ବାଳୁତସଙ୍ଗେ ତୁ ବିହର । ବହୁତ ନିଦ୍ରା ଦୂରକର ॥ ୧୪୧
ମୋହର ଶୋକ ତୁ ନିବାର । ରୋଦନ୍ତି ପିଅର ତୋହର ॥ ୧୪୨
ହରଷ ଆନନ୍ଦପଙ୍କଜ । ତୋହର ନ ଦେଖି ତନୁଜ ॥ ୧୪୩
ଦାରୁଣଯମ କି ତୋହରେ । ଘେନାଇ ଗଲା ନିଜପୁରେ ॥ ୧୪୪
ଏଣୁ ତୋ କୋମଳବଚନ । ଶୁଣଇ ନାହିଁରେ ନନ୍ଦନ ॥ ୧୪୫

ଶୁକ ଉବାଚ[ସମ୍ପାଦନା]

ମୃତପୁତ୍ରରଠାରେ ତାର । ବିଳାପ ଶୁଣି ନୃପବର ॥ ୧୪୬
ଚିତ୍ରକେତୁ ମଗ୍ନ ଶୋକରେ । ରୋଦନକରେ ଉଚ୍ଚସ୍ୱରେ ॥ ୧୪୭
ବିଳାପ ପତ୍ନୀର ସହିତେ । ନୃପର ଦେଖିଣ ସମସ୍ତେ ॥ ୧୪୮
ଯେତେ ଅମାତ୍ୟଆଦି ତାର । ରୋଦନ କଲେ ଉଚ୍ଚସ୍ୱର ॥ ୧୪୯
ସ୍ତିରୀ-ପୁରୁଷ ଯେତେଜନ । ସକଳେ ହେଲେ ଅଚେତନ ॥ ୧୫୦
ଏମନ୍ତେ ଶୁଣ ନୃପବର । ସକଳେ ଅତି-ଦୁଃଖତର ॥ ୧୫୧
ରାଜନ-ଦୁଃଖ ଦେଖି ମୁନି । ଅଙ୍ଗିରା ନାରଦଙ୍କୁ ଘେନି ॥ ୧୫୨
ଶୀଘ୍ରେଣ ବେନିଜନେ ଗଲେ । ରାଜାର ନବରେ ମିଳିଲେ ॥ ୧୫୩
ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ଶୋକ-ଚରିତ ॥ ୧୫୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁବିଳାପୋ
ନାମ ଚତୁŸର୍ଦ୍ଦଶୋଽଧ୍ୟାୟଃ ॥ •••

ପଞ୍ଚଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଶୁଣ ସାନନ୍ଦେ କୁରୁଶ୍ରେଷ୍ଠ । ସେ ମୃତପୁତ୍ରର ନିକଟ ॥ ୧
ଶୋକରେ ଜ୍ଞାନଭ୍ରଷ୍ଟ ହୋଇ । ଚିତ୍ରକେତୁ ପଡି ଅଛଇ ॥ ୨
ନାରଦ-ଅଙ୍ଗିରସ ଦୁଇ । ମିଳିଲେ ତାର ପାଶେ ଯାଇ ॥ ୩
ଉତ୍ତମ-ବାକ୍ୟମାନ କହି । ବୋଧୁଅଛନ୍ତି ରାଜା ଚାହିଁ ॥ ୪
ଭୋ ଚିତ୍ରକେତୁ ନୃପବର । ତୁମ୍ଭେ ଯା ପାଇଁ ଶୋକ କର ॥ ୫
ତୋହର ଏ କିସ ଅଟଇ । ତୁହି ଏହାର କି ବା ହୋଇ ॥ ୬
ଏହାର ପୂର୍ବେ ସୁତ ତୁହି । ପିତା ତୁ କେତେ ଜନ୍ମ ହୋଇ ॥ ୭
ଏବେ ତୁମ୍ଭର ସୁତ ଏହି । ସଂସାର-ମାୟା ଏ ଅଟଇ ॥ ୮
ଯେସନେ ନଦୀସ୍ରୋତଜଳେ । ବାଲୁକା ନ ରହେ ନିଶ୍ଚଳେ ॥ ୯
ସଂଯୋଗ-ବିଯୋଗ ହୁଅଇ । ବାଲୁକା ଭାସି ଯାଉଥାଇ ॥ ୧୦
ତେସନେ ପ୍ରାଣୀ ଯଥାକାଳେ । ଆସଇ ଯାଇ କର୍ମବଳେ ॥ ୧୧
ବୀଜରୁ ବୀଜ ହୋଇ ନୋହି । ପ୍ରାଣୀହିଁ ତେମନ୍ତ ଅଟଇ ॥ ୧୨
ଈଶ୍ୱରମାୟାରେ ଜଗତ । ଉତ୍ପତ୍ତି ନାଶ ସର୍ବଭୂତ ॥ ୧୩
ନର ଅମରଆଦି ଯେତେ । ଚର-ଅଚରଙ୍କ ସହିତେ ॥ ୧୪
ଜନ୍ମ-ମରଣ ଆଗପଛ । ହୁଅଇ ଦେଖ ତୁ ପ୍ରତ୍ୟକ୍ଷ ॥ ୧୫
ଭୂତରେ କରିଣ ଈଶ୍ୱର । ଜନ୍ମାଇ ଅଖିଳ-ସଂସାର ॥ ୧୬
ପ୍ରତିପାଳନ କରି ପୁଣ । ସଂହାର କରଇ ତକ୍ଷଣ ॥ ୧୭
ଆୟତ୍ତ ନୁହଁଇ କାହାର । ଯେହ୍ନେ ବାଳକ-ଖେଡ଼ଘର ॥ ୧୮
ଦେହରୁ ଦେହ ହୋଇ ଜାତ । ରାଜନ ଶୁଣ ଏକଚିତ୍ତ ॥ ୧୯
ବୀଜରୁ ବୀଜ ଯେହ୍ନେ ଜାତ । ଆତ୍ମାରୁ ନିର୍ମିତ ଜଗତ ॥ ୨୦
ଆତ୍ମା ଶରୀର ଭିନ୍ନ କରି । ପୂର୍ବେ ଯେ ବିଧାତା ବିଚାରି ॥ ୨୧
ଜାତି-ସଜ୍ଞାରେ କରେ ଭିନ୍ନେ । ସୁବର୍ଣ୍ଣେ ନାନାଦ୍ରବ୍ୟ ଯେହ୍ନେ ॥ ୨୨

ଶୁକ ଉବାଚ[ସମ୍ପାଦନା]

ଉତ୍ତମ-ବାକ୍ୟ ବିପ୍ରଙ୍କର । ଶୁଣି ଆଶ୍ୱସ୍ତ ନୃପବର ॥ ୨୩
ମଳିନମୁଖ ଆପଣାର । ପୋଛିଣ କହଇ ମଧୁର ॥ ୨୪

ଚିତ୍ରକେତୁ ଉବାଚ[ସମ୍ପାଦନା]

କେ ତୁମ୍ଭେ ବିପ୍ର ଦୁଇଜଣ । ଅଶେଷଜ୍ଞାନେ ପରିପୂର୍ଣ୍ଣ ॥ ୨୫
ଜ୍ଞାନୀମାନଙ୍କେ ତୁମ୍ଭେ ବର । ଅବଧୂତବେଶ ତୁମ୍ଭର ॥ ୨୬
ସ୍ୱଭାବେ ଗୁପ୍ତପ୍ରାୟ ହୋଇ । ଆସି ମିଳିଲ ତୁମ୍ଭେ ଦୁଇ ॥ ୨୭
ବିଷ୍ଣୁର ଦୂତପ୍ରାୟ ହୋଇ । ଭ୍ରମଣ କରୁଅଛ ମହୀ ॥ ୨୮
ମୋହର ପ୍ରାୟେ ଦୁଃଖୀ ହୋଇ । ସଂସାରେ ଯେ ଅବା ଅଛଇ ॥ ୨୯
ତାହାଙ୍କ ହିତ କରିବାରେ । ଭ୍ରମଣ ତୁମ୍ଭର ସଂସାରେ ॥ ୩୦
ଗୌତମ ଅସିତ ଦେବଳ । କୁମାର ବଶିଷ୍ଠ କପିଳ ॥ ୩୧
ମାରକଣ୍ତ ବ୍ୟାସ ଅଙ୍ଗିରା । ରୋମଶ ଦତ୍ତ ବେଦଶିରା ॥ ୩୨
ଦୁର୍ବାସା ଯାଜ୍ଞବଲ୍‌କ୍ୟ ମୁନି । ଜାତୂକର୍ଣ୍ଣ୍ୟ ବାଦରାୟଣି ॥ ୩୩
ଋତଧ୍ୱଜ ଯେ ଶ୍ରୁତଦେବ । ପଞ୍ଚଶିଖ ହିରଣ୍ୟନାଭ ॥ ୩୪
କୌଶଲ୍ୟ ନାରଦ ଆସୁରି । ଧୌମ୍ୟ ଚ୍ୟବନ ପତଞ୍ଜଳି ॥ ୩୫
ଋଭୁ ସହିତେ ସିଦ୍ଧେଶ୍ୱରେ । ଏମାନେ ଭ୍ରମନ୍ତି ସଂସାରେ ॥ ୩୬
ପ୍ରାଣୀଙ୍କ ମଙ୍ଗଳ କାରଣେ । ଭ୍ରମୁ ଅଛନ୍ତି ଅନୁକ୍ଷଣେ ॥ ୩୭
ସ୍ୱଭାବେ ଗ୍ରାମ୍ୟପଶୁ ମୁହିଁ । ଅନ୍ଧତମରେ ବୁଡିଛଇଁ ॥ ୩୮
କେ ତୁମ୍ଭେ ଦୁଇସିଦ୍ଧ କହ । ଜ୍ଞାନଦୀପକୁ ମୋତେ ଦିଅ ॥ ୩୯

ଅଙ୍ଗିରା ଉବାଚ[ସମ୍ପାଦନା]

ହେ ଚିତ୍ରକେତୁ ନୃପବର । ମୁଁ ଦେଇଥିଲି ଏ କୁମର ॥ ୪୦
ଅଙ୍ଗିରା ନାମଟି ମୋହର । ଏ ଦେଖ ବ୍ରହ୍ମାଙ୍କ କୁମର ॥ ୪୧
ପରମ-ବିଷ୍ଣୁଭକ୍ତ ଏହି । ନାରଦ ବୋଲି ଯାକୁ କହି ॥ ୪୨
ଶୋକସାଗରେ ମଗ୍ନ ତୋର । ଦେଖିଲୁ ଯହୁଁ ନୃପବର ॥ ୪୩
ତୋହର ଯୋଗ୍ୟ ଏ ନୁହଁଇ । ଏହା ବିଚାରି ଆମ୍ଭେ ଦୁଇ ॥ ୪୪
ତୋଠାରେ ଅନୁଗ୍ରହ କରି । ଅଇଲୁ ଶୁଣ ଦଣ୍ତଧାରୀ ॥ ୪୫
ବ୍ରହ୍ମଣ୍ୟ-କୃଷ୍ଣଭକ୍ତ ହେଉ । ଶୋକେ ନ ବୁଡ଼ ମହାବାହୁ ॥ ୪୬
ପୂର୍ବେ ତୋ ଗୃହେ ଆସିଥିଲି । ପରମଜ୍ଞାନ ଦେବି ବୋଲି ॥ ୪୭
ପୁତ୍ର-ବିଷୟେ ମନ ତୋର । ଜାଣିଣ ଦେଲୁ ପୁତ୍ରବର ॥ ୪୮
ଏବେ ତୁ ପୁତ୍ରଶୋକଭର । ଅନୁଭବିଲୁ ନୃପବର ॥ ୪୯
ଐଶ୍ୱର୍ଯ୍ୟ ଦାରା ଗୃହ ଧନ । ଭୃତ୍ୟ ଅମାତ୍ୟ ପ୍ରିୟଜନ ॥ ୫୦
ବିଷୟ ରାଜ୍ୟ ସୈନ୍ୟ କୋଷ । ଆତ୍ମାପୂରଣେ ନୋହେ ତୋଷ ॥ ୫୧
ଏ ସର୍ବ ଶୋକ-ମୋହକର । ଭୟ ଉଦବେଗର ଘର ॥ ୫୨
କର୍ମକୁ ଧ୍ୟାୟି ଯେଉଁଜନ । କରଇ ନାନାକର୍ମମାନ ॥ ୫୩
ନାନାକର୍ମରେ ମନ ତାର । ପ୍ରବେଶ ହୋଏ ନିରନ୍ତର ॥ ୫୪
ଏମନ୍ତେ ଦେହୀମାନଙ୍କର । ଦେହଟି ଏ ମାୟାସଂସାର ॥ ୫୫
ବିବିଧ-କ୍ଲେଶ ଯେ ତାଙ୍କର । ସନ୍ତାପ କାରଣ ଅପାର ॥ ୫୬
ଏହି କାରଣୁ ହେ ରାଜନ । ଆତ୍ମାର ହିତେ କର ମନ ॥ ୫୭
ଏ ବିଶ୍ୱ-ସଂସାର ଅସାର । ଦେହର ଗତିକୁ ବିଚାର ॥ ୫୮
ଶୋକ ନ କରି ନୃପବର । ଆତ୍ମାମନକୁ ସ୍ଥିର କର ॥ ୫୯

ନାରଦ ଉବାଚ[ସମ୍ପାଦନା]

ଏ ଯେ ମୋହର ମନ୍ତ୍ରଦୀକ୍ଷା । ଶୁଚି ହୋଇଣ କର ଶିକ୍ଷା ॥ ୬୦
ଏ ବିଦ୍ୟା ଧରି ସାତଦିନ । ଦେଖିବୁ ପ୍ରଭୁ ସଙ୍କର୍ଷଣ ॥ ୬୧
ପଦପଙ୍କଜଟି ଯାହାର । ଆଶ୍ରୟ କରିଣ ଶଙ୍କର ॥ ୬୨
ସର୍ବବିଷୟକୁ ଛାଡିଲେ । ତକ୍ଷଣେ ସେ ପଦ ଲଭିଲେ ॥ ୬୩
ତୁମ୍ଭେ ଏ ବିଦ୍ୟାର ପ୍ରସାଦେ । ତାହା ଲଭିବ ଅପ୍ରମାଦେ ॥ ୬୪
ଚିତ୍ରକେତୁ ଶୋକ-ଖଣ୍ତନ । ସୁଜନେ ଏଣେ ଦିଅ ମନ ॥ ୬୫
ତୁମ୍ଭର ତାପ କ୍ଷୟ ଯାଉ । ଶରଣ ପଶ ମହାବାହୁ ॥ ୬୬
ନ ଲାଗେ ମୋହ ଶୋକପାଶ । ଅନ୍ତେ ଶ୍ରୀକୃଷ୍ଣ-ରସେ ରସ ॥ ୬୭
ବୋଲଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ ॥ ୬୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚିତ୍ରକେତୁସାନ୍ତ୍ୱନଂ ନାମ
ପଞ୍ଚଦଶୋଽଧ୍ୟାୟଃ ॥

•••

ଷୋଡ଼ଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଶୁଣ ରାଜନ ପରୀକ୍ଷିତ । ଅଦ୍ଭୂତ ଗୋବିନ୍ଦ ଚରିତ ॥ ୧
ଚିତ୍ରକେତୁ ଶୋକେ ମଜ୍ଜିଣ । ରହିଲା ସ୍ତମ୍ଭୀଭୂତେ ପୁଣ ॥ ୨
ନାରଦ ନାମ ନ ଜାଣିଲେ । ତହିଁକି ଉପାୟ ରଚିଲେ ॥ ୩
ଏବେ ତୁ ଏକମନେ ଶୁଣ । ମଲା ଯେ ନୃପତିନନ୍ଦନ ॥ ୪
ସେ ଶବପାଶେ ମୁନିଯାଇ । ବୋଲନ୍ତି ଜୀବ ଶୁଣ ତୁହି ॥ ୫

ନାରଦ ଉବାଚ[ସମ୍ପାଦନା]

ଦେଖ ତୋ ଜ୍ଞାତି - ସହୋଦର । ପଡିଣ ଅଛନ୍ତି ଭୂମିର ॥ ୬
ହେ ଜୀବ ଦେଖ ତୋର ମାତା । ଶୋକେ ମୋହିତ ତୋର ପିତା ॥ ୭
ବନ୍ଧୁବାନ୍ଧବ ଯେ ତୋହର । ଶୋକ-ମୋହରେ ଗୁରୁତର ॥ ୮
ଆପଣା କଳେବରେ ପଶ । ଶେଷ ତୋ ଯେତେକ ଆୟୁଷ ॥ ୯
ସୁହୃଦଗଣେ ବୃତ ହୋଇ । ନାନାଭୋଗକୁ ଭୁଞ୍ଜ ତୁହି ॥ ୧୦
ନୃପଆସନେ ବିଜେ କର । ପିତାର ଶୋକ ମୋହ ହର ॥ ୧୧

ଜୀବ ଉବାଚ[ସମ୍ପାଦନା]

କେଉଁ ଜନ୍ମରେ ଏ ମୋହର । ହୋଇଛନ୍ତି ମାତା ପିଅର ॥ ୧୨
ଦେବତା ମନୁଷ୍ୟ ପଶୁରେ । ମୁହିଁ ଭ୍ରମଇଁ ମୋ କର୍ମରେ ॥ ୧୩
ଗୃହସ୍ଥ-ଗୃହଶ୍ୱାନ ଯେହ୍ନେ । ସେ ଯେହ୍ନେ ଭ୍ରମେ ଏଣେତେଣେ ॥ ୧୪
ଏମନ୍ତ ପ୍ରାୟେ ଭ୍ରମ ମୋର । ଭ୍ରମଇଁ ଅଶେଷ-ଯୋନିର ॥ ୧୫
ବାନ୍ଧବ ଜ୍ଞାତି ମିତ୍ର ଅରି । ଉଦାସୀନ ବା ଦ୍ୱେଷକାରୀ ॥ ୧୬
ଏ ସର୍ବେ ପରସ୍ପରେ ଥାନ୍ତି । କେବେ ବା ହୁଅନ୍ତି ନୁହଁନ୍ତି ॥ ୧୭
କ୍ରୟବିକ୍ରୟ ବ୍ୟବହାରେ । ଭ୍ରମନ୍ତି ନାନାଲୋକଠାରେ ॥ ୧୮
ହେମାଦି ପଣ୍ୟଦ୍ରବ୍ୟ ଯେହ୍ନେ । ଯୋନିରେ ଜୀବଟି ତେସନେ ॥ ୧୯
ସତ୍ୟ ଯେ ସମ୍ବନ୍ଧ ଲୋକରେ । ଅସତ୍ୟ ହୋଇ ସେ ବେଭାରେ ॥ ୨୦
ସମ୍ବନ୍ଧ ଯାବତ ଯାହାର । ତାବତ ମମତା ତାହାର ॥ ୨୧
ଯାବତ ଦେହେ ଅହଙ୍କାର । ତାବତ ତହିଁ ଅଧିକାର ॥ ୨୨
ଦେହ ଛାଡିଲେ ଜୀବ ନିତ୍ୟ । ଆଉ ଦେହରେ କାହିଁ ସତ୍ତ୍ୱ ॥ ୨୩
ଏ ଜୀବ ନିତ୍ୟ ଯେ ଅବ୍ୟୟ । ସୂକ୍ଷ୍ମ-ସ୍ୱରୂପ ସର୍ବାଶ୍ରୟ ॥ ୨୪
ଆତ୍ମମାୟାଗୁଣରୁ କରି । ଆତ୍ମାର ସୃଷ୍ଟିକି ଆଚରି ॥ ୨୫
ଏହାର ଅତିପ୍ରିୟ କେହି । ଅପ୍ରିୟଜନ କେହି ନାହିଁ ॥ ୨୬
ଏହାର ନିଜ-ପର ନାହିଁ । କେବଳ ଗୁଣ-ଦୋଷ ରହି ॥ ୨୭
ଗୁଣ-ଦୋଷ କ୍ରିୟାର ଫଳ । ଗ୍ରହଣ ନ କରେ ସକଳ ॥ ୨୮
ଉଦାସୀନର ପ୍ରାୟ ହୋଇ । ପର-ଅପରକୁ ଦେଖଇ ॥ ୨୯
ଏମନ୍ତ ଏକ ସେ ଈଶ୍ୱର । ସଂସାର ନିର୍ମିତ ତାହାର ॥ ୩୦

ଶୁକ ଉବାଚ[ସମ୍ପାଦନା]

ଏମନ୍ତ କହିଣ ବଚନ । ଜୀବ ଚଳିଲା ହେ ରାଜନ ॥ ୩୧
ବିସ୍ମୟେ ତାର ବନ୍ଧୁଗଣ । ଶୋକ ଛାଡିଲେ ତତକ୍ଷଣ ॥ ୩୨
ତା ତହୁଁ ଜ୍ଞାନକୁ ଶୁଣିଲେ । ସ୍ନେହ-ଶାଙ୍କୋଳିକି ଛେଦିଲେ ॥ ୩୩
ଏ ଅନନ୍ତରେ ଜ୍ଞାତିଜନ । ବେଦଉଚିତ କର୍ମମାନ ॥ ୩୪
ଲୋକବିଧିରେ ତାହାକଲେ । ସମସ୍ତ ତାପକୁ ଛାଡିଲେ ॥ ୩୫
ଯେ ଶୋକ ମୋହ ସ୍ନେହୁଁ ହୋଇ । ତାହା ଛାଡିଲେ ଜ୍ଞାନ ପାଇ ॥ ୩୬
ଚିତ୍ରକେତୁର ଯେତେ ନାରୀ । ଲାଜ ପାଇ ମନେ ବିଚାରି ॥ ୩୭
ବାଳକହତ୍ୟାପାପୁଁ କରି । ହତ ହୋଇଲା ତାଙ୍କ ଶିରୀ ॥ ୩୮
ବ୍ରାହ୍ମଣେ ପୁଚ୍ଛିଲେ ଉଚିତ । ବାଳକ-ହତ୍ୟା-ହତବ୍ରତ ॥ ୩୯
ଯମୁନାକୂଳକୁ ସେ ଗଲେ । ବାଳକହତ୍ୟା-ବ୍ରତ କଲେ ॥ ୪୦
ବ୍ରାହ୍ମଣଆଜ୍ଞା ପରମାଣେ । କମେ ସେ ବେଦର ବିଧାନେ ॥ ୪୧
ଏମନ୍ତେ ଶୁଣ ହେ ରାଜନ । ଚିତ୍ରକେତୁ ବିପ୍ର-ବଚନ ॥ ୪୨
ତକ୍ଷଣେ ଶୁଣି ଜ୍ଞାନପାଇ । ଗୃହକପୁଁ ବାହାର ହୋଇ ॥ ୪୩
ଶୁଣି ଉଦୟ ହେଲା ଜ୍ଞାନ । ମନସଂଶୟ ତା ଖଣ୍ଡନ ॥ ୪୪
ସରୋବର-ପଙ୍କରୁ ଯେହ୍ନେ । ଗଜ ବାହାର ବିଦ୍ୟମାନେ ॥ ୪୫
ତେସନେ ରାଜା ସର୍ବଛାଡି । ଗୋବିନ୍ଦପାଦେ ଚିତ୍ତ ବଢି ॥ ୪୬
କାଳିନ୍ଦୀଜଳେ ସ୍ନାନକଲା । ପୁଣ୍ୟକ୍ରିୟାକୁ ଆଚରିଲା ॥ ୪୭
ମଉନବ୍ରତେ ମହାରାଜା । ମୁନିଚରଣେ କଲେ ପୂଜା ॥ ୪୮
ଏଥୁଅନ୍ତରେ ନୃପବର । ଭକତି ଦେଖିଣ ରାଜାର ॥ ୪୯
ନାରଦ ଅନୁଗ୍ରହ କଲେ । ଏ ଜ୍ଞାନ ତାହାଙ୍କୁ କହିଲେ ॥ ୫୦
ପରମାନନ୍ଦରେ ନିବୃତ୍ତି । ଧ୍ୟାନେ ଗୋବିନ୍ଦେ କଲା ସ୍ତୁତି ॥ ୫୧

ନାରଦ ଉବାଚ[ସମ୍ପାଦନା]

ନମସ୍ତେ ପ୍ରଭୁ ନାରାୟଣ । ବାସୁଦେବ ସର୍ବକାରଣ ॥ ୫୨
ପ୍ରଦ୍ୟୁମ୍ନ ଅନିରୁଦ୍ଧ ବେନି । ନମସ୍ତେ ସଙ୍କର୍ଷଣ ପୁଣି ॥ ୫୩
ନମସ୍ତେ ଜ୍ଞାନର ଈଶ୍ୱର । ପରମାନନ୍ଦ-ମୂର୍ତ୍ତି ଯାର ॥ ୫୪
ନମସ୍ତେ ଶାନ୍ତ ଆତ୍ମାରାମ । ଅବ୍ୟୟରୂପ ପୂର୍ଣ୍ଣକାମ ॥ ୫୫
ନମସ୍ତେ ବଇକୁଣ୍ଠବାସୀ । ନମସ୍ତେ ପ୍ରଭୁ ବ୍ରହ୍ମରାଶି ॥ ୫୬
ସ୍ୱରୂପାନନ୍ଦ ଅନୁଭୂତି । ତେଣୁ ନିରସ୍ତ ଉର୍ମିଶକ୍ତି ॥ ୫୭
ଭୋ ହୃଷୀକେଶ ହେ ମହତ । ନମସ୍ତେ ମର୍ତ୍ତି ହେ ଅନନ୍ତ ॥ ୫୮
ମନବଚନ-ଅଗୋଚର । ମହିମା ନାମ ରୂପ ଯାର ॥ ୫୯
ଚିନ୍ମୟ ଯାହାର ଶରୀର । ରଖନ୍ତୁ ସଦସଦପର ॥ ୬୦
ଚିନ୍ତାମାତ୍ରକେ ଯେଉଁ ନାମ । ଖଣ୍ଡଇ ସର୍ବପାପମାନ ॥ ୬୧
ଅରୂପରେଖ ଭଗବାନ । ସଚରାଚର ବିଶ୍ୱଧାମ ॥ ୬୨
ଯାହାର ତହୁଁ ଏ ଜଗତ । ହେଉ ଅଛନ୍ତି ଆତଯାତ ॥ ୬୩
ମୃତ୍ତିକାଠାରୁ ନାନାପାତ୍ର । ଯେସନେ ହେଉଅଛି ଜାତ ॥ ୬୪
ସୃଷ୍ଟି ପ୍ରଳୟ ସ୍ଥିତି ଯହିଁ । ସେ ଯୋଗେଶ୍ୱରେ ମୁଁ ନମଇଁ ॥ ୬୫
ବୁଦ୍ଧି ଇନ୍ଦ୍ରିୟ ଆଦି ମନ । ଯାହାକୁ ନ ଜାଣଇ ପ୍ରାଣ ॥ ୬୬
ବାହ୍ୟ-ଅନ୍ତରେ ବ୍ୟାପ୍ତହୋଇ । ଆକାଶପ୍ରାୟ ଯେ ଅଛଇ ॥ ୬୭
ତାହାଙ୍କୁ ମୋର ନମସ୍କାର । ଯେ ପ୍ରଭୁ ଜଗତଠାକୁର ॥ ୬୮
ଅଶେଷ-କ୍ଷେତ୍ରେ ଯା ବିହାର । ଅଚ୍ୟୁତ ପରମଈଶ୍ୱର ॥ ୬୯
ଦେହ ଇନ୍ଦ୍ରିୟ ପ୍ରାଣ ମନ । ବୁଦ୍ଧି ଅହଙ୍କାର ଚେତନ ॥ ୭୦
ଯାର ଆଜ୍ଞାରେ ଏ ନିର୍ମାଣ । କର୍ମରେ କରନ୍ତି ଭ୍ରମଣ ॥ ୭୧
ଭଗବାନ ମହାପୁରୁଷ । ଯାହାର ଭାବରେ ପ୍ରକାଶ ॥ ୭୨
ମହାବିଭୂତିର ଈଶ୍ୱର । ସକଳ-ଭକ୍ତଜନଙ୍କର ॥ ୭୩
କରକମଳଦଳେ କରି । ସେବିତ ଚରଣ ଯାହାରି ॥ ୭୪
ଏମନ୍ତ ପରମଈଶ୍ୱର । ତାହାଙ୍କୁ ମୋର ନମସ୍କାର ॥ ୭୫

ଶୁକ ଉବାଚ[ସମ୍ପାଦନା]

ଭକତରାଜାଙ୍କୁ ନାରଦେ । ଏ ବିଦ୍ୟା ଦେଲେ ଅପ୍ରମାଦେ ॥ ୭୬
ଅଙ୍ଗିରା ସହିତେ ରାଜନ । ଗଲେ ସେ ବ୍ରହ୍ମାର ଭୁବନ ॥ ୭୭
ଚିତ୍ରକେତୁ ସେ ବିଦ୍ୟାଘେନି । ଯେମନ୍ତ କହିଥିଲେ ମୁନି ॥ ୭୮
ଧଇଲା ସପ୍ତରାତ୍ର ସେହି । ପବିତ୍ର ନିରାହାର ହୋଇ ॥ ୭୯
ସପତରାତ୍ରେ ଅପ୍ରମାଦେ । ନାରଦବିଦ୍ୟାର ପ୍ରସାଦେ ॥ ୮୦
ବିଦ୍ୟାଧର-ଅଧିପପଣ । ଲଭିଲେ ଚିତ୍ରକେତୁରାଣ ॥ ୮୧
ଶୁଣ ରାଜନ ଏକମନେ । ଏ ଅନନ୍ତରେ କେତେଦିନେ ॥ ୮୨
ବିଦ୍ୟାରୁ କରି ଶୁଦ୍ଧମତି । ନିଶ୍ଚଳେ ଲଭିଲା ନୃପତି ॥ ୮୩
ଅନନ୍ତ ଦେବଦେବେଶ୍ୱର । ଗଲା ନିକଟେ ତାହାଙ୍କର ॥ ୮୪
ମୃଣାଳପ୍ରାୟ ଶୋଭାବନ । ନୀଳବସନ ପରିଧାନ ॥ ୮୫
ଶୋଭିତ କିରୀଟ କେୟୁର । ମେଖଳା କଙ୍କଣ ଆବର ॥ ୮୬
ପ୍ରସନ୍ନ ରୁଚିର ବଦନ । ଅରୁଣ ରାଜୀବଲୋଚନ ॥ ୮୭
ବେଢିଅଛନ୍ତି ସିଦ୍ଧେଶ୍ୱର । ଦେଖିଲା ଯାଇ ନୃପବର ॥ ୮୮
ତାହାଙ୍କ ଦରଶନ ପାଇ । ସକଳପାପୁଁ ମୁକ୍ତହୋଇ ॥ ୮୯
ଅନ୍ତଃକରଣ ଶୁଦ୍ଧହେଲା । ଅଶ୍ରୁରେ ଲୋଚନ ପୂରିଲା ॥ ୯୦
ଭକ୍ତିରୁ ରୋମାଞ୍ଚ ହୋଇଲା । ଆଦିପୁରୁଷଙ୍କୁ ନମିଲା ॥ ୯୧
ସେ ଚିତ୍ରକେତୁ ହୃଷ୍ଟହୋଇ । ନୟନଜଳେ ପାଦ ଧୋଇ ॥ ୯୨
ପ୍ରେମେ କୁଣ୍ଠିତକଣ୍ଠ ହୋଇ । ସ୍ତୁତି କରିଣ ନ ପାରଇ ॥ ୯୩
ହରଷେ ପୂର୍ଣ୍ଣଇନ୍ଦ୍ରିଗଣ । କ୍ରମରେ କରି ନିବାରଣ ॥ ୯୪
ଜଗତଗୁରୁ ଗୁରୁବର । ଯାଦବଂଶର ଠାକୁର ॥ ୯୫
ତାହାଙ୍କ ପାଦେ ଦେଇମନ । କହଇ ମଧୁରବଚନ ॥ ୯୬

ଚିତ୍ରକେତୁ ଉବାଚ[ସମ୍ପାଦନା]

ତୁହି ଯେ ଅଜିତ ସ୍ୱଭାବେ । ଭକତ ତୋତେ ଜିତେ ଭାବେ ॥ ୯୭
ସୁସିଦ୍ଧଆତ୍ମା -ଲୋକଙ୍କର । ଜିତ ତୁ ହେଉ ହେ ଈଶ୍ୱର ॥ ୯୮
ଯେଣୁ ତୁ ଅତିହିଁ କରୁଣ । ତେଣୁ ତୁ ଭକ୍ତର ଅଧୀନ ॥ ୯୯
ନିଷ୍କାମେ ଯେଣୁ ଯେ ଭଜନ୍ତି । ତେଣୁ ତୋହରେ ସେ ଜିଣନ୍ତି ॥ ୧୦୦
ଯେ ତୋତେ କରଇ ଭଜନ । ତାର କାମନା କରୁ ପୂର୍ଣ୍ଣ ॥ ୧୦୧
ଅତି ଦୟାଳୁ ରୂପଧର । ଜଗତ ବିଭବ ତୋହର ॥ ୧୦୨
ଅନାଦି ତୁହି ତୋର ତହିଁ । ଉଦୟସ୍ଥିତି ଅନ୍ତ ହୋଇ ॥ ୧୦୩
ସୃଷ୍ଟିକରତା ଅଛି ଆର । ବୋଲଇ ଅଜ୍ଞ ଯେଉଁ ନର ॥ ୧୦୪
ପରମଅଣୁରୂପ ହେଉ । ମହତତେଜକୁ ତୁ ବହୁ ॥ ୧୦୫
ଆଦ୍ୟନ୍ତ ଅନ୍ତରାଳେ ସ୍ଥିତ । ଆଦ୍ୟନ୍ତ-ମଧ୍ୟ ତୋ ରହିତ ॥ ୧୦୬
ହେ ଦେବ ପ୍ରାଣୀମାନଙ୍କର । ସାକ୍ଷୀରୂପକୁ ତୁମ୍ଭେ ଧର ॥ ୧୦୭
କ୍ଷିତି ଆଦି ଯେ ପଞ୍ଚଭୂତ । ଏଥିରେ ହୋଇଣ ନିର୍ମିତ ॥ ୧୦୮
ଯେହି ମହତ-ଅଣ୍ତକୋଷ । ତାହାର ତୋର ତହିଁ ବାସ ॥ ୧୦୯
ବିଷୟା-ଜଡେ ମୋହିହୋଇ । ଯେ ଜନ ବିଭୂତି ଚିନ୍ତଇ ॥ ୧୧୦
ତୋ ପଦ୍ମଚରଣ ନ ଚିନ୍ତେ । ଗ୍ରାମର ପଶୁ ଯେ ଯୁଗତେ ॥ ୧୧୧
ଭୋ ପ୍ରଭୁ ତାହାର କଲ୍ୟାଣ । କେବେହେଁ ନୁହଁଇଟି ପୁଣ ॥ ୧୧୨
ଜ୍ଞାନାତ୍ମାମୟ ତୁ ଅଗୁଣ । ସକାମେ ଯେ ତୋର ଚରଣ ॥ ୧୧୩
ପୂଜନ୍ତି ଜନ୍ମ ତାଙ୍କ ନାହିଁ । ଭର୍ଜିତ ବୀଜ ପ୍ରାୟେ ହୋଇ ॥ ୧୧୪
ତୁମ୍ଭେ ଯେ ଭାଗବତଧର୍ମ । କହିଲ ପୁରୁଷଉତ୍ତମ ॥ ୧୧୫
ଅକିଞ୍ଚନ ଯେ ଆତ୍ମାରାମ । ଏମନ୍ତ ଯେଉଁ ମୁନିଜନ ॥ ୧୧୬
ମୋକ୍ଷ ନିମନ୍ତେ ସେହି ଧର୍ମ । କରନ୍ତି ନିତ୍ୟ ଉପାସନ ॥ ୧୧୭
ବିଷମମତିଟି ଯାହାର । ଏ ଧର୍ମୁ ସେ ଜନ ବାହାର ॥ ୧୧୮
ଯେଉଁ ଧର୍ମରେ ତୁହି ମୁହିଁ । ତୋହର ମୋର ଭେଦ ନାହିଁ ॥ ୧୧୯
କିବା କୁଶଳ ସେ ଲଭନ୍ତି । ସ୍ୱଦେହେ ପରେ ଯେ ପୀଡନ୍ତି ॥ ୧୨୦
ସ୍ୱଦ୍ରୋହେ ଆତ୍ମପୀଡ଼ା ପୁଣ । ପର ପୀଡ଼ନେ ଅଧରମ ॥ ୧୨୧
ବିହିତ ଧର୍ମ ଭାଗବତ । ନ ଛାଡେ କେବେ ପରମାର୍ଥ ॥ ୧୨୨
ସ୍ଥାବର ଚରଜୀବଙ୍କରେ । ଅଭିନ୍ନଭାବ ଯେହୁ କରେ ॥ ୧୨୩
ସେ ନିତ୍ୟ ପାଦପଦ୍ମେ ତୋର । ସେବା କରଇ ନିରନ୍ତର ॥ ୧୨୪
ପାଷଣ୍ତମତ୍ତ ଯେଉଁନର । ଏ ପାଦ ଦୁର୍ଲ୍ଲଭ ତାହାର ॥ ୧୨୫
ଯେ ପାଦପଲ୍ଲବ ସୁଧାମ । ପରମମଙ୍ଗଳ ତା ନାମ ॥ ୧୨୬
ଯେ ନାମ ସୁମରଣ କରି । ପ୍ରାଣୀ ସଂସାରୁ ଯାନ୍ତିତରି ॥ ୧୨୭
ହେ ଦେବଦେବ ନାରାୟଣ । ହେ ପ୍ରଭୁ ଅଖିଳକାରଣ ॥ ୧୨୮
ତୋ ରୂପ ଦରଶନେ ମୁହିଁ । ପବିତ୍ର ହୋଇଲି ଗୋସାଇଁ ॥ ୧୨୯
ନାରଦ-ବଚନର ଫଳେ । ତୋତେ ଦେଖିଲି ଚର୍ମଡୋଳେ ॥ ୧୩୦
ଜଗତଆତ୍ମା ହେ ଅନନ୍ତ । ସକଳ ଜାଣୁ ତୁ ତଦନ୍ତ ॥ ୧୩୧
ଏ ଘୋର ସଂସାରରେ ଜନ । କେ ତୋତେ ଜାଣୁଁ ଭଗବାନ ॥ ୧୩୨
ତୁମ୍ଭେ ଆଦିତ୍ୟ ଦେବରାୟେ । ନର ଯେ ଖଦ୍ୟୋତ ପରାୟେ ॥ ୧୩୩
ଜଗତ ଉତ୍ପତ୍ତି ପାଳନ । ପ୍ରଳୟ ହେତୁ ନାରାୟଣ ॥ ୧୩୪
ପରମହଂସରୂପ ତୁହି । ନମସ୍ତେ ପ୍ରଭୁ ଭାବଗ୍ରାହୀ ॥ ୧୩୫
ଯାର ଶ୍ୱାସକୁ ଅନୁସରି । କମ୍ପିତହେ ଏ ବସୁନ୍ଧରୀ ॥ ୧୩୬
ପ୍ରାଣୀସମୂହ ଦ୍ରୂମ-ଗିରି । ଅବନୀ ଅଛି ଯେହୁ ଧରି ॥ ୧୩୭
ସହସ୍ରମସ୍ତକ-ଈଶ୍ୱର । ନମସ୍ତେ ବ୍ରହ୍ମାଣ୍ଡଠାକୁର ॥ ୧୩୮

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ସ୍ତୁତି ତାର ଶୁଣି । ଅନନ୍ତ ପ୍ରଭୁ ହଳପାଣି ॥ ୧୩୯
ଯେ ଚିତ୍ରକେତୁ ବିଦ୍ୟାଧର । ତାହାଙ୍କୁ ବୋଲନ୍ତି ଉତ୍ତର ॥ ୧୪୦

ଭଗବାନ ଉବାଚ[ସମ୍ପାଦନା]

ଶୁଣ ରାଜନ ପୁଣ୍ୟଦେହ । ମୋର ଭକତ ଅନୁଗ୍ରହ ॥ ୧୪୧
ନାରଦ ଅଙ୍ଗିରା ତୋହରେ । କହିଲେ ଯେଉଁ ବିଦ୍ୟାସାରେ ॥ ୧୪୨
ତେଣୁ ସିଦ୍ଧହୋଇ ରାଜନ । ପାଇଲୁ ମୋର ଦରଶନ ॥ ୧୪୩
ମୁଁ ସର୍ବପ୍ରାଣୀ ଆଦିଶେଷ । ଆତ୍ମାରୂପରେ ମୋର ବାସ ॥ ୧୪୪
ପରମବ୍ରହ୍ମ ଯାରେ କହି । ସେ ମୋର ଶରୀର ଅଟଇ ॥ ୧୪୫
ଯେ ଆତ୍ମା ବ୍ୟାପ୍ତ ଲୋକଠାରେ । ଲୋକବ୍ୟାପିତ ଯେ ଆତ୍ମାରେ ॥ ୧୪୬
ଉଭୟେ ବ୍ୟାପ୍ତହୋଇ ମୁହିଁ । ସଂସାରେ ଅଛି ଦେହ ବହି ॥ ୧୪୭
ଯେସନେ ନିଦ୍ରାପାଇ ନରେ । ବିଶ୍ୱକୁ ଦେଖନ୍ତି ଆତ୍ମାରେ ॥ ୧୪୮
ନିଦ୍ରାଉପେକ୍ଷି ପୁଣ ସେହି । ଏକଦେଶେ ଆତ୍ମା ଦେଖଇ ॥ ୧୪୯
ଉଠିଣ ଜ୍ଞାନପାଇ ଯେହ୍ନେ । ସକଳ ମିଥ୍ୟାକରି ମାନେ ॥ ୧୫୦
ଯେଉଁ ପୁରୁଷ ତା ଦେଖଇ । ତାହାକୁ ଚିନ୍ତ ମନ ଦେଇ ॥ ୧୫୧
ଯାହାର ବଳେ ସୁପ୍ତ ହୋଇ । ସୁଖ ବା ସ୍ୱପନ ଜାଣଇ ॥ ୧୫୨
ସେ ଆତ୍ମା ନିର୍ଗୁଣ ଯେ ବ୍ରହ୍ମ । ସେହିଟି ମୁହିଁ ବୋଲି ଜାଣ ॥ ୧୫୩
ନିଦ୍ରାରେ ଜାଗ୍ରତରେ ପୁଣ । ଉଭୟେ ଯା ତହୁଁ ସ୍ମରଣ ॥ ୧୫୪
ଏ ମୋର ଭିନ୍ନଭାବ ଦୁଇ । ମୋ ବିନୁ ଅନ୍ୟ କେହି ନାହିଁ ॥ ୧୫୫
ଯେଣୁ ମୋ ଭାବ ପ୍ରାଣୀମାନେ । ଚିନ୍ତନ୍ତି ଭିନ୍ନକରି ମନେ ॥ ୧୫୬
ଏଣୁ ଏ ଅଖିଳସଂସାରେ । ଜନ୍ମ-ମୃତ୍ୟୁ ଲଭନ୍ତି ନରେ ॥ ୧୫୭
ମନୁଷ୍ୟଜନ୍ମ ଆଶ୍ରେ କରି । ଜ୍ଞାନ-ବିଜ୍ଞାନେ ଦେହ ଧରି ॥ ୧୫୮
ଆତ୍ମାକୁ ନ ଜାଣେ ଯେ ନର । କେବେହେଁ ସୁଖ ନାହିଁ ତାର ॥ ୧୫୯
ଚେଷ୍ଟା କରଇ କାର୍ଯ୍ୟ ପାଇଁ । ନାନା-ଯାତନା ଲଭେ ତହିଁ ॥ ୧୬୦
ସଙ୍କଳ୍ପ ଛାଡି ଯେ ଭଜଇ । ମୋକ୍ଷର ଫଳକୁ ଲଭଇ ॥ ୧୬୧
ଦୁଃଖ-ନିବୃତ୍ତି ସୁଖ ପାଇଁ । ଦମ୍ପତିକର୍ମ ଆଚରଇ ॥ ୧୬୨
ସୁଖ ଦୁଃଖର ଭୋଗ ତହିଁ । କେବେ ଲଭଇ ନ ଲଭଇ ॥ ୧୬୩
ଏମନ୍ତ ବିଚାର ଯେ ଜାଣି । କର୍ମ କରଇ ଯେଉଁ ପ୍ରାଣୀ ॥ ୧୬୪
ସୂକ୍ଷ୍ମ ଆତ୍ମଗତି ତାଠାରେ । ବିମୁକ୍ତ ହୋଇ ସେ ସଂସାରେ ॥ ୧୬୫
ଜ୍ଞାନସମ୍ପନ୍ନ ହୋଇନର । ଭକ୍ତିକି ଲଭଇ ମୋହର ॥ ୧୬୬
ପ୍ରାଣୀର ପରଧର୍ମ ଏହି । ସମଦରଶୀ ଯେବେ ହୋଇ ॥ ୧୬୭
ଯୋଗ-ନିପୁଣ-ବୁଦ୍ଧି-ଲୋକ । ଜୀବପରମ ଦେଖେ ଏକ ॥ ୧୬୮
ଶ୍ରଦ୍ଧାରେ ଯେବେ ତୁ ରାଜନ । ଘେନିବୁ ମୋହର ବଚନ ॥ ୧୬୯
ଜ୍ଞାନସମ୍ପନ୍ନ ହୋଇ ତୁହି । ସିଦ୍ଧ ହୋଇବୁ ବେଗ ହୋଇ ॥ ୧୭୦
ତୁ ଏବେ ମୋର ପାଦେ ଭକ୍ତି । ଲଭିଣ ପାଅ ସିଦ୍ଧଗତି ॥ ୧୭୧
ସୁଖଦୁଃଖରେ ମୋର ଭାବ । କେବେହେଁ ତୋ ମନୁ ନଯିବ ॥ ୧୭୨

ଶୁକ ଉବାଚ[ସମ୍ପାଦନା]

ଏମନ୍ତ କହି ବାସୁଦେବ । ଯେ ବିଷ୍ଣୁ ଋଷଭମାଧବ ॥ ୧୭୩
ଚିତ୍ରକେତୁକୁ ଆଶ୍ୱାସିଣ । ଜଗତଗୁରୁ ଭଗବାନ ॥ ୧୭୪
ଦେଖୁ ଯେ ଥିଲା ସେ ରାଜନ । କୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ ॥ ୧୭୫
ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ରାଜା-ଚରିତ ॥ ୧୭୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ଚିତ୍ରକେତୋଃ ପରମାତ୍ମଦର୍ଶନଂ ନାମ
ଷୋଡ଼ଶୋଽଧ୍ୟାୟଃ ॥

•••

ସପ୍ତଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଯେ ଦିଗେ ଅନନ୍ତ ଈଶ୍ୱର । ସେଠାରୁ ହୋଇଲେ ଅନ୍ତର ॥ ୧
ଚିତ୍ରକେତୁ ଯେ ବିଦ୍ୟାଧର । ସେ ଦିଗେ କରି ନମସ୍କାର ॥ ୨
ତକ୍ଷଣେ ହରଷ ହୋଇଲା । ଗଗନମାର୍ଗେ ଚଳିଗଲା ॥ ୩
ଲକ୍ଷେବରଷ ଅବ୍ୟାହତ । ବଳ-ଇନ୍ଦ୍ରିୟେ ହୋଇଯୁତ ॥ ୪
ସିଦ୍ଧ ଚାରଣ ମୁନିଯେତେ । ସ୍ତୁତି କରନ୍ତି ଅବିରତେ ॥ ୫
ମହାଯୋଗୀ ସେ ସିଦ୍ଧେଶ୍ୱର । ରହେ କୁଳାଚଳ ଦ୍ରୋଣିର ॥ ୬
ଆନନ୍ଦେ ବିଦ୍ୟାଧରୀ ସଙ୍ଗେ । କ୍ରୀଡା କରଇ ନାନାରଙ୍ଗେ ॥ ୭
ପରମଈଶ୍ୱରର ନାମ । କରାଇ କରଇ ଗାୟନ ॥ ୮
ସେ ପୁଣି ଅକାରଣେ କରି । ଐଶ୍ୱର୍ଯ୍ୟବଳେ ଗର୍ବକରି ॥ ୯
ପୂର୍ବର କର୍ମେଣ ତାହାର । ଦୁର୍ଗାଶାପେ ହେଲା ଅସୁର ॥ ୧୦
ତାହା କହିବା ଶୁଣ ନୃପ । ଯେମନ୍ତେ ପାଇଲା ସେ ଶାପ ॥ ୧୧
ଏକ ସମୟେ ସେ ରାଜନ । ଆରୋହୀ ଅମୂଲ୍ୟବିମାନ ॥ ୧୨
ତେଜେ ଗଞ୍ଜଇ ଦିନକର । ବିଷ୍ଣୁ ଦେଇଛି ତାକୁ ବର ॥ ୧୩
ଗିରିଶ ଦେଖିବାର ପାଇଁ । ଗଲା ସେ ସିଦ୍ଧଗଣ ଲଇଁ ॥ ୧୪
ମୁନିଏ ଅଛନ୍ତି ପାଶରେ । ଦୁର୍ଗାଙ୍କୁ ବସାଇ କୋଳରେ ॥ ୧୫
ବାହୁରେ କରି ଆଲିଙ୍ଗନ । ବସି ଅଛନ୍ତି ତ୍ରିଲୋଚନ ॥ ୧୬
ତାହାଙ୍କ ନିକଟରେ ଯାଇ । ଉଚ୍ଚେ ହସିଣ ସେ ବୋଲଇ ॥ ୧୭

ଚିତ୍ରକେତୁ ଉବାଚ[ସମ୍ପାଦନା]

ଧର୍ମବକତା ଲୋକଙ୍କର । ଜଗତଗୁରୁ ଏ ଶଙ୍କର ॥ ୧୮
ସଭାର ମଧ୍ୟେ ସ୍ତିରୀସଙ୍ଗେ । ମୈଥୁନଭାବେ ନାନାରଙ୍ଗେ ॥ ୧୯
ଶିରରେ ବହି ଜଟାଭାର । କେ କହୁ ତପ ଏହାଙ୍କର ॥ ୨୦
ଜଗତସ୍ୱାମୀ ବ୍ରହ୍ମବାଦୀ । ଅଷ୍ଟ ଐଶ୍ୱର୍ଯ୍ୟ ଯାର ସିଦ୍ଧି ॥ ୨୧
ଅଛନ୍ତି ପତ୍ନୀ ଅଙ୍କେ ଲଇଁ । ନିର୍ଲ୍ଲଜଲୋକ ପ୍ରାୟ ହୋଇ ॥ ୨୨
ଏକାନ୍ତେ ପ୍ରାକୃତସ୍ୱଭାବେ । ରହନ୍ତି ସ୍ତିରୀବଶ ଭାବେ ॥ ୨୩
ଏ ଯେ ସ୍ୱଭାବେ ଦେବବର । ଏହାଙ୍କୁ ବୋଲି ବ୍ରତଧର ॥ ୨୪
ସଭାରେ ମଧ୍ୟେ ସ୍ତିରୀ ଘେନି । ଅଛନ୍ତି ଯେହ୍ନେ ନୀଚଯୋନି ॥ ୨୫

ଶୁକ ଉବାଚ[ସମ୍ପାଦନା]

ଏ ରୂପେ ଚିତ୍ରକେତୁଙ୍କର । ଶୁଣିଣ ଉପହାସ-ଗିର ॥ ୨୬
ଅଖିଳ ବ୍ରହ୍ମାଣ୍ଡ-ଠାକୁର । ଜାଣନ୍ତି ସକଳ ଅନ୍ତର ॥ ୨୭
ଈଶ୍ୱର ତୂଷ୍ଣୀଭୂତ ହୋଇ । ରହିଲେ କିଛିହିଁ ନ କହି ॥ ୨୮
ଅଗାଧବୁଦ୍ଧି ହେ ରାଜନ । ହସିଣ ହୋଇଲେ ମଉନ ॥ ୨୯
ଜାଣେ ସେ ଜିତେନ୍ଦ୍ରିୟ ମୁହିଁ । ସମୃଦ୍ଧିଲାଭେ ଗର୍ବ ବହି ॥ ୩୦
ବଡିମାପଣେ ବାରମ୍ବାର । ନିନ୍ଦିଲା ଶିବଙ୍କୁ ଅପାର ॥ ୩୧
ଈଶ୍ୱର ମହିମା ନ ଜାଣି । ଯେତେ ବୋଇଲା ପରିମାଣି ॥ ୩୨
ସେଠାରେ ଯେତେ ଦେବେଥିଲେ । ସେ ସର୍ବେ ଶୁଣି ତୁନି ହେଲେ ॥ ୩୩
ଚିତ୍ରକେତୁର ଏହି ରୀତି । ସହି ନ ପାରି ଭଗବତୀ ॥ ୩୪
ପାଞ୍ଚିଲେ ଦୁଷ୍ଟ ପାମରର । ଗର୍ବ ହୋଇଛି ଗୁରୁତର ॥ ୩୫
ଯୋଗ୍ୟ ନୁହଁଇ ଏ ପାମର । ଗନ୍ଧର୍ବରାଜନ ପଦର ॥ ୩୬
ବ୍ରହ୍ମା ନାରଦ ଭୃଗୁଋଷି । ସେବନ୍ତି ଯାର ପାଦେ ଆସି ॥ ୩୭
ତାହାଙ୍କୁ କରେ ଅପମାନ । ଏଣୁ ଏ ଦଣ୍ଡକୁ ଭାଜନ ॥ ୩୮
ଜିତଇନ୍ଦ୍ରିୟ ଅଭିମାନୀ । ତାହାକୁ ବୋଲନ୍ତି ଭବାନୀ ॥ ୩୯
ମନରେ ଦଣ୍ଡ ଅବଧାରୀ । ବୋଇଲେ ସମ୍ବୋଧନ କରି ॥ ୪୦

ଦୁର୍ଗା ଉବାଚ[ସମ୍ପାଦନା]

ଶୁଣିମା ଜଗତ ଗୋସାଇଁ । ଏ ନୂଆ ଦଣ୍ଡଧର ହୋଇ ॥ ୪୧
ଆମ୍ଭର ପରା ଦୁଷ୍ଟଜନ । ନିର୍ଲ୍ଲଜ ଅଛନ୍ତି ଯେ ପୁଣ ॥ ୪୨
ତାହାଙ୍କ ଶାସନର ପାଇଁ । ଏଠାକୁ ଏବେ ଆସିଛଇଁ ॥ ୪୩
ଯେ ପଦ୍ମଯୋନି ଆଦିଛନ୍ତି । ଏମାନେ ଧର୍ମ ନ ଜାଣନ୍ତି ॥ ୪୪
ବ୍ରହ୍ମାର ପୁତ୍ର ଛନ୍ତି ଯେତେ । ଭୃଗୁ-ନାରଦର ସହିତେ ॥ ୪୫
କୁମାର-କପିଳାଦି ଯେହି । ଧର୍ମକୁ ନ ଜାଣନ୍ତି କେହି ॥ ୪୬
ମୋର ନିକଟେ ନିତ୍ୟେ ଥାନ୍ତି । କେହିତ ନିନ୍ଦା ନ କରନ୍ତି ॥ ୪୭
ନିତ୍ୟେ ଭଜନ ଏହାଙ୍କର । ପାଦ-ପଙ୍କଜ ହୃଦେ ଯାର ॥ ୪୮
ଜଗତଗୁରୁ ଯା ମହିମା । ସକଳ-ମଙ୍ଗଳର ସୀମା ॥ ୪୯
ଯେଣୁ ନିନ୍ଦିଲା ଏ ଈଶ୍ୱର । ଦଣ୍ଡକୁ ଯୋଗ୍ୟ ଏ ପାମର ॥ ୫୦
ଯୋଗ୍ୟ ନୁହଇ ଏ ପାମର । ବୈକୁଣ୍ଠ-ପଦ ଆଶ୍ରୟର ॥ ୫୧
ସ୍ଥିରମତି ଯେ ସାଧୁଜନ । ଯେ ପାଦ କରନ୍ତି ସେବନ ॥ ୫୨
ଏହି କାରଣେ ଦୁଷ୍ଟମତି । ଯାଅ ତୁ ଏଥେ ନାହିଁ ସ୍ଥିତି ॥ ୫୩
ପାପିଷ୍ଠ ଅସୁର ଯୋନିରେ । ଜନ୍ମ ତୁ ଲଭ ତମ ଘୋରେ ॥ ୫୪

ଶୁକ ଉବାଚ[ସମ୍ପାଦନା]

ଶାପକୁ ପାଇଣ ରାଜନ । ବିମାନୁଁ ଓହ୍ଲାଇ ତକ୍ଷଣ ॥ ୫୫
ନତମସ୍ତକେ ସିଦ୍ଧପତି । ପ୍ରସନ୍ନ କରାଇଲା ସତୀ ॥ ୫୬

ଚିତ୍ରକେତୁ ଉବାଚ[ସମ୍ପାଦନା]

ଭୋ ମାତ ଶୁଣ ମୋ ବଚନ । ଶାପ ମୁଁ ଘେନିଲି ଶିରେଣ ॥ ୫୭
ହେ ଦେବି ! ଅସୁର-ଯୋନିରେ । ଜନ୍ମ ଯେ ବିହିଲ ମୋହରେ ॥ ୫୮
ସେ ମୋର ପୂର୍ବ-ଅରଜନ । କହିବି ସାବଧାନେ ଶୁଣ ॥ ୫୯
ସଂସାରେ ଯେତେ ଜନ୍ତୁ ଛନ୍ତି । ଅଜ୍ଞାନ ମୋହରେ ବଞ୍ଚନ୍ତି ॥ ୬୦
ଭ୍ରମଣ କରି ଅନୁକ୍ଷଣ । ଭୁଞ୍ଜନ୍ତି ସୁଖଦୁଃଖମାନ ॥ ୬୧
ଈଶ୍ୱର-ମହିମା ନ ଜାଣି । ଯେତେ ବୋଇଲି ପରିମାଣି ॥ ୬୨
ସଭାର ମଧ୍ୟେ ଦୁଷ୍ଟମତି । ହେବାରୁ ପାଇଲି ଦୁର୍ଗତି ॥ ୬୩
ଯେ ଆତ୍ମାପର ଅବା କେହି । ଦୁଃଖସୁଖର କର୍ତ୍ତା ନୋହି ॥ ୬୪
ଯେ ଅଜ୍ଞପ୍ରାଣୀମାନେଛନ୍ତି । ଏହାଙ୍କୁ କର୍ତ୍ତା ବୋଲୁଥାନ୍ତି ॥ ୬୫
ଗୁଣର ପ୍ରବାହଟି ଏହି । ଶାପ ବା ଅନୁଗ୍ରହ କାହିଁ ॥ ୬୬
କି ଅବା ସ୍ୱର୍ଗ କି ନରକ । କି ଅବା ସୁଖ କିବା ଦୁଃଖ ॥ ୬୭
ଏକଇ ପ୍ରଭୁ ଆଦିମୂଳ । ମାୟାରେ ସୃଜଇ ସକଳ ॥ ୬୮
ଏହାଙ୍କ ବଦ୍ଧ-ମୋକ୍ଷ ଦୁଇ । ଦୁଃଖସୁଖକୁ ଦେଇଥାଇ ॥ ୬୯
ଏକଇ ପୁରୁଷ ମୁରାରି । ନାହିଁ ତାହାର ମିତ୍ର-ଅରି ॥ ୭୦
ଜ୍ଞାତିବାନ୍ଧବ ନିଜ ପର । ପ୍ରିୟ-ଅପ୍ରିୟ ନାହିଁ ଯାର ॥ ୭୧
ସର୍ବଭୂତରେ ସମ ସେହି । ରାଗ-ଦ୍ୱେଷାଦି ତାର ନାହିଁ ॥ ୭୨
ତାହାର କ୍ରୀଡାରେ ଜଗତ । ହେଉଅଛନ୍ତି ଆତଯାତ ॥ ୭୩
ଏହାର ବଦ୍ଧ-ମୋକ୍ଷ-ସୁଖ । ହିତ-ଅହିତ ଅବା ଦୁଃଖ ॥ ୭୪
ଏହାଙ୍କ ଜନ୍ମ ଅବା ମୃତ୍ୟୁ । ହୁଅଇ ତାର ଶକ୍ତି ହେତୁ ॥ ୭୫
ହେ ମାତ ହୋଇ ସାବଧାନ । ଶୁଣିମା ମୋହର ବଚନ ॥ ୭୬
ଶାପରୁ ମୋକ୍ଷ ହେବା ପାଇଁ । ତୁମ୍ଭଙ୍କୁ କିଛି ନ ମାଗଇ ॥ ୭୭
ସଭାରେ ମୁଁ ମନ୍ଦବଚନେ । ତୁମ୍ଭଙ୍କୁ ବୋଇଲି ଅଜ୍ଞାନେ ॥ ୭୮
ସାଧୁନିନ୍ଦନ ମୋର ବାଣୀ । କ୍ଷମା କରିବା ହେ ଭବାନି ॥ ୭୯

ଶୁକ ଉବାଚ[ସମ୍ପାଦନା]

ପ୍ରସନ୍ନ କରି ଶିବ-ସତୀ । ସେ ଚିତ୍ରକେତୁ ନରପତି ॥ ୮୦
ଆପଣା ବିମାନେ ବସିଲା । ନିଜ ମନ୍ଦିରେ ବିଜେକଲା ॥ ୮୧
ଏ ଅନନ୍ତରେ ସେ ଈଶ୍ୱର । ଦୁର୍ଗାଙ୍କୁ କହନ୍ତି ଏ ଗିର ॥ ୮୨
ଋଷି ଦଇତ୍ୟ ସିଦ୍ଧଗଣ । ଶୁଣୁଅଛନ୍ତି ସେ ବଚନ ॥ ୮୩

ମହାଦେବ ଉବାଚ[ସମ୍ପାଦନା]

ଅଦ୍ଭୁତକର୍ମା ଯେ ଈଶ୍ୱର । ପ୍ରଭାବ ଦେଖ ତା ଭୃତ୍ୟର ॥ ୮୪
ନିସ୍ପୃହ-ମହାତ୍ମା ସେମାନେ । ସୁଶ୍ରୋଣି ! ଦେଖ ବିଦ୍ୟମାନେ ॥ ୮୫
ବିଷ୍ଣୁଭକତ ଯେତେ ଜନେ । ଭୟ ତାହାଙ୍କ ନାହିଁ ମନେ ॥ ୮୬
ସ୍ୱର୍ଗ ବା ମୋକ୍ଷ ବା ନରକ । ସମାନ ଦେଖନ୍ତି ସେ ଲୋକ ॥ ୮୭
ଦେହୀର ଦେହ-ସଂଯୋଗରୁ । ପରମ-ଈଶ୍ୱର-ଲୀଳାରୁ ॥ ୮୮
ଜନ୍ମ ବା ମୃତ୍ୟୁ ଅବା ସୁଖ । ଶାପ ବା ଅନୁଗ୍ରହ -ଦୁଃଖ ॥ ୮୯
ପୁରୁଷ ଅବିବେକ ସେହି । ଏଭାବେ ଭିନ୍ନ ଯେ ଦେଖଇ ॥ ୯୦
ଯାହାର ବାସୁଦେବ ପ୍ରୀତି । ଶୁଦ୍ଧ ତାହାର ଦୃଢ଼ମତି ॥ ୯୧
ଜ୍ଞାନ ବୈରାଗ୍ୟ ଅଛି ଯାର । ପୃଥକଭାବ ନାହିଁ ତାର ॥ ୯୨
ମୁହିଁ ବିରଞ୍ଚି ଯେ କୁମାର । ନାରଦ ଆଦି ମୁନିବର ॥ ୯୩
ଇନ୍ଦ୍ରାଦି ଯେତେ ଦେବବର । ନ ଜାଣୁ ମହିମା ତାହାର ॥ ୯୪
ତାହାର ପ୍ରିୟ ନାହିଁ କେହି । ଅପ୍ରିୟଜନ କେହି ନାହିଁ ॥ ୯୫
ମିତ୍ର ଅଇରି ନାହିଁ ଯାର । ସମାନ ଦେଖେ ଆତ୍ମପର ॥ ୯୬
ସକଳ ପ୍ରାଣୀଙ୍କର ପ୍ରିୟ । ଯେଣୁ ସେ ସର୍ବଭୂତମୟ ॥ ୯୭
ଏ ଚିତ୍ରକେତୁ ମହାଭାଗ । ତାଠାରେ ବିଷ୍ଣୁ ଅନୁରାଗ ॥ ୯୮
ସର୍ବତ୍ର ସମଦୃଷ୍ଟି ଏହି । ଅଚ୍ୟୁତ ପ୍ରିୟ ଯେହ୍ନେ ମୁହିଁ ॥ ୯୯
ମହାତ୍ମାପୁରୁଷ ଯେ ସେହି । ଏଣୁ ବିସ୍ମୟ ତାର ତହିଁ ॥ ୧୦୦
ନକର ସ୍ଥିରକର ମନ । ବିଷ୍ଣୁଭକତ ଏହୁଜନ ॥ ୧୦୧
ସମଦରଶୀ ଶାନ୍ତ ସେହି । ବିସ୍ମୟ ଏଥି ଅଛି କାହିଁ ॥ ୧୦୨

ଶୁକ ଉବାଚ[ସମ୍ପାଦନା]

ଶିବଙ୍କ ଭାଗବତ ବାଣୀ । ହରଷେ ଶୁଣିଣ ଭବାନୀ ॥ ୧୦୩
ହେ ନୃପ ସ୍ଥିରକଲେ ମନ । ବିସ୍ମୟ ଛାଡିଲେ ବହନ ॥ ୧୦୪
ସେ ଚିତ୍ରକେତୁ ଏ ପ୍ରକାରେ । ଦେବୀର ଶାପ ଘେନିଶିରେ ॥ ୧୦୫
ତାହାର ଏ ସାଧୁ ଲକ୍ଷଣ । ଯେଣୁ କଲା ଶାପ ଗ୍ରହଣ ॥ ୧୦୬
ତ୍ୱଷ୍ଟାର ଦକ୍ଷିଣ-ଅଗ୍ନିରେ । ଜନ୍ମିଲା ଦାନବୀ-ଉଦରେ ॥ ୧୦୭
ବୃତ୍ର ହୋଇଲା ତାର ନାମ । ଜ୍ଞାନବିଜ୍ଞାନରେ ସମ୍ପନ୍ନ ॥ ୧୦୮
ସକଳ ତୁମ୍ଭଙ୍କୁ କହିଲୁ । ଆମ୍ଭଙ୍କୁ ଯେତେ ପ୍ରଶ୍ନ କଲୁ ॥ ୧୦୯
ଗୋବିନ୍ଦେ ମତି ବୃତ୍ରାସୁର । ଜନ୍ମର କାରଣ ତାହାର ॥ ୧୧୦
ଏ ଇତିହାସ ପୁଣ୍ୟସାର । ମହାତ୍ମା ଏ ଚିତ୍ରକେତୁର ॥ ୧୧୧
ବିଷ୍ଣୁଭକତ ପ୍ରାଣୀ ଯେହି । ତାହାଙ୍କ ଗୁଣ ଯେ ଶୁଣଇ ॥ ୧୧୨
ସକଳବନ୍ଧୁ ମୁକ୍ତ ହୋଇ । ବୈକୁଣ୍ଠପଦକୁ ଲଭଇ ॥ ୧୧୩
ଏ ଇତିହାସ ଯେ ପ୍ରଭାତେ । ଶୁଣାଇ ଶୁଣି ସ୍ଥିରଚିତ୍ତେ ॥ ୧୧୪
ହରି ସ୍ମରଣକୁ କରଇ । ପରମଗତିକି ଲଭଇ ॥ ୧୧୫
ନିରତେ ଭଜେ କୃଷ୍ଣପାଦ । ହରଇ ବିଷୟା-ବିଷାଦ ॥ ୧୧୬
ଭକ୍ତନୁଗ୍ରହ-ଭାବ ଏହି । ତାରନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୧୭
ଏ ଗୀତେ ସ୍ଥିରକର ମନ । ଫିଟିବ ମୋହଭ୍ରାନ୍ତିମାନ ॥ ୧୧୮
ଗୋବିନ୍ଦ-ପାଦପଦ୍ମେ ଚିତ୍ତ । ନିବେଶି ଷଷ୍ଠସ୍କନ୍ଧ ଗୀତ ॥ ୧୧୯
ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ରାଜା ଚରିତ ॥ ୧୨୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ଶାପୋ ନାମ
ସପ୍ତଦଶୋଽଧ୍ୟାୟଃ ॥

•••

ଅଷ୍ଟାଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଶୁକ କହନ୍ତି ହରଷିତ । ସାନନ୍ଦେ ଶୁଣ ପରୀକ୍ଷିତ ॥ ୧
ସବିତା ପତ୍ନୀ ପୃଶ୍ନୀ ହୋଇ । ବ୍ୟାହୃତି ସାବିତ୍ରୀ ଯେ ତ୍ରୟୀ ॥ ୨
ଏ ତିନି କନ୍ୟାଟି ତାହାର । ପୁତ୍ରର ନାମ ଶୁଣ ତାର ॥ ୩
ଅଗ୍ନିହୋତ୍ର ଯେ ପଶୁ ସୋମ । ଚାତୁର୍ମାସ୍ୟ ଯେ ମହାଯଜ୍ଞ ॥ ୪
ଏ ରୂପେ ପୁତ୍ରଙ୍କର ନାମ । ଭଗର ବଂଶ ଏବେ ଶୁଣ ॥ ୫
ଭଗର ପତ୍ନୀ ସିଦ୍ଧିନାମ । ତା ପୁତ୍ର ବିଭୁ ମହିମାନ ॥ ୬
ପ୍ରଭୁ ଆଶିଷ ଚାରିନାମ । କନ୍ୟାଏ ବରାରୋହା ଜନ୍ମ ॥ ୭
ଆଶିଷ ବରାରୋହା ତାର । କନ୍ୟା ହୋଇଲା ସେ ସିଦ୍ଧିର ॥ ୮
ଧାତାର ତହୁଁ ଚାରିସୁତ । କୁହୂ ଭାର୍ଯ୍ୟାରୁ ସାୟଂ ଜାତ ॥ ୯
ସନୀବାଲୀର ପୁତ୍ର ଦର୍ଶ । ଅନୁମତିର ପୂର୍ଣ୍ଣମାସ ॥ ୧୦
ରାକାର ତହୁଁ ହେଲା ପ୍ରାତଃ । ଏ ରୂପେ ଧାତାବଂଶ ଖ୍ୟାତ ॥ ୧୧
ବିଧାତାର ଯେ କ୍ରିୟାପତ୍ନୀ । ତହୁଁ ହୋଇଲେ ପଞ୍ଚଅଗ୍ନି ॥ ୧୨
ବରୁଣ ଭାର୍ଯ୍ୟା ଚରଷଣୀ । ତାହାର ତହୁଁ ଭୃଗୁ ଜନ୍ମି ॥ ୧୩
ବାଲ୍ମୀକି ମହାଯୋଗେଶ୍ୱର । ବଲ୍ମୀକୁଁ ଜାତ ତାହାଙ୍କର ॥ ୧୪
ଅଗସ୍ତି ବଶିଷ୍ଠ ବ୍ରାହ୍ମଣ । କୁମ୍ଭରୁ ତାହାଙ୍କର ଜନ୍ମ ॥ ୧୫
ରେବତୀ ମିତ୍ରୁଁ ପୁତ୍ରଜାତ । ପିପ୍‌ଳ ଉ›ର୍ତ୍ସଗ ଅରିଷ୍ଟ ॥ ୧୬
ପୌଲମୀ ଇନ୍ଦ୍ର ନିଜ ନାରୀ । ତିନିତନୟ ତାହାଙ୍କରି ॥ ୧୭
ଜୟନ୍ତ ଋଷଭକୁମର । ମୀଢୂଷ ଶୁଣ ନୃପବର ॥ ୧୮
ଉରୁକ୍ରମ ମାୟାବାମନ । ତାହାଙ୍କ ପତ୍ନୀ କୀର୍ତ୍ତି ନାମ ॥ ୧୯
ତାଠାରୁ ବୃହତ୍‌‌ଶ୍ଲୋକ ନାମ । ତନୟ ହୋଇଲା ଜନମ ॥ ୨୦
ସୌଭାଗ ଆଦି ତାହାଙ୍କର । କୁମର ହୋଇଲେ ଅପାର ॥ ୨୧
କଶ୍ୟପସୁତ ଯେ ବାମନ । ତାହାଙ୍କ ଜନ୍ମକର୍ମ ଗୁଣ ॥ ୨୨
ଅଦିତି ଗର୍ଭେ ତାହାଙ୍କର । ଯେମନ୍ତେ ହେଲା ଅବତାର ॥ ୨୩
ପଛେ ତାହାଙ୍କର ଚରିତ । କହିବା ଶୁଣ ଏକଚିତ୍ତ ॥ ୨୪
କଶ୍ୟପ-ବିର୍ଯ୍ୟେ ଦିତିଗର୍ଭେ । ଦାନବବଂଶ ଶୁଣ ଏବେ ॥ ୨୫
କଶ୍ୟପବଂଶେ ଯେ ଦଇତ୍ୟ । ବଳି ପ୍ରହ୍ଲାଦ ଭାଗବତ ॥ ୨୬
ଅଶେଷ ତାହାଙ୍କ ଚରିତ । କହିବା ଶୁଣ ଏକଚିତ୍ତ ॥ ୨୭
ଦିତିର ବେନି ଯେ ନନ୍ଦନ । ଦୈତ୍ୟ-ଦାନବଙ୍କ ବନ୍ଦନ ॥ ୨୮
ହିରଣ୍ୟକଶିପୁ ପ୍ରଥମ । ଦ୍ୱିତୀୟେ ହରିଣ୍ୟାକ୍ଷ ନାମ ॥ ୨୯
ହିରଣ୍ୟକଶିପୁ ଯେ ବୀର । କୟାଧୁ ନାମେ ପତ୍ନୀ ତାର ॥ ୩୦
ଜମ୍ଭର କନ୍ୟା ସେ ଯୁଗତେ । ପ୍ରସବ କଲା ଚାରିସୁତେ ॥ ୩୧
ସଂହ୍ଲାଦ ଅନୁହ୍ଲାଦ ବୀର । ପ୍ରହ୍ଲାଦ ହ୍ଲାଦ ତା କୁମର ॥ ୩୨
ଏକ ଭଗିନୀ ତାହାଙ୍କର । ସିଂହିକା ନାମଟି ଯାହାର ॥ ୩୩
ରାହୁ ଯେ ତାହାର କୁମର । ଜନ୍ମ ବିପ୍ରଚିତ୍ତି-ବୀର୍ଯ୍ୟର ॥ ୩୪
ଅମୃତପାନେ ଚକ୍ରଧର । ବକ୍ରେ ଛେଦିଲେ ତାରଶିର ॥ ୩୫
ଅମୃତପାନେ ସେ ନ ମଲା । ରାହୁ କେତୁ ଦ୍ୱିରୂପ ହେଲା ॥ ୩୬
ସଂହ୍ଲାଦ ପତ୍ନୀ କୃତ ନାମ । ସୁତ ତାହାର ପଞ୍ଚଜନ ॥ ୩୭
ଧମନୀ ପତ୍ନୀ ଯେ ହ୍ଲାଦର । ବାତାପି ଇଲ୍ୱଳ କୁମର ॥ ୩୮
ଅଗସ୍ତି ପେଟେ ମେଷରୂପେ । ଯେ ଭସ୍ମ ହୋଇଲା ସ୍ୱରୂପେ ॥ ୩୯
ଅନୁହ୍ଲାଦର ସୂର୍ମ୍ୟା ପତ୍ନୀ । ବାଷ୍କଳ ମର୍ହିଷ ଏ ବେନି ॥ ୪୦
ପ୍ରହ୍ଲାଦ ସୁତ ବିରୋଚନ । ଦେବୀ ତାହାର ପତ୍ନୀନାମ ॥ ୪୧
ତାହାର ବଳି ଯେ କୁମର । ତ୍ରୈଲୋକ୍ୟ ବିଖ୍ୟାତ ସେ ବୀର ॥ ୪୨
ଅଶନାଠାରେ ହେଲା ତାର । ବାଣ ଆଦି ଶତକୁମାର ॥ ୪୩
ବାଣର ପ୍ରତାପ ଯେ ତେଜ । ପଛେ କହିବା ମହାରାଜ ॥ ୪୪
ବାଣ ଆରଧି ଈଶ୍ୱରଙ୍କୁ । ଲଭିଲା ପଣ ପ୍ରଭୃତ୍ୱକୁ ॥ ୪୫
ପୁରପାଳକ ହୋଇ ହର । ଅଦ୍ୟାପି ଅଛନ୍ତି ଯାହାର ॥ ୪୬
ଦିତିର ତନୟ ମରୁତ । ଊନପଚାଶ ରୂପେ ଜାତ ॥ ୪୭
ଜନ୍ମ ନିକଟେ ବଜ୍ରେ ହାଣି । ଦେବତା କଲେ ବଜ୍ରପାଣି ॥ ୪୮

ପରୀକ୍ଷିତ ଉବାଚ[ସମ୍ପାଦନା]

କେମନ୍ତେ ଅସୁର-ସ୍ୱଭାବ । ଛାଡ଼ିଲେ ଭୋ ମୁନି କହିବ ॥ ୪୯
ଇନ୍ଦ୍ରରେ ସପକ୍ଷ ହୋଇଲେ । କି ସାଧୁକର୍ମ ସେହି କଲେ ॥ ୫୦
ଶ୍ରଦ୍ଧା ଅଧିକ ଏଣୁ ମୋର । ଶୁଣିବି ବୋଲି ମୁନିବର ॥ ୫୧
ମୋହର ଜ୍ଞାନଉଦେ ଯହିଁ । ବିସ୍ତାରି କହିବା ଗୋସାଇଁ ॥ ୫୨

ସୂତ ଉବାଚ[ସମ୍ପାଦନା]

ଭକ୍ତିଚିତ୍ତରେ ରାଜାବାଣୀ । ଶୁଣିଣ ସେ ବାଦରାୟଣି ॥ ୫୩
ରାଜାକୁ ଧନ୍ୟ ଧନ୍ୟ କରି । ଚଞ୍ଚଳଚିତ୍ତ ସ୍ଥିର କରି ॥ ୫୪
କହନ୍ତି ରାଜାମୁଖ ଚାହିଁ । ଶୁଣ ରାଜନ ମନଦେଇ ॥ ୫୫

ଶୁକ ଉବାଚ[ସମ୍ପାଦନା]

ହେ ରାଜା ସାବଧାନେ ଶୁଣ । ଯେ ତୋର ପ୍ରଶନ କାରଣ ॥ ୫୬
ସେ ଦିତି କଶ୍ୟପଙ୍କ ନାରୀ । ଇନ୍ଦ୍ରର ପକ୍ଷ ମନେ ଧରି ॥ ୫୭
ବିଷ୍ଣୁରେ କରି ହତସୁତ । ତେଣୁ ହୋଇଣ ମୋହଗତ ॥ ୫୮
କ୍ରୋଧ-ଶୋକରେ ପରଜ୍ୱଳି । ଚିନ୍ତା କରଇ ମନେ ଭାଳି ॥ ୫୯
କନିଷ୍ଠ-ଭାତୃହନ୍ତା ଏହି । କେବେ ମରିବ ପାପଦେହୀ ॥ ୬୦
କୁଟିଳ ହୃଦୟ ଏ ଜନ । ଏ ମଲେ ସୁଖେ ମୋ ଶୟନ ॥। ୬୧
କୃମି ବିଷ୍ଠା ଭସ୍ମ ସମାନେ । ଯେ ଦେହ ହୋଏ ଅବସାନେ ॥ ୬୨
ସେ ଦେହ ପାଇଁ ପ୍ରାଣୀ ନାଶ । କରି ନରକେ ପରବେଶ ॥ ୬୩
ଯେ ପ୍ରାଣୀ ଆତ୍ମାକୁ ଜାଣଇଁ । ସେ ପାପେ ପ୍ରବର୍ତ୍ତଇ ନାହିଁ ॥ ୬୪
ଏ ଯେ ପାପିଷ୍ଠ ମୂଢ଼ମତି । ଏହାର ନାହିଁ ଧର୍ମଗତି ॥ ୬୫
କେମନ୍ତେ ପୁତ୍ର ହେବ ଜାତ । ଇନ୍ଦ୍ରକୁ କରିବ ନିପାତ ॥ ୬୬
ଏହା ମୁଁ କରିବି ବିଧାନେ । ଏମନ୍ତ ବିଚାରିଣ ମନେ ॥ ୬୭
ଭର୍ତ୍ତାର ନିକଟେ ମିଳିଲା । ପ୍ରୀତିଭାବକୁ ଆଚରିଲା ॥ ୬୮
ନାନା-ପ୍ରକାରେ ସେବା କରି । ବିନୟଭାବକୁ ଆଚରି ॥ ୬୯
ପରମ-ପ୍ରୀତିଯୁକ୍ତ ହୋଇ । ମନୋଜ୍ଞବଚନ ବୋଲଇ ॥ ୭୦
ସସ୍ମିତ-ଅପାଙ୍ଗ-ବୀକ୍ଷଣେ । ସ୍ୱାମୀ ସ୍ୱବଶ କଲା ଗୁଣେ ॥ ୭୧
ଏମନ୍ତ କଶ୍ୟପ ଯେ ମୁନି । ପତ୍ନୀ-ବିନୟଭାବ ଘେନି ॥ ୭୨
ତାହାର ବଶ ସେ ହୋଇଲେ । ବାଞ୍ଛିତ ଦେବଇଁ ବୋଇଲେ ॥ ୭୩
ସ୍ତିରୀର ବଶ ହୋଇବାରେ । ବିଚିତ୍ର ନୁହଁଇ ସଂସାରେ ॥ ୭୪
ଆଦିସୃଷ୍ଟିରେ ପ୍ରଜାପତି । ପ୍ରାଣୀମାନଙ୍କୁ ସଞ୍ଚିଛନ୍ତି ॥ ୭୫
ପୁରୁଷ-ଅର୍ଦ୍ଧଅଙ୍ଗ ନାରୀ । ନର-ସ୍ୱଭାବେ ବଶ ସ୍ତିରୀ ॥ ୭୬
ଦିତି ଯେ ହୋଇ ସୁବେଶିତ । ପ୍ରଭୁ-ସେବାରେ ଉପଗତ ॥ ୭୭
ଦିତିରେ ହୋଇଣ ସେବିତ । ସେ ଯେ କଶ୍ୟପ ତପୋବନ୍ତ ॥ ୭୮
ପରମ ସନ୍ତୋଷ ହୋଇଲେ । ଏମନ୍ତ ବଚନ ବୋଇଲେ ॥ ୭୯

କଶ୍ୟପ ଉବାଚ[ସମ୍ପାଦନା]

ବର ତୁ ମାଗ ଯେ ମନରେ । ପ୍ରସନ୍ନ ହୋଇଲି ତୋହରେ ॥ ୮୦
କାନ୍ତ-ପ୍ରସନ୍ନେ ସ୍ତିରୀଙ୍କର । ଦୁର୍ଲଭ କିବା ଇହପର ॥ ୮୧
ସ୍ୱାମୀଦେବତା ନାରୀଙ୍କର । ଦେବେ କହନ୍ତି ଧର୍ମସାର ॥ ୮୨
ସର୍ବଭୂତରେ ଆତ୍ମା ହୋଇ । ଅଛନ୍ତି ପ୍ରଭୁ ଭାବଗ୍ରାହୀ ॥ ୮୩
ସେ ପ୍ରଭୁ ନାନା ଦେବମତେ । ରୂପକୁ ଧରିଛି ଜଗତେ ॥ ୮୪
ଗୋବିନ୍ଦ ପୂଜନ୍ତି ଯେ ଜନେ । ନାନା ଯଜ୍ଞବେଦ ବିଧାନେ ॥ ୮୫
ଯେ ପତିବ୍ରତା ନାରୀମାନେ । ଆତ୍ମାଶ୍ରେୟକୁ ଚିନ୍ତି ମନେ ॥ ୮୬
ଅନ୍ୟୋନ୍ୟଭାବେ ଏ ଜଗତେ । ସ୍ୱାମୀ ପୂଜନ୍ତି ବେଦମତେ ॥ ୮୭
ସ୍ୱଭାବେ ମୁହିଁ ଗୋ ସୁନ୍ଦରି । ପ୍ରସନ୍ନ ହୋଇଲି ତୋହରି ॥ ୮୮
ଯେବା ଅଭିଳାଷ ତୋହରି । ପୂର୍ଣ୍ଣ କରିବି କୃଶୋଦରୀ ॥ ୮୯
ମୁଁ ଯେଉଁ ବର ଦେବି ତୋରେ । ଦୁର୍ଲଭ ଅନ୍ୟସ୍ତିରୀଙ୍କରେ ॥ ୯୦

ଦିତି ଉବାଚ[ସମ୍ପାଦନା]

ଭୋସ୍ୱାମୀ ବର ଯେବେ ଦେବ । ଏକକୁମର ମୋ ହୋଇବ ॥ ୯୧
ଅମର ହେବ ମୋର ସୁତ । ଇନ୍ଦ୍ରକୁ ନାଶିବ ଯୁକତ ॥ ୯୨
ଯେଣୁ ମୋ ପୁତ୍ର ମରାଇଲା । ପୁତ୍ରଶୋକକୁ ମତେ ଦେଲା ॥ ୯୩
ଶୁଣିଣ ଦିତିର ବଚନ । କଶ୍ୟପ ହୋଇଲେ ମଉନ ॥ ୯୪
ମନରେ ଗରୁ-ତାପଭର । କୋପେ ଚିନ୍ତନ୍ତି ମୁନିବର ॥ ୯୫
ଆଜ କି ଅଧର୍ମ ମହତ । ହୋଇଲା ମୋରେ ଉପଗତ ॥ ୯୬
ସ୍ତିରୀରେ କରି ମୋର ମନ । ହୋଇଲା ମହାହତଜ୍ଞାନ ॥ ୯୭
ଅନ୍ତେ ମୁଁ ଘୋର ନରକରେ । ନିଶ୍ଚୟେ ପଡ଼ିବି ନିର୍ଭରେ ॥ ୯୮
ସ୍ତିରୀର କି ଅବା ଏ ଦୋଷ । ସ୍ୱଭାବେ ସ୍ତିରୀ ଅବିଶ୍ୱାସ ॥ ୯୯
ଅବୋଧ ମୁହିଁ ଯେ ପାମର । ଧିକ ହେଉ ଏ ଜନ୍ମ ମୋର ॥ ୧୦୦
ଶରଦପଙ୍କଜ ଯେସନ । ସ୍ତିରୀମାନଙ୍କର ବଦନ ॥ ୧୦୧
ବଚନ ସୁଧାଶ୍ରବଣର । ହୃଦୟ ଯେହ୍ନେ କ୍ଷୁରଧାର ॥ ୧୦୨
ଏମନ୍ତ ସ୍ତିରୀଙ୍କ ସ୍ୱଭାବ । ଏହାଙ୍କ ଚେଷ୍ଟା କେ ଜାଣିବ ॥ ୧୦୩
ପ୍ରିୟ ନାହିଁକେ ସ୍ତିରୀଙ୍କର । କ୍ଷଣିକ-ବୁଦ୍ଧିଟି ଯାହାର ॥ ୧୦୪
ଯେ ପତି ପୁତ୍ର ଅବା ଭାଇ । ମାରନ୍ତି ନିଜ କାର୍ଯ୍ୟ ପାଇଁ ॥ ୧୦୫
ଅଥବା ଇତର-ଜନର । ହସ୍ତରେ କରନ୍ତି ସଂହାର ॥ ୧୦୬
କରି ଯେ ଅଛି ଅଙ୍ଗୀକାର । ଏହାରେ ଦେବି ବୋଲିବର ॥ ୧୦୭
ମୋହର ବାକ୍ୟ ମିଥ୍ୟା କାହିଁ । ଇନ୍ଦ୍ର ତ ବଧଯୋଗ୍ୟ ନୋହି ॥ ୧୦୮
ଏମନ୍ତ ହୋଇ ଯେ ବିଷୟ । ତହିଁକି କଳ୍ପିବା ଉପାୟ ॥ ୧୦୯
ଅତ୍ୟନ୍ତ ଚିନ୍ତାକରି ମୁନି । ଶୁଣ କହିବା ନୃପମଣି ॥ ୧୧୦
ଆତ୍ମାର ନିନ୍ଦାଭାବ ବହି । ବୋଲନ୍ତି ପତ୍ନୀମୁଖ ଚାହିଁ ॥ ୧୧୧

କଶ୍ୟପ ଉବାଚ[ସମ୍ପାଦନା]

ଭୋ ସଖି ପୁତ୍ର ତୋ ହୋଇବ । ନିଶ୍ଚୟ ଇନ୍ଦ୍ରକୁ ମାରିବ ॥ ୧୧୨
ଏକବରଷ ଶୁଚି ହୋଇ । ଏ ବ୍ରତ ଯେବେ ଧରୁ ତୁହି ॥ ୧୧୩
ତୋହର ପୁତ୍ର ଯେ ହୋଇବ । ଇନ୍ଦ୍ରହନ୍ତା ସେ ବୋଲାଇବ ॥ ୧୧୪
କିନ୍ତୁ ବ୍ରତର ବିଘ୍ନ ହେଲେ । ଦେବଙ୍କ ମିତ୍ର ହେବ ଭଲେ ॥ ୧୧୫

ଦିତି ଉବାଚ[ସମ୍ପାଦନା]

ଭୋ ସ୍ୱାମୀ ବ୍ରତ ଧରିବଇଁ । ବିଧାନ କହିବା ବୁଝାଇ ॥ ୧୧୬
ବ୍ରତ ଖଣ୍ତନ ଯେ କରଇ । କି ଅବା ନିଷେଧ ଅଛଇ ॥ ୧୧୭

କଶ୍ୟପ ଉବାଚ[ସମ୍ପାଦନା]

ପ୍ରାଣୀଙ୍କି ହିଂସା ନ କରିବ । କ୍ରୋଧରେ ଶାପକୁ ନ ଦେବ ॥ ୧୧୮
ମିଥ୍ୟା ନ କହିବ ବଚନେ । ଛେଦିବ ନାହିଁ ନଖ-ରୋମେ ॥ ୧୧୯
ଅମଙ୍ଗଳ ଯେ ଦ୍ରବ୍ୟ ହୋଇ । କେବେହେଁ ସ୍ପରଶିବ ନାହିଁ ॥ ୧୨୦
ଜଳରେ ପଶିଣ ଯେ ସ୍ନାନ । କେବେହେଁ ନ କରିବ ଜାଣ ॥ ୧୨୧
ଦୁର୍ଜନ ସଙ୍ଗତେ ଆଳାପ । ଆବର ନ କରିବ ପାପ ॥ ୧୨୨
ଅଧୌତବସ୍ତ୍ର ନ ପିନ୍ଧିବ । ଛଡାମାଳକୁ ନ ଘେନିବ ॥ ୧୨୩୍
ପର-ଉଚ୍ଛିଷ୍ଟ ଦେବୀଅନ୍ନ । କେବେ ନ କରିବ ଗ୍ରହଣ ॥ ୧୨୪
ଆମିଷ ନ କରି ଭୋଜନ । ହସ୍ତେ ନ କରି ଜଳପାନ ॥ ୧୨୫
ଉଚ୍ଛିଷ୍ଟ ହୋଇ ଜଳବିନେ । କେବେହେଁ ନ ରହିବ କ୍ଷଣେ ॥ ୧୨୬
ବହୁ ବଚନ ନ କହିବ । ସନ୍ଧ୍ୟାରେ କେଶ ନ ମେଲିବ ॥ ୧୨୭
ସତ୍ୱରେ ଅସମ୍ଭାଳ ହୋଇ । କେବେ ବାହାର ହେବ ନାହିଁ ॥ ୧୨୮
ଅଧୌତ-ଆର୍ଦ୍ରପଦ ଯେବେ । ଶୟନ ନ କରିବ ତେବେ ॥ ୧୨୯
ଉତ୍ତର-ପଶ୍ଚିମକୁ ଶିର । ଶୟନ ନ ଉଭୟସନ୍ଧ୍ୟାର ॥ ୧୩୦
ଉଲଗ୍ନଭାବରେ ଶୟନ । ଏତେ ନ କରି ଆଚରଣ ॥ ୧୩୧
ଧଉତବସ୍ତ୍ର ପରିଧାନ । ଶୁଚି ହୋଇବ ଅନୁକ୍ଷଣ ॥ ୧୩୨
ପ୍ରାତଃକାଳରୁ ଉଠିକରି । ସର୍ବମଙ୍ଗଳ ବିଷ୍ଣୁସ୍ମରି ॥ ୧୩୩
ଲକ୍ଷ୍ମୀ ସହିତେ ନାରାୟଣ । ପୂଜିବ ଗୁରୁ ଗୋ-ବ୍ରାହ୍ମଣ ॥ ୧୩୪
ସଧବା-ସ୍ତିରୀଙ୍କି ଆଣିବ । ମାଳ-ଚନ୍ଦନେ ପୂଜା ଦେବ ॥ ୧୩୫
ଯଥାବିଧାନେ ନିଜପତି । ପୂଜିବ ସ୍ଥିରକରି ମତି ॥ ୧୩୬
ଯେ ଅନ୍ତର୍ଗତ-ଭଗବାନ । ତାହାଙ୍କୁ ଧ୍ୟାନ କରି ପୁଣ ॥ ୧୩୭
ନିଗମ-ପୁରାଣ ଶୁଣିବ । ବିଷ୍ଣୁରେ ମନଧ୍ୟାନ ଥିବ ॥ ୧୩୮
ପରମବ୍ରହ୍ମ ଯେ ପଦର । ଜପିବ ଦ୍ୱାଦଶଅକ୍ଷର ॥ ୧୩୯
ଅତିଥି ବ୍ରାହ୍ମଣ ପୂଜିବ । ମନସନ୍ତୋଷେ ତାଙ୍କୁ ଦେବ ॥ ୧୪୦
ଯେ ଭାବେ ଗୋବିନ୍ଦର ଭାବ । କହିଲେ ଏ ବ୍ରତ ଦୁର୍ଲ୍ଲଭ ॥ ୧୪୧
ଏକ ଅୟନ ଦୃଢ଼ଚିତ୍ତେ । ଧରିବ ପୁଂସବନବ୍ରତେ ॥ ୧୪୨
ତେବେ ଇନ୍ଦ୍ରହନ୍ତା କୁମର । ପାଇବୁ ଅଜର ଅମର ॥ ୧୪୩
ବ୍ରତକୁ ଧରିବି ବୋଇଲା । ଚଞ୍ଚଳଚିତ୍ତ ସ୍ଥିର କଲା ॥ ୧୪୪
କଶ୍ୟପ-ବୀର୍ଯ୍ୟ ଗର୍ଭେ ଧରି । ବିଧିରେ ବ୍ରତକୁ ଆଚରି ॥ ୧୪୫
ଦିତିର ଏମନ୍ତ ବିଧାନ । ଇନ୍ଦ୍ର ଜାଣିଲେ ହେ ରାଜନ ॥ ୧୪୬
ଦିତିର ବ୍ରତ ଦେଖିକରି । ଇନ୍ଦ୍ର ତା ସେବାକୁ ଆଚରି ॥ ୧୪୭
ପବିତ୍ର ଶୁଚିମନ୍ତ ହୋଇ । ତାହାଙ୍କ ସଙ୍ଗତେ ବୁଲଇ ॥ ୧୪୮
ନିତ୍ୟେ ବନରୁ ପୁଷ୍ପଫଳ । ସମିଧ କୁଶ କନ୍ଦମୂଳ ॥ ୧୪୯
ପତ୍ର ଅଙ୍କୁର ଜଳ ଆଣି । ସମୀପେ ଦ୍ୟନ୍ତି ବଜ୍ରପାଣି ॥ ୧୫୦
ଏମନ୍ତେ ବ୍ରତ-ଛିଦ୍ର ତାର । ଇନ୍ଦ୍ର ଇଚ୍ଛଇ ନୃପବର ॥ ୧୫୧
ଯେମନ୍ତେ ବ୍ୟଧ ଯେ ମୃଗର । ଛିଦ୍ର ଟାକଇ ନିରନ୍ତର ॥ ୧୫୨
କେବେହେଁ ବ୍ରତଛିଦ୍ର ସେହି । ଅନେକ ଯତ୍ନେ ନ ଦେଖଇ ॥ ୧୫୩
ତୀବ୍ରଚିନ୍ତାରେ ଇନ୍ଦ୍ର ମନ । ଛନ୍ନ ହୋଇଲା ହେ ରାଜନ ॥ ୧୫୪
ଶକ୍ର ବିଚାରୁଅଛି ମନେ । ମୋ ଶତ୍ରୁ ନାଶିବି କେସନେ ॥ ୧୫୫
ଏମନ୍ତେ ଗଲା କେତେଦିନ । ଶୁଣ ବିଧାତା ବିଡ଼ମ୍ବନ ॥ ୧୫୬
ବ୍ରତରେ କୁଶ ହୋଇଛନ୍ତି । ସନ୍ଧ୍ୟାରେ ଏକଦିନେ ଦିତି ॥ ୧୫୭
ବିଧାତାବଶେ ମୋହ ହୋଇ । ଉଚ୍ଛିଷ୍ଟେ ଜଳସ୍ପର୍ଶ ନାହିଁ ॥ ୧୫୮
ପାଦଧଉତ ନ କରିଣ । କଲେ ସେ ଭୂମିରେ ଶୟନ ॥ ୧୫୯
ନିଦ୍ରାରେ ହତ ତାର ଜ୍ଞାନ । ଶକ୍ର ଦେଖିଲେ ବ୍ରତହୀନ ॥ ୧୬୦
ଯୋଗବଳରେ ଦେବଈଶ । ଦିତିର ଗର୍ଭରେ ପ୍ରବେଶ ॥ ୧୬୧
ସେ ବଜ୍ରଧର ବଜ୍ରଧରି । ସପତଖଣ୍ଡ ଗର୍ଭ କରି ॥ ୧୬୨
ଶୁଦ୍ଧକନକ ପ୍ରାୟ ହୋଇ । ଗର୍ଭ ତାହାର ବିରାଜଇ ॥ ୧୬୩
ବଜ୍ରରେ ସାତଖଣ୍ଡ ହୋଇ । ରୋଦନ କରନ୍ତି ଯେ ସେହି ॥ ୧୬୪
ଏକକୁ ସାତଖଣ୍ଡ କରି । ନ କାନ୍ଦ ବୋଲେ ବଜ୍ରଧାରୀ ॥ ୧୬୫
ଯେ ସପ୍ତଖଣ୍ଡ ହୋଇଛନ୍ତି । ଇନ୍ଦ୍ରକୁ ବଚନ ବୋଲନ୍ତି ॥ ୧୬୬
ଭୋ ଇନ୍ଦ୍ର ତୁ ଆମ୍ଭମାନଙ୍କୁ । କିମ୍ପାଇ ଭଜିଲୁ ହିଂସାକୁ ॥ ୧୬୭
ତୋହର ଆମ୍ଭେମାନେ ଭାଇ । ମରୁତ ଆମ୍ଭନାମ ହୋଇ ॥ ୧୬୮
ତୁମ୍ଭର ସଖାଭାବେ ଥିବୁ । ସୁରଭାବକୁ ଆଚରିବୁ ॥ ୧୬୯
ଇନ୍ଦ୍ର ବୋଇଲେ ଭାଇମାନେ । ଭୟ ନ କର ତୁମ୍ଭେ ମନେ ॥ ୧୭୦
ଅନନ୍ୟଭାବକୁ ଆଚର । ହୋଇବ ପାରିଷଦ ମୋର ॥ ୧୭୧

ଶୁକ ଉବାଚ[ସମ୍ପାଦନା]

ମରୁତ ହୋଇ ଅଣଚାଶ । ରହିଲେ ଦେବରାଜ ପାଶ ॥ ୧୭୨
ଦିତିର ଗର୍ଭେ ଯେ ନ ମଲେ । ବିଷ୍ଣୁର ଅନୁକମ୍ପା ବଳେ ॥ ୧୭୩
ଅନେକ ବାର ସେହି ମାନ । କୁଳିଶେ ହୋଇଁଲେ ଛେଦନ ॥ ୧୭୪
ଦ୍ରୋଣକୁମର ଶରେ ତୁହି । ଯେମନ୍ତ ହେଲୁ କୁରୁସାଇଁ ॥ ୧୭୫
ମେଘ ଆଶ୍ରୟ କରି ସେହି । ରହିଲେ ଇନ୍ଦ୍ର ଆଜ୍ଞା ପାଇ ॥ ୧୭୬
ବାରେକ ଗୋବିନ୍ଦ ଭଜନେ । ପାପ ନାଶନ୍ତି ପ୍ରାଣୀମାନେ ॥ ୧୭୭
କିଛି ନିଉନ ସମ୍ବତ୍ସ›ର । ଯେଣୁ ପୂଜିଲା ସେ ଈଶ୍ୱର ॥ ୧୭୮
ଏହି କାରଣୁ ଇନ୍ଦ୍ରେ କରି । ପବନ ଦେବ ଦେହ ଧରି ॥ ୧୭୯
ଅସୁରଭାବକୁ ଛାଡ଼ିଲେ । ଅମରଭାବ ଆଚରିଲେ ॥ ୧୮୦
ନିଦ୍ରା ଉପେକ୍ଷିଣ ବସିଲେ । ଦିତି ପୁତ୍ରଙ୍କୁ ଅନାଇଲେ ॥ ୧୮୧
ଅନଳ ପ୍ରଭା ପ୍ରାୟ ହୋଇ । କୁମରମାନେ ଛନ୍ତି ରହି ॥ ୧୮୨
ଈନ୍ଦ୍ର-ସମେତେ ପୁତ୍ରଗଣେ । ଦେଖି ବିସ୍ମୟ ଦିତି ମନେ ॥ ୧୮୩
ଇନ୍ଦ୍ରର ଚାହିଁଣ ବଦନ । ଦିତି ଯେ ବୋଲନ୍ତି ବଚନ ॥ ୧୮୪
ଅଦିତି-ପୁତ୍ରଙ୍କୁ ମୋହର । ଭୟକୁ ଦେବ ଏ କୁମର ॥ ୧୮୫
ଏମନ୍ତ ମୁହିଁ ଇଚ୍ଛାକଲି । ଦୁସ୍ତର-ବ୍ରତ ଆଚରିଲି ॥ ୧୮୬
ହେ ତାତ ଏକଇ-କୁମର । ମୁହିଁ ଯେ ମାଗିଥିଲି ବର ॥ ୧୮୭
ସପତ-ସପ୍ତ ଏ କେସନେ । କହ ଏ କେବଣ ବିଧାନେ ॥ ୧୮୮
ତୋହର ମୁଖୁ ଏ ବିଧାନ । ଶୁଣିବି ମୁହିଁ ଭୋ ନନ୍ଦନ ॥ ୧୮୯
ସତ୍ୟ କହିବୁ ମୋର ଆଗେ । ମିଥ୍ୟା ନ କହି ଅନୁରାଗେ ॥ ୧୯୦

ଇନ୍ଦ୍ର ଉବାଚ[ସମ୍ପାଦନା]

ଭୋ ମାତ ଶୁଣ ସାବଧାନ । କହଇ ଏଥିର ବିଧାନ ॥ ୧୯୧
ଭୂମିରେ କଲ ଯେ ଶୟନ । ନିଦ୍ରା ମୋହିତ ତବ ମନ ॥ ୧୯୨
ତୁମ୍ଭର ବ୍ରତ-ଛିଦ୍ର ଚାହିଁ । ନିକଟେ ମିଳିଲି ମୁଁ ଯାଇ ॥ ୧୯୩
ଗର୍ଭ ଛେଦିଲି ଆତ୍ମହିତେ । ବିଚାର ନାହିଁ ଧର୍ମପଥେ ॥ ୧୯୪
ଗର୍ଭକୁ ସାତଖଣ୍ଡ କରି । ଛେଦିଲି ଧର୍ମ ନ ବିଚାରି ॥ ୧୯୫
ସାତକୁମରେ ହେଲେ ଜାତ । ଏକକୁ କଲି ସାତ ସାତ ॥ ୧୯୬
ତେବେହେଁ ନ ମଲେ ଏ କେହି । ଏ ତ ସଂଶୟ ବଡ଼ ହୋଇ ॥ ୧୯୭
ସେବାରୁ ମହାପୁରୁଷର । ସିଦ୍ଧି ଯେ ହୋଇଛି ତୁମ୍ଭର ॥ ୧୯୮
ପରମେଶ୍ୱର-ଆରାଧନ । ସକଳମଙ୍ଗଳ କାରଣ ॥ ୧୯୯
ନିରତେ କରନ୍ତି ଯେ ନରେ । ଆତ୍ମଜ୍ଞାନୀ ବୋଲି ତାହାରେ ॥ ୨୦୦
ଭଗବାନର ଆରାଧନ । ଯେ ନର ନିଷ୍କାମ ମନେଣ ॥ ୨୦୧
ମୋକ୍ଷ ହିଁ ନକରଇ ଇଚ୍ଛା । କେବଳ କୃଷ୍ଣରେ ସଦିଚ୍ଛା ॥ ୨୦୨
ନିତ୍ୟେ କରନ୍ତି ଯେ ଭଜନ । ସକଳଦୁଃଖ ତା ମୋଚନ ॥ ୨୦୩
ଆତ୍ମପଦ ଯେ ଭଗବାନ । ତାହାଙ୍କୁ କଲେ ଆରାଧନ ॥ ୨୦୪
ତାହାର ନାହିଁ ଅକୁଶଳ । ସେ ସର୍ବ ପରମମଙ୍ଗଳ ॥ ୨୦୫
ଦୁର୍ଜନଭାବ ଏ ମୋହର । ଭୋ ମାତ ଦୋଷ କ୍ଷମାକର ॥ ୨୦୬
ସ୍ୱଭାବେ ବାଳିଶ ମୁଁ ହୋଇ । ତୁମ୍ଭର ସହିବା ଯୋଗାଇ ॥ ୨୦୭
ମୃତ୍ୟୁରୁ ଏ ଯେ ତୋ କୁମରେ । ରହିଲେ ତୁମ୍ଭର ଭାଗ୍ୟରେ ॥ ୨୦୮
ତୋହର ମୁହିଁ ଯେ କୁମର । ରହିବି ତୋର ବଚନର ॥ ୨୦୯

ଶୁକ ଉବାଚ[ସମ୍ପାଦନା]

ଆଜ୍ଞା ମାଗିଣ ସୁନାସୀର । ଶୁଦ୍ଧଭାବ ଘେନି ମନର ॥ ୨୧୦
ମରୁତଗଣଙ୍କୁ ଘେନିଲେ । ଆନନ୍ଦେ ଦିତିଙ୍କି ନମିଲେ ॥ ୨୧୧
ଶୁଣ ରାଜନ ଚୂଡ଼ାମଣି । ସ୍ୱର୍ଗକୁ ଗଳେ ବଜ୍ରପାଣି ॥ ୨୧୨
ଯେ ପ୍ରଶ୍ନ କଲୁ ତୁ ଆମ୍ଭରେ । କହିଲି ଜନହିତସାରେ ॥ ୨୧୩
ମଙ୍ଗଳ-ମରୁତଙ୍କ ଜନ୍ମ । ଈଶ୍ୱର-ମହିମା କଥନ ॥ ୨୧୪
ବୋଲଇ ଦାସ ଜଗନ୍ନାଥ । ଦେବ-ଅସୁରଙ୍କ ଚରିତ ॥ ୨୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ମରୁତ୍ ଉତ୍ପତ୍ତି କଥନେ
ନାମ ଅଷ୍ଟାଦଶୋଽଧ୍ୟାୟଃ ॥

•••

ଊନବିଂଶ ଅଧ୍ୟାୟ[ସମ୍ପାଦନା]

ପରୀକ୍ଷିତ ଉବାଚ[ସମ୍ପାଦନା]

ଭୋ ମୁନି ଶୁଣ ସାବଧାନ । ଯେ ବ୍ରତ ନାମ ପୁଂସବନ ॥ ୧
ତୁମ୍ଭେ ଯେ କହିଲ ବିଧାନ । ପୁଣି ଶ୍ରବଣେ ମୋର ମନ ॥ ୨
ଯେ ବ୍ରତ ପ୍ରସାଦରୁ କରି । ପ୍ରସନ୍ନ ହୁଅନ୍ତି ମୁରାରି ॥ ୩

ଶୁକ ଉବାଚ[ସମ୍ପାଦନା]

ପ୍ରଥମେ ମାର୍ଗଶିର ମାସ । ଶୁକ୍ଳ ପ୍ରତିପଦ ଦିବସ ॥ ୪
ଭର୍ତ୍ତାର ଆଜ୍ଞା ପରମାଣେ । ବ୍ରତ କରିବେ ସ୍ତିରୀଗଣେ ॥ ୫
ଏ ବ୍ରତେ ହୋଇ ସର୍ବସିଦ୍ଧି । ଆଦରେ କଲେ ଯଥାବିଧି ॥ ୬
ବ୍ରାହ୍ମଣେ କରିଣ ବରଣ । ଶୁଣିବ ମରୁତଙ୍କ ଜନ୍ମ ॥ ୭
ଶୁଚି ହୋଇବ କରି ସ୍ନାନ । ଶୁକ୍ଳବସନ ପରିଧାନ ॥ ୮
ପୂର୍ବରୁ ଭୋଜନ ନ କରି । ଚଞ୍ଚଳମନ ସ୍ଥିରେ ଧରି ॥ ୯
ଲକ୍ଷ୍ମୀ ସହିତେ ଭଗବାନ । ପୂଜିବ ହୋଇ ତୋଷମନ ॥ ୧୦
ପଦ୍ମଚରଣ ଚିନ୍ତି ଧ୍ୟାନେ । ସ୍ତୁତି କରିବ ଏ ବିଧାନେ ॥ ୧୧
ହେ ନିରପେକ୍ଷ ପୂର୍ଣ୍ଣକାମ । ନମସ୍ତେ ପ୍ରଭୁ ଆତ୍ମାରାମ ॥ ୧୨
ନମୋ ମହାବିଭୁ ଈଶ୍ୱର । ସକଳ ସିଦ୍ଧିର ଠାକୁର ॥ ୧୩
ଅନନ୍ତଗୁଣେ ଯୁକ୍ତ ତୁହି । ନମସ୍ତେ ପ୍ରଭୁ ଭାବଗ୍ରାହୀ ॥ ୧୪
ଭୋ ଦେବି ଗୋବିନ୍ଦ ଘରଣି । ଅଶେଷଗୁଣେ ସୁଲକ୍ଷଣୀ ॥ ୧୫
ଲୋକମାତ ସୃଷ୍ଟିକାରଣ । ମୋହରେ ହୁଅ ତୁ ପ୍ରସନ୍ନ ॥ ୧୬
ନମଇଁ ତୋହର ଚରଣ । ଜଗତ ଯାହାର ଭିଆଣ ॥ ୧୭
ନମଇଁ ପ୍ରଭୁ ଭଗବତ । ମହାପୁରୁଷ ଆଦିଭୂତ ॥ ୧୮
ମହାବିଭୂତି-ପତି ତୁହି । ମହାବିଭୂତି-ଯୁକ୍ତ ହୋଇ ॥ ୧୯
ଅଖିଳ-ବ୍ରହ୍ମାଣ୍ତ-ଈଶ୍ୱର । ଗ୍ରହଣ କର ଉପହାର ॥ ୨୦
ଏମନ୍ତ କରି ଆରାଧନ । ପୂଜିବ ଲକ୍ଷ୍ମୀ-ନାରାୟଣ ॥ ୨୧
ପାଦ୍ୟ ଅର୍ଘ୍ୟ ଯେ ଆବାହନ । ବିଧିରେ କରାଇ ସ୍ନାହାନ ॥ ୨୨
ଦିବ୍ୟବସନ ସମର୍ପିବ । ଶୁକ୍ଳଉତ୍ତରୀ ନିବେଦିବ ॥ ୨୩
ନାନାଭୂଷଣ ଗନ୍ଧଧୂପ । ପ୍ରସନ ଉପହାର ଦୀପ ॥ ୨୪
ଆବର ଯେତେ ଉପହାର । ସ୍ଥାପିବ ବିଷ୍ଣୁର ଛାମୁର ॥ ୨୫
ବିଷ୍ଣୁରେ ଦେଇ ଯେତେ ଦ୍ରବ୍ୟ । ଆନନ୍ଦେ ତାହା ସମର୍ପିବ ॥ ୨୬
କୃଷ୍ଣର ଯେତେ ଭାବରସ । ଆନନ୍ଦେ କରିବ ପ୍ରକାଶ ॥ ୨୭
ହବି ଆହୂତି ଯେ ଦ୍ୱାଦଶ । ଅନଳେ ଦେବ ଅବଶେଷ ॥ ୨୮
ନମୋ ଭଗବାନ ଈଶ୍ୱର । ମହାପୁରୁଷ ଦେବବର ॥ ୨୯
ମହାବିଭୂତିପତି ତୁହି । ସ୍ୱାହା ବୋଲି ଅର୍ପିବ ତହିଁ ॥ ୩୦
ଲକ୍ଷ୍ମୀ ଅଚ୍ୟୁତ ବେନିଜନ । ବରଦାୟକ ନରାୟଣ ॥ ୩୧
ଭକ୍ତିରେ ନିତ୍ୟେ ଯେ ପୂଜିବ । ସର୍ବସମ୍ପଦ ସେ ଲଭିବ ॥ ୩୨
ଭାବରେ ହୋଇ ଭକ୍ତିଯୁକ୍ତ । ସାଷ୍ଟାଙ୍ଗେ କରି ଦଣ୍ଡବତ ॥ ୩୩
ମନ୍ତ୍ର ଜପିବ ଦଶବାର । ଏ ସ୍ତୋତ୍ର କରିବ ଉଚ୍ଚାର ॥ ୩୪
ତୁମ୍ଭେ ଯେ ତ୍ରୈଲୋକ୍ୟ ଈଶ୍ୱର । ସକଳ-ବ୍ରହ୍ମାଣ୍ତ-ଠାକୁର ॥ ୩୫
ସଂସାର-ପରମକାରଣ । ତୁମ୍ଭେ ଯେ ପ୍ରଭୁ ନାରାୟଣ ॥ ୩୬
ଏ ଯେ ସୂକ୍ଷ୍ମମାୟା-ପ୍ରକୃତି । ଦୁରନ୍ତ ଅଟଇ ଶକତି ॥ ୩୭
ଏହାର ତୁମ୍ଭେ ଅଧୀଶ୍ୱର । ସାକ୍ଷାତ ପୁରୁଷଙ୍କ ପର ॥ ୩୮
ତୁମ୍ଭେ ସକଳ-ଯଜ୍ଞମୟ । ପତ୍ନୀରୂପରେ ଲକ୍ଷ୍ମୀ ହୁଅ ॥ ୩୯
ଅଶେଷ-କ୍ରିୟାର ଈଶ୍ୱରୀ । ଫଳଭୋକତା ନରହରି ॥ ୪୦
ଗୁଣାଦି ଗୁଣର କାରଣ । ତତ୍ତ୍ୱଭାବନ ଭଗବାନ ॥ ୪୧
ସର୍ବଶରୀରେ ଆତ୍ମା ତୁହି । ଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ ॥ ୪୨
ନାମ ରୂପ ଏ ଭଗବତୀ । ଆଶ୍ରୟରୂପେ ତୁମ୍ଭ ସ୍ଥିତି ॥ ୪୩
ଯେମନ୍ତେ ତୁମ୍ଭେ ବ୍ରହ୍ମାଣ୍ତର । ବର-ଦିଅନ୍ତା ହେ ଈଶ୍ୱର ॥ ୪୪
ତେମନ୍ତ ହୋଇ ଚକ୍ରଧର । ସର୍ବମଙ୍ଗଳ ହେଉ ମୋର ॥ ୪୫
ଲକ୍ଷ୍ମୀନିବାସ ଯେ ପୁରୁଷ । ଏହି ସ୍ତୁତିରେ କରି ତୋଷ ॥ ୪୬
ପୂଜିବ ଲକ୍ଷ୍ମୀନାରାୟଣ । ଯେ ପ୍ରଭୁ ବ୍ରହ୍ମାଣ୍ତ-କାରଣ ॥ ୪୭
ପୂଜା-ଉପଚାର ଲେଛିବ । ସନ୍ତୋଷେ ଆଚମନ ଦେବ ॥ ୪୮
ଏଥିଉତ୍ତାରୁ ପୁନର୍ବାର । ଅର୍ଚ୍ଚନା କରିବ ଈଶ୍ୱର ॥ ୪୯
ଯଜ୍ଞ-ଉଚ୍ଛିଷ୍ଟ ଯେବାଥିବ । ମନ ସନ୍ତୋଷେ ତା ଭକ୍ଷିବ ॥ ୫୦
ଚିତ୍ତରେ ହୋଇ ଭାବଭକ୍ତି । ପୁଣି କରିବ ନାନା ସ୍ତୁତି ॥ ୫୧
ସ୍ୱାମୀଙ୍କି ଭକ୍ତିରେ ପୂଜିବ । ଈଶ୍ୱରଭାବରେ ଚିନ୍ତିବ ॥ ୫୨
ନାନାପ୍ରୀତିରେ ବାକ୍ୟ ଭରି । ସ୍ୱାମୀ ତୋଷିବ ନିଜନାରୀ ॥ ୫୩
ପତ୍ନୀ ସହିତ ହୋଇ କରି । ସର୍ବକର୍ମ ସ୍ୱାମୀ ଆଚରି ॥ ୫୪
ଏ ବ୍ରତ ପତିପତ୍ନୀ ଧରିବ । ଅଭାବେ ଏକା ବା କରଇ ॥ ୫୫
ଏ ବିଷ୍ଣୁବ୍ରତକୁ ଧରିବ । କେବେହେଁ ଭଗ୍ନ ନ କରିବ ॥ ୫୬
ଗନ୍ଧମାଲ୍ୟ ମଣିଭୂଷଣେ । ବ୍ରତେ ତୋଷିବ ବିପ୍ରଗଣେ ॥ ୫୭
ଭକ୍ତିରେ ଯୁକ୍ତ କରି ମନ । ନିୟମେ ଥିବ ପ୍ରତିଦିନ ॥ ୫୮
ସାଷ୍ଟାଙ୍ଗେ ଈଶ୍ୱର ନମିବ । ସ୍ୱସ୍ଥାନେ ନେଇ ବସାଇବ ॥ ୫୯
ଭକ୍ତିଭାବରେ ବେନିଜନ । ନିର୍ମାଲ୍ୟ କରିବ ଭୋଜନ ॥ ୬୦
ସର୍ବକାମନା ପୂର୍ଣ୍ଣ ପାଇଁ । କରିବ ଭକ୍ତିଯୁକ୍ତ ହୋଇ ॥ ୬୧
ଏ ପୂଜାବିଧି ବାରମାସ । କରିବ ଏକଇ ବରଷ ॥ ୬୨
ଏ ମଧ୍ୟେ ମଳମାସ ଯେବେ । ଛାଡିବ-ଏକମାସ ତେବେ ॥ ୬୩
କାର୍ତ୍ତିକପୂର୍ଣ୍ଣିମା ଦିବସେ । ରହିବ ପୁଣି ଉପବାସେ ॥ ୬୪
ତାହାର ଯେଉଁ ପରଦିନ । ପ୍ରଭାତେ କରି ଆଚମନ ॥ ୬୫
ପୂର୍ବର ପ୍ରାୟେ କରି ପୁଣି । ବିଷ୍ଣୁ ଅର୍ଚ୍ଚିବ ତହୁଁ ଆଣି ॥ ୬୬
ଚରୁ ଘୃତ ସମିଧ କ୍ଷୀରେ । ହୋମ କରିବ ଏ ବିଧିରେ ॥ ୬୭
ଯଜ୍ଞବିଧାନେ ପାକ ଶେଷ । ଆହୁତି ଦେବ ଯେ ଦ୍ୱାଦଶ ॥ ୬୮
ଆଶିଷ ଘେନିବ ମସ୍ତକେ । ବ୍ରାହ୍ମଣମାନଙ୍କର ବାକ୍ୟେ ॥ ୬୯
ସାଷ୍ଟାଙ୍ଗେ କରି ନମସ୍କାର । ଆଜ୍ଞା ଘେନିବ ବିପ୍ରଙ୍କର ॥ ୭୦
ଆଚାର୍ଯ୍ୟ କରିଣ ଅଗ୍ରତେ । ଶୁଚି ହୋଇ ବନ୍ଧୁ ସହିତେ ॥ ୭୧
ପତ୍ନୀକି ଚରୁ ଦେବ ନେଇ । ସୁପୁତ୍ର ସୌଭାଗ୍ୟର ପାଇଁ ॥ ୭୨
ଏ ବିଷ୍ଣୁବ୍ରତ ଯେ କରଇ । ବାଞ୍ଛିତଫଳ ସେ ଲଭଇ ॥ ୭୩
ଯେ ସ୍ତିରୀ ଏ ବ୍ରତ ଆଚରି । ସୌଭାଗ୍ୟ ଲଭେ ସେ ସୁନ୍ଦରୀ ॥ ୭୪
ଉତ୍ତମପୁତ୍ର ସ୍ୱାମୀ ଯଶ । ଏ ସର୍ବ ଲଭଇ ଅକ୍ଳେଶ ॥ ୭୫
ଏ ବ୍ରତେ କନ୍ୟା ଲଭେ ବର । ଉତ୍ତମଲକ୍ଷଣ ଯାହାର ॥ ୭୬
ବିଧବା ଅପୁତ୍ରିକ ନୋହି । ସେ ନାରୀ ନିଷ୍ପାପ ହୁଅଇ ॥ ୭୭
ଦୁର୍ଭଗା ସୌଭାଗ୍ୟ ଲଭଇ । ବିରୂପ ସୁରୂପ ହୁଅଇ ॥ ୭୮
ମୃତବ›ତ୍ସିକା ଯେବା ନାରୀ । ଚିରଞ୍ଜିବୀ ପୁତ୍ର ତାହାରି ॥ ୭୯
ସର୍ବରୋଗରୁ ମୁକ୍ତ ହୋଇ । ନିର୍ମଳ ହୋଏ ତାର ଦେହୀ ॥ ୮୦
ସୌଭାଗ୍ୟବତୀ ଧନେଶ୍ୱରୀ । ଅନ୍ତେ ଲଭନ୍ତି ବିଷ୍ଣୁପୁରୀ ॥ ୮୧
ସକଳ କର୍ମର ଅନ୍ତରେ । ଯେ ଏହା ପଢ଼େ ନିରନ୍ତରେ ॥ ୮୨
ପିତୃଦେବତା ତୋଷ ହୋଇ । ବାଞ୍ଛିତଫଳ ତାରେ ଦେଇ ॥ ୮୩
ହୋମର ଅବସାନେ ତାର । ସନ୍ତୋଷ ଅଗ୍ନି ଚକ୍ରଧର ॥ ୮୪
ମରୁତଜନ୍ମ ହେ ରାଜନ । ତୁମ୍ଭେ ଯେ ମୋତେ କଲ ପ୍ରଶ୍ନ ॥ ୮୫
ଦିତିର ବ୍ରତ ଆଦି କରି । ତୋ ଆଗେ କହିଲୁ ବିସ୍ତାରି ॥ ୮୬
ଏଣେ ଯେ ହୋନ୍ତି ସାବଧାନ । ଲଭନ୍ତି ଧର୍ମ ଅର୍ଥ କାମ ॥ ୮୭
ଅନ୍ତେ ପଶନ୍ତି ହରିଦେହେ । ଶ୍ରୀମୁଖେ କହେ ଦେବରାୟେ ॥ ୮୮
ଏଣୁ ଯେ ସୁବୋଧ ପଣ୍ଡିତ । ନିତ୍ୟେ ଶୁଣିବ ଏ ଚରିତ ॥ ୮୯
ତାହାର ପାପବନ୍ଧ ନାହିଁ । ଅବଶ୍ୟ ବୈକୁଣ୍ଠ ଲଭଇ ॥ ୯୦
ବୋଲଇ ଦାସ ଜଗନ୍ନାଥ । ପବନ ଜନ୍ମର ଚରିତ ॥ ୯୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସିକ୍ୟାଂ
ଅଷ୍ଟାଦଶ ସାହସ୍ର୍ୟାଂ ପାରମହଂସ୍ୟାଂ ସଂହିତାୟାଂ ଷଷ୍ଠସ୍କନ୍ଧେ
ପୁଂସବନବ୍ରତ କଥନଂ ନାମ ଏକୋନବିଂଶୋଽଧ୍ୟାୟଃ ॥

•••