ଜଗବନ୍ଧୁ ପରି ଜଣେ ସାମନ୍ତ

ଉଇକିପାଠାଗାର‌ରୁ
ଜଗବନ୍ଧୁ ପରି ଜଣେ ସାମନ୍ତ
ଲେଖକ/କବି: ଦୀନକୃଷ୍ଣ ଦାସ

ଜଗବନ୍ଧୁ ପରି ଜଣେ ସାମନ୍ତ

ଜଗବନ୍ଧୁ ପରି ଜଣେ ସାମନ୍ତ
ନାହିଁ ନାହିଁ ତ ।
ଚଉଦ ଭୁବନ ବାରତା ଜାଣନ୍ତି
ଚକ୍ରରେ ଛେଦନ୍ତି ଆରତ ।।

ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ
ଅକୃର ଆଣିଣ ଗଲା ତ ।
ଗାଇ ଦୁହୁଁ ଦୁହୁଁ କେଶ ଫିଟିଗଲା
ଚତୁର୍ଭୁଜ ହେଲେ ଅନନ୍ତ ।୧।

ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ
ବାଳୀକି ବିନାଶ କଲେ ତ ।
ରାବଣ ଭ୍ରାତା ଯେ ଶରଣ ପଶିଲା
ଲଙ୍କାଗଡ଼ ତାକୁ ଦେଲେ ତ ।୨।

କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟି ବସ୍ତ୍ର ଦିଆଇଲେ ତ ।
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
ଘଣ୍ଟ ଘୋଡାଇ ରଖିଲେ ତ ।୩।

ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ
ନାଶନେ ଆରତି ଆରତ ।
କହେ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ
ପଦ୍ମ ପାଦେ ଚିତ୍ତ ଧ୍ୟାୟି ତ ।୪।