ତୋ ଲାଗି ଗୋପଦାଣ୍ଡ ମନା

ଉଇକିପାଠାଗାର‌ରୁ
ଲେଖକ/କବି: ବନମାଳୀ ଦାସ
ତୋ ଲାଗି ଗୋପଦାଣ୍ଡ ମନା

ତୋ ଲାଗି ଗୋପଦାଣ୍ଡ ମନା

ରାଗ ମୋହନ କେଦାର, ତାଳ ରୂପକ
ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା
ତୋ ଲାଗି ନ ଯିବି ଯମୁନାରେ କାଳିଆ ସୁନା । ଘୋଷା ।

ନିତି ଏହି ବାଟେ ଯାଉରେ କାଳିଆ
ନିତି ଏହି ବାଟେ ଯାଉ
ହାଟରେ କଉଡି ମାଗିଲେ କାଳିଆ
ମୁରଲୀ ବଜାଉ ଥାଉ । ୧ ।

ତୁହି ଗୋପପୁରେ ରଜାରେ କାଳିଆ
ତୁହି ଗୋପପୁରେ ରଜା
କେମନ୍ତ ସଜରେ ମୂରଲୀ ବଜାଉ
ଆହୁରି ଟିକିଏ ବଜା । ୨ ।

ତୁହି ଅଟୁ ନନ୍ଦ ଚାଟରେ କାଳିଆ
ତୁହି ଅଟୁ ନନ୍ଦ ଚାଟ
ମଥୁରା ହାଟକୁ ଦଧି ବିକି ଗଲେ
ନିତି ମାଗୁଥାଉ ଘାଟ । ୩ ।

ତୁହି ବଡ ଘର ପୁ୍ଅରେ କାଳିଆ
ମୁହିଁ ବଡ଼ ଘର ବୋହୂ
ଶରମ ତୋ ମୁଖେ ନାହିଁରେ କାଳିଆ
ମରମ କଥାଟି କହୁ । ୪ ।

କହଇ ବଲ୍ଲଭାନନ୍ଦ ଏ ରସରେ
ଶୁଣ ଆଗେ ସଖୀବୃନ୍ଦ
ଯମୁନା କୂଳରେ ମୂରଲୀ ବଜାଏ
ତୁମ୍ଭ ଘେନି କୃଷ୍ଣଚନ୍ଦ୍ର । ୫ ।

  • ଏହି ଓଡ଼ିଶୀ ଗୀତଟିରେ ବନମାଳୀ ନିଜ ନାମ 'ବଲ୍ଲଭାନନ୍ଦ' ବୋଲି ଭଣିତା କରିଛନ୍ତି ।