ମୋତେ ସେହି ରୂପ ଦେଖାଅ ହରି

ଉଇକିପାଠାଗାର‌ରୁ
ମୋତେ ସେହି ରୂପ ଦେଖାଅ ହରି
ଲେଖକ/କବି: କବି ଦ୍ୱିଜ

ମୋତେ ସେହି ରୂପ ଦେଖାଅ ହରି

 
ମୋତେ ସେହି ରୂପ ଦେଖାଅ ହରି ।
ଜୟ ଶ୍ରୀ ରାଧେ ରାଧେ ଡାକେ ବାଂଶରୀ ।।

ଯେଉଁ ରୂପେ ବଳିଦ୍ୱାରେ ହୋଇଥିଲଟି ଭିକାରୀ ।
ତିନି ପାଦ ଦାନ ଦେଇ ବଳିକି ପାତାଳେ ଥୋଇ
ଯଶ ଜଗତେ ଅଛ ବିସ୍ତାରି ।୧।

ଗୋପପୁରେ ନନ୍ଦ ଘରେ ରଖିଥିଲ ବାଛୁରୀ ।
ଯାମଳା ଅର୍ଜୁନ ଭାଙ୍ଗି ଶକଟା ଦର୍ପକୁ ଗଞ୍ଜି
କୁବେରର କୁମାରଙ୍କୁ ତାରି ।୨।

କୁରୁପତି ସଭାସ୍ଥଳେ ଦ୍ରୌପଦୀ ଜଣାଣ କରି ।
ବିବଶନ ହେବା କାଳେ କୋଟି ବସ୍ତ୍ର ଦେଇ ହେଳେ
ତାକୁ ଲଜ୍ଜାରୁ କରିଛ ପାରି ।୩।

ଆରତେ ଡାକିଲା ଗଜ ରଖିଲ ହେ ଚକ୍ରଧାରୀ ।
ତା ଡାକକୁ ଚତୁର୍ଭୁଜ ରକ୍ଷାକଲ ଦେବରାଜ
ଥିଲଟି ତୁମ୍ବେ ଶ୍ରବଣ ଡେରି ।୪।

ଗହନ ବନେ ମୃଗୁଣୀ ଡାକିଲା ରଥାଙ୍ଗପାଣି ।
ବନେ ଶିଶୁ ଗର୍ଭାଏଣୀ ଚିନ୍ତିଲା ହେ ଚକ୍ରପାଣି
ବ୍ୟାଧମୁଖରୁ ରଖିଲ ତାରି ।୫।

କହଇ ଦ୍ୱିଜ ଅଧମ ତୁମ୍ଭ ପାଦ ଧ୍ୟାନ କରି ।
ମୋ କର୍ମକୁ ହେଲ ବାମ ଆହେ ନବଘନ ଶ୍ୟାମ
ନ ସ୍ଫୁରିଲା ନେତ୍ରରେ ମୋହରି ।୬।