ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଯାଜପୂରର ସ୍ୱନାମଧନ୍ଯ ଶିକ୍ଷକ

ଦାଶରଥି ଦାସ     
  ଶ୍ରୀ କିଶୋରଚନ୍ଦ୍ରଦାସ


      ଜଣେ ଦକ୍ଷ ପ୍ରାଥମିକ ଶିକ୍ଷକ ଓ ପ୍ରଶାସକ ଭାବରେ ଦାଶରଥି ବାବୁଙ୍କୁ ସିଂହପୁର ଅଞ୍ଚଳର  ପ୍ରାୟ ସମସ୍ତ ଲୋକ ଜାଣନ୍ତି। ସେ ଯେ କେବଳ ଜଣେ ପ୍ରବୀଣ ଶିକ୍ଷକ ଥିଲେ ତାହା ନୁହେଁ। ସେ ମଧ୍ଯ ଜଣେ ଆଦର୍ଶ, ନୀତିବନ୍, ସଂଯମୀ, ଛାତ୍ରବତ୍ସଳ, ତ୍ଯାଗୀ ଓ ନିଷ୍ଠାପର ଜନସେବକ ରୂପେ ଘରେ ଘରେ ଥିଲେ ପରିଚିତ। ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକ ଯେ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ, ତାହା ଦାଶରଥି ବାବୁଙ୍କ ଆଦର୍ଶ ଜୀବନୀରୁ ପ୍ରତିଫଳିତ ହୁଏ। ସେ ଗଢିଥିବା  ଛାତ୍ରଛାତ୍ରୀମାନେ ଜୀବନର ଉଚ୍ଚସ୍ତରକୁ  ଯାଇ ଖ୍ଯାତି ଅର୍ଜନ କରିପାରିଛନ୍ତି। ବିଦ୍ଯାଳୟରେ ଶିକ୍ଷାଦାନ ସହିତ  ସେ ଲୋକଙ୍କ ସେବାରେ ଦୈନିକ ତିନିରୁ ଚାରି ଘଣ୍ଟା ସମୟ ଦେଉଥିଲେ। ଗରିବ ଓ ନିଃସହାୟ ଛାତ୍ରମାନଙ୍କୁ ଅବସର ସମୟରେ ଅତି ଆନନ୍ଦ ଓ ଶ୍ରଦ୍ଧାର ସହିତ ପଢାଉଥିଲେ। ସେବା ହିଁ   ପ୍ରକୃତ ଧର୍ମ-ଏହା ତାଙ୍କ ଜୀବନର ବ୍ରତ ଥିଲା। ଭାରତୀୟ ପରମ୍ପରା ଅନୁଯାୟୀ ସରଳ ଜୀବନଯାପନ ସହିତ ଉଚ୍ଚମାନର ଚିନ୍ତା କରିବା ହିଁ  ତାଙ୍କ ଆଦର୍ଶ ଥିଲା। ଦାଶରଥି ବାବୁ ଏବେ ନାହାନ୍ତି ସତ କିନ୍ତୁ ତାଙ୍କର କର୍ମ ହିଁ ତାଙ୍କୁ  ଯେ ଅମର କରି ରଖିବ ଏଥିରେ ଆଦୌ   ସନ୍ଦେହ ନାହିଁ।

ଯାଜପୁର ଅନ୍ତର୍ଗତ ବିଞ୍ଚାରପୁର ଅଞ୍ଚଳର ଏକ ଗରିବ ପରିବାରରେ ଦାଶରଥିବାବୁଙ୍କର କନ୍ମ ଏପ୍ରିଲ୍ ୮ ତାରିଖ ୧୯୦୨ ଖ୍ରୀଷ୍ଟାଦ୍ଦରେ। ତାଙ୍କର ପିତା ରାଧାଶ୍ଯାମ ଦାସ ଜଣେ ଗରିବ ଚାଷୀ ଥିଲେ । ଦାସରଥି ବାବୁଙ୍କ ଗାଁ ଚାଟଶାଳୀରେ ବଳରାମ ଅବଧାନେ ପଢାଉଥିଲେ। ତୃତୀୟ ଶ୍ରେଣୀର ପାଠ ଶେଷ କରି ୪ର୍ଥ ଶ୍ରେଣୀରେ କଲ୍ଯାଣପୁର ମଧ୍ଯଇଂରାଜୀ ବିଦ୍ଯାଳୟରେ ନାମ ଲାଖାଇବା ପାଇଁ ସେ ତାଙ୍କ ବାପାଙ୍କ ସହିତ ଗଲେ।ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଗଣିତ ଓ ସାହିତ୍ଯରେ ପରିକ୍ଷା କରନ୍ତେ ତାଙ୍କର କୃତିତ୍ୱରେ ସନ୍ତୋଷ ପ୍ରକାଷ କରି ତାଙ୍କୁ ୪ର୍ଥ ଶ୍ରେଣୀରେ ନାମ ଲେଖାଇବା ପାଇଁ ସୁପାରିସ କଲେ। ସ୍କୁଲ୍ ତରଫରୁ ସମସ୍ତ ପ୍ରକାର ସାହାଯ୍ଯ ଦେବା ପଇଁ ସେ ପ୍ରତିଶ୍ରୁତି ଦେବାରୁ ତାଙ୍କ