ପୃଷ୍ଠା:Jati, Jagruti o Pragati.pdf/39

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪୦ / ଜାତି, ଜାଗୃତି ଓ ପ୍ରଗତି

ବଙ୍ଗଳା ହେଉ ଓଡ଼ିଶାର ମାତୃଭାଷା !

ଉକ୍ରଳ ବିଶ୍ୱବିଦ୍ୟାଳୟର ନୀଳକଣ୍ଠ ଛାତ୍ରାବାସ । ଏଠାରେ କେବଳ ଏମ୍.ଫିଲ୍ ନୁହଁ, ବିଭିନ୍ନ ବିଭାଗର ମେଧାବୀ ଛାତ୍ରମାନେ ଜାତୀୟସ୍ତରରେ ବୃତ୍ତି ପାଇ ଗବେଷଣା କାର୍ଯ୍ୟରେ ମଗ୍ନ ରହିବା ସହିତ, ଭବିଷ୍ୟତରେ ସ୍ଥିର ଜୀବିକାପାଇଁ ରାଜ୍ୟ ଓ ରାଷ୍ଟ୍ରସ୍ତରୀୟ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିଥାନ୍ତି । ଏଥିପାଇଁ ଏହାର ପରିବେଶ ବେଶ ଅନୁକୂଳ ହୋଇଥିବାରୁ ପ୍ରତିବର୍ଷ ଶତପ୍ରତିଶତ ଛାତ୍ର କୃତକାର୍ଯ୍ୟ ମଧ୍ୟ ହୋଇଥାନ୍ତି ।

କିଛି ଦିନ ପୂର୍ବରୁ କୌଣସି ଏକ କାର୍ଯ୍ୟରେ ଯାଇଥିଲି ଏହି ଛାତ୍ରାବାସକୁ । ଉଦ୍ଦେଶ୍ୟ ଥିଲା ମୋର ବନ୍ଧୁମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ତଥା ଗବେଷଣା କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଜାଣିବାକୁ । ଦେଖିଲି ସେମାନଙ୍କ ଟେବୁଲ ଉପରେ ବିଭିନ୍ନ ବହି ଓ ପତ୍ରପତ୍ରିକା ସହ ବଙ୍ଗଳା ବହିର ମିଶ୍ରିତ ଥାକ । ଆଶ୍ଚର୍ଯ୍ୟ ହୋଇଗଲି । କାରଣ ଏମାନଙ୍କ ପାଠ୍ୟ ସହିତ ବଙ୍ଗଳା ବହିର କୌଣସି ସଂପର୍କ ନାହିଁ । ବିଶେଷକରି ଇଂରେଜୀ ବ୍ୟତୀତ ନିଜ ମାତୃଭାଷାକୁ ଭଲ ପାଉ ନ ଥିବା ଏହି ଗବେଷକଙ୍କ କାହିଁକି ଏ ବଙ୍ଗଳା ଭାଷାପ୍ରୀତି, କିଛି ବୁଝିପାରି ନ ଥିଲି । କାହାକୁ ମଧ୍ୟ ପଚାରି ପାରୁ ନ ଥିଲି । କାରଣ ମୁଁ ଥିଲି ଓଡ଼ିଆ ଭାଷା ଓ ସାହିତ୍ୟର ଛାତ୍ର ତଥା ଗବେଷକ । ଯଦି କିଛି ପଚାରିବି, ତେବେ ସଂକୀର୍ଣ୍ଣମନା ବୋଲି ଉପହାସିତ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ନୀରବ ରହି ଅଧିକା କିଛି ଜାଣିବାପାଇଁ ଅନ୍ୟ ବନ୍ଧୁମାନଙ୍କ ନିକଟକୁ ଗଲି । ସେଠାରେ ମଧ୍ୟ ସେହି ପୂର୍ବ ଦୃଶ୍ୟ । କିଏ ଆଣ୍ଠେଇ, ପେଟେଇ ବଙ୍ଗଳା ଅକ୍ଷର ଶିଖୁଛି ତ କିଏ ବଙ୍ଗଳା ଶବ୍ଦ ପଠନ କରିବାରେ ବ୍ୟସ୍ତ; ଆଉ କେହି ଡଗଡଗ କରି ବଙ୍ଗଳା ଶବ୍ଦ ଉଚ୍ଚାରଣ କରିପକାଉଛି । କେତେକ ମଧ୍ୟ ନିଜ ନିଜ ବିଷୟ ଯଥା ଇତିହାସ, ଦର୍ଶନ, ବାଣିଜ୍ୟ, ମ୍ୟାନେଜମେଣ୍ଟ,