ପୃଷ୍ଠା:Jati, Jagruti o Pragati.pdf/49

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୫୦ / ଜାତି, ଜାଗୃତି ଓ ପ୍ରଗତି
ଅଧିକାଂଶ ବିଦ୍ୟାର୍ଥୀଙ୍କର ଇଂରେଜୀ ଭାଷାରେ ଦକ୍ଷତା ନ ଥିବାରୁ ସର୍ବାଧିକ ସାଫଲ୍ୟ ମିଳିପାରୁ ନାହିଁ । ଏହି ବର୍ଷ I.A.S. ପରୀକ୍ଷାରେ ବାଧ୍ୟତାମୂଳକ ଥିବା ଏକମାତ୍ର ଇଂରେଜୀ ପତ୍ରରେ ସର୍ବନିମ୍ନ ନମ୍ବର ରଖି ନ ପାରିବାରୁ ୧୫୦୦ ବିଦ୍ୟାର୍ଥୀଙ୍କ ପରୀକ୍ଷା ଖାତା ଦେଖାଯାଇ ନ ଥିଲା । ନଚେତ୍ ହିନ୍ଦୀ ମାଧ୍ୟମର ସଫଳତା ହାର ନିଶ୍ଚିତ ଭାବରେ ୯୦% ହୋଇଥାନ୍ତା । ହିନ୍ଦୀ ଭାଷୀ ରାଜ୍ୟ ସରକାର ମଧ୍ୟ ଇଂରେଜୀ ଭାଷାକୁ ତ୍ୟାଗ କରି କିରାଣୀଠାରୁ ଶିକ୍ଷକ, ଅଧ୍ୟାପକ, ବିଚାରପତି, ପ୍ରଶାସନିକ ଅଧିକାରୀ ଭଳି ଉଚ୍ଚ ପଦାଧିକାରୀଙ୍କ ଚୟନ ନିମିତ୍ତ ପରୀକ୍ଷା କେବଳ ହିନ୍ଦୀ ମାଧ୍ୟମରେ କରୁଥିବାରୁ ଇଂରେଜୀ ଶିକ୍ଷାକୁ ବିଦ୍ୟାର୍ଥୀ ଅନାବଶ୍ୟକ ମନେ କରୁଛନ୍ତି । ସେମାନେ ଏକଥା ବୁଝିବାକୁ ଅଜ୍ଞ ଯେ, ବିଦେଶୀ ଇଂରେଜୀ ଭାଷା ଯେତେ ତ୍ରୁଟିଯୁକ୍ତ ହେଲେ ମଧ୍ୟ ଏହାର ଆବଶ୍ୟକତା ଆମ ଦେଶରେ ଆହୁରି କିଛି ବର୍ଷପାଇଁ ରହିଛି ।

ତେବେ ଏପରି ସ୍ଥିତି ଆମ ଓଡ଼ିଶାରେ ନାହିଁ । ଛାତ୍ରଠାରୁ ଅଭିଭାବକ ପର୍ଯ୍ୟନ୍ତ ଇଂରେଜୀ ଭାଷା ଶିକ୍ଷା ପ୍ରତି ଯେତିକି ଯତ୍ନଶୀଳ, ସେତିକି ମଧ୍ୟ ସଚେତନ । ମାତ୍ର ଆମମାନଙ୍କଠାରେ ଯେଉଁ ଭୟଙ୍କର ତ୍ରୁଟି ଦେଖାଦେଇଛି, ତାହା ହେଉଛି ମାତୃଭାଷା ପ୍ରତି ଉଦାସୀନତା । ମାତୃଭାଷା ସଂପର୍କରେ ଅଧିକ ଚିନ୍ତା କରିବା କର୍ମହୀନଙ୍କ ପ୍ରମୁଖ କାର୍ଯ୍ୟ ବୋଲି ଆମ ଶିକ୍ଷିତବର୍ଗଙ୍କ ଧାରଣା । ସେମାନେ ଏ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି ଯେ, ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷା ବିନା ବର୍ତ୍ତମାନର ଶିକ୍ଷା ମୂଲ୍ୟହୀନ । ସେମାନେ ଏକଥା ବୁଝିବାକୁ ଅକ୍ଷମ ଯେ, ଆଜିର କମ୍ପ୍ୟୁଟର ତଥା ବୈଶ୍ୱିକରଣ ଯୁଗରେ ସେମାନଙ୍କ ମାତୃଭାଷାର ମୂଲ୍ୟ କେତେ? କମ୍ପ୍ୟୁଟର ଭାଷା ଆଉ ଇଂରେଜୀ ନାହିଁ, ବରଂ ବିଶ୍ୱର ପ୍ରମୁଖ ଆଞ୍ଚଳିକ ଭାଷାକୁ କମ୍ପ୍ୟୁଟର ଗ୍ରହଣ କଲାଣି । ଜାପାନର ପ୍ରଧାନମନ୍ତ୍ରୀ ଜାପାନ ଭାଷାରେ ଓଡ଼ିଶାରେ ଭାଷଣ ଦେଲେ ଓଡ଼ିଶାବାସୀ ତାହା ଓଡ଼ିଆରେ ଶୁଣି ପାରିବାର କୌଶଳ ଆବିଷ୍କୃତ ହୋଇସାରିଲାଣି । ତୀବ୍ର ବଜାରୀକରଣ ଯୋଗୁଁ ବଡ଼ବଡ଼ କମ୍ପାନୀଗଣ ନିଜ ଉତ୍ପାଦିତ ସାମଗ୍ରୀର ତ୍ୱରିତ ବିକ୍ରିପାଇଁ ଆଞ୍ଚଳିକ ଭାଷାର ପ୍ରାଧାନ୍ୟକୁ ସ୍ୱୀକାର କଲେଣି । ଭାରତୀୟ ଭାଷାଗୁଡ଼ିକ ଇଂରେଜୀଠାରୁ କମ୍ ତ୍ରୁଟିଯୁକ୍ତ ଥିବାରୁ କମ୍ପ୍ୟୁଟରଦ୍ୱାରା ସହଜରେ ଗ୍ରହଣଯୋଗ୍ୟ ହେବା ଲକ୍ଷ୍ୟ କରି ତଥା ବଜାର ଚାହିଦାକୁ ଭିତ୍ତିକରି I.B.M., Microsoft ଭଳି ଭଳି ବୃହତ କମ୍ପ୍ୟୁଟର କମ୍ପାନୀଗଣ ଭାରତୀୟ ଆଞ୍ଚଳିକ ଭାଷାରେ ବିଭିନ୍ନ ପୋଗ୍ରାମ ଓ ସଫ୍ଟୱେର ପ୍ରସ୍ତୁତ କଲେଣି । ଏହାକୁ ଲକ୍ଷ୍ୟ କରି ଭାରତର ଅନ୍ୟାନ୍ୟ ରାଜ୍ୟଗଣ ନିଜ ନିଜ ମାତୃଭାଷାକୁ ବଳିଷ୍ଠ ଓ ଲୋକମୁଖର କରିବାପାଇଁ ବିଭିନ୍ନ ପଦକ୍ଷେପ ନେଇ ସାରିଲେଣି । ତେଣୁ ଭାରତର ଏକ ସମୃଦ୍ଧ ଆଞ୍ଚଳିକ ଭାଷା ରୂପରେ ପରିଚିତ ଓଡ଼ିଆ ଭାଷା ପ୍ରତି ଓଡ଼ିଆଙ୍କ ଅବହେଳାଦ୍ୱାରା ଯେଉଁ ଅପୂରଣୀୟ କ୍ଷତି ଘଟିବ, ତାହା ଆମ ଭବିଷ୍ୟତ ପିଢ଼ି କେବେ ବି ଆମକୁ କ୍ଷମା ଦେବେ ନାହିଁ ।