ପୃଷ୍ଠା:Jati, Jagruti o Pragati.pdf/52

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୫୩

ପରୀକ୍ଷା ପଦ୍ଧତି : ଏହା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ । ପ୍ରାରମ୍ଭିକ (ପ୍ରିଲିମ୍), ମୁଖ୍ୟ (ମେନ୍) ସାକ୍ଷାତକାର (ଇଣ୍ଟରଭ୍ୟୁ) । ମୁଖ୍ୟ ପରୀକ୍ଷାରେ ପ୍ରାର୍ଥୀଙ୍କ ଭିଡ଼ କମାଇବାପାଇଁ ପ୍ରାରମ୍ଭିକ ପରୀକ୍ଷା ଆରମ୍ଭ । ଏହି ପରୀକ୍ଷାରେ ବସ୍ତୁନିଷ୍ଠ ପ୍ରଶ୍ନ ପଡିଥାଏ । ଅର୍ଥାତ୍ ଗୋଟିଏ ପ୍ରଶ୍ନର ୪ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଗୋଟିଏ ସଠିକ୍ ଉତ୍ତରକୁ ଦିଆଯାଇଥିବା ଉତ୍ତର କାଗଜରେ ପେନ‌ସିଲ ସାହାଯ୍ୟରେ ଚିହ୍ନିତ କରିବାକୁ ପଡିଥାଏ । ଏହି ପରୀକ୍ଷା ୨ଟି ପତ୍ର ବିଶିଷ୍ଟ । ଇଚ୍ଛାଧୀନପତ୍ର ଓ ସାଧାରଣଜ୍ଞାନ । ଇଚ୍ଛାଧୀନ ପତ୍ରରେ ୧୨୦ଟି ପ୍ରଶ୍ନ ପଚରାଯାଏ । ଯାହାର ସମୁଦାୟ ମୂଲ୍ୟ ୩୦୦ ଏବଂ ସାଧାରଣ ଜ୍ଞାନ ପତ୍ରରେ ୧୫୦ଟି ପ୍ରଶ୍ନ ପଚରାଯାଏ । ଯାହାର ମୂଲ୍ୟ ୧୫୦ । ତେବେ ୨୦୦୭ ମସିହାଠାରୁ ନକରାତ୍ମକ ଉତ୍ତର ଅର୍ଥାତ୍ ୩ଟି ପ୍ରଶ୍ନର ଉତ୍ତର ଭୁଲ୍ ହେଲେ ଗୋଟିଏ ପ୍ରଶ୍ନପାଇଁ ଉଦ୍ଧିଷ୍ଟ ନମ୍ବର ଦଣ୍ଡସ୍ୱରୂପ କଟା ହେବା ବ୍ୟବସ୍ଥା କରାଯାଇଛି ।

ମୁଖ୍ୟ ପରୀକ୍ଷା : ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଏହି ପରୀକ୍ଷାରେ ବସିବାପାଇଁ ସୁଯୋଗ ମିଳେ । ଏଥିରେ ୯ଟି ପତ୍ର ଲିଖିତ ଆକାରରେ ଦେବାର ନିୟମ ଅଛି । ଏହା ୨ଥାକ ବିଶିଷ୍ଟ । ପ୍ରଥମ ଥାକରେ ୨ଟି ପତ୍ର- ପ୍ରାର୍ଥୀର ମାତୃଭାଷା ଓ ଇଂରାଜୀ ଭାଷାପତ୍ର ଦ୍ୱାରା ଭାଷାଜ୍ଞାନ ପରୀକ୍ଷା କରାଯାଏ । ଏହାର ପ୍ରଶ୍ନ ଦଶମ ଶ୍ରେଣୀ ପରୀକ୍ଷାରେ ପଡ଼ୁଥିବା ବ୍ୟାକରଣ ପ୍ରଶ୍ନଭଳି ଖୁବ୍ ସହଜ ଓ ସରଳ । ତେବେ ଏହି ଦୁଇଟି ପତ୍ରର ବିଶେଷତ୍ତ୍ୱ ହେଲା, ଏଥିରେ ସର୍ବନିମ୍ନ ୩୫% ନମ୍ବର ନ ରଖିଲେ ଅନ୍ୟ ୭ଟି ପତ୍ର ଦେଖାହେବନାହିଁ । ଅର୍ଥାତ୍ ପ୍ରାର୍ଥୀ ଏଠାରେ ବିଫଳ ହେଲା ।

୨ୟ ଥାକରେ ପତ୍ର ସଂଖ୍ୟା ୩ରୁ ୯ପର୍ଯ୍ୟନ୍ତ ଦେବାକୁ ପଡ଼େ । ୩ୟ ପତ୍ର ‘ପ୍ରବନ୍ଧ’ରେ ୬ଟି ସାମାଜିକ ସମସ୍ୟାମୂଳକ ପ୍ରଶ୍ନ ପଡ଼ିବ । ସେଥିରୁ ଯେ କୌଣସି ୧ଟି ବିଷୟରେ ୩ ଘଣ୍ଟା ମଧ୍ୟରେ ଲେଖିବାକୁ ପଡିବ । (ପ୍ରଶ୍ନ ମୂଲ୍ୟ ୨୦୦ ନମ୍ବର)

ପତ୍ର ୪ ଓ ୫ ହେଉଛି ସାମାନ୍ୟ ଅଧ୍ୟୟନ ବା ସାଧାରଣଜ୍ଞାନ । ୪ର୍ଥ ପତ୍ର - “ଆଧୁନିକ ଭାରତ ଓ ଭାରତୀୟ ସଂସ୍କୃତି” (୬୦), ଭାରତ ଭୂଗୋଳ (୪୦), ଭାରତ ସମ୍ବିଧାନ (୧୦୦), ସମସାମୟିକ ଘଟଣାବଳୀ (୧୦୦), ୫ମ ପତ୍ର- ଭାରତ ଓ ବିଶ୍ୱ ସମ୍ବନ୍ଧ (୮୦), ଭାରତ ଅର୍ଥନୀତି (୭୦), ଆନ୍ତର୍ଜାତୀୟ ସଂସ୍ଥା ଓ ଘଟଣା (୩୫), ବିଜ୍ଞାନ ଓ ପ୍ରାଦ୍ୟୋଗିକୀ (୮୫), ପରି ସଂଖ୍ୟାନ (୩୦) । (ମୋଟ୍ ୩୦୦+୩୦୦=୬୦୦ ମାର୍କ)

(ବିଷୟଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ଆଇଏସ୍-୦୮ ମୁଖ୍ୟ ପରୀକ୍ଷା ପ୍ରଶ୍ନ ଆଧାରିତ)

ପତ୍ର ୬ ଓ ୭- ପ୍ରଥମ ଇଚ୍ଛାଧୀନ ବିଷୟ । ପତ୍ର ୮ଓ୯- ଦ୍ୱିତୀୟ ଇଚ୍ଛାଧୀନ ବିଷୟ ।
(ଏହି ୪ଟି ପତ୍ରର ମୂଲ୍ୟ= ୪ X ୩୦୦=୧୨୦୦ ନମ୍ବର)