ପୃଷ୍ଠା:Jati, Jagruti o Pragati.pdf/54

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୫୫
ଚୟନ କରୁଥିବାବେଳେ, ଦ୍ୱିତୀୟ ବିଷୟ କ୍ଷେତ୍ରରେ ଦ୍ୱିଧାଗ୍ରସ୍ତ ହୋଇ ଅନ୍ୟର ପରାମର୍ଶ ନେଇଥାଏ । ଫଳରେ ୨ୟ ବିଷୟ ପ୍ରସ୍ତୁତିପାଇଁ ଅଧିକ ସମୟ ନଷ୍ଟ କରେ । ପୁନଶ୍ଚ ଏହି ବିଷୟ ପ୍ରତି ରୁଚି ନ ଥିବା ଯୋଗୁଁ ବିଷୟର ଉତ୍ତର ସଠିକ୍ ଭାବରେ ନ ଲେଖି କିମ୍ବା ଉତ୍ତରରେ ନିଜର ମନଭାବନା ସଠିକ୍ ଭାବରେ ପ୍ରତିଫଳିତ ହୋଇ ନ ପାରିବା ଯୋଗୁଁ ଉପଯୁକ୍ତ ମାର୍କ ନ ପାଇ ବିଫଳ ହୁଏ ।

(ଘ) ଉତ୍ତର ଲେଖିବା ମାଧ୍ୟମ - ଏହା ହେଉଛି ପ୍ରାର୍ଥୀକୁ ସଫଳ କରିବାର ସର୍ବୋତ୍ତମ ମାର୍ଗ । କାରଣ ଭାଷା ହେଉଛି ଭାବର ବାହକ । ଜଣେ ଉତ୍ତମ ବ୍ୟକ୍ତି ଓ ଦାୟିତ୍ୱ ସଂପନ୍ନ ଅଧିକାରୀ ଚୟନ କଲାବେଳେ ତା’ର ମନର ଭାବନାକୁ ପରୀକ୍ଷକ ଓ ସାକ୍ଷାତକାର ବୋର୍ଡ ସଦସ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି । ତେଣୁ ପ୍ରାର୍ଥୀର ଉତ୍ତର ଲେଖିବାର ଶୈଳୀ ନିର୍ଭୁଲ ଓ ତଥ୍ୟାତ୍ମକ, ତଥା ସ୍ପଷ୍ଟ ବକ୍ତବ୍ୟକୁ ଆଧାର କରି ଚୟନ କରାଯାଏ । ସେଥିପାଇଁ ଏହା ହେଉଛି ଏଭଳି ଏକ ସର୍ବଭାରତୀୟ ପରୀକ୍ଷା, ଯାହା ପ୍ରାର୍ଥୀଙ୍କୁ ନିଜର ମାତୃଭାଷା ମାଧ୍ୟମରେ ଲେଖିବାର ଓ କହିବାର ସୁଯୋଗ ଦେଇଥାଏ । ତେଣୁ ଇଂରେଜୀ ଭାଷାରେ ଦୁର୍ବଳ ଥିଲେ ମଧ୍ୟ ଜଣେ ପ୍ରାର୍ଥୀ ନିଜର ନିଷ୍ଠା ଓ ଉଦ୍ୟମ ବଳରେ ମାତୃଭାଷାକୁ ମାଧ୍ୟମ ରୂପେ ଗ୍ରହଣ କରି ସଫଳ ହୋଇପାରିବ । ମାତ୍ର ଆମ ଓଡ଼ିଶାର ୯୯ ଭାଗ ଉଚ୍ଚଶିକ୍ଷିତ ବ୍ୟକ୍ତି ଜାଣନ୍ତି ନାହିଁ ଯେ, ଆଇଏଏସ୍ ପରୀକ୍ଷା ଓଡ଼ିଆ ମାଧ୍ୟମରେ ଦେଇହେବ ବୋଲି । ତେଣୁ କେତେଜଣ ହାତଗଣତି ଓଡ଼ିଆ ପ୍ରାର୍ଥୀଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଇଂରାଜୀ ଭାଷାର ସୀମିତ ଦକ୍ଷତାକୁ ନେଇ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେଉଥିବାରୁ, ଭାରତ ସାରା ବିଛାଡି ହୋଇଥିବା ଇଂରେଜୀ ଭାଷାରେ ଦକ୍ଷ ମେଧାବୀଙ୍କ ସହିତ ତାଳ ଦେଇ ନ ପାରି ସର୍ବାଧିକ ସଂଖ୍ୟାରେ ବିଫଳ ହେଉଛନ୍ତି । ଯେଉଁ କେତେଜଣ ଇଂରାଜୀ ମାଧ୍ୟମରେ ଉତ୍ତର ଲେଖି ସଫଳ ହେଉଛନ୍ତି, ସାକ୍ଷାତକାରରେ ସ୍ପଷ୍ଟ ଇଂରାଜୀ କହି ନ ପାରିବାଯୋଗୁଁ ଏଠାରେ ମଧ୍ୟ ବିଫଳ ହେଉଛନ୍ତି ।

ପୁନଶ୍ଚ ଆଞ୍ଚଳିକ ଭାଷାରେ ଉତ୍ତର ଲେଖିବା ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଆଇଏଏସ୍-୨୦୦୭ ପରୀକ୍ଷାରେ ଯେ ୧୫୦୦ ଜଣ ହିନ୍ଦୀଭାଷୀ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷାର ବାଧ୍ୟତାମୂଳକ ଭାଷା ପରୀକ୍ଷଣ “ଇଂରେଜୀ ଭାଷା” ପତ୍ରରେ ବିଫଳ ହୋଇ ନ ଥା’ନ୍ତେ, ତେବେ ସେହି ବର୍ଷ ସବୁଯାକ ପଦବୀ କେବଳ ହିନ୍ଦୀ ଭାଷାରେ ଉତ୍ତର ଲେଖିଥିବା ବିଦ୍ୟାର୍ଥୀଙ୍କୁ ମିଳିଥାନ୍ତା । ତେଣୁ ଯଦି ପ୍ରାର୍ଥୀର ଅନ୍ତର୍ନିହିତ ଗୁଣ ରହିଛି, ତେବେ ଇଂରେଜୀ ଭାଷାରେ ସୀମିତ ଦକ୍ଷତା ଥିଲେ ମଧ୍ୟ ଜଣେ ପ୍ରାର୍ଥୀ ଆଇଏଏସ୍ ପାଇପାରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଇଏଏସ୍ ଟ୍ରେନିଂ ସମୟରେ ଇଂରେଜୀ ଭାଷାରେ ଦକ୍ଷତା ବୃଦ୍ଧିପାଇଁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଥାଏ । ତେଣୁ ଜଣେ ଓଡ଼ିଆ