ପୃଷ୍ଠା:Jati, Jagruti o Pragati.pdf/67

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୬୮ / ଜାତି, ଜାଗୃତି ଓ ପ୍ରଗତି
ବ୍ଲକରେ ଏହି ବୟସର ମୋଟ୍ ୭୪,୯୪୩ ଜଣଙ୍କ ମଧ୍ୟରୁ ୭୧,୨୯୦ ଜଣ ନିରକ୍ଷର ଥିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣାପଡ଼େ । ଅର୍ଥାତ୍ ବଡ଼ଚଣା ବ୍ଲକରେ ସରକାରଙ୍କ ତଥ୍ୟ ଅନୁସାରେ ୩,୧୫୩ ଜଣ ସାକ୍ଷର ଥିବାବେଳେ ୧୪ରୁ ୨୦ ବର୍ଷ ମଧ୍ୟରେ ୧୯୯୮-୯୯ରେ ଏହି ବ୍ଲକ‌ରୁ ୫୫ଟି ହାଇସ୍କୁଲ ଓ ୭ଟି ମହାବିଦ୍ୟାଳୟର ମୋଟ୍ ଛାତ୍ରଛାତ୍ରୀ ସଂଖ୍ୟା ୧୪,୩୮୦ ବୋଲି ଜିଲ୍ଲା ପରିସଂଖ୍ୟାନ ବହି ୧୯୯୯ରେ ମୁଦ୍ରିତ ଅଛି । ତେଣୁ କିଭଳି ଭାବରେ ପ୍ରଶାସକ-ଉଚ୍ଚଶିକ୍ଷିତ ବର୍ଗ ଜନସାଧାରଣଙ୍କ ଆଖିରେ ଆଙ୍ଗୁଳି ଖେଞ୍ଚିଛନ୍ତି, ତାହା ସରକାରୀ ରିପୋର୍ଟରୁ ସହଜେ ଅନୁମେୟ । ବ୍ୟକ୍ତିଙ୍କୁ ଚିହ୍ନଟ କରି ଏମାନଙ୍କ ସାକ୍ଷରତାପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କଠାରୁ ମିଳିଛି ୫୧ ଲକ୍ଷ ଏବଂ ରାଜ୍ୟ ସରକାରଙ୍କଠାରୁ ମିଳିଛି ୨୫.୫୦ ଲକ୍ଷ; ମୋଟ୍ ୭୬ ଲକ୍ଷ ୫୦ ହଜାର ଟଙ୍କା । ଆହୁରି ପରବର୍ତ୍ତୀ ଦଫାରେ କେତେ ମିଳିବ ତାହା ଜିଲ୍ଲାପାଳ ତଥା ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଜଣା । ତେବେ ବର୍ତ୍ତମାନ ଖର୍ଚ୍ଚ ହିସାବରେ ଜଣେ ନିରକ୍ଷରର ସାକ୍ଷରପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪୫ ଟଙ୍କା । ସମୁଦାୟ ସାକ୍ଷର ପରେ କେତେ ଖର୍ଚ୍ଚ ହେବ ତାହା ଅନୁମେୟ । ତେବେ କଥା ହେଉଛି, ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଉକ୍ତ ଲକ୍ଷାଧିକ ବ୍ୟକ୍ତି ସାକ୍ଷର ହେବେ ତ ? ଜିଲ୍ଲାପାଳଙ୍କ ହିସାବରେ ପାଠ୍ୟ ଉପକରଣ କିଣାରେ ୨୩ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସେ ଉପକରଣଗୁଡ଼ିକ କ’ଣ ହେଉଛି ? କାହିଁକି ଦୀର୍ଘ ୪ ବର୍ଷ ବିତିଯାଇଥିବା ବେଳେ ଏପର୍ଯ୍ୟନ୍ତ ବଣ୍ଟା ହୋଇନାହିଁ ? ଏ ପ୍ରଶ୍ନ କେବଳ ଯାଜପୁର ଜିଲ୍ଲାବାସୀ ପଚାରି ଚାଲିଛନ୍ତି । କୌଣସି ଉତ୍ତର ପାଇନାହାନ୍ତି । ସମଗ୍ର ଓଡ଼ିଶାରେ ଜନଶିକ୍ଷା ଓ ସାଧନ କେନ୍ଦ୍ରର କାର୍ଯ୍ୟକ୍ରମ ଏହିପରି । ଯେଉଁଠି ନିର୍ଦ୍ଦେଶକ ପଦବୀପାଇଁ ଭିଡ଼ା ଓଟରା ହୁଏ, ସେଠାରେ ତଳ ସ୍ତରକୁ କାର୍ଯ୍ୟ କରିବାପାଇଁ କେଉଁଭଳି ନିର୍ଦ୍ଦେଶ ଦିଆଯାଉଥିବ, ତାହା ସହୃୟ ପାଠକ ବିଚାର କରିବେ ।

ଏକବିଂଶ ଶତାବ୍ଦୀରେ ବିଜ୍ଞାନର ଚରମ ଅଗ୍ରଗତି, ମାନବ କ୍ଲୋନିଂ, ଚନ୍ଦ୍ରରେ ବାସସ୍ଥାନ ନିର୍ମାଣର ସ୍ୱପ୍ନ, ମଙ୍ଗଳ ଗ୍ରହରେ ଜୀବନ ସଂଧାନ ଭଳି ଅତିମାନବୀୟ କାର୍ଯ୍ୟ ସାଧନ ହେବାଦ୍ୱାରା ସମଗ୍ର ବିଶ୍ୱରେ ଶିକ୍ଷାର ଜୟଗାନ କରାଯାଉଥିବା ବେଳେ ସ୍ୱାଧୀନତା ଲାଭ କରିବାର ୫୭ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ରାଜ୍ୟର ୪୦ ଭାଗ ଜନତା ଅକ୍ଷର ପଢ଼ି ନ ପାରିବା ଓ ଏଥିପାଇଁ ଏକ ସଂସ୍ଥା ଗଠନ କରି ବିଫଳ ହେବା ଅତ୍ୟନ୍ତ ଲଜ୍ଜାକର ବିଷୟ । ସରକାରୀ ସ୍ତରରେ ଖାଲି ଆଲୋଚନା, ପର୍ଯ୍ୟାଲୋଚନା, ପରିସଂଖ୍ୟାନ ଗଣନା ବା ବିଜ୍ଞାପନ‌ଦ୍ୱାରା ନିରକ୍ଷର ବ୍ୟକ୍ତିଟିଏ ସାକ୍ଷର ହୋଇପାରିବ ନାହିଁ । ସାକ୍ଷର ହେବାପାଇଁ ବ୍ୟକ୍ତି ନିକଟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ସର୍ବପ୍ରଥମ ଆବଶ୍ୟକ । ଏହି ଆତ୍ମପ୍ରତ୍ୟୟର ମୁଖ୍ୟ ବାଧକ ହେଉଛି ମନର ଦାରିଦ୍ର୍ୟ, ଅର୍ଥ- ଦାରିଦ୍ର୍ୟ ନୁହେଁ । ଏହି ଦାରିଦ୍ର୍ୟକୁ ହିଁ ପ୍ରଥମେ ଜନମାନସରୁ ଦୂରେଇବାକୁ ପଡ଼ିବ । ସେହି ଅଶିକ୍ଷିତ ବ୍ୟକ୍ତି ମନରେ