ପୃଷ୍ଠା:Jati, Jagruti o Pragati.pdf/69

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୭୦ / ଜାତି, ଜାଗୃତି ଓ ପ୍ରଗତି
ଏହାରି ଦାୟିତ୍ୱରେ ଥିବା ଅଧ୍ୟାପକଗୁଡ଼ିକ ସେଥିପାଇଁ ବେଠି ବେଗାରି ଖଟିବାକୁ ବାଧ୍ୟ । କେବଳ ଢୋକେ ପିଇ ଦଣ୍ଡେ ଜୀଇଁବାର ନ୍ୟାୟଟା ଏଇ ଗୋଷ୍ଠୀପାଇଁ ପ୍ରଯୁଜ୍ୟ । ରାଜ୍ୟ ସରକାର ଯଦି ଏମାନଙ୍କୁ ତାଙ୍କର ପ୍ରାପ୍ୟ ଦେବେ, ତେବେ ରାଜକୋଷ କାଳେ ଶୂନ୍ୟ ହୋଇଯିବ । ମାତ୍ର ଏହି ତ୍ରୁଟିପୂର୍ଣ୍ଣ ତଥ୍ୟକୁ ଅନେକ ସ୍ତମ୍ଭକାର ତାଙ୍କର ପରିସଂଖ୍ୟାନ ରିପୋର୍ଟ‌ଦ୍ୱାରା ଭୁଲ୍ ବୋଲି ପ୍ରମାଣ କରି ଅନେକ ମୂଲ୍ୟବାନ ଆଲୋଚନା କରିଛନ୍ତି । ତଥାପି ଉକ୍ତ ମାନସିକ ଦୁଶ୍ଚିନ୍ତାଗ୍ରସ୍ତ ମେଧାବୀ ଅଧ୍ୟାପକମାନଙ୍କ ପ୍ରତି ସରକାରଙ୍କ ନିର୍ଦ୍ଦୟ ଭାବ କାହିଁକି? କାରଣ, ଆମ ରାଜନେତାମାନଙ୍କ ସବୁଠାରୁ ବଡ଼ ସମ୍ପଦ ହେଲା ଯୁବ ସଂପ୍ରଦାୟ, ଯେଉଁମାନେ ଭୋଟ୍ ବେଳେ ନୋଟ୍ ନେଇ ଭଲମନ୍ଦ ବିଚାର ଭୁଲି ଯୋଗାଡ଼ରେ ବ୍ୟସ୍ତ ଥାନ୍ତି । କିନ୍ତୁ ଏହି ସଂପ୍ରଦାୟ ଯେତେବେଳେ ଉଚ୍ଚ ଶିକ୍ଷିତ ହୋଇ ସେମାନଙ୍କ ଅସଲ ମୁଖାକୁ ଖୋଲିବାର ଉପକ୍ରମ କଲେ, ତାହାକୁ ବନ୍ଦ କରିବାକୁ ଯାଇ ଆରମ୍ଭ କରିଦେଲେ ବାକ୍‌ବର୍ଷା । ସେମାନଙ୍କ ସହ ତାଳ ଦେଲେ ତଥାକଥିତ ବୁଦ୍ଧିଜୀବୀ ଏବଂ ‘ନିବୁଜ କୋଠରୀର ଶୀତଳ ସ୍ପର୍ଶରେ ଆତଯାତ କରୁଥିବା ଆଗ ଧାଡ଼ିର ଓଡ଼ିଆଏ’ । କିନ୍ତୁ ସେମାନେ କ’ଣ କେବେ ଚିନ୍ତା କରିଛନ୍ତି ଯେ ଏହି କଲେଜ ଖୋଲିବା ଦ୍ୱାରା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ କ’ଣ ଉନ୍ନତି ହୋଇଛି?

ଗରିବ ଓଡ଼ିଆ ପରିବାରର ପିଲାପାଇଁ ଉଚ୍ଚଶିକ୍ଷା ସ୍ୱପ୍ନ ଥିଲା । ଦୂର ସହରକୁ ଆସି ପାଠ ପଢ଼ିବାର ସୁଯୋଗ କେତେଜଣଙ୍କୁ ମିଳୁଥିଲା! ମୋ ଦେଖିବାରେ ଅନେକ ହାଇସ୍କୁଲର ମେଧାବୀ ଛାତ୍ର ଅର୍ଥାଭାବରୁ ଉଚ୍ଚଶିକ୍ଷା ନ ପାଇ ମାନସିକ ଅବସାଦରେ ସମୟ କାଟୁଥିବାବେଳେ ସେମାନଙ୍କଠାରୁ କମ୍ ଗୁଣ-ସଂପନ୍ନ ଛାତ୍ରଟିଏ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ନିଜପାଇଁ କର୍ମକ୍ଷେତ୍ର ପ୍ରସ୍ତୁତ କରିପାରୁଛି । ତେଣୁ ଗ୍ରାମାଞ୍ଚଳରେ କଲେଜ ଖୋଲିବାଦ୍ୱାରା ଅନେକ ମଲ୍ଲୀଫୁଲ ବଣ ମଧ୍ୟରେ ନ ଝରି ନିଜର ବୌଦ୍ଧିକ ବିକାଶ କରିବାର ସୁଯୋଗ ପାଇପାରିଲେ । ଏଥିସହ ଅନେକ ଉଚ୍ଚଶିକ୍ଷିତଙ୍କ ନିଯୁକ୍ତି ଏବଂ କଲେଜକୁ ନେଇ ଖୋଲିଥିବା କ୍ଷୁଦ୍ର ବ୍ୟବସାୟ ପେଣ୍ଠସ୍ଥଳଦ୍ୱାରା ସ୍ୱରୋଜଗାରର ଧାରା ସୃଷ୍ଟି ସହ ଉକ୍ତ ଅଞ୍ଚଳରେ ଜ୍ଞାନର ଆଲୋକ ଯେ ପ୍ରଜ୍ୱଳିତ ହେଲା, ତାହାକୁ ଯେକୌଣସି ନିନ୍ଦୁକ ସ୍ୱୀକାର କରିବେ । ତେଣୁ ଯଦି ସମାଜ ଗଠନ ଦିଗରେ ଏହି ମହାବିଦ୍ୟାଳୟଗୁଡ଼ିକର ଭୂମିକାକୁ ସ୍ୱୀକାର କରାଯାଏ, ତେବେ ତାହାର ଉନ୍ନତିପାଇଁ ସର୍ବାଦ୍ରୌ ଦୃଷ୍ଟି ଦେବା ଆବଶ୍ୟକ ।

କୁହାଯାଏ ଯେ, ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷା ପ୍ରଦାନମାନ ଅତି ନିମ୍ନ ଧରଣର । ତେଣୁ ପିଲା କପି କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ସେମାନଙ୍କୁ ମୋର ପ୍ରଶ୍ନ, ଖାଲି ପେଟରେ ଅଧ୍ୟାପକଟିଏ କିଭଳି ଶିକ୍ଷା ପ୍ରଦାନ କରିବ ? କିରାଣିଟିଏ ଦରମା ପାଇ