ପୃଷ୍ଠା:Jati, Jagruti o Pragati.pdf/74

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୭୫
ସରକାରଙ୍କ ଏଥିପ୍ରତି ଉଦାସୀନତା ହେଉ ବା ଶାସନକଳର ତ୍ରୁଟିଯୁକ୍ତ ପରାମର୍ଶ ହେଉ, ଏହି ଶିକ୍ଷିତବର୍ଗଙ୍କୁ ଠିକ୍ ସ୍ଥାନରେ ନ ପହଞ୍ଚାଇବାଦ୍ୱାରା ଓଡ଼ିଶା ପ୍ରଗତିକୁ ଜବରଦସ୍ତ ଭାବେ ଚାପି ଦିଆଯାଉଛି । ଏ ସମ୍ପର୍କରେ ଗୋଟିଏ ଉଦାହରଣ ଦିଆଯାଇପାରେ ।

ଗତ କିଛି ବର୍ଷ ଧରି ଓଡ଼ିଶା ଲୋକସେବା ଆୟୋଗର ସ୍ଥାଣୁ ଅବସ୍ଥା ସଂପର୍କରେ ପ୍ରାୟ ସମସ୍ତେ ସଚେତନ ଥିବେ । ଆମର ଏହି ଆୟୋଗର ପରମ୍ପରା ହେଲା ୫/୬ ବର୍ଷ ମଧ୍ୟରେ ଥରେ ସଂଖ୍ୟାଧିକ ପଦବୀପାଇଁ ମେଧାବୀଙ୍କ ମଧ୍ୟରୁ ପ୍ରଶାସକ ଚୟନ କରିବା । କିନ୍ତୁ ଯଦି ସୀମିତ ସଂଖ୍ୟକ ପଦବୀପାଇଁ ଏହି ଚୟନ ପ୍ରତିବର୍ଷ ନିଶ୍ଚିତ ଭାବେ ହୁଅନ୍ତା, ତେବେ ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରୁ ନିଜ ଅଭିଜ୍ଞତା ବୃଦ୍ଧିକରି ନିଜକୁ ଜଣେ ଯୋଗ୍ୟତା ସଂପନ୍ନ ଅଧିକାରୀ ଭାବେ ଉପସ୍ଥାପନ କରିବାର ସୁଯୋଗ ପାଇବା ସହ ସର୍ବ ଭାରତୀୟ ପ୍ରତିଯୋଗିତା ତଥା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ନିଜର ଉତ୍କର୍ଷକୁ ପ୍ରମାଣିତ କରିପାରନ୍ତେ । ଯାହା ଅନ୍ୟ ରାଜ୍ୟମାନଙ୍କରେ ଘଟୁଛି, ତାହା ଏଠାରେ ବିପରୀତ ହେବାଦ୍ୱାରା ସରକାରୀ କାର୍ଯ୍ୟକ୍ଷେତ୍ରରେ କେବଳ ବୌଦ୍ଧିକ କ୍ଷମତା ସଂପନ୍ନ ବ୍ୟକ୍ତିଙ୍କର ଅଭାବ ଘଟୁ ନାହିଁ , ବରଂ ଲୋକସେବା ଆୟୋଗ’ର ସ୍ୱଚ୍ଛତା ଉପରେ ପ୍ରଶ୍ନ ଚିହ୍ନଟିଏ ଲାଗିଯାଉଛି ।

ସେଇଭଳି ଆଉ ଏକ ନିଯୁକ୍ତି କଥା ବିଚାର କରାଯାଉ । ସୁଇଜରଲ୍ୟାଣ୍ଡରେ ଘଣ୍ଟା ତିଆରି ହେଉଛି କୁଟୀରଶିଳ୍ପ । ବର୍ତ୍ତମାନ ଆମ ବଜାରରେ ଶସ୍ତାରେ ମିଳୁଥିବା ଇଲେକ୍ଟ୍ରୋନିକ୍ସ ଖେଳଣା ଭଳି ଅନ୍ୟାନ୍ୟ ଜିନିଷ ନିର୍ମାଣ କରିବାରେ ଚୀନ୍ କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରୁଛି । ମଧ୍ୟପ୍ରଦେଶରେ ନଟ୍, ବୋଲ୍ଟ ତିଆରି ଆଜି କୁଟୀରଶିଳ୍ପର ମାନ୍ୟତା ପାଇଥିବାବେଳେ, ସରକାରୀ ଭାବେ ଆମ ରାଜ୍ୟରେ ଅନେକ ଖୋଲିଥିବା ଧନ୍ଦାମୂଳକ ଶିକ୍ଷା ଅନୁଷ୍ଠାନ ବା କଲେଜଗୁଡ଼ିକରେ ସେହି ପ୍ରାଚୀନ ପଦ୍ଧତି ଯଥା-ଟାଇପ୍, ସର୍ଟହାଣ୍ଡ୍, ରେଡ଼ିଓ, ଟି.ଭି., ସ୍କୁଟର, ଅଟୋରିକ୍ସା ଆଦି ମରାମତିପାଇଁ ଶିକ୍ଷା ଦିଆଯାଉଛି । ଯାହାକି ଗୋଟିଏ ଅଶିକ୍ଷିତ ପିଲା ଏହି ମରାମତି କାର୍ଯ୍ୟ ଯେକୌଣସି ଦୋକାନରେ ରହି ଅନାୟାସରେ ଶିଖିପାରୁଛି । ଏପର୍ଯ୍ୟନ୍ତ ଏହି ପାଠ୍ୟକ୍ରମକୁ ବଦଳା ନ ଯାଇ ପୁଣି ୧୮୦ଟି ଧନ୍ଦାମୂଳକ କଲେଜ ବିଭିନ୍ନ ଜିଲ୍ଲାରେ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିଯୁକ୍ତି ଭିତ୍ତିକ ସେହି ପ୍ରାଚୀନ ଶିକ୍ଷା ପ୍ରଦାନ କରିବେ । ଏଭଳି ହୀନ ପରାମର୍ଶ ଯେଉଁମାନେ ସରକାରଙ୍କୁ ଦେଉଛନ୍ତି, ସେମାନେ କ’ଣ ଜାଣିନାହାନ୍ତି ଯେ, ଆତ୍ମନିଯୁକ୍ତି ଶିକ୍ଷାକୁ ଯୁଗାଭିମୁଖୀ କରିବା ଉଚିତ କିମ୍ବା ନୁହେଁ!