ପୃଷ୍ଠା:Jati, Jagruti o Pragati.pdf/88

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୮୯
ସ୍ଥିତିକୁ ଦୃଷ୍ଟି ଦେଇନାହାନ୍ତି । ଦୃଷ୍ଟାନ୍ତରୂପେ କୁହାଯାଇପାରେ ଯେ, ଜଣେ ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କପାଇଁ “ଅର୍ଥ ସହ ଶତ୍ରୁତା”, “ସ୍ୱରୋଦୟ”, “ପ୍ରତିନିୟତ”, “ଜଣେ କେହି ବର୍ଷାରେ ଭିଜୁଥାଇ ପାରେ” “ବର୍ଷାର ପ୍ରଥମ ନୁପୂର”, “କଳାହାଣ୍ଡିର କାବ୍ୟ”, “ମହୁମୁହାଣ”, “ମଧୁଶାଳା”, “ଉଜ୍ଜୟିନୀ” ଇତ୍ୟାଦି ଅସଂଖ୍ୟ କବିତା ପୁସ୍ତକ ତଥା ନାଟ୍ୟକାର ମନୋରଂଜନ ଦାସ, ବିଜୟ ମିଶ୍ର, ପ୍ରଫୁଲ୍ଲ ରାୟ, ରତି ମିଶ୍ରଙ୍କ ରଚିତ ଭଲ ନାଟକଗୁଡ଼ିକ ଛାଡ଼ି ଅବୁଝା ନାଟକ ଏବଂ ‘ଶ୍ରୀରାଧା’, ‘ନୂଆ ସକାଳ’, ‘ସମୟାନ୍ତର’ ଇତ୍ୟାଦି ଉପନ୍ୟାସ ଏହି କୋମଳମତି ପିଲାମାନଙ୍କୁ କି ପ୍ରକାରର ନୈତିକ ଶିକ୍ଷା ଦେଇପାରିବ ବୋଲି ଚୟନକର୍ତ୍ତାଗଣ ଭାବିଛନ୍ତି ! ଏଥିସହିତ ଓଡ଼ିଶାର ବିଦ୍ୟାଳୟଗୁଡ଼ିକ ଅବସ୍ଥିତି ଦୃଷ୍ଟିରୁ ଗ୍ରାମୀଣ, ନିପଟ ମଫସଲି, ସହର, ସହର ଉପକଣ୍ଠ, ଆଦିବାସୀ ଅଞ୍ଚଳ ଭାବରେ ବିଭକ୍ତ କରି ଏଠାରେ ପଢ଼ୁଥିବା ପିଲାଙ୍କ ମାନସିକତା ଓ ଗ୍ରହଣ କରିବାର ଦକ୍ଷତାକୁ ଆଧାର କରି ପୁସ୍ତକ ମନୋନୟନ କରାଯାଇନାହିଁ । କେବଳ ସେତିକି ନୁହେଁ, ପୁସ୍ତକ ଚୟନ ସମିତିର ଯେ ଏଥିପାଇଁ କାଣିଚାଏ ମାତ୍ର ଯୋଗ୍ୟତା ନାହିଁ, ତାହା ପ୍ରମାଣ କରିଛନ୍ତି ପ୍ରଜ୍ଞା ପ୍ରକାଶନୀଦ୍ୱାରା ମୁଦ୍ରିତ “ଜ୍ଞାନବିଜ୍ଞାନ”ନାମକ ଏକ ଉଚ୍ଚକୋଟୀର ପୁସ୍ତକକୁ ବିଜ୍ଞାନ ବିଭାଗରେ ସ୍ଥାନୀତ ନ କରି, କରିଛନ୍ତି ଗ୍ରନ୍ଥାବଳୀ ବିଭାଗରେ ।

ଏ ଭ୍ରମରବର କିଏ ?

ଓଡ଼ିଆ ଭାଷାର ଉତ୍ପତ୍ତି ତଥା ଓଡ଼ିଆ ସାହିତ୍ୟର ଉତ୍ପତ୍ତି ଓ ଏହାକୁ ପୂଣ୍ଣବିକଶିତ କରିଥିବା ଅମର ସ୍ରଷ୍ଟାମାନଙ୍କ ବିଷୟରେ ଏପର୍ଯ୍ୟନ୍ତ ଆମ ଓଡ଼ିଶାବାସୀ ଜାଣିପାରିଲେ ନାହିଁ । ଏ ସମ୍ପର୍କରେ ଯେତିକି ତଥ୍ୟ ଅଛି, ତାହା ଆମ ଛାତ୍ରଛାତ୍ରୀମାନେ ଜାଣିବା ଉଚିତ୍ । ଏହାକୁ ଲକ୍ଷ୍ୟ ରଖି ଜୀବନୀ, ଆତ୍ମଜୀବନୀ ଓ ଗ୍ରନ୍ଥାବଳୀ ପୁସ୍ତକ ମନୋନୀତ କରିବାର ଥିଲା । ମାତ୍ର ଏଠି ମଧ୍ୟ ଜାଲିଆତି ହୋଇଛି । “ମିଡିଆ ପ୍ରେସ” ଦ୍ୱାରା ମୁଦ୍ରିତ ଭ୍ରମରବର ଗ୍ରନ୍ଥାବଳୀ (ମୂଲ୍ୟ-ଟ୪୦୦ଙ୍କା) ଏବଂ ଶିକ୍ଷଣୀୟ ପୁସ୍ତକ ବିଭାଗରେ ସ୍ଥାନୀତ “ଓଡ଼ିଆ ବୈଷ୍ଣବ ସାହିତ୍ୟ ଓ ବୈଷ୍ଣବକବି ଭ୍ରମରବର” (ମୂଲ୍ୟ-ଟ୧୦୦ଙ୍କା) ପୁସ୍ତକ ମନୋନୀତ କରି ଚୟନକର୍ତ୍ତା ପାଠକଙ୍କୁ କି ପ୍ରକାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଯଦିଓ ଆମେ ସାହିତ୍ୟିକ ଓ ସାହିତ୍ୟକୁ ସମ୍ମାନ ଜଣାଉଛୁ, ମାତ୍ର ଏଠାରେ ଆମ ବିବେକ ବାରମ୍ବାର ପ୍ରଶ୍ନ ପଚାରୁଛି ଯେ, ପ୍ରାଚୀନ କବି ସାରଳା, ପଞ୍ଚସଖା, ତଥା ମଧ୍ୟଯୁଗୀୟ ଅସଂଖ୍ୟ ବୈଷ୍ଣବକବିଙ୍କ ମେଳରେ କବି ଭ୍ରମରବରଙ୍କ ସ୍ଥିତି କ’ଣ? ବୋଧହୁଏ ଏହା ଉପରେ ଗବେଷଣା କରି ଉପାଧି ପାଇଥିବା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କିରାଣୀ ତଥା ଭାଷା ପ୍ରତିଷ୍ଠାନର