ପୃଷ୍ଠା:Jati, Jagruti o Pragati.pdf/104

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୦୫
ମାତ୍ର ଦିନକୁ ଦିନ ଓଡ଼ିଶାରେ ଚାଷୀ କମିବାରେ ଲାଗିଛନ୍ତି । ଜନଗଣନା ଅନୁଯାୟୀ ଓଡ଼ିଶାରେ ଜନସଂଖ୍ୟାର ମାତ୍ର ୩୦ ପ୍ରତିଶତ କୃଷକ ଅଟନ୍ତି । କିନ୍ତୁ ୧୯୭୧ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟାର ୪୮ ପ୍ରତିଶତ କୃଷକ ଥିଲେ । ୧୯୮୧ରେ ମଧ୍ୟ ୪୮ % କୃଷକ ଥିଲେ ଏବଂ ୧୯୯୧ ଜନଗଣନା ବେଳକୁ ମଧ୍ୟ ୪୮ % ପାଖାପାଖି ଥିଲାବେଳେ, ୨୦୦୧ ବର୍ଷ ବେଳକୁ ତାହା କମିଯାଇଛି । କିନ୍ତୁ ଗ୍ରାମାଞ୍ଚଳରେ ଯେଉଁଭଳି ୮୫ରୁ ୯୦ ପ୍ରତିଶତ ଲୋକ ବସବାସ କରୁଥିଲେ, ସେମାନେ ସେହିପରି ବସବାସ କରୁଛନ୍ତି । ତେବେ ଏହି ୮୫ ପ୍ରତିଶତ ଲୋକ କ’ଣ କରୁଛନ୍ତି, ତାହା ଏକ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ସାରଣୀ -୨ରେ ତାହା ପ୍ରକାଶ କରିଛୁ ।

ସାରଣୀ ୨ ଓଡିଶାର ଜନସଂଖ୍ୟା
ବର୍ଷ ୧୯୭୧ ୧୯୮୧ ୧୯୯୧ ୨୦୦୧
ମୋଟ ଜନସଂଖ୍ୟା ୨କୋଟି୧୯ ଲକ୍ଷ ୨କୋଟି୬୪ଲକ୍ଷ ୩କୋଟି୧୭ଲକ୍ଷ ୩କୋଟି୬୮ଲକ୍ଷ
ଗ୍ରାମରେ ବାସ କରନ୍ତି ୨କୋଟି୧ଲକ୍ଷ ୨କୋଟି୩୩ଲକ୍ଷ ୨କୋଟି୭୫ଲକ୍ଷ ୩କୋଟି୬୮ଲକ୍ଷ
ସହରରେ ବାସ କରନ୍ତି ୧୮ଲକ୍ଷ ୩୧ଲକ୍ଷ ୪୧ଲକ୍ଷ ୫୫ଲକ୍ଷ
କୃଷି କ୍ଷେତ୍ରରେ କର୍ମରତ ହଳିଆ ୫୩ଲକ୍ଷ ୬୪ଲକ୍ଷ ୭୬ଲକ୍ଷ ୫୫ଲକ୍ଷ
କୃଷକ ୩୪ଲକ୍ଷ ୪୦ଲକ୍ଷ ୪୬ଲକ୍ଷ ୩୪ଲକ୍ଷ
କୃଷିକ୍ଷେତ୍ରରେ କର୍ମରତ ଶ୍ରମିକ ୧୯ଲକ୍ଷ ୨୪ଲକ୍ଷ ୩୦ଲକ୍ଷ ୨୧ଲକ୍ଷ
ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ(ଶତକଡ଼ା) ୯୧.୬% ୮୮.୩% ୮୬.୬% ୮୫%
କୃଷିକ୍ଷେତ୍ରରେ କାମ କରୁଥିବା ଲୋକସଂଖ୍ୟା ୪୮.୪% ୪୮.୪୮% ୪୭.୯୫% ୨୯.୮୯%

ଆମର ଜନସଂଖ୍ୟା ୧୯୯୧ ବର୍ଷ ତୁଳନାରେ ୨୦୦୧ ବେଳକୁ ପ୍ରାୟ ୫୧ଲକ୍ଷ ଲୋକ ବଡ଼ିଲେ, କିନ୍ତୁ ଚାଷୀ ସଂଖ୍ୟା ଓ ଚାଷକୁ ନେଇ ବଞ୍ଚିବା ଲୋକସଂଖ୍ୟା ପ୍ରାୟ ୪୨ଲକ୍ଷ କମିଗଲେ । ଯଦି ପୂର୍ବ ଜନଗଣନାର ଅନୁପାତକୁ ଦେଖାଯାଏ, ତେବେ ୨୦୦୧ ବେଳକୁ ଆମ ଓଡ଼ିଶାରେ ଏକକୋଟି ୭୬ଲକ୍ଷ ୬୪ହଜାର କୃଷକ ଓ କୃଷିକୁ ଜୀବିକା ବୋଲି ଗ୍ରହଣ କରିଥିବା ଲୋକ ଥାଆନ୍ତେ । କିନ୍ତୁ ତାହା ହୋଇପାରିନାହିଁ । ଏ ଅବସ୍ଥାପାଇଁ ଦାୟୀ କିଏ?

ଆମ ସରକାର ପରମାଣୁ ଶକ୍ତି ପ୍ରସାର, ଶିଳ୍ପ ପ୍ରସାରପାଇଁ କମ୍ପାନୀଙ୍କୁ ଡାକିବା, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା, ବଳକା ବଜେଟ୍ କରିବା, ଇତ୍ୟାଦି କାମରେ ବ୍ୟସ୍ତ । ତେବେ ଏ ଅସୁବିଧାର ସମାଧାନ କରିବାର ଦାୟିତ୍ୱ କିଏ ନେବ, ତାହା ଆଜି ଦିନରେ ଏକ ଚିନ୍ତାଜନକ ବିଷୟ ହୋଇରହିଯାଇଛି ।


***