ପୃଷ୍ଠା:Jati, Jagruti o Pragati.pdf/129

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୩୦ / ଜାତି, ଜାଗୃତି ଓ ପ୍ରଗତି

ଏ କଳଙ୍କିତ ଅଧ୍ୟାୟର ଶେଷ ହେବ କେବେ?

ଗୋଟିଏ ଜାତିର ଶିକ୍ଷା ବ୍ୟବସ୍ଥା ହିଁ ସେହି ଜାତିର ଉତ୍ଥାନ ପତନର ଦିଗ ନିର୍ଣ୍ଣୟ କରିଥାଏ । ତେଣୁ କୁହାଯାଏ-‘ଯେଉଁ ଜାତିର ଶିକ୍ଷା ଯେତେ ଉନ୍ନତ ସେହି ଜାତି ସେତେ ସମୃଦ୍ଧ ।’ ଦିନ ଥିଲା ଆମର ଏହି ଓଡ଼ିଆ ଜାତି ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥା ଯୋଗୁଁ କେବଳ କାବେରୀରୁ ବ୍ରହ୍ମପୁତ୍ର ନ‌ଦୀ ପର୍ଯ୍ୟନ୍ତ ବିସ୍ତୃତ ଭୂ-ଭାଗର ଅଧୀଶ୍ୱର ହୋଇ ନ ଥିଲା, ବରଂ କଳିଙ୍ଗ ସାଗର (ବର୍ତ୍ତମାନର ବଙ୍ଗୋପସାଗର) ପାରହୋଇ ମିଆଁମାର, ମାଳୟ, କାମ୍ବୋଡିଆ, ଭିଏତ୍‌ନାମ, ବାଲି, ଜାଭା, ସୁମାତ୍ରା ଆଦି ଭୂ-ଖଣ୍ଡର ଅଧିବାସୀଙ୍କୁ ଶିକ୍ଷିତ କରାଇବା ସହ ସେଠାକାର ଶାସନ କ୍ଷମତା ହାତକୁ ନେଇ ବିଶ୍ୱର ସର୍ବପ୍ରଥମ ଉପନିବେଶ ସୃଷ୍ଟିକାରୀ ଦେଶ ଭାବରେ ଇତିହାସ ପୃଷ୍ଠାରେ ସ୍ଥାନ ପାଇପାରିଥିଲା । ଏହି ଶିକ୍ଷାବଳରେ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୟୁରୋପ ମହାଦେଶର ଏକ ଛୋଟ ଦ୍ୱୀପ ଇଂଲଣ୍ଡ ସମଗ୍ର ବିଶ୍ୱକୁ ଶାସନ କରିପାରିଥିଲା । ଆଉ ଏବେ ଆମେରିକା ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷ ଭାବରେ ବିଶ୍ୱକୁ ଶାସନ କରୁଛି ।

ଅଥଚ ଆମ ଓଡ଼ିଶା ଏକ ଗଣତାନ୍ତ୍ରିକ ସଂଘୀୟ ରାଷ୍ଟ୍ରର ପ୍ରମୁଖ ରାଜ୍ୟ ହୋଇଥିଲେ ମଧ୍ୟ ତଥା ଏହାର ପ୍ରକୃତି, ପରମ୍ପରା, ମାନବିକ ଚାଲିଚଳଣି, ଚିନ୍ତାଧାରା ଆଦି ଅତି ଉଚ୍ଚକୋଟୀର ହୋଇଥିଲେ ମଧ୍ୟ, ବିଗତ କିଛିବର୍ଷ ଧରି ଆମ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାଦ୍ୱାରା କେବଳ ଓଡ଼ିଆ ମେଧାବୀଗଣଙ୍କ ମେଧାକୁ ହତ୍ୟା କରାଯାଉନାହିଁ, ବରଂ ଏମାନଙ୍କୁ ଏକବିଂଶ ଶତାବ୍ଦୀରେ ଚନ୍ଦ୍ରରେ ପାଦ ରଖିବାକୁ ସ୍ୱପ୍ନ ଦେଖୁଥିବା ବିଶ୍ୱର ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସହ ତାଳ ଦେଇ ନ ପାରି ଦାନା ମୁଠାଏ ଯୋଗାଡ଼ କରିବାରେ ଅହରହ ସଂଘର୍ଷ କରିବାକୁ ବାଧ୍ୟ କରାଯାଉଛି । ଫଳରେ ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଉପଯୁକ୍ତ ମାନବସମ୍ବଳ ଥାଇ ମଧ୍ୟ ଓଡ଼ିଶା ଆଜି ବିଶ୍ୱର ଏକ ଗରିବ ରାଜ୍ୟ ଭାବରେ ଚିହ୍ନିତ ହେଉଛି ।