ପୃଷ୍ଠା:Jati, Jagruti o Pragati.pdf/133

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୩୪ / ଜାତି, ଜାଗୃତି ଓ ପ୍ରଗତି
ମିଳୁନାହିଁ । ଏଥିପାଇଁ ଆମେ କାହାକୁ ଦାୟୀ କରିବା ? ଏଠାରେ ଯଦିବା ଆମେ କିରାଣୀକୁ ଦୋଷ ଦେବା, ତେବେ ଉଚ୍ଚଶିକ୍ଷା ବିଭାଗ ଯେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆୟତ୍ତରେ ନାହିଁ, ତାହା ଏହି କ୍ଷୁଦ୍ର ଉାହରଣରୁ ଜଣାପଡୁନାହିଁକି ?

ତଥାପି ସଂସ୍କାରବାଦୀ !

ନିଜ ପାପ ଘୋଡ଼ାଇବା ଉଦ୍ଦେଶ୍ୟରେ ଅଭିଭାବକ ଓ ବୁଦ୍ଧିଜୀବୀଙ୍କୁ ପ୍ରଭାବିତ କରିବାପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ କେତୋଟି ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଛନ୍ତି- (କ) ଅଧ୍ୟାପକଙ୍କ ଶିକ୍ଷାଦାନ ସଂପର୍କରେ ବିଦ୍ୟାର୍ଥୀଙ୍କ ମତଦାନ (ଖ) ଏକକ ପୋଷାକ ପିନ୍ଧା, (ଗ) ସାର୍ଟିଫିକେଟ୍ ପ୍ରଦାନ ମେଳା (ଘ) ଭଲ ଖେଳାଳୀଙ୍କୁ ମହାଦ୍ୟାଳୟ ତରଫରୁ ଭତ୍ତା ପ୍ରଦାନ । ଏ ମଧ୍ୟରୁ କେବଳ ଏକକ ପୋଷାକ ପିନ୍ଧା ନିୟମଟି ଆମ ସାମାଜିକ ଚଳଣୀଦ୍ୱାରା ସ୍ୱୀକୃତ ହୋଇଥିବାରୁ ଏହି ଉଦ୍ୟମ ସଫଳ ହୋଇଥିବାବେଳେ ଅନ୍ୟଗୁଡ଼ିକ କେବଳ ଘୋଷଣାରେ ହିଁ ରହିଛି । ତେବେ ଅଧ୍ୟାପକଙ୍କ ବଳି, ଟ୍ୟୁସନ ବନ୍ଦ, କପି କଲେ କଲେଜକୁ ଅନୁଦାନ ବନ୍ଦ ଭଳି ଘୋଷଣାଦ୍ୱାରା ଏହି କାର୍ଯ୍ୟ ସବୁ ବନ୍ଦ ହେବା ବଳରେ, ବରଂ ଅଧିକ ମାତ୍ରାରେ ଖୋଲାଖୋଲି ଭାବରେ ଚାଲିଛି ଶିକ୍ଷାମନ୍ତ୍ରୀଙ୍କୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରି ।

ତେବେ ଆମ ଶିକ୍ଷାମନ୍ତ୍ରୀ ଏ ‘ଅତର ଛିଞ୍ଚା’ ସଂସ୍କାରରେ ବିଭୋର ହୋଇ ଆବଶ୍ୟକଥିବା ପ୍ରକୃତ ସଂସ୍କାରକୁ ଭୁଲି ଯାଇଛନ୍ତି । ଯଥା- ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଶିକ୍ଷାଦାନ ପଦ୍ଧତିର ବିକାଶ, ଶିକ୍ଷକ ଅଭାବ ପୂରଣ ଓ ମୌଳିକ ଭିତ୍ତିଭୂମି ପ୍ରତି ଦୃଷ୍ଟିନିକ୍ଷେପ ଇତ୍ୟାଦି ।

ଓଡ଼ିଆ ଭାଷା ହତ୍ୟା : ବଙ୍ଗାଳୀ ରକ୍ତର ଆହ୍ୱାନ :

୧୪୫ ବର୍ଷ ତଳେ ଓଡ଼ିଶା ମାଟିରେ ପ୍ରଶାସନିକ ବିଶୃଙ୍ଖଳାର ସୁଯୋଗ ନେଇ କେତେକ ହୀନବୁଦ୍ଧି ବଙ୍ଗାଳୀଙ୍କ ଚକ୍ରାନ୍ତ ଯୋଗୁଁ ନଅଙ୍କ ଦୁର୍ଭିକ୍ଷ ଭଳି ଭୟଙ୍କର ଖାଦ୍ୟାଭାବ ସୃଷ୍ଟି କରାଯାଇ ସ୍ୱାଭିମାନୀ ଓଡ଼ିଆ-ଗଣହତ୍ୟା କରିବାରେ ସଫଳ ହୋଇଥିଲେ । ଏତିକିରେ ଶାନ୍ତ ନ ହୋଇ ଏହି ଚକ୍ରାନ୍ତକାରୀ ଦଳ ଓଡ଼ିଶା ମାଟିରେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିକୁ ଲୋପ କରିବାକୁ ଆଗେଇ ଆସିଥିଲେ । “କିଏ କହିଲା ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଆମ ବଙ୍ଗାଳୀ ଶିଳ୍ପୀ ଗଢ଼ିଛନ୍ତି । କିଏ କହିଲା-କବି ଜୟଦେବ, ସାରଳା, ଜଗନ୍ନାଥ ଦାସ ହେଉଛନ୍ତି ଆମର । ଆଉ କିଏ କହିଲା-ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ, ଏହା ବଙ୍ଗଳାଭାଷାରୁ ସୃଷ୍ଟି... ଇତ୍ୟାିଦି ଇତ୍ୟାିଦି ।”