ପୃଷ୍ଠା:Jati, Jagruti o Pragati.pdf/149

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୦ / ଜାତି, ଜାଗୃତି ଓ ପ୍ରଗତି
ଏବଂ କୁମାରପୂର୍ଣ୍ଣିମା ଭଳି ଓଡ଼ିଆ ଜନଜୀବନରେ ସର୍ବତ୍ର ପ୍ରଚଳିତ ଏହି ଉତ୍ସବ ପାଳନ ପ୍ରତି ଆଗଭଳି ଆଉ ଆମଠାରେ ଉତ୍ସାହ, ଉଦ୍ଦୀପନା ଓ ଆଗ୍ରହ ନାହିଁ । ଏହିସବୁ ଉତ୍ସବ କେବଳ ପରିବାରର ବୟସ୍କ ସଦସ୍ୟଙ୍କ ମଧ୍ୟରେ ସୀମିତ ହୋଇ ରହିଛି । ଏମାନଙ୍କ ଅନ୍ତେ ଏହି ପରମ୍ପରାର ମଙ୍ଗ ଧରିବାକୁ ଆଜିର ଓଡ଼ିଆଣୀ ନାରାଜ । ବାରମାସରେ ତେରପର୍ବ ପାଳନ କରୁଥିବା ଏ ଜାତି ଆଜି ନିଜ ପରମ୍ପରାକୁ ତ୍ୟାଗ କରି ଅନ୍ୟ ପରମ୍ପରା ପ୍ରତି ଆଗ୍ରହୀ ହେବା ପଛରେ ଯେଉଁ ମାନସିକତା ସୃଷ୍ଟି ହେଉଛି, ତାହା କେବଳ ନିଜ ଜାତିପ୍ରୀତି ନଥିବା ଯୋଗୁଁ, ନିଜ ଜାତିପ୍ରତି ହୀନମନ୍ୟତା ସୃଷ୍ଟି ହେବା ଯୋଗୁଁ, ତଥା ଅନ୍ୟ ଭାଷାଭାଷୀଙ୍କ ବିପୁଳ ଆଗମନ ଯୋଗୁଁ । ଆମ ଓଡ଼ିଆଣୀମାନେ ବୁଝିପାରୁନାହାନ୍ତି ଯେ, ସେମାନେ ସ୍ୱାମୀ, ସନ୍ତାନର ମଙ୍ଗଳକାମନାପାଇଁ ଭାଦ୍ରବ ମାସରେ ଯେଉଁ ଦୂତୀଆ ଓଷା ପାଳନ କରିଥାନ୍ତି, ତାହାର ଭିନ୍ନ ରୂପ ହିଁ ହେଉଛି ବିହାରୀ ଛଟ୍‌ପୂଜା ।

ଯେଉଁ ଓଡ଼ିଆ ଜାତିର ଇତିହାସ ଧଉଳି, ଜଉଗଡ଼, ହାତୀଗୁମ୍ଫା ଓ ପାକିସ୍ତାନର ସାହେବାଜଗଡ଼ି, ମାନସହେରାଠାରେ ଆବିଷ୍କୃତ ବିଶାଳ ପଥର ଦେହରେ ନିହାଣମୁନରେ ଖୋଦେଇ ହୋଇରହିଛି ମାନସପଟରୁ ଲିଭି ନ ଯିବାପାଇଁ; ଯେଉଁ ଜାତିର ସଂସ୍କୃତି ଓ ପରମ୍ପରା, ସାହିତ୍ୟ ମଧ୍ୟରେ ଲିପିବଦ୍ଧ ହୋଇ ଅନନ୍ତକାଳପାଇଁ ଜାତୀୟ ଜୀବନକୁ ପ୍ରଭାବିତ କରିବାରେ ସଫଳ ହୋଇଛି; ଆଜି ସେହି ଜାତିରେ ସୃଷ୍ଟି ହୋଇଛି ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସଂକଟ । ଅର୍ଥନୈତିକ ସ୍ୱାଧୀନତା ନ ଥିବାରୁ ଏହି ଇତିହାସ ଚର୍ଚ୍ଚିତ ଜାତି ପାଲଟି ଯାଇଛି ଅନ୍ୟର ସାମାଜିକ ଓ ସାଂସ୍କୃତିକ କ୍ରୀତଦାସ । ପୁଣି ଅନ୍ୟପକ୍ଷରେ ସୁଦୃଢ଼ ଅର୍ଥନୈତିକ ଭିତ୍ତିଭୂମି ନ ଥିବାରୁ ଏଠାରେ ଯେଉଁ ଗରିବୀ ଦେଖାଦେଇଛି, ତାହା ଫଳରେ ଆଜି ଶିକ୍ଷିତ ଓଡ଼ିଆ ଝିଅଟିଏ ନିଜର ତଥା ପରିବାରର ଆର୍ଥିକ ବୋଝରୁ ସାମଗ୍ରିକ ମୁକ୍ତିପାଇଁ ନିଜ ଇଚ୍ଛା ବିରୁଦ୍ଧରେ ବାଧ୍ୟ ହେଉଛି କେଉଁ ଏକ ଅଜଣା ପୁରୁଷର ଶଯ୍ୟାସଙ୍ଗିନୀ ହେବାକୁ । ଅର୍ଥର ପ୍ରଲୋଭନରେ ଶିକାର ହେଉଥିବା ଏହି ଶିକ୍ଷିତା ଦୁହିତାଗଣଙ୍କ ଏଭଳି ନୀତିହୀନ କାର୍ଯ୍ୟକୁ ଆମର ଗଣମାଧ୍ୟମଗୁଡ଼ିକ ବହୁଳ ପ୍ରଚାର କରି କିଶୋରୀକନ୍ୟାଙ୍କ ଚାରିତ୍ରିକ ସ୍ଖଳନ ବୋଲି ସୂଚାଇବାକୁ ତିଳେହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ଅଥଚ ଏହା ପଛରେ ଯେଉଁ ଅସହାୟତା ଭରି ରହିଛି, ତାହା ଅନ୍ୱେଷଣ କରିବାକୁ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ନିର୍ଦ୍ଧିଷ୍ଟ ବାଟ ଦେଖାଇବାକୁ ଏମାନଙ୍କ ନିକଟରେ ସମୟ ନାହିଁ । ଏହି ଗଣମାଧ୍ୟମଗୁଡ଼ିକ ଭୁଲି ଯାଉଛନ୍ତି ଯେ, ସେମାନଙ୍କଦ୍ୱାରା ବହୁଳ ଭାବରେ ବିଜ୍ଞାପିତ ବିଭିନ୍ନ ପ୍ରସାଧାନ ସାମଗ୍ରୀ ତଥା ବସ୍ତୁବାଦୀ ଉପଭୋଗ୍ୟ ଦୁନିଆଁର ଝିଲିମିଲି ଆଲୁଅରେ ଆକର୍ଷିତା ଏହି ଅନୁଢ଼ା କିଶୋରୀଗଣ ନିଜର ସାମୟିକ ଆବଶ୍ୟକ