ପୃଷ୍ଠା:Jati, Jagruti o Pragati.pdf/99

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୦ / ଜାତି, ଜାଗୃତି ଓ ପ୍ରଗତି
କରି ଆଜି ସମଗ୍ର ଭାରତ ପାଇଛି ସ୍ୱାଧୀନତା । ଆଜି ଖୋର୍ଦ୍ଧା ମହାରାଜା ଓଡ଼ିଶାରେ ଗଜପତି ମହାରାଜାର ସାମାଜିକ ପ୍ରତିଷ୍ଠା ପାଇଛନ୍ତି; ତାହା ମଧ୍ୟ ଏହି ମଧୁବାବୁଙ୍କ ଯୋଗୁଁ । ଯଦି ମଧୁବାବୁ ନ ଥାନ୍ତେ, ତେବେ ଓଡ଼ିଶା ନ ଥାନ୍ତା, ଓଡ଼ିଆ ଜାତି ନ ଥାନ୍ତା, ଓଡ଼ିଆ ସଂସ୍କୃତି ନ ଥାନ୍ତା । ପୁରୀ ଗଜପତି ବଂଶ ଓଡ଼ିଶାର ଅନ୍ୟାନ୍ୟ ରାଜବଂଶ ପରି ଅଲୋଡ଼ା ହୋଇପଡିଥାନ୍ତା । ଓଡ଼ିଆ ଜାତିପ୍ରତି ଏ ପ୍ରଗାଢ଼ ଆନ୍ତରିକତା ଆଉ କାହା ପାଖରେ ଅଛି?

ଶେଷ ଯୋଦ୍ଧା ବିଜୁ!

ମଧୁବାବୁଙ୍କ ଶେଷ ନିଶ୍ୱାସ ତ୍ୟାଗ ବେଳକୁ ଏହି ଓଡ଼ିଶାମାଟି ଆଉ ଏକ ଯୋଗଜନ୍ମାଙ୍କୁ ଜନ୍ମ ଦେଇ ଯୌବନରେ ପହଞ୍ଚାଇ ସାରିଥିଲା ମଧୁବାବୁଙ୍କ ବାକିଥିବା କାର୍ଯ୍ୟକୁ ଆଗେଇ ନେବାକୁ । ସେ ବ୍ୟକ୍ତିଜଣଙ୍କ ହେଲେ ଭୂମିପୁତ୍ର ବିଜୁ ପଟ୍ଟନାୟକ । ଯୁବାବସ୍ଥା ବେଳକୁ ଇଂରେଜୀ ଗୋଲାମୀକୁ ସହି ପାରୁ ନ ଥିବା ଏହି ବ୍ୟକ୍ତିିଟି ସ୍ୱାଧୀନତା ସମୟରେ ଦୁଃସାହସିକ ପଦକ୍ଷେପମାନ ନେଇ କେବଳ ଓଡ଼ିଶାର ବିକାଶ ନୁହଁ, ସମଗ୍ର ଭାରତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଏହି ଉଦ୍ଦାମ ଯୁବକ ବିଜୁ ପଟ୍ଟନାୟକ ନିଜର କାର୍ଯ୍ୟଶୈଳୀ ଯୋଗୁଁ ଦିନେ ବିଶିଷ୍ଟ ସମାଲୋଚକଙ୍କ ଲେଖନୀରେ ନେହେରୁଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ (After Nehru who?) ପରିଗଣିତ ହୋଇଥିଲେ । ନେହେରୁଙ୍କ ମୁଖ୍ୟ ପରାମର୍ଶଦାତାମଣ୍ଡଳୀ ମଧ୍ୟରେ ଅନ୍ୟତମ ଏହି ବ୍ୟକ୍ତି ପାକିସ୍ତାନ ଆକ୍ରମଣର ଜବାବ୍ ବୋକୁ ଯାଇ ୧୯୪୮ରେ ଶ୍ରୀନଗର ବିମାନ ବନ୍ଦରରେ ନିଜର ଡାକୋଟା ବିମାନକୁ ସର୍ବ ପ୍ରଥମେ ଅବତରଣ କରାଇବାର ଦୁଃସାହସ ହେଉ, କିମ୍ବା ୧୯୬୨ ଚୀନ୍ ଯୁଦ୍ଧ ବେଳେ ହିମାଳୟର ଉତ୍ତୁଙ୍ଗ ଶିଖରରେ ସୈନ୍ୟବାହିନୀଙ୍କୁ ଖାଦ୍ୟ ଯୋଗାଇବାର ଅକ୍ଳାନ୍ତ ଚେଷ୍ଟା ଯୋଗୁଁ ହେଉ; ସେ ସମଗ୍ର ଭାରତବାସୀଙ୍କଠାରେ ଆଦରଣୀୟ ହୋଇପାରିଥିଲେ । କେବଳ ସେତିକି ନୁହେଁ, ଓଡ଼ିଆ ପ୍ରାଣପାଇଁ ତାଙ୍କ ହୃଦୟରେ ଯେଉଁ ଆବେଗ ଥିଲା, ଯେଉଁ ଉନ୍ମାଦନା ଭରି ରହିଥିଲା, ତାହା ପୂରଣ କରିଥିଲେ ପାରାଦ୍ୱୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ସୁନାବେଢ଼ାସ୍ଥିତ ମିଗ୍ ବିମାନ କାରଖାନା, ଚୌଦ୍ୱାର, ଜଗତପୁର, ମଞ୍ଚେଶ୍ୱର ଭଳି ଅସଂଖ୍ୟ ଶିଳ୍ପାଞ୍ଚଳ ଗଢ଼ି ସେ ଖଣିଜ ସମ୍ପଦଶାଳୀ ଓଡ଼ିଶାରେ ଶିଳ୍ପର ବିକାଶ ଘଟାଇବାକୁ ସେ ଦୃଢ଼ ଉଦ୍ୟମ କରିଥିଲେ । ଓଡ଼ିଶା ମାଟିରେ ପ୍ରଶାସନକୁ ବିକେନ୍ଦ୍ରୀକରଣ କରିବାପାଇଁ ଏବଂ କୁଟୀରଶିଳ୍ପକୁ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦେବାପାଇଁ ସେ କେବଳ ବ୍ଲକ୍ ଓ ଜିଲ୍ଲା ସଂଖ୍ୟା ବଢ଼ାଇ ନ ଥିଲେ, ବରଂ ପ୍ରତ୍ୟେକ ବ୍ଳକ୍‌ରେ ପଞ୍ଚାୟତ ଶିଳ୍ପ ସଂସ୍ଥା ସ୍ଥାପନ କରିଥିଲେ; ଯାହା ସମଗ୍ର ଭାରତବର୍ଷରେ ପ୍ରଥମ ଥିଲା । ବିଜୁବାବୁ ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ଯିଏ ନିର୍ଭୟରେ ଓଡ଼ିଆ