ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନ୍ୟାନ୍ୟ ଗୁରୁଜନମାନେ ସ୍ଥିର କଲେ ରଙ୍ଗାଧର ପୁରୀ ସଂସ୍କୃତ କଲେଜରେ ସଂସ୍କୃତ ପଢ଼ିବ । ସାଙ୍ଗରେ ଚୂଡ଼ା ଚାଉଳ ବାନ୍ଧି ଆନନ୍ଦପୁରରୁ ନଦୀ (ବୈତରଣୀ‌) ପାରିହୋଇ ପାଦରେ ଚାଲି ଚାଲି ଡ଼ୋଲିପୁର (ଯାଜପୁର କେନ୍ଦୁଝର ରୋଡ଼ ) ଷ୍ଟେସନରୁ ରେଳ ଗାଡ଼ିରେ ପୁରୀ ଯାଇ ସେଠାରେ ନାଆଁ ଲେଖାଇ ସଂସ୍କୃତ ପଢ଼ିଲେ ରଙ୍ଗାଧର । ସେଠାରେ ମଧ୍ୟ ସେ ନିଜ ପାଠରେ ଖୁବ ମନୋଯୋଗୀ ହୋଇଥାନ୍ତି । ସେଠାରେ ତାଙ୍କୁ ବୃତ୍ତି ମିଳିଲା । ତାଙ୍କ ପାଠପଢ଼ା ପାଇଁ ନନାଙ୍କର ଚିନ୍ତା ରହିଲା ନାହିଁ । ସେ ୧୯୩୧ ମସିହାରେ ସଦାଶିବ ସଂସ୍କୃତ ମହାବିଦ୍ୟାଳୟରୁ ସାହିତ୍ୟାଚାର୍ଯ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ସମସ୍ତ ଛାତ୍ର ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନ ସୂଚକ ସୋନପୁର ପଦକ ମଧ୍ୟ ପାଇଲେ ।

ସେତେବଳକୁ କେନ୍ଦୁଝର ଗଡ଼ଜାତରୁ କୋର୍ଟ ଅଫ ୱାର୍ଡ଼ମ ଶାସନ ଉଠିଯାଇ ସ୍ୱର୍ଗତ ବଳଭଦ୍ର ନାରାୟଣ ଭଂଜଦେବ ରାଜା ହୋଇ ତାହାର ଶାସନ କ୍ଷମତା ପାଇସାରିଥାନ୍ତି । ସେ ପଣ୍ଡିତ ରଙ୍ଗାଧର ମିଶ୍ରଙ୍କୁ ଆନନ୍ଦପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକଭାବେ ନିଯୁକ୍ତିଦେଲେ ।୧୯୩୨ ମସିହା ଜାନୁଆରୀ ମାସରେ ସେ ଆନନ୍ଦପୁର ମାଇନର ସ୍କୁଲରେ ହାତଲେଖା "ବୈତରଣୀ" ପତ୍ରିକା ପ୍ରକାଶ କରାଇଲେ । ପିଲାଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ, ବ୍ୟାକରଣ ଆଦି ବିଷୟ ପ୍ରତି ଆଗ୍ରହ ବଢ଼ାଇଲେ । ତାଙ୍କ ଚେଷ୍ଟାରେ ସ୍କୁଲ୍‌ରେ ଫୁଲ ଫଳ ବଗିଚା ଅଧିକ ଶୋଭାପାଇଲା । ସେ ମନେ ମନେ ଚେଷ୍ଟା କରୁଥିଲେ ଆନନ୍ଦପୁରରେ ଏକ ସଂସ୍କୃତ ଚୁତଷ୍ପଠୀ ଖୋଲିବାକୁ । ତାହା କାର୍ଯ୍ୟକାରୀ ହୋଇ ପାରି ନଥିବାରୁ ସେ ଖୁବ ଦୁଃଖ ଅନୁଭବ କରୁଥାନ୍ତି । ମାତ୍ର ଦୁଇବର୍ଷ ଆନନ୍ଦପୁରରେ ସହକାରୀ ଶିକ୍ଷକ ଭାବେ କଟାଇ ସେଠାରୁ ସେ ନିଯୁକ୍ତି ପାଇଲେ କେନ୍ଦୁଝର ଗଡ଼ରେ ନୂତନ ଭାବେ ପ୍ରତିଷ୍ଠିତ ଗିବ୍‌ସନ୍ ହାଇସ୍କୁଲ୍‌ରେ । ଆନନ୍ଦପୁରରେ ଶିକ୍ଷାୟତନ ସମୂହର ଅନୁନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ଭାବଗ୍ରାହୀ ମହାନ୍ତି ହେଲେ ନୂଆ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ଓ ପଣ୍ଡିତ ମିଶ୍ରେ ଆସିଲେ ହାଇସ୍କୁଲ୍‌ର ହେଡ଼ ପଣ୍ଡିତ ହୋଇ । ମଣି କାଞ୍ଚନର ସଂଯୋଗ ହେଲା । ଗିବ୍‌ସନ୍ ହାଇସ୍କୁଲ୍‌କୁ ଏକ ଆଦର୍ଶ ବିଦ୍ୟାପୀଠରେ ପରିଣତ କରିବାକୁ ସଂକଳ୍ପ ନେଇଥିଲେ ସେ ଦୁହେଁ ।

ଆମ ଦେଶରେ ସମସ୍ତଙ୍କର ଧାରଣା, ବେତ ଆୟୁଧ ନଥିଲେ ଅମାନିଆଁ ତଥା ଦୁଷ୍ଟ ବିପଥଗାମୀ ପିଲାଙ୍କୁ ଶାସନ କରି ହେବନାହିଁ । କିନ୍ତୁ ଆମ ପଣ୍ଡିତେ ତାଙ୍କ ଦୀର୍ଘ ପଚାଶ ବର୍ଷର ଶିକ୍ଷକ ଜୀବନରେ କେବେ ହେଲେ ବେତ ଧରି ନାହାନ୍ତି । କୌଣସି ଅମାନିଆଁ ଛାତ୍ରକୁ ଶାସନ କରିବାକୁ ଯାଇ ସେ କାହା ଦେହରେ ଟିପ ମଧ୍ୟ ଛୁଇଁ ନାହାନ୍ତି । କେବଳ କଥାରେ ଶାସନ

୧୨୬