ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁହିଁଙ୍କୁ ଦୁଇଟି ଖଟ ଦେଖାଇ ଦେଲେ । କହିଲେ , " ବାବା, ତୁମେ ଏଇଠି ରହିବ, ତୁମ ପାଇଁ ଚାଉଳ ପକାଇବାକୁ ମୁଁ ହଷ୍ଟେଲ ପୁଝାରୀଙ୍କୁ କହିଦେଇଛି । ଆସନ୍ତା କାଲି ତୁମର ନାମ ଲେଖା ସରିଲେ ହଷ୍ଟେଲ୍‌ରେ ନିୟମିତ ସିଟ୍ ପାଇବ ।" ପିଲା ଦୁଇଟିଙ୍କ ମନରେ ସନ୍ଦେହର ଛାୟା ଢ଼ାଙ୍କି ହୋଇଗଲା, କିଏ ଏ ଘାସ କଟାଳି ? ତାଙ୍କୁ ଅଯାଚିତ ଭାବେ ଏତେଦୂର ସାହାଯ୍ୟ କଲେ ? ସଂଧ୍ୟା ପୂର୍ବରୁ ଲଣ୍ଠନ ସବୁ ଲାଗିଗଲା, ପ୍ରାର୍ଥନା ପୂର୍ବରୁ ସେଇ ଘାସ କାଟୁଥିବା ଲୋକ ଜଣକ ହଷ୍ଟେଲ ହାଜିରା ଖାତାଧରି ଯେତେବେଳେ ପହଞ୍ଚି ପିଲାଙ୍କ ଉପସ୍ଥାନ ନେଲେ ସେତେବେଳେ ନବାଗତ ଛାତ୍ର ଦୁଇଜଣ ଅନୁମାନ କରିନେଲେ ଏ ନିଶ୍ଚୟ ହେଉଛନ୍ତି ଗିବ୍‌ସନ୍ ହାଇସ୍କୁଲର ସଂସ୍କୃତ ପଣ୍ଡିତେ । ତାଙ୍କ ନିଷ୍ଠା, ଛାତ୍ରବତ୍ସଳତା କେନ୍ଦୁଝରର କୋଣେ ଅନୁକୋଣେ ସର୍ବତ୍ର ଆଲୋଚିତ ହୁଏ । ଏମାନେ ମଧ୍ୟ ତାଙ୍କ ନାଆଁ ଗାଆଁରୁ ଶୁଣି ଆସିଥିଲେ। ଏଭଳି ଶିକ୍ଷକଙ୍କୁ ନମସ୍କାର ମଧ୍ୟ କରିପାରି ନ ଥିବାରୁ ସେ ଦୁହେଁ ଖୁବ୍ ଲଜ୍ଜା ତଥା ଦୁଃଖ ଅନୁଭବ କଲେ । କିନ୍ତୁ ଅହଙ୍କାର ଶୂନ୍ୟ ପଣ୍ଡିତଙ୍କର ଏସବୁ କଥା ମନରେ ନଥାଏ । ପିଲା ଦୁହେଁ ନାଆଁ ଲେଖାଇ ପଢ଼ିଲେ, ହଷ୍ଟେଲରେ ମଧ୍ୟ ରହିଲେ । ସେହି ଘାସ କାଟୁଥିବା ବାଙ୍ଗରା ମଣିଷଟି ହେଉଛନ୍ତି ଆଦର୍ଶ ଛାତ୍ର ବତ୍ସଳ, ଶିକ୍ଷକ ପଣ୍ଡିତ ରଙ୍ଗାଧର ମିଶ୍ର।

ଆନନ୍ଦପୁରର ବଲଭଦ୍ରପୁର ଶାସନ । ସେଠାକାର କାମପାଳ ମିଶ୍ର ପୋଷ୍ୟପୁତ୍ର ହୋଇଆସିଥଲେ ଭୋଳନୂଆଗାଁ ଗଦାଧରପୁର ଶାସନର ପ୍ରଖ୍ୟାତ ରଥ ବଂଶରୁ । ୧୯୦୫ ମସିହା ଅପ୍ରେଲ ମାସ ୨୪ ତାରିଖରେ କାମପାଳଙ୍କର ଜ୍ୟେଷ୍ଠପୁତ୍ର ଭାବେ ଜନ୍ମ ହୋଇଥଲେ ରଙ୍ଗାଧର। ନନା ବୋଉଙ୍କ ସ୍ନେହଶ୍ରଦ୍ଧା ସାଇପଡ଼ିଶାଙ୍କର ଆଦରରେ ସେ ଦିନକୁ ଦିନ ବଡ଼ ହେଲେ, ଖଡ଼ି ଛୁଇଁଲେ । ଅବଧାନଙ୍କ ପାଖରେ ବ୍ରହ୍ମା, ବିଷ୍ନୁ, ମହେଶ୍ୱର ମୁଣ୍ଡୁଳା ମଡ଼େଇ ଖଡ଼ିପାଠ, ଅଙ୍କ, ଓଡ଼ାଙ୍କ, ଫେଡ଼ାଙ୍କ, ପଣକିଆ, କଡ଼ାପଣକିଆ ଆଦି ସାଙ୍ଗକୁ ବନ୍ଦଇ ହରି-ଦେବ-ମୁରାରି ଇମିତି କେତେଗୀତ ଶିଖିସାରି ପଢା ଆରମ୍ଭ କଲେ ନିୟମିତ ଭାବେ, ଆନନ୍ଦପୁର ମଡ଼େଲ ନିମ୍ନ ପ୍ରାଥମିକ ବିଦ୍ୟଳୟରେ । ପ୍ରାଥମିକ ପାଠ ସରିବା ପରେ ସେ ଆନନ୍ଦପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ପାସ କଲେ । ନିମ୍ନ ପ୍ରାଥମିକ ସ୍କୁଲ୍ ଓ ଆନନ୍ଦପୁର ମାଇନର ସ୍କୁଲ୍‌ର କୃତୀ ଛାତ୍ରଭାବେ ଛାତ୍ରବୃତ୍ତି ପାଇଲେ । ମାଇନର ପରେ ସେ କେଉଁଠି ପଢ଼ିବେ ? ସେତେବେଳେ କେନ୍ଦୁଝର ଗଡ଼ଜାତରେ ହାଇସ୍କୁଲ୍ ନଥାଏ । ଏଣ୍ଟ୍ରାନ୍ସ ପଢ଼ିବାକୁ ହେଲେ କଟକ କିମ୍ବା ଭଦ୍ରକ ଯିବାକୁ ହେବ । ପଢ଼ା ଖର୍ଚ୍ଚ ତୁଲାଇବାକୁ କାମପାଳ ମିଶ୍ରେ ସକ୍ଷମ ନୁହନ୍ତି । ସେତେବେଳକୁ କେନ୍ଦୁଝର ଗଡ଼ଜାତରୁ କେହି ପୁରୀର ସଂସ୍କୃତ ମହାବିଦ୍ୟାଳୟରେ ପଢ଼ି ନ ଥାନ୍ତି । ବାପା ଓ

୧୨୫