ପୃଷ୍ଠା:Bhasa o Jatiyata.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୪୩
 

ସେହିପରି ଢେଙ୍କାନାଳର ବଡଷାଠିଆବାଟିଆ ନିବାସୀ ଡଃ ନିରଞ୍ଜନ ଦାଶ “ଓଡ଼ିଆଭାଷା ସଂସ୍କୃତର ଭଗିନୀ” ବୋଲି ଦେବୀବାବୁ ଦେଇଥିବା ମନ୍ତବ୍ୟକୁ ଗ୍ରହଣ କରିନାହାନ୍ତି । ପୁଣି “ବାଟ”କୁ ଓଡ଼ିଆଶବ୍ଦ କହି ଦେବୀବାବୁ ଏକ ଗର୍ହିତକାର୍ଯ୍ୟ କରିଛନ୍ତି ବୋଲି ସେ ମତ ଦେଇଛନ୍ତି । ଏହା ସଂସ୍କୃତ ଶବ୍ଦ ବୋଲି ଯୁକ୍ତି କରିଥିବାବେଳେ ନିଜର ଏହି ଆରୋପ ପ୍ରତ୍ୟାରୋପ ଭିତରେ ସେ ମଧ୍ୟ ଓଡ଼ିଆଭାଷାର ମୌଳିକତା ଓ ପ୍ରାଚୀନତା ଅନ୍ୱେଷଣ କରିବାକୁ ଆଗ୍ରହୀ ହୋଇନାହାନ୍ତି । ଅନ୍ୟ ସଂସ୍କୃତ ପଣ୍ଡିତଙ୍କ ଭଳି ସେ ବିଶ୍ୱାସ କରନ୍ତି ସଂସ୍କୃତରୁ ଓଡ଼ିଆଭାଷା ସୃଷ୍ଟି । ସେ ଜାଣନ୍ତିନାହିଁ ବହୁ ବୈଦିକଶବ୍ଦ ଓଡ଼ିଆରେ ଏ ପର୍ଯ୍ୟନ୍ତ ଅବିକୃତ ଭାବେ ଚଳୁଥିବାବେଳେ ସଂସ୍କୃତରେ ଏଗୁଡ଼ିକର ପ୍ରୟୋଗ ନାହିଁ । ସବୁଠାରୁ ଦୁଃଖର କଥା ହେଲା ଉକ୍ତ ଦୁଇ ପଣ୍ଡିତ ଯଦି ଦେବୀବାବୁଙ୍କ ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ଲିଖିତ ମାର୍ମିକ ଆବେଦନକୁ ବୁଝିପାରି ନିଜର ମତ ପ୍ରଦାନ କରିଥାନ୍ତେ, ତେବେ ଓଡ଼ିଆ ଜାତି ଓ ଭାଷା ପ୍ରତି ସଚେତନ ଅଛନ୍ତି ବୋଲି ଜଣା ପଡ଼ିଥାନ୍ତା ।

ଆଉ ଜଣେ ନିୟମିତ ସ୍ତମ୍ଭକାର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓଡ଼ିଆ ଭାଷାର ମହତ୍ତ୍ୱ ଦର୍ଶାଇବାକୁ ଯାଇ ଓଡ଼ିଆ ଜାତିକୁ ରାଜସ୍ଥାନ ମରୁଭୂମିରୁ ଟାଣିଓଟାରି ମହାନଦୀ କୂଳକୁ ଆଣିଥିବାବେଳ ସଂସ୍କୃତରୁ ଓଡ଼ିଆ ଭାଷା ସୃଷ୍ଟି ବୋଲି ପ୍ରାଣପଣେ ପ୍ରମାଣ କରିଛନ୍ତି । ଅର୍ଥାତ୍ ଲେଖକଠାରୁ ପାଠକ ପର୍ଯ୍ୟନ୍ତ କେହି ହେଲେ ଶାସ୍ତ୍ରୀୟ ମାନ୍ୟତାଦ୍ୱାରା ଓଡ଼ିଆଭାଷାର କି ପ୍ରକାରର ଉପକାର ହେବ, ତାହା ବୁଝି ନାହାନ୍ତି । ତେଣୁ ଯେଉଁ ଜାତିର ଉଚ୍ଚ ଡିଗ୍ରୀଧାରୀ ଶିକ୍ଷିତବର୍ଗ ଏହିଭଳି ଅଜ୍ଞାନର ଦାସତ୍ୱରେ ବନ୍ଧା ପଡ଼ିଛନ୍ତି, ସେହି ଜାତିର ଭାଷା ଯେତେ ଗୌରବପୂର୍ଣ୍ଣ ହେଲେ ମଧ୍ୟ ଅନ୍ୟ ନିକଟରେ ମର୍ଯ୍ୟାଦା ପାଇବ ନାହିଁ । ଆମ ଶିକ୍ଷିତଙ୍କ ମାନସିକତା ଏଭଳି ସ୍ତରରେ ଥିବାବେଳେ ସାଧାରଣ ଲୋକଙ୍କଠାରୁ କ’ଣ ଆଶା କରିବା? ଓଡ଼ିଆଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାଦ୍ୱାରା ଏହି ଭାଷାର ବିକାଶପାଇଁ କେବଳ ଆର୍ଥିକ ପାଇବନାହିଁ, ବରଂ ଏହି ଭାଷା ସଂପର୍କରେ ଜାତୀୟ, ଆନ୍ତର୍ଜାତୀୟ କ୍ଷେତ୍ରରେ ବ୍ୟାପକ ଗବେଷଣା ହେବାଦ୍ୱାରା ଓଡ଼ିଆଭାଷାର ଜନ୍ମଜାତକରେ ଯେଉଁ କଳଙ୍କ ଲାଗିରହି ଏହାର ବିକାଶକୁ ଅବରୋଧ କରି ରଖିଛି ତାହା ଦୂର ହୋଇଯିବ । ସଂସ୍କୃତମୁକ୍ତ ନିରୁତା ଓଡ଼ିଆ ବ୍ୟାକରଣ ରଚନା ହୋଇପାରିବ । ଓଡ଼ିଆଭାଷା ଉଚ୍ଚାରଣ ଓ ପ୍ରୟୋଗବିଧି ବୈଜ୍ଞାନିକ ପଦ୍ଧତିଯୁକ୍ତ ହୋଇଥିବାରୁ ଏହାଉପରେ ବିସ୍ତୃତ ଗବେଷଣା ହେବାଦ୍ୱାରା ଓଡ଼ିଆଭାଷା ବିଶ୍ୱବାସୀଙ୍କ ନିକଟତର ହୋଇପାରିବ ।

କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ କେନ୍ଦ୍ରସରକାର କେତେକ ସର୍ତ୍ତ ରଖିଛନ୍ତି । ଯଥା- (୧) ଶାସ୍ତ୍ରୀ ମାନ୍ୟତା ଦାବି କରୁଥିବା ଭାଷାଭାଷୀ ଜାତିର ୧୫୦୦ ରୁ ୨୦୦୦ ବର୍ଷ ଧରି ଲିପିବଦ୍ଧ ଇତିହାସ ଓ ସଂସ୍କୃତି ଥିବ । (୨) ମହତ୍ୱପୂର୍ଣ୍ଣ ପ୍ରାଚୀନ ସାହିତ୍ୟ ରଚନା ପରଂପରା ଥିବ । (୩) ଅନ୍ୟ କୌଣସି ଭାଷାଦ୍ୱାରା ପ୍ରଭାବିତ ନ ହୋଇ ମୌଳିକ ସୃଷ୍ଟିସମ୍ଭାରରେ ସମୃଦ୍ଧ ଥିବ । (୪) ପ୍ରାଚୀନ ଓ ଆଧୁନିକ ଭାଷା ରୂପ ମଧ୍ୟରେ ଅବିଚ୍ଛିନ୍ନ ସଂପର୍କ ନ ଥାଇପାରେ ।