ପୃଷ୍ଠା:Bhasa o Jatiyata.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୦
ଭାଷା ଓ ଜାତୀୟତା
 

ବିରଜାକ୍ଷେତ୍ରରେ ସିଦ୍ଧିଲାଭ କଲେ । ଏହି ସମୟରେ ତିବ୍ ବତ ରାଜା ଖ୍ରୀ-ସ-ି-ତ୍ ସାନ ସେଠାରେ ଥିବା କଳୁଷିତ ବନ୍ ଧର୍ମ ବଳରେ ବୌଦ୍ଧଧର୍ମ ପ୍ରଚଳନପାଇଁ ପଦ୍ମସମ୍ଭବଙ୍କ ଶ୍ୟାଳକ ତଥା ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରଧାନ ପୁରୋଧା ଓ ଶିକ୍ଷକ ଶାନ୍ତରକ୍ଷିତଙ୍କୁ ଆମନ୍ତ୍ରଣ କଲେ । ମାତ୍ର ଶାନ୍ତରକ୍ଷିତ ପୃଥିବୀ ପ୍ରସିଦ୍ଧ ବୌଦ୍ଧପଣ୍ଡିତ ତଥା ଦାର୍ଶନିକ ଥିଲେ ମଧ୍ୟ ତାନ୍ତ୍ରିକ ନ ଥିବାରୁ ଏହି କାର୍ଯ୍ୟ ପଦ୍ମସମ୍ଭବ ଓ ମନ୍ଦାରବା କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ଉଭୟେ ଦମ୍ପତ୍ତି ତିବ୍ଦତ ଆସି ଅଳ୍ପକାଳ ମଧ୍ୟରେ ତାନ୍ତ୍ରିକ ବନ୍ ଧର୍ମାବଲମ୍ବୀଙ୍କୁ ବଶୀଭୂତ କରିବାସହ ସହଜଯାନ ଓ ବନ୍ ଧର୍ମର ସମନ୍ୱୟରେ ଲାମାଧର୍ମ ସଂସ୍ଥାପନ କଲେ । ତିବ୍ଦତରେ ଆଜି ଯେଉଁ ବିଶ୍ୱବିଖ୍ୟାତ ଲାମାଧର୍ମ ଏ ପର୍ଯ୍ୟନ୍ତ ବଞ୍ଚି ତିବ୍ଦତବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଓ ଏହାର ଧାର୍ମିକଗୁରୁ ଭାବେ ଦଲାଇଲାମାଙ୍କୁ ସ୍ୱୀକାର କରାଯାଇଛି, ତାହାରି ମୂଳରେ ରହିଛି ଏହି ସହଜଯାନର ପ୍ରଭାବ । ଠିକ୍ ସେହିଭଳି ଜଗନ୍ନାଥ ଧର୍ମ । ଏହି ଧର୍ମ ଓଡ଼ିଆ ଜନଜୀବନକୁ ଏଭଳି ଭାବେ ପ୍ରଭାବିତ କରିଥିଲା ଯେ, ବିଶିଷ୍ଟ ଶୈବଧର୍ମ ପ୍ରଚାରକ ତଥା ଅଦୈତ ମତବାଦର ପ୍ରତିଷ୍ଠାତା ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଭକ୍ତିଭାବର କାରୁଣ ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଚୈତନ୍ୟଙ୍କ ପର୍ଯ୍ୟନ୍ତ ଯେତେସବୁ ଧାର୍ମିକ ମତବାଦ ପ୍ରବକ୍ତା ଓ ପ୍ରଚାରକ ଓଡ଼ିଶାମାଟିକୁ ଆସିଥିଲେ, ସମସ୍ତେ ନିଜକୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ ପୂର୍ବକ ଜଗନ୍ନାଥୈକ ଚେତନାକୁ ସ୍ୱୀକାର କଲାପରେ ଓଡ଼ିଶାବାସୀ ଏମାନଙ୍କୁ ଗ୍ରହଣ କରୁଥିଲେ; ଯାହା ଭାରତର ଅନ୍ୟ କୌଣସି ଭୂଖଣ୍ଡରେ ଏଭଳି ହେଉ ନ ଥିଲା ।

ଓଡ଼ିଶାମାଟିରେ ଜନ୍ମଲାଭ କରିଥିବା ଆଉ ଏକ ଯୁଗୋପଯୋଗୀ ମାନବୀୟ ଧର୍ମ ହେଉଛି ମହିମାଧର୍ମ । ମହିମା ଗୋସେଇଁଙ୍କ ନୂଆ ମତବାଦ ପ୍ରଚଳନ ଫଳରେ ଓଡ଼ିଆ ଧର୍ମଧ୍ୱଜୀଙ୍କଦ୍ୱାରା ଜାତିଭେଦକୁ ଜାତି-ବିବାଦରେ ପରିଣତ କରିବା ତଥା କୁଳୀନ ପ୍ରଥା ନାମରେ କୁପ୍ରଥାକୁ ପ୍ରଶ୍ରୟ ଦେବା ମାନସିକତାରୁ ଦୂରେଇ ରହିବା ସହ ଆଦିବାସୀଗଣ ମିଶନାରୀ ପାଦ୍ରୀଗଣଙ୍କଦ୍ୱାରା ପ୍ରଲୋଭିତ ହୋଇ ବହୁସଂଖ୍ୟାରେ ଖ୍ରୀଷ୍ଟିୟାନ ହେବା ପଥ ବନ୍ଦ ହୋଇଥିଲା । ଏପରିକି ନ’ଅଙ୍କ ଦୁଭର୍କ୍ଷି ସମୟରେ ଜୀବନ ବଞ୍ଚାଇବାପାଇଁ ଅନ୍ନଛତ୍ର ଶିବିରରେ ଖାଦ୍ୟ ଖାଇ କିମ୍ବା କାହାଠାରୁ ଖାଦ୍ୟ ମାଗି ଜାତି ହରାଇଥିବା ଲକ୍ଷ ଲକ୍ଷ ଓଡ଼ିଆ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିବାବେଳେ ସମସ୍ତଙ୍କୁ ଆପଣାର କରିବାର ନିଷ୍ପତ୍ତି ନେଇ ଆବିର୍ଭୂତ ହେଇଥିବା ମହିମାଧର୍ମ ଓଡ଼ିଆତ୍ୱ ସୁରକ୍ଷା ସହ ହିନ୍ଦୁଧର୍ମକୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହୋଇଥିଲା । ଏହିପରି ଭାବରେ ଉପରୋକ୍ତ ଧର୍ମଗୁଡ଼ିକ ଓଡ଼ିଶାମାଟିରେ ଜନ୍ମଲାଭ କରି ବିଶ୍ୱମାନବତାକୁ କେବଳ ନୂଆ ଦିଗ୍ ଦର୍ଶନ ନେଇନାହିଁ, ବରଂ ନୂଆ ଚିନ୍ତାଧାରାର ସାହିତ୍ୟ ରଚିତହୋଇ ଓଡ଼ିଆସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି ।

ଓଡ଼ିଆସାହିତ୍ୟର ଆଦିରୂପ ‘ଚର୍ଯ୍ୟାଗୀତି’ (ସପ୍ତମ ଶତାବ୍ଦୀରେ ବୌଦ୍ଧଚର୍ଯ୍ୟାକବିମାନଙ୍କଦ୍ୱାରା ରଚିତ ନିର୍ଗୁଣ ଭକ୍ତିକବିତା) ତାଳପତ୍ରରେ ରଚିତ । ଏହି ସାରସ୍ୱତକୃତିକୁ ପୂର୍ବାଞ୍ଚଳର ସମସ୍ତ ଭାଷାଭାଷୀ ସ୍ୱ-ସାହିତ୍ୟର ପ୍ରାଚୀନ ରୂପବୋଲି ଦାବିକରନ୍ତି । କିନ୍ତୁ ଏହି ଦାବି କରୁଥିବା ଭାଷାଭାଷୀ ସେହି ସମୟର ରାଜନୈତିକ ସ୍ଥିତି ଓ ସୀମାରେଖା ସଂପର୍କରେ