ଅବକାଶଚିନ୍ତା/ବଳରାମ ଦାସ

ଉଇକିପାଠାଗାର‌ରୁ
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ବଳରାମ ଦାସ

କି ମଧୁର ନାମ ଭକ୍ତ ବଳରାମ
ଉତ୍କଳବାସୀ-ଶ୍ରବଣେ ;
ସାହିତ୍ୟ-ସଂସାରେ କଠୋର ସାଧକ
କାହିଁ ତୁମ୍ଭ ପରି ଜଣେ ?
ବାଲମିକ ବ୍ୟାସ ଅନ୍ତର-ଉଚ୍ଛ୍ବାସ
ଯମୁନା ଜାହ୍ନବୀ ପରି,
ପ୍ରୟାଗ ପରାଏ ଏକାଧାରେ କିଏ
ପାରେ ତୁମ୍ଭ ବିନେ ଧରି ୤
ଗୀତା ଗୂଢ ବାଣୀ ଲୋକରେ ବଖାଣୀ
ପଚାରିଲ ତତ୍ତ୍ବ ଜ୍ଞାନ,
ଧର୍ମ୍ମ ସାଧାରଣ କରିବା କାରଣ
କଲ ଆନ ଗୀତାମାନ ୤(୧)
କମଳ ଲୋଚନ କୋମଳ ବଚନ
ଶିଶୁମୁଖେ ଜିଣେ ବୀଣା,
ବୃଦ୍ଧ ଯୁବା ଯୋଗୀ ଭକ୍ତ ଅନୁରାଗୀ
ସର୍ବେ ତବ ପଦେ କିଣା ୤
ଦୁର୍ଲ୍ଲଭ ସଂସ୍କୃତ୍ ଭାଣ୍ଡେ ଯେ ଅମୃତ
ରଖିଗଲେ ବାଲମୀକି,
କେବଳ କୋବିଦ ପାଇଲେ ଆସ୍ବାଦ
ମିଲିଲା ନାହିଁ ସଭିଙ୍କି ୤
ପତିତ ପାଷଣ୍ଡ ମୂଢ ମୂର୍ଖ ଗଣ୍ଡ
ତୋଷିବାକୁ ମନେ ଭାଳି,
ମୃତ୍ତିକା ଆଧାରେ ଦେଲେ ଦ୍ବାରେ ଦ୍ବାରେ
ରାମାୟଣ ସୁଧା ଢାଳି ୤
ହିଏ ମୋ ପ୍ରତୀତି ନୀଳାଚଳପତି
ଭକତ-ବନ୍ଧୁ ଠାକୁର,
ଉତ୍କଳ୍-କଲ୍ୟାଣେ କ୍ଷୁଦ୍ଧ-ଅଭିଯାନେ
ଜିଣିଲେ ଯେ କାଞ୍ଚିପୁର ୤
କବି ରୂପେ ପୁଣି ଅବତରି ବେନି (୨)
ଜଗନ୍ନାଥ, ବଳରାମ,
ଧର୍ମ୍ମ-କର୍ମ୍ମ-ଦୀକ୍ଷା ସାହିତ୍ୟ ସୁଶିକ୍ଷା
ପ୍ରଚାରି ରଖିଲ ନାମ ୤
ଏବେ ନୀଳାଚଳେ ରହିଛି ନିଶ୍ଚଳେ
ଦେଖି ଏ ଦଶା କିପରି ?
ଛାଡିଣ ଆସ୍ଥାନ ଆସ ଆର୍ତ୍ତନ୍ତ୍ରାଣ !
ଚଳ ଅ ଉତ୍କଳ-ତରୀ ୤