ପୃଷ୍ଠା:Bhasa o Jatiyata.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

କେବଳ ଭେଲଫଳ ହିଁ ମିଳୁଛି । ଏଥିସହିତ ଆଉ ଗୋଟିଏ ବୋଝ ହେଉଛି ପ୍ରଥମ ଶ୍ରେଣୀରୁ ଓଡ଼ିଆ ସହିତ ଇଂରାଜୀ, ହିନ୍ଦୀ, ସଂସ୍କୃତ ଭଳି ଚାରିଟି ଭାଷା ଶିକ୍ଷାପାଇଁ କୋମଳମତି ପିଲାଙ୍କୁ ବାଧ୍ୟ କରିବା । ନିଜର ଏହି ଭାଷାଶିକ୍ଷା ବୋଝକୁ ଲାଘବ କରିବାପାଇଁ ପିଲାଟି ଅନିଚ୍ଛା ସେତ୍ତ୍ୱ ସହଜରେ କହିପାରୁଥିବା ନିଜ ମାତୃଭାଷାକୁ ଅବହେଳା କରିବା ଅଭ୍ୟାସରେ ପଡ଼ିଯାଏ । ମାତୃଭାଷାରେ ଦକ୍ଷ ନ ହେବାଦ୍ୱାରା ଅନ୍ୟ ତିନିଟି ଭାଷାକୁ ସେ ଠିକ୍ ଭାବରେ ଆୟତ୍ତ କରିପାରୁ ନାହିଁ । ଫଳରେ ଭାଷାଶିକ୍ଷାର ମୂଳଦୁଆ ସଂପୂର୍ଣ୍ଣ ଭାବରେ ଦୋହଲି ଯାଉଛି । ଅନ୍ୟପକ୍ଷରେ କେନ୍ଦ୍ରସରକାରଙ୍କର ତ୍ରିଭାଷୀ ଶିକ୍ଷାସୂତ୍ର ତାମିଲନାଡ଼ୁ, ଆନ୍ଧ୍ରପ୍ରଶେ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଆଦି ବିକଶିତରାଜ୍ୟ ସପ୍ତମଶ୍ରେଣୀରୁ ଲାଗୁକରି ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ କେବଳ ମାତୃଭାଷାଶିକ୍ଷା ଉପରେ ଗୁରୁତ୍ୱ ଦେବାଦ୍ୱାରା ଅପୂର୍ବ ସଫଳତା ପାଇଥିବାବେଳେ ଓଡ଼ିଶାସରକାର ପ୍ରଥମଶ୍ରେଣୀରୁ ଚାରିଭାଷା ଶିକ୍ଷାବ୍ୟବସ୍ଥା କରି ଓଡ଼ିଶାର କୋମଳମତି ପିଲାଙ୍କ ମଧ୍ୟରେ ଭାଷାବିଭେଦ ଓ ଭାଷାବିରାଗ ଜନିତ ଅଯଥା ମାନସିକ ଅସନ୍ତୋଷ ସୃଷ୍ଟିକରି ସଠିକ୍ ଭାଷାଶିକ୍ଷା କରିବାର ପଥ ବନ୍ଦ କରିେଉଛନ୍ତି ।

୨. ଅଭିଧାନର ଅଭାବ : ଓଡ଼ିଆଭାଷା ଜନ୍ମହେବାଠାରୁ ଯେତେ ଶବ୍ଦ ପଶି ନଥିଲା, ବିଗତ ତିନିଶହ ଭିତରେ ତାହାଠାରୁ ଅନେକ ବାହ୍ୟଶବ୍ଦ ପଶିଆସିଛି । ଏଥିସହିତ ଆସିଛି ନୂଆ ଅର୍ଥ, ଶବ୍ଦଗଠନ ରୀତି, ନୂଆ ବ୍ୟାକରଣ ଇତ୍ୟାଦି । ପୃଥିବୀର ସବୁଭାଷା ଆଜି ଏହି ଅନୁପ୍ରବେଶକୁ ଗ୍ରହଣ କରିଛି । କିନ୍ତୁ ଦୁଃଖର କଥା ଓଡ଼ିଆଭାଷାର ଏହି ଆଗନ୍ତୁକ ଶବ୍ଦଗୁଡ଼ିକୁ ବାନ୍ଧି ରଖିବାରେ ଓଡ଼ିଆ ଅଭିଧାନ ଅକ୍ଷମ । ବିଭିନ୍ନ ପ୍ରକାଶନସଂସ୍ଥା, ସରକାର, ଏପରିକି ଓଡ଼ିଆ ୱେବ୍ ସାଇଟ୍ ବେପାରୀଗଣକଦ୍ୱାରା ଯେଉଁସବୁ ଭାଷା ଜ୍ଞାନରହିତ ନୂଆ ନୂଆ ଅଭିଧାନକାର ସୃଷ୍ଟି ହେଉଛନ୍ତି, ସେମାନେ ନିଜଜ୍ଞାନର କୂପମଣ୍ଡୁକତା ଓ ଶ୍ରମକାତରତାକୁ ଦୃଷ୍ଟିରେ ରଖି ସେହିସବୁ ଆଗନ୍ତୁକ ଶବ୍ଦସଂଗ୍ରହ କିମ୍ବା ଭାଷାମଧ୍ୟରେ ଭର୍ତ୍ତି କରିଦେଉନାହାନ୍ତି । ଏମାନଙ୍କଦ୍ୱାରା କେବଳ ଅଭିଧାନରୁ ଅଭିଧାନ ନକଲ ହେବାର ଲାଗିଛି । ସରକାର ମଧ୍ୟ ବର୍ତ୍ତମାନର ସମୟୋପଯୋଗୀ ବ୍ୟୁପିତ୍ତିମୂଳକ ଅଭିଧାନ ଲେଖିବାର ବ୍ୟବସ୍ଥା ନ କରି ୭୦/୮୦ ବର୍ଷ ତଳର ଅଭିଧାନକୁ କୋଟିକୋଟି ଟଙ୍କା ବ୍ୟୟରେ ପୁନଃପ୍ରକାଶ କରି ଭାଷା ପ୍ରତି ଥିବା ନିଜର ଦାୟିତ୍ୱ ସାରିଦେଉଛନ୍ତି । ଅର୍ଥାତ୍ ଗୋଟିଏଜାତିକୁ ଆଗେଇ ନେବାପାଇଁ ଗଠନ କରାଯାଇଥିବା ଲୋକ ପ୍ରତିନିଧିମୂଳକ ସରକାର ଲୋକମାନଙ୍କ ଅନୁପଯୋଗୀ କାର୍ଯ୍ୟ କରିବାଦ୍ୱାରା ଓଡ଼ିଆଭାଷାକୁ ଜୋରଜବରସ୍ତ ଶହେବର୍ଷ ତଳକୁ ନେଇ ଉନ୍ନତି ଓ ପ୍ରଗତିର ସମସ୍ତପଥକୁ ବନ୍ଦ କରିଦେଉଛନ୍ତି । ଏହାକୁ ଅନୁଭବ କରି ଯଦି ପ୍ରତିବାଦ କରାଯାଏ, ତେବେ ସରକାର ସଙ୍ଗେସଙ୍ଗେ ଭାଷାସମିତି ଗଢ଼ି କେତେକ କିମ୍ବୁତକିମାକାର ଶବ୍ଦ ପ୍ରସ୍ତୁତ କରି କାର୍ଯ୍ୟାଳୟରେ ପ୍ରୟୋଗ କରୁଛନ୍ତି । ଯାହାଦ୍ୱାରା ସାଧାରଣ ଓଡିଆ ଏହିଶବ୍ଦ ସହ ଅଭ୍ୟସ୍ତ ହୋଇ ନ ପାରି ଅନ୍ୟ ସହଜଶବ୍ଦକୁୁ ଆପଣେଇ ନେଉଛି ।

ଏଠାରେ ପ୍ରଶ୍ନ ଉଠେ, ସତରେ କ’ଣ ଓଡ଼ିଆଭାଷାର ଶବ୍ଦଭଣ୍ଡାର ଶକ୍ତିଶାଳୀ