ପୃଷ୍ଠା:Netrutya O Netrutwa.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫
ନାରୀ ଏବଂ ସୃଷ୍ଟିସ୍ଥିତି


ସମ୍ମାନ ଦେଖାଇବାକୁ କେହି ଆପତ୍ତି କରି ନପାରେ; କିନ୍ତୁ ଯେଉଁଠାରେ ମଣିଷର ସ୍ୱାସ୍ଥ୍ୟ ଉପରେ ଆପଦ ଆସି ପ‌ହ‌ଞ୍ଚେ, ସେଠାରେ ଯଦି 'ଆପ୍ତ ବାକ୍ୟ' ସ୍ମରଣ କରି କୌଣସି ବିଶେଷ ସୁଫଳର ଆଶା ନ ଥାଏ, ତାହା ହେଲେ 'ନୂତନ ପଞ୍ଜିକାକୁ' ପୁରାତନ ପୋଥି ଭିତରେ ଥୋଇ ପୂଜା କରିବାକୁ ହେବ । ଦେହ-ବିଜ୍ଞାନ ଉପରେ ଯେଉଁମାନେ ବ‌ହୁ ଚିନ୍ତା, ବ‌ହୁ ଗବେଷଣା ଓ ବ‌ହୁ ପରୀକ୍ଷା କରି ହାତେ ହାତେ ସୁଫଳ ଦେଖାଇ ଦେଇଅଛନ୍ତି ? ପୁଣି ଯେଉଁମାନଙ୍କ ସିଦ୍ଧାନ୍ତକୁ ଅନୁସରଣ କରି ଆଖି ଆଗରେ ପୁଷ୍ଟ ବଳିଷ୍ଠ ଜାତିମାନେ ତିଆରି ହେଉଛନ୍ତି? ସେମାନଙ୍କ କଥାକୁ ଟିକିଏ କାନ ଦେବାକୁ ହେବ ।

ଅବଶ୍ୟ ଆଗ କରି ଦେଖିବାକୁ ହେବ ଯେ, ନାରୀ ପୁରୁଷର ବର୍ତ୍ତମାନ ପରିସ୍ଥିତି ପ୍ରକୃତ ସ୍ୱାସ୍ଥ୍ୟକର କି ନୁହେଁ । ନୀତି,ନିୟମ,ଚରିତ୍ର ଓ ସତୀତ୍ୱ ପ୍ରଭୃତି ହଜାର ବର୍ଷ ତଳର ଯେଉଁସବୁ ପୁରୁଣା ପଦ୍ଧତି ଓ ପୁରୁଣା ଶବ୍ଦ ମଣିଷ ଜାତିର ମନ ଭିତରେ ଟସର ପୋକ ପରି ଅସଂଖ୍ୟ ଅର୍ଥ ଓ ଅନର୍ଥର ଜାଲ ତିଆରି କରି ତାହାର ଭିତରେ ହିଁ ଆତ୍ମଗୋପନ କରିଛି, ଏହିସବୁ ଜାଲ ଛିଣ୍ଡାଇ ସେ ପୋକ‌କୁ ପଦାକୁ ଆଣି ନିରପେକ୍ଷ ପରୀକ୍ଷା କରିବା ଅବଶ୍ୟ ଦୁଃସାଧ୍ୟ ହୋଇପାରେ, କିନ୍ତୁ ଅସାଧ୍ୟ ନୁହେ। ପରସ୍ପର ଦୃଷ୍ଟିକୁ ଅଧିକ ଆକର୍ଷଣ କରିବା ଉଦ୍ଦେଶ୍ୟରେ କିମ୍ବା ଦେହକୁ ସୁରକ୍ଷା କରିବା ପାଇଁ ଅଥବା ଅନ୍ୟ ଯେ କୌଣସି କାରଣରୁ, ନାରୀ ପୁରୁଷ ଦୁହେଁ ଯେଉଁ ଦିନଠାରୁ କୃତ୍ରିମତାର ଘୋଡ଼ଣୀଦ୍ୱାରା ଦେହକୁ ଲୁଚାଇବା ଗଲେ,ସେହିଠାରୁ ହିଁ ତାଙ୍କର କୃତ୍ରିମ ଚେଷ୍ଟାର ସମାପ୍ତି ହେଲା ନାହିଁ । ଧର୍ମ, ଅର୍ଥ ଓ ରାଷ୍ଟ୍ରନୀତି ପ୍ରଭୃତିର ଉଦ୍‌ଭବ ହୋଇ ସେଗୁଡ଼ିକର ପ୍ରଭାବ ଓ ସଂଘାତରେ ନାରୀ ପୁରୁଷର