ପୃଷ୍ଠା:Netrutya O Netrutwa.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋପବନ୍ଧୁ ସ୍ମୃତି

ତିରୋଧାନର ୧୮ ବର୍ଷ ହୋଇଗଲା । ଏହା ଭିତରେ ଓଡ଼ିଶାରୁ ପୁଣି ଭାରତରୁ କେତେ ପିଲା, ବୁଢ଼ା, ଭେଣ୍ଡିଆ ମରଣର ଅଖିମିଟିକାରେ ବିଦା ହୋଇ ଗଲେଣି । କିଏ ଜନ୍ମ ହୋଇ ଭେଣ୍ଡା ହେଲେଣି । ତାଙ୍କ ଭିତରେ କେତେ ମଣିଷ, କେତେ ଅମଣିଷ, କିଏ ଯୋରଦାର, କେତେ ସତିଆ ଚାଲ୍‌ବାଜ ଓ ମିଛୁଆ-ଯୋହୁକୁମ, କେତେ ଭକୁଆ ଓ ଭେକଧାରୀ, କେତେ ଗୁଣ୍ଡା ଓ ମୁର୍ଖ ଦୁନିଆ ଉପରେ ମାଡ଼ି ଗଲେଣି ।

ଗୋପବନ୍ଧୁ ବଞ୍ଚିଥିବା କାଳରେ ଯେ ଏଭଳି ଲୋକ ନ ଥିଲେ, ତାହା ନୁହେଁ; ସେତେବେଳେ ବି ତାଙ୍କୁ ବ‌ହୁତ ପାଠୁଆ ଅଭଦ୍ର ଓ ଅପାଠୁଆ ଭଦ୍ର ଲୋକଙ୍କ ସାଙ୍ଗରେ ଚଳିବାକୁ ପଡ଼ିଥିବ; ବ‌ହୁତ ପାଜି ଓ ପକେଟ୍‌ମାରୁଙ୍କ ପାଖେ ରହି ତାଙ୍କ ଦେହ ଜଳୁଥିବ ।

୧୯୨୮ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ଯେ ଅଠର ବର୍ଷ ଏହା ଭିତରେ କେତେ ଘରେ, କେତେ ଗାଁ, କେତେ ଥାନା, ମହକୁମା, ଜିଲ୍ଲା ଅବା ରାଜ୍ୟ ଉପରେ ପୋଡ଼ି, ବଢ଼ି, ମଡ଼କ, ଭୂଇଁକମ୍ପ, ଲଢ଼େଇ, ଭିଡ଼େଇ ହୋଇଯାଇଛି । ଏହାରି ଭିତରେ କେତେ ଫକଡ଼ ଧନୀ ହେଲେଣି, କେତେ ଧନୀ ଭିକ ମାଗିଲେଣି । କେତେ ଲୋକ ଦୋକାନ ବଜାର, କାରଖାନାମାନଙ୍କରେ ଭର୍ତ୍ତି