ପୃଷ୍ଠା:Netrutya O Netrutwa.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୪

ନେତୃତ୍ୱ ଓ ନେତୃତ୍ୱ

ଏକାବେଳେ ପାସୋର ଯାଏ । ମଝିରେ ମଝିରେ ଭାରତବର୍ଷର ନାମ ବିଦେଶୀ ପତ୍ର ପତ୍ରିକାରେ ଆଜି କାଲି ଦେଖିବାକୁ ମିଳୁଥିଲେ ହେଁ ଏ ସବୁଦେଶ ସଙ୍ଗେ ତାହାର ତୁଳନା ହୋଇ ନ ପାରେ । କାରଣ ତାହାର ବାସ୍ତବ ସ୍ୱରୂପ ଯାହା ଅଛି, ସେ ଖାଲି ଗୋଟାଏ ଛାୟା ମାତ୍ର । ଏହି ଛାୟା ବା ମରୀଚିକା ଭିତରେ ଯେତିକି ସତ୍ୟ ପରିଚୟ ସେ ଆଜିଯାକେ ପାଇଛି, ତ‌ହିଁରେ ଗାଁ ପ୍ରଧାନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ କ‌ହି ପୁଛି ଜାଣିବାକୁ ଚେଷ୍ଟା କରୁଥିବାର ଏଥି ଭିତରେ କେତେକ ପ୍ରମାଣ ମିଳିଛି ।

କିନ୍ତୁ ସେ ପ୍ରମାଣ ଭାରତର କବିତା ଦର୍ଶନ ଆଦି ବିଦ୍ୟାଚର୍ଚ୍ଚାଠାରୁ ବଡ଼ ପ୍ରମାଣ ନୁହେ । ଭାରତର ପୁରୁଣା ତୀର୍ଥ ଓ ମନ୍ଦିର ପରି ତାହାର ଅତୀତ ବିଦ୍ୟାଚର୍ଚ୍ଚାରେ ମଧ୍ୟ କିଛି ବାସ୍ତବତା ଥିଲା । ଏକ୍ଷଣି ପୃଥିବୀ ମାନ‌ଚିତ୍ରରେ ଭାରତର ବର୍ତ୍ତମାନ ଛାୟାରେ ଆବୃତ ଥିଲେହେଁ ତାହାର କଥଞ୍ଚିତ୍ ପରିଚୟ ଯେ କବିତା ଓ ନୀତି ଚର୍ଚ୍ଚାରେ ପ୍ରକାଶିତ ହୋଇଅଛି, ଏ କଥା ଅସ୍ୱୀକାର୍ଯ୍ୟ ନୁହେ । ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଏ ଯୁଗରେ କେତେ ଜଣ କୃତୀ ବ୍ୟକ୍ତିଙ୍କର ନାମ ଦେଶର ସୀମା ପାର ହୋଇଅଛି । ଅର୍ଥାତ୍ ଆଖିରେ ପଡ଼ିବା ଭଳି ବସ୍ତୁ ଭାରତବର୍ଷରେ ଯଦି କିଛି ଥାଏ, ତା' ହେଲେ ପହିଲେ ଏହି ବିଦ୍ୟା ଚର୍ଚ୍ଚାକୁ ହିଁ ଧରିବାକୁ ହେବ । ହାତ ଗୋଡ଼ ଚଳାଇବା ସମ୍ବନ୍ଧେ ଶିଶୁଠାରୁ ମଧ୍ୟ ସେ ହୀନ, କ‌ହି ପୁଛି ଜାଣିହାକୁ ବାକି ଅଛି ତାର ଢ଼େର । ପ୍ରବନ୍ଧର ଆଦ୍ୟରେ ଯେଉଁ ଶ୍ରେଣୀ ବିଭାଗ କରାଯାଇଥିଲା, ସେ ଅନୁସାରେ ଭାରତବର୍ଷର ସ୍ଥାନ ତୃତୀୟ ଶ୍ରେଣୀରେ: ତାହାର ମୁହଁ ବା ହାତ ଗୋଡ଼ର ବ୍ୟବହାର ସବୁଠୁଁ କମ୍ ।