ସେମାନଙ୍କୁ ଦୁଇଟି ଭଉଣୀ ସଙ୍ଗେ ତୁଳନା କରାଯାଏ । ଅନେକ ଦିନ ତଳେ ଓଡ଼ିଆବାସୀ ବଙ୍ଗୀୟମାନଙ୍କର ପୁରୀଠାରେ ଅନୁଷ୍ଠିତ ଏକ ସଭାରେ (Bengalee Settler' Conference) ଯେଉଁ ଉଦବୋଧନ କରାଯାଇଥିଲା, ତାହାର ପହିଲି ଧାଡ଼ି ଥିଲା- "ବଙ୍ଗ ଉତ୍କଳ ଦୁଇଟି ଭଗିନୀ ସତତ ବଦ୍ଧ ମମତା ପାଶେ ।" ସାମାନ୍ୟ ଉଚ୍ଚାରଣ ଭେଦ ଛାଡ଼ି ଦେଲେ ଏ ଧାଡ଼ିଟିକୁ ବଙ୍ଗ ଭାଷା ଯେମିତି ନିଜର ବୋଲି କହିପାରେ ଓଡ଼ିଆ ଭାଷାର ମଧ୍ୟ ସେଥିରେ ସମାନ ଦାବୀ ଅଛି । ଗୀତଟିର ଆଉ ସବୁ ପଦ ବିଷୟରେ ଅବଶ୍ୟ ଠିକ୍ ଏହି କଥା କହି ହେବ ନାହିଁ । କିନ୍ତୁ ପ୍ରଥମ ପଦଟିରୁ ବଙ୍ଗଳା ତଥା ଓଡ଼ିଶାକୁ ଦୁଇଟି ଭାଇ କିମ୍ବା ଭଉଣୀ କହିଲେ ବିଶେଷ ଅନର୍ଥର ଆଶଙ୍କା ନାହିଁ । ଏହିପରି ସଂସ୍କୃତ ଶବ୍ଦର ଆଶ୍ରୟରେ ଭାରତର ଆଉ ସବୁ ପ୍ରଦେଶ ସଙ୍ଗେ ଓଡ଼ିଶାର ସଖ୍ୟଭାବର ସୂଚନା ମିଳିପାରେ । ଭାରତ ଜାତୀୟ ମହାସଭାରେ ମଧ୍ୟ ସବୁ ପ୍ରଦେଶର ଲୋକେ କିଛି କିଛି ବୁଝିବା ଭଳି ସଂସ୍କୃତ ଶବ୍ଦ ମିଶ୍ରିତ ସଂଗୀତ ବୋଲା ଯାଇଥାଏ ।
ବଙ୍ଗ ଓ ଉତ୍କଳ କୌଣସି ନାରୀ ନ ଥିଲେ--
ଭାରତବର୍ଷର ସବୁ ପ୍ରଦେଶ ଭିତରେ ଖାଲି ଭାଷାଗତ ନୁହେଁ, ରାଷ୍ଟ୍ରଗତ, ଧର୍ମଗତ ଓ କୃଷିଗତ ଅନେକ ସମ୍ବନ୍ଧ ବହୁ ପୁରାଣ କାଳରୁ ସ୍ଥାପିତ ହୋଇଛି । ପରବର୍ତ୍ତୀ ସମୟରେ ଏହି ପ୍ରଦେଶଗୁଡ଼ିକର ସ୍ୱାତନ୍ତ୍ର୍ୟ କ୍ରମେ ପ୍ରକାଶିତ ହୋଇ ପଡ଼ିଥିଲେ ହେଁ ସେ ସବୁର ମୂଳ ଉତ୍ସ ଗୋଟିଏ, ଅର୍ଥାତ୍ ସବୁ ପ୍ରଦେଶହିଁ ଏକ ମହାଭାରତୀୟ ଭାବରେ ପ୍ରଭାବିତ ହୋଇଅଛି, ଯଦ୍ୟପି ଏହା ମୂଖ୍ୟ ରୂପେ ଧର୍ମଭାବ ସଙ୍ଗେହିଁ ସଂଶ୍ଳିଷ୍ଟ । ସମଗ୍ର ଭାବରେ ଭାରତର ରାଷ୍ଟ୍ରକଳ୍ପନା କେବେ କରାଯାଇଥିଲା, ତାହା ଏଠାରେ ନ କହିବାହିଁ ଭଲ । କାରଣ ତାହା