ପୃଷ୍ଠା:Bhasa o Jatiyata.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭାଷା ଓ ଜାତୀୟତା
୧୭
 

ବାଧ୍ୟ କରାଯାଇ ତା'ଠାରେ ଥିବା ମାତୃଭାଷା ଶିକ୍ଷା ଆଗ୍ରହକୁ ହତ୍ୟା କରିଦିଆଯାଉଛି ।

ଆମ ଶିକ୍ଷିତବର୍ଗ ଗୋଟିଏ ସତ୍ୟକୁ ସର୍ବଦା ଆଡେଇ ଯାଉଛନ୍ତି । ଶିଶୁଟି ଗୋଟିଏ ଭାଷା କହୁଥିବାବେଳେ ଆଉ ଗୋଟିଏ ଭାଷାରେ ଶିକ୍ଷାଗ୍ରହଣ କରିବାଦ୍ୱାରା ତା'ର ମାନସିକ ସନ୍ତୁଳନ ରହି ନ ଥାଏ । ସେ କହୁଥିବା ତା'ର ମାତୃଭାଷାକୁ ଅଯଥାବୋଝ ବୋଲି ଭାବେ । ସେ ଅନୁଭବ କରେ ଏହି ଭାଷାରେ ଗେଲ କରାଯାଇପାରେ, ମାତ୍ର ଶିଷାଲାଭ କରିହୁଏ ନାହିଁ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୁଏନାହିଁ । ଏହିକାରଣରୁ ମାତୃଭାଷା ଶିକ୍ଷାପ୍ରତି ଥିବା ମମତା ଆପେଆପେ ତା’ଠାରୁ ଅନ୍ତର୍ହିତ ହୋଇଯାଉଛି । ଆତ୍ମବିଶ୍ୱାସ ସ୍ୱତଃ ଭାଙ୍ଗି ଯାଉଥିବାରୁ ଭାଷା ପ୍ରତି ତା’ର ଥିବା ଆବେଗ ଧୀରେଧୀରେ ଲୋପ ପାଇଯାଉଛି । ଆଜିର ଓଡ଼ିଆ ପିଲାମାନେ ଓଡ଼ିଆ ସଂଖ୍ୟା ଗଣି ପାରିବେ ନାହିଁ, ଓଡ଼ିଆ ମାସ, ଋତୁ, ଗ୍ରହ ଓ ନକ୍ଷତ୍ରର ନାମ କହିପାରିବେ ନାହିଁ, ଦଶଟି ଫୁଲ, ପାଞ୍ଚଟି ମାଛ, କୋଡ଼ିଏଟି ଗଛ କିମ୍ବା ସାତଟି ରଙ୍ଗର ନାମ ଚଟ୍‌କରି କହିପାରିବେ ନାହିଁ । ଏମାନଙ୍କ ଭିତରୁ କେତେକ ଭଲ ଇଂରାଜୀ କହିପାରନ୍ତି, ତେଲୁଗୁ, ତାମିଲ, ବଙ୍ଗଳା ବି କହିପାରନ୍ତି; ମାତ୍ର ଏହିଭାଷା ମଧ୍ୟରେ ଥିବା ପ୍ରଭେଦ ଜାଣନ୍ତି ନାହିଁ । ପିଲାଟିବେଳରୁ ଓଡ଼ିଆଭାଷା ପ୍ରତି ତା’ର ଚାରିପଟେ ଘୁରିବୁଲୁଥିବା ମାତା ପିତା, ସାଙ୍ଗସାଥି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦାସୀନ ଓ ଉପହାସିତ ଭାବ ଦେଖି ସେ ଶଙ୍କିତ ହୋଇପଡ଼େ । ମା’ର ଭାଷା ପ୍ରତି ଆଗ୍ରହ, ଅନୁରକ୍ତି ଥିଲେ ମଧ୍ୟ ତା’ର ମନରେ ଦୃଢ଼ ଧାରଣା ସୃଷ୍ଟି ହୁଏ ଯେ ନିଜ ମାତୃଭାଷା ବଳରେ ସେ ମଣିଷ ହୋଇପାରିବ ନାହିଁ । ରୋଜଗାର ମିଳିବ ନାହିଁ । ଏଥିପାଇଁ ସେ ଅନ୍ୟର ଭାଷା ଶିଖିବାକୁ ହେବ । ଇଂରାଜୀ ବିଶ୍ୱଭାଷା ହୋଇଥିବାରୁ ବିଶ୍ୱସ୍ତରରେ ନିଜପାଇଁ ସ୍ଥାନ ସୁରକ୍ଷିତ ରଖିପାରିବ । ଆଉ ହିନ୍ଦୀ ଭାରତର ରାଷ୍ଟ୍ରଭାଷା (ନିକଟରେ ଗୁଜୁରାଟ ଉଚ୍ଚନ୍ୟାୟାଳୟ ରାୟ ଦେଇଛନ୍ତି ଯେ ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ, ଏହା ସର୍ବଭାରତସ୍ତରୀୟ କାର୍ଯ୍ୟାଳୟର ଭାଷା । ଏହା ଭାରତର ପ୍ରମୁଖ ୨୨ଟି ଭାଷା ମଧ୍ୟରୁ ଅନ୍ୟତମ । ତେବେ ସବୁ ଭାଷାଭାଷୀ ରାଜି ହେଲେ ଏହା ରାଷ୍ଟ୍ରଭାଷାର ମାନ୍ୟତା ପାଇବ) ହୋଇଥିବାରୁ ବିଶାଳ ଭାରତ ଭୂଖଣ୍ଡରେ ନିଯୁକ୍ତିର ଅସୁବିଧା ନାହିଁ କିନ୍ତୁ ଓଡ଼ିଆରେ ପଢ଼ିଲେ ଓଡ଼ିଶାରେ ମଧ୍ୟ କୌଣସି ନିଯୁକ୍ତି ମିଳିବ ନାହିଁ । ତେଣୁ ସଂସ୍କାରପାଇଁ ସଂସ୍କୃତ, ମା’ର ଭାଷା ଓଡ଼ିଆ, ଦେଶର ଭାଷା ହିନ୍ଦୀ ଆଉ ରୋଜଗାରର ଭାଷା ଇଂରାଜୀ -ଏହି ଚାରିଟି ଭାଷାକୁ ଶିଶୁଟି ଶିଖିବାପରେ ଯେଉଁ ଖେଚୁଡ଼ି ବାକ୍ୟ ପରଷୁଛି, ତାହା କୌଣସି ଭାଷାର ମୂଳ ମଂଜକୁ ତ ଧାରଣ କରିପାରୁ ନାହିଁ, ଭାଷାଦ୍ୱାରା ଅନ୍ୟ ବିଷୟ ଯଥା- ବିଜ୍ଞାନ, ଗଣିତ ଓ ଇତିହାସ, ଭୂଗୋଳ ଭଳି ସମାଜବିଜ୍ଞାନକୁ ମଧ୍ୟ ଠିକ୍ ଭାବରେ ଉପସ୍ଥାପନ କରି ନ ପାରି ସର୍ବଭାରତୀୟ ପ୍ରତିଯୋଗିତା କ୍ଷେତ୍ରରେ ପଛରେ ପଡ଼ିଯାଉଛି । ଫଳରେ ପ୍ରଚୁର ପ୍ରାକୃତିକ ସଂପଦ ଥାଇ ଧନରେ ଗରିବ ହୋଇଥିବା ଏହି ରାଜ୍ୟ ଜ୍ଞାନରେ ମଧ୍ୟ ଗରିବ ହୋଇ ରହିବାକୁ ବାଧ୍ୟ ହେଉଛି ।