ପୃଷ୍ଠା:Netrutya O Netrutwa.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୫
ନବଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ


ଯୋଗ୍ୟତା ତାହାର ନା ବୁଦ୍ଧିରେ ନା ବୟସରେ ଜନ୍ମିଥାଏ । ଏ ଦେଶର ସବୁ ନୂତନ ସଂଗଠନ ଓ ନୂତନ ଆନ୍ଦୋଳନର ପରିକ‌ଳ୍ପନା ପରି ସବୁ ଶିଶୁଙ୍କର ହିଁ ଗର୍ଭରୁ ନଷ୍ଟ ହେବାର ଆଶଙ୍କା ବିଦ୍ୟମାନ । ଏ ଦେଶରେ ବ‌ହୁ ଜନନୀଙ୍କର ଅଶିକ୍ଷା, ଅସ୍ୱାସ୍ଥ୍ୟ, ଅନିୟମ, ଆଉ କାହାର ଗୁରୁଜନ ପୁଣି ଗୁରୁଜନ ଅଭାବରେ ଭୂତପ୍ରେତର ଭୟ ହିଁ ଅନ୍ୟାନ୍ୟ କାରଣ ଭିତରେ ଏଥି ପାଇଁ ଦାୟୀ । ପୁଣି ଶିଶୁ ଯଦି ଦୈବାତ୍ ଗର୍ଭପାତ ବିପତ୍ତିରୁ ବଞ୍ଚିଯାଏ ତାହାହେଲେ ମୂର୍ଖ ଧାଈ, ବିଶ୍ୱାସ-ଅନ୍ଧ ପିତା ଓ ପଡ଼ୋଶୀ ପୁଣି ଅଜ୍ଞ ଚିକିତ୍ସକ ହାତରେ ମଧ୍ୟ ତାହାର ମୃତ୍ୟୁର ଭୟ ପଦେ ପଦେ ।

ଏହିପରି ଲାଳନ ଉପରେ ଆଉରି ବି ତାଡ଼ନ ଅଛି । ସେ ତାଡ଼ନା ଏତେ ଉତ୍କଟ, ଏତେ ବୀଭତ୍ସ ଯେ, ଦାସ ପ୍ରଥା ପରି ତାହା ହୃତ୍‌କମ୍ପ ଜାତ କରାଏ । ପିତା, ଶିକ୍ଷକ ବା ଗୁରୁଜନ ସମକ୍ଷରେ ପୁତ୍ରର ସିଧା ହୋଇ ଚାଲିଯିବାକୁ ମଧ୍ୟ ନିଷେଧ, କଥା କ‌ହିବା ତ ଦୂରର । ତିନି ଚାରି ବର୍ଷ ବୟସର ଶିଶୁକୁ ଶାନ୍ତ କରିବାକୁ ଯେତେ ନୁହେଁ, ତାହାଠାରୁ ଶାନ୍ତି ପାଇବାକୁ ହିଁ ଯେଉଁ ଭୂତର ଭୟ ତାହା ଭିତରେ ପ୍ରବେଶ କରାଇ ଦିଆଯାଏ, ଦଶ ବାର ବର୍ଷ ବୟସରେ ସେ ଭୟଟା ପିତା କିମ୍ବା ଶିକ୍ଷକର ରୂପ ପରିଗ୍ରହ କରେ । ତ‌ଥାପି ପିତା କିମ୍ବା ଶିକ୍ଷକଠାରେ ଯଦି ସେହି ଦାସ-ଭାବ ଆବଦ୍ଧ ରହ‌ନ୍ତା, ତେବେହେଲେ ରକ୍ଷା ଥିଲା । କିନ୍ତୁ ପରିବାର ପରି ସମାଜର ପ୍ରଭୁତ୍ୱ ମଧ୍ୟ ଏହି ଶିଶୁ ବୟସରୁ ହିଁ ଅନୁଭବ କରିବାକୁ ହୋଇଥାଏ ଏବଂ ସମସ୍ତଙ୍କ ପାଖରେ ତାଚ୍ଛିଲ୍ୟ ଓ ଅବ‌ହେଳା ପାଇବାକୁ ହୋଇଥାଏ ।