ପୃଷ୍ଠା:Typical selections from Oriya literature.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧
ଓଡ଼ିଆ ସାହିତ୍ୟ-ପରିଚୟ

ଇନ୍ଦ୍ର ସପତଦିନ ବୃଷ୍ଟି କଲା ।
ବଜ୍ରାଘାତେ ପଥର ବରଷିଲା ।
ଛତ୍ର ଆକାରେ ଗିରିବର ଧରି ।
ଗୋପସମ୍ପଦ ରଖିଲେ ମୁରାରି ।
ଇନ୍ଦ୍ର ହାରିଣ ଶରଣ ପଶିଲା ।
ଗୋପୋ ଗୋବିନ୍ଦ ନାମ ଦେଇ ଗଲା ।
କଂସ ଶୁଣି କି ନାହିଁ ସେହି କଥା ।
ସେ କି ଇନ୍ଦ୍ରହୁଁ ବଡ ସାମରଥା ।
କେତେ କେତେ ବିପତ୍ତି ନ ପଡିଲା ।
କୃଷ୍ଣ ଥିଲାକୁ କିଛି ନ ଲାଗିଲା ।
ଏବେ କେ ଅବା ଆମ୍ଭଙ୍କୁ ରଖିବ ।
ଆମ୍ଭ ବିରହ ଦୁଃଖ ଉପେକ୍ଷିବ ।
ଏତେ ବୋଲିଣ ହେଲେ ସର୍ବେ ଦୁଃଖୀ ।
ଅନ୍ୟ ଗୋପୀଏ ବୋଲେ ଶୁଣି ସଖି ।
ସେ ଗୋ ଦାରୁଣ ଅଟଇ କହ୍ନାଇ ।
ଏଡେ ନିର୍ଦ୍ଦୟ ବୋଲି ଜାଣୁ ନାହିଁ ।
ଯାହା ଘରେ ଯେଉଁ ଦ୍ରବ୍ୟ ଅପୂର୍ବ ।
ତାଙ୍କୁ ଲୁଚାଇ ଥୋଇଥାଉଁ ସର୍ବ ।
ଆମ୍ଭେ ପତି ତନୟ ଗୋ ନ ଜାଣୁ ।
ଗୁରୁ ଗଉରବ ଲାଜ ନ ମଣୁ ।
ଆମ୍ଭ ପତି ତନୟ ସବୁ ସେହି ।
ତାଙ୍କୁ ନ ଦେଖି ଯାଉଅଛି ଦେହୀ ।
ତାର ମତ୍ତସାରଙ୍ଗ ତୁଲ୍ୟ ଗତି ।
ଦେଖି ଦେହ ଧରେ କେଉଁ ଯୁବତୀ ।
ସେ ଗୋ ବନରୁ ଆସୁଥାଇ ଚାଲି ।
ଶିରେ ବରହୀପୁଚ୍ଛ ଶୋହେ ଝଳି ।
ନାସେ ବର୍ତ୍ତୁଳ ମୁକୁତା ଲୁଳଇ ।
କର୍ଣ୍ଣେ କୁଣ୍ଡଳ ବେନି ବିରାଜଇ ।
ଗୋରଚନା ଚିତା ଶୋହେ କପାଳେ ।
ତହିଁ ଉପରେ ରୁଞ୍ଜଗୁଞ୍ଜ ମାଳେ ।
ଉରେ ଶାର୍ଦ୍ଦୁଳନଖ କଣ୍ଠିମାଳୀ ।
ଅଙ୍ଗେ ପଡ଼ିଣ ଥାଇ ଗୋରୁଧୁଳି ।
ହସ୍ତେ ମୁରଲୀ ଗୋଟି ଥାଇ ଘେନି ।
ଇଚ୍ଛା ହୋଇଲେ କରୁଥାଇ ଧ୍ୱନି ।