ପୃଷ୍ଠା:Bhasa o Jatiyata.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 
ପରିଣତି

ଓଡ଼ିଆ ଜାତିର ପରିଚୟ ଧୀରେଧୀରେ ଆତ୍ମପ୍ରକାଶ କରିବାରେ ଲାଗିଲା କେତେକ ସୁଯୋଗ୍ୟ ସନ୍ତାନମାନଙ୍କ‌ଦ୍ୱାରା । ଏହି ସନ୍ତାନଗଣଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଯାଜପୁରର କଣ୍ଟାବଣିଆ ଗ୍ରାମରେ ଜନ୍ମିତ ତଥା କଟକ କମିଶନରଙ୍କ ସିରସ୍ତାଦାର ବିଚିତ୍ରାନନ୍ଦ ଦାସ ଏବଂ କଟକର ଦିକ୍ଷିତପଡ଼ା ଗ୍ରାମରେ ବଙ୍ଗାଳୀ କାୟସ୍ଥ ପରିବାରରେ ଜନ୍ମିତ ତଥା କଟକ କିଲଟରୀରେ ଅନୁବାଦକ ଥିବା ଗୌରୀଶଙ୍କର ରାୟ । ଏହି ସମୟରେ ଓଡ଼ିଆ ଜାତୀୟ ଜୀବନରେ ଅନେକ ଘଟଣା ଦୁର୍ଘଟଣା ଘଟିଯାଇଥିଲା, ଯାହା ଓଡ଼ିଆତ୍ୱ ଉନ୍ମେଷ ଦିଗରେ ଯଥେଷ୍ଟ ସହାୟକ ହୋଇଥିଲା । ସ୍ୱାଭିମାନୀ ଅଥଚ ନିର୍ଭୀକ ଓଡ଼ିଆ ଉଭୟ ବିଚିତ୍ରାନନ୍ଦ ଏବଂ ଗୌରୀଶଙ୍କର ଓଡ଼ିଆଜାତିର ସାମଗ୍ରିକ ବିକାଶପାଇଁ ଲାଗିପଡ଼ିଥାନ୍ତି । ଏଥିପାଇଁ ‘ଉ‌ତ୍କଳଦୀପିକା’ ଓ ଛାତ୍ର ମଧୁସୂଦନ ଦାସ ହୋଇଯାଇଥିଲେ ବଳିଷ୍ଠ ମାଧ୍ୟମ । ‘ଦୀପିକା’ର ଦୀପଶିଖା ଆହୁରି ଅଧିକ ପ୍ରଜ୍ୱଳିତ ହୋଇ ଅଜ୍ଞାନ ଅନ୍ଧାରକୁ ଦୂରୀଭୂତ କରି ଓଡ଼ିଆ ସ୍ୱାଭିମାନର ମନ୍ତ୍ର ଗାଇ ଚାଲିଥିବାବେଳେ ଆଧୁନିକ ଶିକ୍ଷାପ୍ରାପ୍ତ ବାରିଷ୍ଟର ମଧୁସୂଦନ ଦାସଙ୍କ ବୁଦ୍ଧିଦୀପ୍ତ କାର୍ଯ୍ୟଶୈଳୀ ସୁପ୍ତ ଓଡ଼ିଆଚେତନାକୁ ଜାଗ୍ରତ କରି ଦେଇଥିଲା । ଫଳସ୍ୱରୂପ ‘ତିନିଥେକିଆ କାକୁଡ଼ି ବାଡ଼ି’ଥିବା ଓଡ଼ିଶାମାଟିକୁ ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ଭାଷୀଙ୍କ ପ୍ରଭାବରୁ ସୁରକ୍ଷିତକରି ଅଖଣ୍ଡ ଓଡ଼ିଶା ଗଠନ ଉଦ୍ଦେଶ୍ୟରେ ଏହି ଭାଷାଆନ୍ଦୋଳନ ଇନ୍ଧନ ଭଳି କାର୍ଯ୍ୟ କରିଥିଲା ।

ନିଜ‌ଦ୍ୱାରା ସୃଷ୍ଟି ନ’ଅଙ୍କ ଦୁର୍ଭିକ୍ଷ ସମୟରେ ପରଦା ଆଢ଼ୁଆଳରେ ଇଂରେଜ ଅଧିକାରୀଗଣ ରହି କିରାଣୀ ବଙ୍ଗାଳୀମାନଙ୍କୁ ପ୍ରଥମ ଦଫାରେ ବଳି ପକାଇ ବାହାବା ନେଲେ । ୨ୟ ଦଫାରେ ବଙ୍ଗାଳୀ ପଣ୍ଡିତଙ୍କ‌ଦ୍ୱାରା ଓଡ଼ିଆଭାଷା ବିଲୋପ କରିବାର ଚକ୍ରାନ୍ତ ଭିତରେ ସେମାନଙ୍କୁ ପୁଣିଥରେ ବଦନାମ କରି ଇଂରେଜ ପଣ୍ଡିତଙ୍କ‌ଦ୍ୱାରା ଓଡ଼ିଆଭାଷାର ମହନୀୟତା ସଂପର୍କରେ ଯୁକ୍ତିକରି ଓଡିଶାର ହାତଗଣତି ବିଦ୍ୟାଳୟରେ ଓଡିଆଭାଷା ପ୍ରଚଳନ କରିବାଦ୍ୱାରା ଶିକ୍ଷିତ ଓଡ଼ିଆଗୋଷ୍ଠୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଲେ । ତେବେ ଏହାର ପ୍ରଭାବ ମୃତପ୍ରାୟ ଓଡ଼ିଆ ଜାତୀୟତାରେ ଏଭଳି ପ୍ରାଣ ସଞ୍ଚାର କଲା ଯେ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଇଂରେଜ ଶାସନାଧୀନ ଓଡ଼ିଆ ଅଞ୍ଚଳର ଓଡ଼ିଶାବାସୀ ନିଜ ଭାଷା ଓ ଜାତିର ସୁରକ୍ଷାପାଇଁ ଅଣ୍ଟାଭିଡି ବାହାରିଲେ । କାରଣ ବଙ୍ଗ ଅଧିନସ୍ଥ ଓଡ଼ିଶା ଅଞ୍ଚଳର ଭାଷା ବିଲୋପପାଇଁ ଗ୍ରହଣ କରିଥିବା ସମାନ ନୀତି ପ୍ରୟୋଗ କଲେ ମାନ୍ଦ୍ରାଜ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରେ । ମାନ୍ଦ୍ରାଜ ଶିକ୍ଷା ବିଭାଗର ନିର୍ଦ୍ଦେଶକ ପାୱେଲ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟଦ୍ୱାରା ଅନୁଷ୍ଠିତ ପରୀକ୍ଷାରୁ ଓଡ଼ିଆଭାଷାକୁ ଉଠାଇ ଦେବାକୁ ତ‌ତ୍କାଳୀନ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଅନୁରୋଧ କରି ପତ୍ର ଲେଖିଲେ - “ଯଦି ଓଡ଼ିଆମାନଙ୍କୁ ତୈଲଙ୍ଗୀଭାଷା କହିବାକୁ ବାଧ୍ୟ କରାଯାଏ, ତା’ହେଲେ ଏହି ଅଞ୍ଚଳବାସୀ ବହୁ ଉପକାର ପାଇବେ । କାରଣ ତୈଲିଙ୍ଗୀ ଭାଷାରେ ପୂର୍ବକାଳର ସାହିତ୍ୟ କୌତୁହଳ ଜଗାଏ, ସେମିତି ଗୋଟିଏ ପୁସ୍ତକ ଅଛି । xxx ଓଡ଼ିୟା ଅର୍ଦ୍ଧ ଅସଭ୍ୟ ଭାଷା ଅଟେ ।”