ପୃଷ୍ଠା:Bhasa o Jatiyata.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୨୧
 

ଅକ୍ଷର ଓ ଶବ୍ଦ, ଯାହା ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ନ ହୋଇ କେବଳ ଓଡ଼ିଆ ଲିପି ଓ ଭାଷାରେ ବ୍ୟବହୃତ ହେଉଛି-ଏଗୁଡ଼ିକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରିବା ଯଥେଷ୍ଟ ହେବ ।

ଖାରବେଳଙ୍କଦ୍ୱାରା ଖୋଦିତ ଏହି ଲିପିକୁ ଓଡ଼ିଆଭାଷାର ପ୍ରାଚୀନ ଲିପି କହିବାରେ ଆହୁରି ଅନେକ ଭାଷାବିଜ୍ଞାନ ସମ୍ମତ କାରଣ ରହିଛି । ଏ ସଂପର୍କରେ ଆଲୋଚନା କରିବା ପୂର୍ବରୁ ପଥରରେ ରାଜାଦେଶ ଖୋଦେଇ ଆରମ୍ଭ କରିଥିବା ଅଶୋକଙ୍କ ବିଭିନ୍ନ ଶିଳାଲେଖ ସଂପର୍କରେ ଆଲୋଚନା କରାଯାଇପାରେ । ଏପର୍ଯ୍ୟନ୍ତ ଭାରତ ଉପମହାଦ୍ୱୀପରୁ ପ୍ରାୟ ୪୭ଟିସ୍ଥାନରୁ ଅଶୋକଙ୍କ ୧୫୦ଟି ଅଭିଲେଖ ଆବିଷ୍କୃତ ହୋଇଛି । ଏଗୁଡ଼ିକ ମଧ୍ୟରୁ ସଂଖ୍ୟାଧିକ ଅଭିଲେଖର ଭାଷା ପାଲି ଏବଂ ଲିପି ବ୍ରାହ୍ମୀ । ତେବେ ତୋଷାଳୀ (ଧଉଳି) ଓ ସମାପା (ଜଉଗଡ଼)ରେ ଯେଉଁ ଅନୁଶାସନ ଖୋଦିତ ହୋଇଛି, ତାହା କେବଳ ବିଷୟବସ୍ତୁ ଦୃଷ୍ଟିରୁ ନୁହଁ ବରଂ ଭାଷା ଓ ଲେଖକୀୟ ଶୈଳୀ ଦୃଷ୍ଟିରୁ ମଧ୍ୟ ଭିନ୍ନ ଓ ସ୍ୱତନ୍ତ୍ର । ସେଥିପାଇଁ ଐତିହାସିକଗଣ କଳିଙ୍ଗରେ ସ୍ଥାପିତ ଅଶୋକଙ୍କର ଏହି ଅଭିଲେଖ ଦ୍ୱୟକୁ ‘ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ’ ନାମରେ ନାମିତ କରିଛନ୍ତି । ଏହି ଅନୁଶାସନ ଦୁଇଟିରେ ବ୍ୟବହୃତ ଭାଷା, କଳିଙ୍ଗ ଜନସାଧାରଣଙ୍କ ବୁଝିବାଭଳି ଭାଷାରେ ଲେଖାଯାଇଥିଲା । ଯାହାକୁ ଆମେ ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରବିଭାଷା ଭାବେ ବର୍ଣ୍ଣନା କରାଯାଇଥିବାର ଦେଖୁ । ଠିକ୍ ସେହି ଲିପି ଓ ଭାଷାରେ ଆଉ ଏକ ବଳିଷ୍ଠ କୃତିତ୍ୱର ଧାରାବିବରଣୀ ଦେଖିବାକୁ ପାଉ ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖରେ । ତେବେ ଏହି ଅଭିଲେଖକୁ ଅନୁଶୀଳନ କଲେ ଜଣାପଡ଼େ ଏହା କେବଳ ରାଜାଜ୍ଞା କିମ୍ବା ବିଜୟବାର୍ତ୍ତା ନ ଥିଲା, ବରଂ ଏକ ସମୃଦ୍ଧଶାଳୀ ସଂସ୍କୃତିସମ୍ପନ୍ନ ସ୍ୱାଭିମାନୀ ଜାତିର ମନଭିତରେ ଚାପି ରହିଥିବା କଳିଙ୍ଗଯୁଦ୍ଧ ଭଳି ଅପମାନଜନିତ ବ୍ୟଥାର ଉପଶମପାଇଁ ଓଡ଼ିଆଜାତିର ଗୌରବପୂର୍ଣ୍ଣ ପ୍ରତ୍ୟେକ ମୁହୂର୍ତ୍ତ ଲିପିବଦ୍ଧ କରିବାର ଅଦମ୍ୟ ପିପାସା, ଯାହା କଳିଙ୍ଗସମ୍ରାଟ ଖାରବେଳଙ୍କଦ୍ୱାରା ସମାହିତ ହୋଇଥିଲା ।


* ପାଲି ନାମକ କୌଣସି ଭାଷାର ନାମୋଲ୍ଲେଖ ପ୍ରାଚୀନ ଗ୍ରନ୍ଥମାନଙ୍କରେ ନାହିଁ । ମାତ୍ର ଯେତେବେଳେ ଭାରତର ଏହି ପ୍ରାଚୀନ ଲିପିକୁ ପାଶ୍ଚାତ୍ୟ ପଣ୍ଡିତ ଜେମ୍ସ ପ୍ରିନ୍‌ସେସ୍ ପାଠକଲେ, ତାହାର ନାମକରଣ ପାଲି (pali) ରଖିଲେ, ଯାହାକି ଓଡ଼ିଆ ‘ପଲ୍ଲୀ’ ଶବ୍ଦର ଇଂରାଜୀ ଉଚ୍ଚାରଣ । ଏବେ ମଧ୍ୟ ଓଡ଼ିଶା ଗ୍ରାମାଞ୍ଚଳରେ ଓଡ଼ିଆଭାଷାକୁ ପଲ୍ଲୀଭାଷା କୁହାଯାଏ, ଯାହା ଶିକ୍ଷିତ ଓଡ଼ିଆଙ୍କ ତୁଣ୍ଡରେ ଗାଉଁଲୀ ଭାଷା ଭାବେ ପରିଚିତ । ଏହି ପଲ୍ଲୀଭାଷା ସ୍ଥାନ ବିଶେଷରେ ଭିନ୍ନଭିନ୍ନ ରୂପ ଗ୍ରହଣ କରିଛି । ଏହି ଦୃଷ୍ଟିକୋଣରୁ ମଗଧ, କଳିଙ୍ଗ, ଦ୍ରାବିଡ଼ ଅଞ୍ଚଳ ପଶ୍ଚିମ ଭାରତରେ ଏହାର ଲିପି ଓ ଶବ୍ଦାର୍ଥରେ ଭିନ୍ନତା ଦେଖାଯାଏ ।


ଏହି ଦୁଇ ଶିଳାଲେଖର ଲିପି ବ୍ରାହ୍ମୀ ଓ ଭାଷା ପାଲି ବୋଲି ଐତିହାସିକଗଣ ମତ