ପୃଷ୍ଠା:Chha mana atha guntha.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୃଷ୍ଟିରେ ଟଳି ଗଲା । ବିଶେଷ ଅନୁଧ୍ୟାନ କରି ଦେଖ, ଏପରି ହଠାତ୍ ପରିବର୍ତ୍ତନର ମୂଳ କାରଣ ଘଟଣା ଏବଂ ସଂସର୍ଗ ଭଗବାନ ଶଙ୍କରାଚାର୍ଯ୍ୟଙ୍କର ମହାବାକ୍ୟ ସମସ୍ତଙ୍କର ସ୍ମରଣ ରଖିବାର ଉଚିତ୍ -- <poem> "କ୍ଷଣମିହ ସଜ୍ଜନ ସଂଗତିରେକା ଭବତି ଭବାର୍ଣ୍ଣବତରେଣ ନୌକା ।"

ସନାତନ ବ୍ରହ୍ମଧର୍ମର ଉପଦେଶ ତୁମ୍ଭେ ପାପକୁ ଘୃଣା କର, ପାପୀକୁ ଘୃଣା କର ନାହିଁ । ଯେଉଁ ବୃତ୍ତିର ବଶମ୍ବଦ ହୋଇ ମନୁଷ୍ୟ ଅନୁତାପ କରେ, ମଙ୍ଗରାଜଙ୍କର ସେହି ବୃତ୍ତି ଆଜି ଉତ୍ତେଜିତ ହୋଇ ଉଠିନାହିଁ, ଏକଥା କିଏ କହିପାରେ ? ଆମ୍ଭମାନେ ଅନ୍ତର୍ଯ୍ୟାମୀ ନୋହୁ, ମଙ୍ଗରାଜଙ୍କର ମନର ଭାବ କିପରି ଜାଣିବୁ ? ଜାଣିଲେ ମଧ୍ୟ ଦୁଃଖ ଏବଂ ଅନୁତାପ ଯୁଗପତ୍ କିପରି ତାହାଙ୍କ ମନକୁ ବଶୀଭୂତ କରି କଣ୍ଠରୋଧ ଏବଂ ବାହ୍ୟଜ୍ଞାନଶୂନ୍ୟ କରିପକାଉଛି, ତାହା ବର୍ଣ୍ଣନାକରି ଆପଣଙ୍କୁ ବୁଝାଇଦେବାର ଶକ୍ତି ନାହିଁ ।

ଜଡ଼ା ଯେପରି କଥା କହି ନପାରି ହାତ ଗୋଡ଼ ହଲାଇ ଆପଣା ମନର ଭାବକୁ ପ୍ରକାଶ କରିବାକୁ ଚେଷ୍ଟା କରେ, ଆମ୍ଭେମାନେ ସେହିପରି ଏଣୁ ତେଣୁ ଗୁଡ଼ାଏ କହିପକାଇଲୁଁ ।

ହେ ପାଠକ ଅବଧାନ ! କ୍ଷମା କରନ୍ତୁ, ଏତିକି ହେଉ, ଦେବଦୁନ୍ଦୁଭି ଅହିଅ ନାଗରା ବାଜିଗଲାଣି, ଶୁଭକଉଡ଼ି ଗୋଟାଇନେଇ ମଙ୍ଗଳ ପେଡ଼ିରେ ରଖିବା ସକାଶେ ଗ୍ରାମର ସୁଲକ୍ଷଣୀ ଅହିଅ ସ୍ତ୍ରୀମାନେ ଦାଣ୍ଡକୁ ଚାହିଁ ବସିଛନ୍ତି, ଏତିକି ହେଉ ।

'ହରି ହରି ବୋଲ ମନ' ।


‌‌‌‌‌‌‌‌‌