ପୃଷ୍ଠା:Netrutya O Netrutwa.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୩
ନବଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ


ସେଥିଲାଗି ମଧ୍ୟ ସେମାନଙ୍କ ରକ୍ତରେ ଉଷ୍ଣତା ଓ ପ୍ରାଣରେ ଉତ୍ତେଜନା ଦେବା ଦରକାର ?

ମୋହର ବିଶ୍ୱାସ, ଛାତ୍ର ଅବସ୍ଥାରେ ଇତିହାସ, ଭୂଗୋଳ, ସାହିତ୍ୟ, ଦର୍ଶନ , ସ୍ୱାସ୍ଥ୍ୟ ଓ ବିଜ୍ଞାନ ସମ୍ବନ୍ଧରେ ଜାଣିବାକୁ ଆମର ଯେଉଁ ଅଧିକାର ଅଛି, ଯୌନତ‌ତ୍ତ୍ୱ, ସମାଜନୀତି ଓ ରାଜନୀତି ବିଷୟରେ ବୁଝିବାକୁ ପୁଣି ନିଜର ପରିପାର୍ଶ୍ୱିକ ଅବସ୍ଥା ପାଠ କରିବାକୁ ସମାନ ଅଧିକାର ଅଛି । କିନ୍ତୁ ଅଧିକାର ଓ ଦାବୀର ପ୍ରଶ୍ନ ଯେଉଁଠାରେ ଉଠେ, ସେଠାରେ ତାକୁ କେହି କାହାକୁ ଦେଇପାରେ ନାହିଁ । ସେ ସମସ୍ତ ଆଦାୟ କରି ନେବାକୁହିଁ ହୁଏ । ଏପରି କି ବ‌ହୁ କ୍ଷେତ୍ରରେ ଦେଖାଯାଏ, ବାପ ପୁଅକୁ କିମ୍ବା ସ୍ୱାମୀ ସ୍ତ୍ରୀକୁ ମଧ୍ୟ ଅଧିକାର ଦେବାକୁ ରାଜି ନୁହେଁ । ଏ ସବୁ କ୍ଷେତ୍ରରେ ଶକ୍ତିହୀନତା ଓ ସାହସ‌ହୀନତା ହେତୁରୁ ମନସ୍ତ‌ତ୍ତ୍ୱବିତ୍‌ମାନଙ୍କ ଭାଷାରେ ଆତ୍ମଦମନ କରିବାକୁ ହୋଇଥାଏ । କିନ୍ତୁ ଯେତେବେଳେ ଏହି ପ୍ରତିରୋଧର ପ୍ରତିକ୍ରିୟା ଆରମ୍ଭ ହୁଏ, ସେତେବେଳେ ସବୁ କ୍ଷେତ୍ରରେ ବିପ୍ଳବର ସୃଷ୍ଟି ହୁଏ । ଚତୁସ୍ପାର୍ଶ୍ୱରେ ହିଁ ଆମ୍ଭେମାନେ ପ୍ରତ୍ୟହ ବ‌ହୁ ବିପ୍ଳବୀଙ୍କୁ ଦେଖିବାକୁ ପାଉଁ । ସେମାନଙ୍କ ଭିତରୁ ଅନେକ ତ୍ୟଜ୍ୟପୂତ୍ତ୍ର, ଏକ୍‌ସ୍‌ପେଲ୍‌ଡ଼ , ସମାଜ ଅଥବା ଜାତିଚ୍ୟୁତ, ବିଧର୍ମୀ ବା ବେଆଇନ ଦଳ ରୂପେ ସବୁ କ୍ଷେତ୍ରରୁ ବିତାଡ଼ିତ, ଅଥଚ ସେମାନଙ୍କୁ ହିଁ ପୁଣି ସମାଜ ଫେରାଇ ଆଣି ଅଭିନନ୍ଦନ କରେ । ପ୍ୟାରିମୋହ‌ନ ଆଚାର୍ଯ୍ୟ, ବିଶ୍ୱନାଥକର, ମଧୁସୂଦନ ଦାସ ଓ ଗୋପବନ୍ଧୁ ଦାସ ପ୍ରଭୃତି ଏହି କ୍ଷୁଦ୍ର ଓଡ଼ିଶା ପ୍ରଦେଶରେ ମଧ୍ୟ ଏହି ରୂପ ସମ୍ମାନ ପାଇ ଅଛନ୍ତି । ଅଥଚ ଧର୍ମ, ସମାଜ ଓ ରାଷ୍ଟ୍ରରେ ଅଳ୍ପ ବେଶି ସେମାନଙ୍କୁ ବିପ୍ଳବୀ ବୋଲିବାକୁ ହିଁ ହେବ ।