ନବଯୁଗ ସାହିତ୍ୟ ସଂସଦ୍ ଉଦ୍ବୋଧନ
ଏହା ଦ୍ୱାରା କେହି ଯେପରି ନ ବୁଝନ୍ତି ଯେ ସମାଜ ଓ ସମଷ୍ଟି ପାଇଁ ରକ୍ତ କିମ୍ବା ପ୍ରାଣବଳି ଦେବା ଲାଗି ଏଠାରେ ମୁଁ ଯୁବକକୁ ଆହ୍ୱାନ କରିଛି; ଅଥବା ଦେଶ ପାଇଁ ଜେଲ ବରଣ କରିବାକୁ ତାହାକୁ ପ୍ରବର୍ତ୍ତାଉଛି । ଦେଶ ପାଇଁ ମରିବାକୁ ହେବ ନାହିଁ ବନ୍ଧୁଗଣ । ବଂଚିବାକୁ । ଜେଲରେ ପଶିବାକୁ ହେବ ନାହିଁ-ସମାଜର ବହୁ ଅପଦାର୍ଥଙ୍କୁ ତାହା ଭିତରେ ପୂରାଇବାକୁ ହେବ । ଜେଲ କିମ୍ବା ମୃତ୍ୟୁ ଜୀବନର ଏକ ମାତ୍ର ଆଦର୍ଶ କିମ୍ବା ଏକ ମାତ୍ର ଲକ୍ଷ୍ୟ ନୁହେ । ପୃଥିବୀରେ ବହୁ କର୍କଶ, ବହୁ ବିପତ୍ପୂର୍ଣ୍ଣ ମାର୍ଗ ଅଛି, ଯାହା ତୁଳନାରେ ଜେଲରେ ପଶିବା କିମ୍ବା ମୃତ୍ୟୁ ବରଣ କରିବା ଅତି ସାମାନ୍ୟ ମନେ ହୁଏ ଓ ଅତି ବୋକାମୀର ପରିଚୟ ଦିଏ । ଏ ଦୁଇଟା ପନ୍ଥା ତ ସବୁ ଶ୍ରେଣୀର ଲୋକଙ୍କ ପାଇଁ ସବୁ ସମୟରେ ମୁକ୍ତ । ମୁଁ ମଧ୍ୟ ଇଚ୍ଛା କଲେ ଏହିଠାରୁ ହିଁ ଘରକୁ ନ ଯାଇ ଜେଲକୁ ଯାଇ ପାରେଁ ଏବଂ ଆପଣମାନଙ୍କ ଭିତରୁ ଜଣେ ଯେ କାହାକୁ ହତ୍ୟା କରି ଫାସି ଲଟକି ପାରେ । କିନ୍ତୁ ସେ ରୂପ ବୋକାବନିବାକୁ ମୁଁ ଆସି ନାହିଁ । କାରଣ ମୁଁ ଜାଣେ, ଏଥି ପୂର୍ବରୁ ଆପଣମାନେ ବହୁ ଲୋକଙ୍କୁ ବୋକା ବନେଇ ଜେଲ ମୁହଁକୁ ପେଲି ଦେଇ ବେଶ୍ ନିଶ୍ଚିନ୍ତରେ ଅଛନ୍ତି ।