କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଠ ଚମ୍ପୂ

ଉଇକିପାଠାଗାର‌ରୁ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଠ ଚମ୍ପୂ

ଠ ଚମ୍ପୂ
(ରାଗ ତୋଡ଼ି)

ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ ।ପଦ।

ଠକ ରୀତି ନ ଆଚରି, ମୋ କଦନକୁ ବିଚାରି
ଅକପଟ ତ୍ରାଣବିଧି ଉଚିତରେ ।୧।

ଠଣା ଠୁଙ୍କି ତାପ ତ୍ରାସ- ମୁଣ୍ଡେ ମନମଥ ପାଶ,
ବନ୍ଧନ କର ତୁ ପରା ମୋଚିତରେ ।୨।

ଠଉରାଇ ଅବସର, କଲେ ତୁ ପ୍ରସଙ୍ଗ ମୋର,
ଯିବ ରାଜୀବନେତ୍ରାକୁ ରୁଚିତରେ ।୩।

ଠୋ କରି ଛିଣ୍ଡାଇ ଦେ ନା, ପ୍ରିୟସହି ମୋ ବେଦନା,
ନ ଲାଗଇ ନିକି ତୋତେ କିଞ୍ଚିତରେ ।୪।

ଠାରିଦେଲେ ନେତ୍ରାଞ୍ଚଳେ, ବିଜନ ସ୍ଥଳେ ସେ ବଳେ,
ବିରାଜିବ କ୍ଷଣରୁଚି ଉଚିତରେ ।୫।

ଠାକୁର ଠାକୁରାଣୀଙ୍କ, ପଦାମ୍ବୁଜଧ୍ୟାନରଙ୍କ,
ନୃପ ଜଗଦ୍ଦେବ କରେ ରଚିତରେ ।୬।