କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଢ ଚମ୍ପୂ

ଉଇକିପାଠାଗାର‌ରୁ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ବଳଦେବ ରଥ
ଢ ଚମ୍ପୂ

ଢ ଚମ୍ପୂ
(ରାଗ ଗୌଡ଼ା, ତ୍ରିପଟା)

 ଢାଳେ ତ ଢାଳିଲୁ ନାହିଁ କୃପାସୁଧା ଝରିକିରେ ।ପଦ।

 ଢକ୍କା ବାଜୁଥାଇ ବ୍ରଜେ, ଲଳିତାର ହୃଦମ୍ବୁଜେ,
 କରୁଣା ଅଛି ବୋଲି ଯା ନେଲା କେ ତା ହରି କିରେ ।୧।

 ଢୁଳାଇଲା ପରି ଢଳି, ତଳେ ପଡ଼ିଯିବା ଭଳି,
 ହେଲିନି ଯେ କୁନ୍ଦକଳିଦଶନା ଏ ସରିକିରେ ।୨।

 ଢୁକାଇ ଦେଲେ ତୃଷିତ, ଚକୋର ଚଞ୍ଚୁରେ ଶୀତ-
 ଭାନୁଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକିରେ ।୩।

 ଢୋକିଟିକୁ ସିନା ହଟି, ମୋ ସାର ଯାଉଛି ତୁଟି,
 ପିଇ ଦିଅନ୍ତି କି ଗୋଟିଯାକ ସେ କିଶୋରିକିରେ ।୪।

 ଢବା-ତନାବିରୁ ଗୋପ—ନଗରୀର ବନ୍ଦେ ଭୂପ,
 ବାଲୁଙ୍କେଶ ଦେବ ନୀପକୁଞ୍ଜପୁଞ୍ଜସରିକିରେ ।୫।