ପୃଷ୍ଠା:Hada bagicha.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାସି ଶବ୍ଦର ମହକ = ବାପା ଭଲ ଅଛନ୍ତି ମଉସା, ମୁଁ ଏବେ ତାଙ୍କୁ ଦେଖି ଆସୁଛି ଝରକା ଖୋଲା ରଖିନ କାହିଁକି? ଚା କରିଦେବି ମଉସା? ଘର ଝାଡୁ କରିଦେବି? ମାଙ୍କଡ଼ସା, ଅଳନ୍ଧୁ, ଅସରପା, ପିମ୍ପୁଡ଼ି ସଫା କରିଦେବି? ତୁମ ବିଛଣାର ଲୋଚାକୋଚା ସ୍ଥିର ତରଙ୍ଗ ସବୁ ସାଉଁଟି ଆଣିବି? ତମେ ବ୍ୟସ୍ତ ହେବ ନାହିଁ ମଉସା ବାପା ଭଲ ଅଛନ୍ତି, ଆମ ଘର ଛାତ ଉପରକୁ ଆସୁଥିବ, ମୁଁ ଚା କରି ଦେବି ତୁମେ ଚୁପ୍ ଚାପ୍ ଆରାମରେ ବସୁଥିବ, ମୁଁ ପଙ୍ଖା କରିଦେବି, ଚୁରୁଟ ଲଗାଇଦେବି, ତୁମେ ନିଶ୍ଚେ ଆସିବ, ବ୍ୟସ୍ତ ହେବ ନାଇଁ ବାପା ଭଲ ଅଛନ୍ତି, ଶୀଘ୍ର ଭଲ ହୋଇଯିବେ, ଶୀଘ୍ର ଘରକୁ ଆସିବେ, ପୁଣି ତୁମେ ଦୁହେଁ ଉପରେ ବସିବ, = ହାଡ଼ ବଗିଚା କଥା କହୁ ନ ଥିଲା ନିରବତାର ମହକ ବେଶ୍ ବୁଝା ପଡୁଥିଲା ବ୍ୟଥା, ବ୍ୟସ୍ତତା, ଆତଙ୍କ, ଉଦ୍‌ବେଗ ଘର ଭିତରକୁ ଓଜନିଆ କରି ଦେଉଥିଲା, ମାଛ ଗାଲିସିର ଲାଲ ଓଠ ଭିତରୁ ଚୁପ୍ ଚାପ୍ ଲାଲ୍ ଶବ୍ଦର ହଂସଛୁଆ ସବୁ ଫକ୍ ଫାକ୍ ଡେଇଁଡେଇଁ ବାହାରି ଯାଉଥିଲେ ଧାଡ଼ି ବାନ୍ଧି ଲାଲ ଧାଡ଼ି, ହାଡ଼ ବଗିଚା ଆଖି ବୁଜି ସବୁ ଦେଖି ପାରୁଥିଲା । = ବାପା ବେଳେବେଳେ ବାନ୍ତି କରୁଛନ୍ତି, ମଉସା ପିତ୍ତ ବାନ୍ତି, ଶ୍ଳେଷ୍ମା ବାନ୍ତି ରକ୍ତ ବାନ୍ତି, ଶବ୍ଦ ବାନ୍ତି, ସଂଖ୍ୟା ବାନ୍ତି କେତେ ଯେ ଉଚ୍ଛିଷ୍ଟ, ମଉସା କେତେ ଅଛି ତାଙ୍କ ପେଟ ଭିତରେ ଭାବି ହେଉନି ଆଁ କଲେ ସ୍ୱପ୍ନ ବାନ୍ତି, ଆଁ କଲେ ସାଗର, ବେଳେବେଳେ କାହାକୁ ଚିହ୍ନି ପାରୁନାହାନ୍ତି ନଚେତ୍ ବାକି ସବୁ ଭଲ ତାଙ୍କ ବୋହୂକୁ ନୁହେଁ, ପୁଅକୁ ନୁହେଁ ଡାକ୍ତରଙ୍କ ଧଳା ପୋଷାକକୁ ନୁହେଁ, ନର୍ସଙ୍କ ସରୁ ହାତକୁ ନୁହେଁ, ନିଜ ଅସ୍ଥି ଚର୍ମକୁ ନୁହେଁ, ଝାଳକୁ ନୁହେଁ, ନାଳକୁ ନୁହେଁ, ସ୍ୱପ୍ନ ସ୍ୱାଦକୁ ନୁହେଁ, ପୁଜରକ୍ତ ଘା ଦା ପୋକ ଯୋକ ନାଳ ନର୍ଦମା କାହାକୁ ଚିହ୍ନିଲେ ନାଇଁ, ନଚେତ୍ ବାକି ସବୁ ଭଲ । = ହାଡ଼ ବଗିଚା ତଥାପି ଚୁପ୍, ଦୁଇ ଆଣ୍ଠୁ ସନ୍ଧିରେ ଆଙ୍କୁଶ ଥୋଇ ଖପୁରୀକୁ ବଙ୍କେଇ ଚୁପ୍ ସର୍ବଶେଷ ଖଟ, ସର୍ବଶେଷ ଆସବାସ, ଖୋଲା ଝରକା ବାହାରେ ଅବଶିଷଟାଂଶ, ସଭିଏଁ ଚୁପ୍, ଜୀବନକୁ ବଞ୍ଚି ବଞ୍ଚି ଅତିଷ୍ଠ ହେଲା ପରେ, ଉଇ ପିମ୍ପୁଡ଼ି ବଗିଚାଟାକୁ ଖିନ୍ ଭିନ୍ କଲାପରେ, ଜିଆ, ମୂଷା ଚେରେଇ ଥିବା ମାଟିକୁ ଉପରତଳ କରି ଘାଂଟି ଦେଲାପରେ, ଆଉ କଣ ବାକି ଥାଏ? ମାଙ୍କଡ଼ସା, ଅସରପା ଝିଟିପିଟି ସବୁ ଶୋଷି ପିଇଗଲା ପରେ ବାକି ରହିଯାଏ ହାଡ଼, ସୂର୍ଯ୍ୟର ରଗ୍ ରଗ୍ ଦାନ୍ତ, ଝଡ଼ର ଚକ୍ ଚକ୍ ଜହ୍ଲାଦ ସବୁ ଖୁମ୍ପି ଗଲାପରେ ବାକି ରହିଯାଏ ହାଡ଼, ଜୀବନକୁ ଏମିତି ଚାଲ୍ ହୁଟ୍ ଚାଲ୍ ହୁଟ୍ କହି ହୁରୁଡ଼ାଇ ଆଣିଲେ ଖେଦି ଆଣିଲେ ବାକି ରହିଯାଏ ହାଡ଼, ହାଡ଼ ବଗିଚାର କଥା ବାସେ, ସେ କଥା କୁହେନା, = ବାପା ଶୁଣୁ ନାହାନ୍ତି ବି କିଛି, ମାନୁ ନାହାନ୍ତି କିଛି, ଗପ କହିଲେ ଶୁଣୁ ନାହାନ୍ତି, ଔଷଧ ଖାଅ, ପାଣିପିଅ କହିଲେ ମାନୁ ନାହାନ୍ତି ତାଙ୍କୁ ସଜ କରିଦେବା ପାଇଁ ହଜାରେ ଥର କୁହାଗଲା, ତାଙ୍କୁ ଆଖି ଖୋଲିବା ପାଇଁ ଦଶହଜାର ଥର କୁହାଗଲା, ଭର୍ପୁର୍ ସମୁଦ୍ର, ଥଲ୍ଥଲ୍ ଆକାଶ ରଙ୍ଗିନ୍ ଆଲ୍ବମ୍ର ଲୋଭ ଦିଆଗଲା କିଛି ଶୁଣୁ ନାହାନ୍ତି, ତାଙ୍କ ଇଚ୍ଛାରେ ବାନ୍ତି କରୁଛନ୍ତି, ତାଙ୍କ ମନ ଲାଗିଲେ ଘୋଡ଼ାଇ ହୋଇଥିବା ଆକାଶକୁ ଫିଙ୍ଗିଦେଇ ଆଂଟିନା ଟାଣି ଦେଉଛନ୍ତି, ଖାଲି ଟିଣ ଡବାର ଛାତି ଭିତରେ ଖଡ଼ଖଡ଼ କରୁଥିବା ଗୁଡ଼ାଏ ଆଜେବାଜେ ଶବ୍ଦର ଗୋଡ଼ିବାଲି ଉଜାଡ଼ି ଦେଉଛନ୍ତି, = ହାଡ଼ ବଗିଚାର ପ୍ରତି ହାଡୁଆ କୋଣରେ ଫେଣ, ଉଚ୍ଛିଷ୍ଟ ଆବର୍ଜନା ଓ ଅଳନ୍ଧୁ, ପ୍ରତିଟି ଗାତ ଭିତରୁ ଜିଆ, ମୂଷା, ଅସରପା, ପୋକ ପୋକ, ଯୋକ ଯୋକ । ବ୍ୟାଧି ଅତୀତ ହାଡ଼ ଓ ଶାଗୁଣାର ବକ୍ରଦୃଷ୍ଟି ଏବେ ଏଠି ଶ୍ମଶାନ, ହାଡ଼, କାଠ, ରଗ୍ ରଗ୍ ନିଆଁ ଚଡ଼୍ ଚଡ଼୍ ଚିଂଗାରି, କଳାଧୂଆଁର ଆକାଶ, ଶାଗୁଣାର ତିର୍ୟକ ଦୃଷ୍ଟି, ବିବର୍ଜିତ ସହର, ଖଟ, କୁଲା, ଛାଞ୍ଚୁଣି, ମାଟିପାତ୍ର, ଖେଂଚା, ଆର୍ମ ଚୌକି ଚୁରୁଟ, ଚଷମା, ଆଙ୍କୁଶ, ଲୁହାର ମଣିଷ, କାଠର ପଞ୍ଜରା, ଏବଂ ଗୋଟାଏ ବିଳି ବିଳେଇ ଉଠୁଥିବା ଛାତି, ପାଟି, ଆଖି, କଳାଧୂଆଁର ଆକାଶରେ ଗୋଟିଏ ହାଡ଼ବଗିଚା, ହାଡ଼ ଓ ବଗିଚା ଧୂଆଁଳିଆ ହେଉଛି ଅନ୍ୟ ହାଡ଼, ବଗିଚା ବିଳିବିଳଉଛି, ‘ତ୍ରାଣକର୍ତା, ମୋର ଆଉ କିଏ ଅଛି? କାହା ସାଥୀରେ କଥା କହିବି? କଥା କହିବି, କଥା? କାହା ସାଥୀରେ?’ ଗଲା ତିନିଦଂଶଧି ଧରି ଦୁଇ ହାଡ଼ବଗିଚା କେବେ ବି ଶବ୍ଦ କହୁ ନ ଥିଲେ, ମନ୍ତ୍ର କହୁ ନ ଥିଲେ, ଅକସ୍ମାତ୍ କହୁଥିଲେ ‘ଚା’ ଓ ଚୁପଚାପ ବସୁଥିଲେ । ହାଡ଼ବଗିଚା କେବେ ବି ଶବ୍ଦ କହେନା, ତା ଶବ୍ଦ ବାସେ, ଛାତ ଉପରେ ଗୋଟିଏ ଆର୍ମଚୌକି ତା ଦେହରେ ଗୋଟିଏ ହାଡ଼ବଗିଚା ସାମନାରେ ଅହରହ ଏକ ଧୂମ୍ରାଭ ଦିଗଂତ ।