ପୃଷ୍ଠା:Hada bagicha.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆୟୋଜନ ଭିତରେ ଘାରିହୋଇ ଗଳ୍ପ ଲେଖିବାକୁ ଚେଷ୍ଟାକଲେ ଗଳ୍ପଟି ମଝିରେ ଆରମ୍ଭ ହୋଇ ମଝିରେ ଶେଷ ହେବାକୁ ବାଧ୍ୟ । ଗଳ୍ପ ଏକ ପ୍ରବାହ । କିନ୍ତୁ ନଈ ପରି ନୁହେଁ । ଲତାପରି, ଅନାବନା ଘାସ ପରି, ଗଛପରି ଆକାଶକୁ, ବ୍ୟକ୍ତିତ୍ୱପରି ଦଶଦିଗକୁ, "ସାହିତ୍ୟ' ପରି ଏକ ଚିରନ୍ତନ ସୌନ୍ଦର୍ଯ୍ୟବୋଧ ଆଡ଼କୁ । ସାହିତ୍ୟକୁ ପ୍ରଶ୍ନ ପଚରାଯାଏନା । ଶୈଳୀ ସର୍ବସ୍ୱ ନା କାହାଣୀ ସର୍ବସ୍ୱ? ସାହିତ୍ୟ କଣ? ଏହାର ଲକ୍ଷ୍ୟ କଣ? କେଉଁ ସାହିତ୍ୟ ଉକ୍ରୃଷ୍ଟ? ମାର୍କକ୍ୱିଜ? ନା ହେମିଂଗୱେ? ଏସବୁ ପ୍ରଶ୍ନ ଅବାଂତର ଓ ନିରର୍ଥକ । ସାହିତ୍ୟ ପାଇଁ ବିଚାରକ କେହି ଥାଆନ୍ତି ନାହିଁ । ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧତା ହିଁ ହେଉଛି ସାହିତ୍ୟ । ମଣିଷର ଅନ୍ତିମ ଲକ୍ଷ୍ୟ ହେଉଛି ସାହିତ୍ୟ । ମୃତ୍ୟୁ ନୁହେଁ । ମୃତ୍ୟୁ ହେଉଛି ଏକ ବାଧା । ସୌନ୍ଦର୍ଯ୍ୟବୋଧରୁ ଉକ୍ରୃଷ୍ଟ ବା ନିକୃଷ୍ଟ ବୋଲି କିଛି ନାହିଁ । ଭଲ ମନ୍ଦର ଭେଦ କିଛି ନାହିଁ । ସେଠି ପ୍ରଶ୍ନ ପଚରାଯାଏନା । ସେଥିପାଇଁ ସେଠି ଜଣେ ଲେଖକ, ଜଣେ ପାଠକ, ଜଣେ କୃଷକ, ଜଣେ ରାଜନୈତିକ ନେତାଙ୍କ ମଧ୍ୟରେ ଅନାବିଳ ବନ୍ଧୁତ୍ୱ ଥାଇପାରେ ଏବଂ ସେମାନେ ସମସ୍ତେ ଏକା ଚିନ୍ତାଧାରାର ବ୍ୟକ୍ତିତ୍ୱ ହୋଇଥାଇପାରନ୍ତି । ବିଚାରକର ଆସନରେ ବସିବା ବୋଧହୁଏ ମଣିଷର ଏକ ଆଦିମ ପ୍ରବୃତ୍ତି । ସେ ନିଜର ଆପେକ୍ଷିକ ସ୍ଥିତିକୁ ମାନିନେଇ ପାରେନା । ପୂର୍ବ ଅନୁଭୂତିରୁ ପୂର୍ବ ନିର୍ଧାରିତ ହୋଇଥିବା ପରି ବ୍ୟବହର କରେ । ଏଥିପାଇଁ ବୋଧହୁଏ ଭଲ ଓ ମନ୍ଦର ଜନ୍ମ । ଉକ୍ରୃଷ୍ଟ ଓ ନିକୃଷ୍ଟର ଜନ୍ମ । ଏବଂ ଏଥିପାଇଁ ବୋଧହୁଏ ସାହିତ୍ୟର "ଧାରା' ର ଜନ୍ମ । ସ୍ଥୂଳାର୍ଥରେ କହିଲେ ପ୍ରତିଟି ମଣିଷର ଅନ୍ତିମ ଲକ୍ଷ୍ୟ ହେଉଛି ସାହିତ୍ୟ । ସମସ୍ତେ ସାହିତ୍ୟ ପଢ଼ନ୍ତୁ । ସାଧାରଣ ମଣିଷଠୁ ଆରମ୍ଭ କରି ଏକଛତ୍ରବାଦୀ ଶାସକ ଯାଏ, ସଭିଏଁ । ପାନ ଦୋକାନୀଠୁ ଆରମ୍ଭ କରି ଉଗ୍ରବାଦୀଯାଏ, ସଭିଏଁ । ଜଣେ ବ୍ୟକ୍ତି ଯଦି ସାହିତ୍ୟ ନ ପଢ଼େ ତେବେ ତାର ଜୀବନଟି ବିପରୀତ ମୁଖୀ ହୋଇଯାଇ ପାରେ । ସେହିପରି ଗୋଟିଏ ଦେଶ ଯଦି ସାହିତ୍ୟ ନ ପଢ଼େ ତେବେ ଇତିହାସରେ ତାକୁ ଖୁବ୍ ମୂଲ୍ୟ ଦେବାକୁ ପଡ଼େ, ଏଥିରେ ସନ୍ଦେହ ନାହିଁ । ଜଣେ ଶିକ୍ଷିତ ବ୍ୟକ୍ତି କୌଣସି ରାଜନୈତିକ ବିଶ୍ୱାସ ଓ ମତବାଦର ଘୋଷଣାନାମା ପଢ଼ି ନିଜେ ଏକ ଗୋଷ୍ଠୀଭୁକ୍ତ ହୋଇଯିବା ସମ୍ଭବ । ବନ୍ଧୁକ ଉଠାଇ ଅନ୍ୟ ମତବାଦର ଲୋକଙ୍କୁ ମାରିବା ପାଇଁ ଅକ୍ଳେଶରେ ପ୍ରସ୍ତୁତ ହୋଇଯିବା ସମ୍ଭବ । ମାତ୍ର ସାହିତ୍ୟର ପାଠକ ପକ୍ଷରେ ଏହା ସମ୍ଭବ ନୁହେଁ । ଯୋଜେଫ୍ ବ୍ରଡସ୍କିଂକ ଚିନ୍ତାଧାରାକୁ ଏଠି ମନେ ପକାଯାଇ ପାରେ । ସେ କହନ୍ତି, ସାହିତ୍ୟ ହେଉଛି ଏପରି ଏକ ଜୀବନବୀମା ଯାହା ଲୋକଙ୍କୁ ଏତେ ପରିମାଣର ସୁରକ୍ଷା ଦିଏ ଯେ ଅନ୍ୟକୌଣସି ବିଶ୍ୱାସ ବା ମତବାଦ ସେପରି ସୁରକ୍ଷା ଦେଇପାରେ ନାହିଁ । ଜଣେ ଏକଛତ୍ରବାଦୀ ଶାସକ ବା ଜଣେ ଉଗ୍ରବାଦୀର ଯଦି ଲମ୍ବା ବହି ତାଲିକାଟିଏ ଥାଆନ୍ତା, ତେବେ ତାଙ୍କର ହିଟ୍-ଲିଷ୍ଟର ତାଲିକା ଢେର କମିଯାଆନ୍ତା ନିଶ୍ଚୟ । ଯେଉଁ ଦେଶରେ ଲୋକଙ୍କ ସୌନ୍ଦର୍ଯ୍ୟବୋଧ ଆହରଣର କ୍ଷମତା ଯେତେ ବେଶୀ ସେ ଦେଶରେ ଅପରାଧ ସଂଖ୍ୟା ସେତେ କମ୍ । ଗୋଟିଏ ଲାଇବ୍ରେରି ଜଳାଇ ଦିଆଯାଇ ପାରେ । ଗୋଟିଏ ପୁସ୍ତକକୁ ନିଷିଦ୍ଧ ଘୋଷଣା କରାଯାଇ ପାରେ । ଜଣେ ଲେଖକକୁ ଜେଲ ପଠାଯାଇପାରେ । ମାତ୍ର ଜଣେ ସାହିତ୍ୟ ନ ପଢ଼ିଥିବାର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇପାରେ ନାହିଁ । ଯଦିଓ ତାର ମୂଲ୍ୟ ତାକୁ ତାର ଜିଇଁଥିବା ଜୀବନ ବଦଳରେ ଦେବାକୁ ପଡ଼େ । ଏପରି ଅପରାଧ ଯଦି ଗୋଟିଏ ଦେଶକରେ ତେବେ ସେ ଦେଶ ଶତାବ୍ଦି ଶତାବ୍ଦି ପଛକୁ ଚାଲିଯିବାକୁ ବେଶି ସମୟ ଲାଗେ ନାହିଁ । ଯେଉଁଠି ସାହିତ୍ୟ କେବଳ ମୁଷ୍ଟିମେୟ ଲୋକଙ୍କ ମଧ୍ୟରେ ସୀମାବଦ୍ଧ ସେ ଦେଶର ଦୂରବସ୍ଥା ଦେଖିଲେ ନିଜକୁ ଅପମାନିତ ଲାଗେ । ଏକ "ସାହିତ୍ୟ ସମାରୋହ' ର ସବୁ ଲେଖକ ସାହିତ୍ୟିକ ନୁହନ୍ତି । ଯେ ଲେଖାଲେଖି କରେ ସେ "ଲେଖକ' । ତାର ସବୁ ଲେଖା ଯେ ସାହିତ୍ୟ ପଦବାଚ୍ୟ ସେମିତି ନୁହେଁ । ଏକ ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ନ ଥିବା ଲେଖା "ସାହିତ୍ୟ' ସ୍ତରକୁ ଯାଇପାରେନା । ଗୋଟିଏ ଲେଖାରୁ ପାଠକଟିଏ ନିଜ ହାତପାହାନ୍ତାରେ ଥିବା କୌଣସି ଏକ "ଗଳ୍ପାଣୁ'କୁ ଚମକି ପଡ଼ିବା ପରି ଆନନ୍ଦମନରେ ଯଦି ନ ଦେଖିଲା, ଯଦି ସେ ଗଳ୍ପାଣୁଟି ତା ମସ୍ତିଷ୍କର ସୂକ୍ଷ୍ମ ତନ୍ତୁକୁ ଚହଲାଇ ଦେଇ ନ ପାରିଲା । ତେବେ ସେ ଲେଖାଟି ସାହିତ୍ୟ ହୋଇ ପାରେନା । ଆଖି ଖୋଲି ଦେବାର ସୂକ୍ଷ୍ମଭାବର ପରିପ୍ରକାଶ ହିଁ ସାହିତ୍ୟ । "ସାହିତ୍ୟିକ' ଶବ୍ଦର ଅତି ବ୍ୟବହାର ଫଳରେ ତହିଁରୁ "ସାହିତ୍ୟ ଯାହାର ଜାଗିରି' ପରି ଅର୍ଥ ପ୍ରକାଶ ପାଉଛି । ବରଂ "ଲେଖକ' କୁହାଯାଇପାରେ, "ସାହିତ୍ୟିକ' ଶବ୍ଦର ସମ୍ମାନ ଓ ଗାଂଭିର୍ୟ୍ୟକୁ ବଜାୟ ରଖିବା ପାଇଁ ।