ପୃଷ୍ଠା:Hada bagicha.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଇ, ଶବ୍ଦ ଦେଇ, ଶିଶୁକୁ ଆବେଗରେ ଆଉଁସୁଥାଏ ଲେଖକ । ଶିଶୁଟି କାନ୍ଦେ, ହସେ, ଅଭିମାନ କରେ, ଚିଡ଼ାଏ ଓ ଆବେଗମାନଙ୍କ ସାଥିରେ ଲୁଚକାଳି ଖେଳେ । ଲେଖକ ବି ତଦ୍ରୁପ କଷ୍ଟପାଏ ଓ ଆଉଁସିବା ପ୍ରକ୍ରିୟା ଚାଲୁ ରଖିଥାଏ । ତେଣୁ ଗଳ୍ପର ପ୍ରତିଟି ବାକ୍ୟରେ, ପ୍ରତିଟି ଚରିତ୍ରର ସୂକ୍ଷ୍ମ ବ୍ୟବହାରରେ ପାଠକ ସବୁବେଳେ ଲେଖକକୁ ଭେଟେ । ଜନ୍ମିତ ଶିଶୁର ମା ପରି ଜନ୍ମିତ ଲେଖାର ଲେଖକକୁ ଜାଣିବା ପାଠକ ପକ୍ଷରେ ନିତାଂତ ସ୍ୱାଭାବିକ । ଶେଷରେ ହେମିଂଗ ୱେ କହିଲା ପରି ଗଳ୍ପ ହେଉଛି ଏକ ବରଫ ହୁଂକା । ଯେତିକି ଦେଖା ଯାଉଥାଏ ତାଠୁ ଢେର ବେଶି ଲୁକ୍କାୟିତ ଥାଏ । ଯାହା ଦେଖାଯାଉଥାଏ ତାର ଏକ ନିର୍ଦିଷ୍ଟ ସୌନ୍ଦର୍ଯ୍ୟଥାଏ, ନିର୍ଦିଷ୍ଟ ସମସ୍ୟା ବି ଥାଏ । ଦେଖିବା ବ୍ୟକ୍ତିଟି କେଉଁଠି ଛିଡ଼ା ହୋଇଛି, ତାର ଦୃଷ୍ଟି ଶକ୍ତି କିପରି ଅଛି ତା ଉପରେ ଏ ବରଫ ହୁଂକାର ସୌନ୍ଦର୍ଯ୍ୟ ନିର୍ଭର କରେ । ଶୂନ୍ୟସ୍ଥାନ ପୂରଣ କରିବାର ଖେଳ ବାରବର୍ଷ ବୟସର କୁମାରୀ କିଶୋରୀଟି ଦୌଡୁଛି । ବିସ୍ତୀର୍ଣ କ୍ଷେତ । କ୍ଷେତ ମଝିରେ ହିଡ଼ । ହିଡ଼ ଦେହରେ କଣ୍ଟାଗଛ, ଗୋଡ଼ି, ପଥର । ଜମି ମଝିରେ ଧର୍ସା ଫାଟି ଶୁଖାମାଟିର ଆଁ । ଝିଅଟି ଦୌଡୁଛି । ଡେଉଁଛି ଯେମିତି ଏକ ହରିଣଛୁଆ । ହରିଣଛୁଆ ପଛରେ ବ୍ୟାଧ । ନଚେତ ହରିଣଛୁଆ ବି ଏତେ ଜୋରରେ ଝିଅପରି ଦୌଡ଼େ ନାହିଁ କେବେ । ସଞ୍ଜ ଅନ୍ଧାର ପରି କଳା ଦେହ । ନାଭିତଳକୁ ନାଲି ରଙ୍ଗର ପେଂଟ୍ । ପେଂଟ୍ରେ କଳା ରଙ୍ଗର ରକ୍ତର ଦାଗ । ନାଭି ଉପରଟା ମେଲା । ପେଟର ଚର୍ମ ସବୁ ବତୁରି ତଳ ଉପର ହୋଇ ଉଠପଡ଼ ହେଉଛି ଅହରହ । ଅନୁନ୍ନତ ଛାତିକୁ ଢାଙ୍କିଛି ଏକ ଆକାଶିଆ ବ୍ଳାଉଜ୍ । ବ୍ଳାଉଜ୍ର ମଝିରେ ଗୋଟିଏ ସେଫ୍ଟିପିନ୍ ଏବଂ ଉପରି ଭାଗଟି ପିଲାଙ୍କ ପୁରୂଣା ବହିର ଧଡ଼ି ପରି ଚିରା ଓ ଗୋଲାକାର । ବେକରେ ଗୋଟାଏ ଧଳା ଓ ମଇଳା ଗାମୁଛା । ଏତେ ଜୋରରେ ଦୌଡ଼ିବା ସତ୍ୱେ ତା ଛୋଟ ଚୁଟିଟି ହଲୁଛି ସିନା ତା ବାଳ ଉଡୁନାହିଁ ଆଦୌ । ଟାଆଁସ ଓ କଠିନ ହୋଇ ଯାଇଛି । ତା ଦୁଇକାନରେ ଦୁଇଟି ଛୋଟ ଛୋଟ କାଠି ଲାଗିଛି । ଦୁଇ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ବହୁଦିନର ଅଳତାର ମଲାରଙ୍ଗ । ଝିଅଟି ଦୌଡୁଛି କାକୁସ୍ଥ ହୋଇ । ମୁହଁରେ ଭୟ ଓ ଶଙ୍କା । ତା ମୁଣ୍ଡ ଉପରେ ଛୋଟ ପକ୍ଷୀଟିଏ ବି ଉଡ଼ିଯାଉଛି, ସତେ ଯେପରି ସେ କେଉଁ ଏକ ପିଞ୍ଜରା ଭିତରୁ ଖସି ଚାଲି ଆସିଛି । ନହେଲେ ସେ ବି ଏତେ ଜୋରରେ ଡେଣା ଛାଟେ ନାହିଁ କେବେ । ପିଞ୍ଜରା ଏକ ଶୂନ୍ୟସ୍ଥାନ । ଏପରି ଶୂନ୍ୟସ୍ଥାନକୁ ପୂରଣ କରିବାର ଖେଳ ଆମର ଚାଲିଥାଏ ପ୍ରତିନିୟତ । ଜୀବନକାଳ ଯାକ ନିଜନିଜ ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ