ପୃଷ୍ଠା:Hada bagicha.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅହରହ ଚେଷ୍ଟାକରି କ୍ଳାନ୍ତ ହେବାକୁ ପଡ଼େ, ନୟାଂତ ହେବାକୁ ପଡ଼େ, ଅସହାୟ ନିଃସହାୟ ହେବାକୁ ପଡ଼େ । ତେବେବି ଶୂନ୍ୟସ୍ଥାନଟି ଆଁ ଫାଡ଼ି ପଡ଼ିରହେ କାଳକାଳ । ଆମକୁ କିନ୍ତୁ ପୁଣି ଖେଳିବାକୁ ପଡ଼େ । ଆମର ପରିଶ୍ରମ, କରାମତି, ଆମର ମେଜିକ୍ ସବୁ ହାରମାନେ । ସବୁୁ ଯୋଜନା, ସବୁ ସ୍ୱପ୍ନ, ସବୁ ହିସାବକିତାବ ହାରମାନେ । ତଥାପି ଆମେ ଶୂନ୍ୟସ୍ଥାନ ପୂରଣ କରିବାର ଖେଳ ଚାଲୁ ରଖିଥାଉଁ । ଶିଶୁଟିଏ ତା ପାଟି ଭିତରର ଶୂନ୍ୟସ୍ଥାନକୁ ବୁଢ଼ା ଆଙ୍ଗୁଠି ପୁରାଇ ପୁରଣ କରେ ସ୍ୱାଭାବିକ ଭାବରେ । କେତେ ସହଜରେ ବି ପୂରଣ କରାଯାଇପାରେ ସ୍ୱର୍ଗର ଶୂନ୍ୟସ୍ଥାନରେ ଈଶ୍ୱର ପୂରାଇ, ମହାକାଶରେ ଉପଗ୍ରହ ପୂରାଇ, ଗର୍ଭାଶୟରେ ଅଙ୍କୁର ପୂରାଇ, କବର ଭିତରେ ଶବ ପୂରାଇ, ପିରାମିଡ୍ ଭିତରେ କବର ପୂରାଇ, ମରୁଭୂଇଁ ଭିତରେ ପିରାମିଡ୍ ପୂରାଇ, ଆହୁରି ସହଜରେ ବି ଖେଳା ଯାଇପାରେ ଶୂନ୍ୟ ଖବର କାଗଜ ପୃଷ୍ଠାରେ ଶବ୍ଦ ରୋପଣର ଖେଳ, ହିଟ୍ଲିଷ୍ଟରେ ନାମ ପୂରଣର ଖେଳ, ବନ୍ଧୁକରେ ଗୁଳି ଭରିବାର ଖେଳ, ନିରବ ସହର ଭିତରକୁ ବୁଲ୍ଡୋଜର୍ ଧସେଇ ପଶିବାର ଖେଳ, ଏମିତି ସାବାଳକ ଶିଶୁ ମାନଙ୍କର ଶୂନ୍ୟସ୍ଥାନ ପୂରଣ କରିବାର ଖେଳ ଚାଲିଥାଏ ନିଶ୍ଚିନ୍ତରେ, ନିଃସଂକୋଚରେ । ଅଥଚ ବେଳେ ବେଳେ କାହା ଶୂନ୍ୟଆଖିରେ ସ୍ୱପ୍ନ ଭରିବାକୁ ପଡ଼େ, କାହା ଛାତିର ପିଞ୍ଜରା ଭିତରେ ପକ୍ଷୀ ଭରିବାକୁ ପଡ଼େ, କୈଶିକ ନଳୀ ଭିତରେ ସବୁ ଆଶ୍ୱାସନା, ସବୁ ପ୍ରେମପତ୍ରକୁ ବାଟି ଘୋଳକରି ପୂରାଇବାକୁ ପଡ଼େ, ଢିଂକିଶାଳ ଗାତରେ ସବୁ ଈଶ୍ୱରଙ୍କୁ ପୂରାଇ ଢିଂକି କୁଟିବାକୁ ହୁଏ । ଏମିତି ଶୂନ୍ୟସ୍ଥାନକୁ ପୂରଣ କରିବାରେ ଜୀବନକାଳ ସରିଯାଏ । ସମସ୍ତ ନାଭିରଜ୍ଜୁକୁ ଗଣ୍ଠିପକାଇ ଏକ ବୃହତ୍ ନାଭିରଜ୍ଜୁର କଳ୍ପନା ସାକାର ହୋଇ ପାରେନା । ଓଠ ଚିପି, ଦାନ୍ତ କାମୁଡ଼ି ପଡ଼ି ରହିବାକୁ ହୁଏ ଏକାକୀ । ଗୁଳ୍ମ, ପଥର, ହିଡ଼ ଓ ଫଟାମାଟିର ଆଁକୁ ଡେଇଁଡେଇଁ କ୍ରମଶଃ ହାଲିଆ ହୋଇ ପଡୁଥିବା ଝିଅଟି ତଥାପି ଦୌଡ଼ିବା ଚାଲୁ ରଖିଥାଏ । ହରିଣପରି, ପକ୍ଷୀ ପରି । ବିରାଟ ଏକ କେନ୍ଭାସ୍ରେ ଝିଅଟି ଏ ଯାଏଁ ଏକମାତ୍ର ଚରିତ୍ର । ଏବେ କିନ୍ତୁ କେଉଁ ଏକ ଗଛର ଗହଳି ଭିତରୁ କେନ୍ଭାସ୍ ଭିତରକୁ ଓହ୍ଲାଉଛି ବିରାଟ ବପୁର ହୃଷ୍ଟପୁଷ୍ଟ ଲୋକଟିଏ । ହାତରେ ଠେଙ୍ଗା, ମୁଣ୍ଡରେ ଠେକା ଓ କାନରେ କାହାଳୀ । ମୁହଁରେ ତାର ବାଘର ଚାହାଣୀ । ନିଜେ ଦୌଡୁ ନାହିଁ ଯଦିଓ ତା ଚାହାଣୀକୁ ଦୌଡ଼ାଇ ଆଣୁଛି କ୍ଷେତ ଖଳା ଡେଇଁ ଦିଗ୍‌ବଳୟ ଯାଏ । ତା ଆଖି ଦୁଇଟି ବଡ଼ ବଡ଼ ହୋଇ ଡୋଳା ଦୁଇଟି ଏମିତି ଘୂରି ଯାଉଛି ସତେ ଯେପରି ତା ସାମନାରେ ଯେ ପଡ଼ିବ ସେ ଭସ୍ମ ହୋଇଯିବ । ଛୋଟ କିଶୋରୀ କିବା ଛାର । ମୁଣ୍ଡ ଉପରେ ସୂର୍ଯ୍ୟ । ଲୋକଟିର ଖୋଲା ଦେହରେ ଲୁଣି ଝାଳ । ତା ଆଣ୍ଠୁ ଲୁଚା ଧୋତିର ଅଣ୍ଟା ପାଖରେ ଓଦା । ତା ମୁଣ୍ଡର ଠେକା ଭିତରୁ ଧାର ଧାର ଝାଳ । ରକ୍ଷା ହୋଇଛି ଲୋକଟି ଝିଅକୁ ଦେଖିପାରି ନାହିଁ । ଝିଅଟି ଏବେ ଝୁଣ୍ଟି ପଡୁଛି ଓ ତା ଖଣ୍ଡିଆ ଜାଗାର ରକ୍ତର ଧାରରେ ବାଲି ମୁଠେ ଘସିଦେଇ ଝିଟିପିଟି ପରି ଘୁସୁରି ଯାଉଛି ଏକ ବୁଦା ଉହାଡକୁ ଏବଂ ଦେଖୁଛି ତା ଭକ୍ଷକକୁ କାତର ଦୃଷ୍ଟିରେ । ଲୋକଟି ଲମ୍ବ ପାହୁଂଡ ପକାଇ ମାଡିÿ ଯାଉଛି ଆଗକୁ । ଠାଣିରେ ତାର କାହାକୁ ଖାଇଯିବାର ତତ୍ପରତା । ତାର ପ୍ରତିଟି ପାହୁଂଡର ଚାପ ଏତେ ଶକ୍ତ ଯେ ଶୁଷ୍କମାଟିରେ ବି ତା ପାଦଚିହ୍ନ ଆକାରର ଗାତଟିଏ ସୃଷ୍ଟି ହୋଇ ଯାଉଛି । ପ୍ରତିଟି ପାଦଚିହ୍ନରେ ଦଳିଚକଟି ହୋଇ ମରିପଡ଼ି ଥିବା ଗୋଟିଏ ଗୋଟିଏ ପ୍ରଜାପତି । ଏତେ ଗୁଡ଼ିଏ ପ୍ରଜାପତିଂକୁ ମାଡ଼ି ମାଡ଼ି ଚାଲିଥିବା ସତ୍ୱେ ଲୋକଟି ଜାଣି ପାରିନାଇଁ ଆଦୌ । ନିର୍ବିକାର ଚିତ୍ତରେ ସେ ଚାଲିଛି ଆଗକୁ । ଅସଂଖ୍ୟ ପାଦ ଚିହ୍ନ ଭିତରେ ମଲା ପ୍ରଜାପତି । ଅଦ୍ଭୁତ ଏକ ଯାତ୍ରାର ଆୟୋଜନ । ମାର୍ଗଶୀର ଗୁରୁବାରରେ ଲକ୍ଷ୍ମୀପାଦମାନଙ୍କର ଯାତ୍ରା କେତେ ହାଲୁକା, କେତେ ଶିଶୁ ସୁଲଭ । ପାଦଚିହ୍ନ ସବୁ କ୍ଷେତ ଖଳା ଖାଲ ଢିପ ଡେଇଁ, ନଈନାଳ ଡେଇଁ, ପ୍ରଜାପତି ସବୁକୁ ହତ୍ୟାକରିକରି, ପ୍ରାୟ ପତ୍ରଶୁଖାବାଟ ଅତିକ୍ରମ କଲାପରେ ଏକ ଗାଁ ମୁଣ୍ଡରେ ଛିଡା ହୋଇଥିବା କାର୍ ପାଖରେ ଅଟକି ଗଲା । ଘେରାଏ ବୁଲି ମଧ୍ୟ ପଡ଼ିଲା । ମଝିରେ ମଝିରେ