ପୃଷ୍ଠା:Hada bagicha.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏମିତି ଏକ ଅନାମଧେୟ ଗାଁକୁ ଅକାଳେ ସକାଳେ ଆସେ ଗୋଟେ ଅଧେ କାର । ଗାଁର ବଳକା ଲୋକଙ୍କୁ ଦିଏ କିଛି ଖାଦ୍ୟ ଓ ନିଜନିଜ ଭିତରେ ବାଣ୍ଟିକୁଟି ଖାଇବା ପାଇଁ କହେ । କେବେକେବେ କାର୍ଟି ଆଣି ଆସେ ଧୋତି, ଗାମୁଛା । କେବେ କେବେ ଦିଏବି ଅକ୍ଷର ଓ ଚିତ୍ର ଛାପା ରଙ୍ଗବେରଙ୍ଗ କାଗଜ । କହେ - ଏ କାଗଜ ଭିତରେ ଅଛି ନିର୍ଭୟ ପ୍ରତିଶ୍ରୁତି, ପ୍ରଚୁର ଆଶା ଓ ଢେର୍ ଆଶ୍ୱାସନା । ଏ କାଗଜ ଭିତରେ ସ୍ୱପ୍ନ ଦେଖି ଶିଖିବାର ପ୍ରଣାଳୀ ବର୍ଣିତ ହୋଇଛି । ସେମାନେ ସବୁ ଅନେକ ଦିନ ଯାଏ ବଞ୍ଚି ପାରିବା ପାଇଁ ଅଛି ଖୋରାକ । ଏ କାଗଜ ହିଁ ହେଉଛି ବରାଭୟର ମୁଦ୍ରା । ଏହାକୁ ଏକ ଉଚ୍ଚ ଗଛର ଗଣ୍ଡିରେ ଲଗାଅ । ଗଛଟା ବି ମଜଭୁତ ହେବା ଦରକାର, ତୁମ ଘରର ଅବିଶିଷ୍ଟାଂଶ ପରି ହାଲୁକା ନୁହେଁ । କାଗଜକୁ ନଷ୍ଟ ନ କରିବା ପାଇଁ ତାଗିଦ୍ କରି କାରଟି ଫେରିଯାଏ । ଗାଁର ବଳକା ଲୋକେ ଖାଦ୍ୟସିନା ଖାଇ ଦିଅନ୍ତି ବାଣ୍ଟିକୁଟି, ମାତ୍ର ରଂଗୀନ କାଗଜକୁ କିପରି ବ୍ୟବହାର କରିବେ ଜାଣିପାରନ୍ତି ନାହିଁ । ସେମାନେ ବିଡ଼ି ଟାଣି ଥାନ୍ତେ, ମାତ୍ର ଧୂଆଁପତ୍ର ନ ଥାଏ । ତାଙ୍କ ଛୁଆଙ୍କୁ ଦେଇ ଥାନ୍ତେ, ମାତ୍ର ଗାଁରେ ଶିଶୁ କେହି ନ ଥାନ୍ତି । ଖତଗଦାରେ ଫିଙ୍ଗି ଥାନ୍ତେ, ମାତ୍ର ଗାଁରେ ଗାଈଗୋରୁ ଗୋବର କିଛି ନ ଥାଏ । ଏ କାଗଜ ନାମକ ପଦାର୍ଥଟି କି କାମରେ ଲାଗେ ଲୋକେ କିଛି ଜାଣି ନାହାନ୍ତି । କଦାଚିତ୍ କେହି ଝାପ୍ସା ଶୁଣିଛନ୍ତି ବା ଦୂର ଏକ ଗାଁରେ ଦେଖିଛନ୍ତି କାଗଜରେ ଡଙ୍ଗା ତିଆରି କରାଯାଏ, ଗୁଡ଼ି ଉଡ଼ାଯାଏ, ଅକ୍ଷର ଲେଖାଯଏ, ଶବ୍ଦ ପଢ଼ାଯାଏ । କାଗଜ ଖାଲି ଶିଶୁଙ୍କର କାମରେ ଲାଗେ । ଶିଶୁ ନ ଥିବା ଗାଁରେ କାଗଜର କିଛି ମୂଲ୍ୟ ନାହିଁ । ମୁଣ୍ଡରେ ଠେକା ବାନ୍ଧିଥିବା ଲୋକଟି ଠେଙ୍ଗାଟି ଧରି କାର୍ ଚାରିପାଖରେ ବୁଲୁଛି । ଆଖିକୁ ବଡ଼ବଡ଼ କରି ବା କେତେବେଳେ ମିଞ୍ଜିମିଞ୍ଜି କରି କାର୍ ଭିତରକୁ ଚାହୁଁଛି । କାହାକୁ ନ ପାଇ ଗାଁ ଭିତରକୁ ମୁହାଁଉଛି । ଏଇଟା ଗାଁ ନୁହେଁ । ମାତ୍ର ଦଶଟି ଝାଟିମାଟିର ଘର ଓ ଆଉ ଦଶଟି ସଂପୂର୍ଣ୍ଣ ଉଜୁଡି ଯାଇଥିବା ମାଟିର ଘର । ଉଜୁଡ଼ା ଘର ମାନଙ୍କରେ କାଁ ଭାଁ ଗୋଟେ ଅଧେ ଏଂଡୁଅ, କଳା ଗୋବର ପୋକ ଓ କେଉଁଠି କେମିତି ଉଇହୁଂକା । ଅବଶିଷ୍ଟାଂଶ ଘରେ କବାଟ ନାମରେ ଅଖା ଖଣ୍ଡେଖଣ୍ଡେ ଝୁଲୁଛି । ପ୍ରତିଟି ଅଖାରେ ବଡ଼ବଡ଼ କଣା । କଣାମାନଙ୍କରେ ମକରା ଜାଲ । ମକରା ଜାଲରେ ସଦ୍ୟ ପଡ଼ିଥିବା ମାଛି ଓ ମକରା-ମାଛିର ଲଢ଼େଇ । ଲୋକଟି ଗୋଟିଏ ଘର ସାମ୍ନାରେ ଠିଆ ହୋଇ ଡାକିଲା, "ଡମ୍ ବୁଢ଼ା ମାଝି, ଡମ୍ ବୁଢ଼ା ମାଝି ।' ଘର ଭିତରୁ କେହି ବାହାରିଲେ ନାଇଁ । ଥରେମାତ୍ର ଯାହା କାଶ ଶୁଭିଲା । କିଛିବେଳ ଅପେକ୍ଷା କଲାପରେ ଲୋକଟି ଦେଖୁଛି ଗାଁର ଉଜୁଡ଼ା ଘରର ଅପର ମୁଣ୍ଡରୁ ଦି'ଜଣ ଭଦ୍ରଲୋକ ଧୀରେଧୀରେ ତା ଆଡ଼କୁ ଆସୁଛନ୍ତି । ଜାଣି ପାରିଲା ସେମାନେ କାର୍ ଆରୋହୀ । ସେ ଦୁହେଁ ପାଖକୁ ଆସିବା ସମୟରେ ଡମ୍ ବୁଢ଼ା ମାଝି ମଧ୍ୟ ଘର ଭିତରୁ ବାହାରୁଛି ଓ କାଶୁଛି । ଛାତିରେ ହାତଟିଏ ଚାପିଛି ଓ ଅନ୍ୟହାତରେ ତା ଘର କାନ୍ଥକୁ ଭରା ଦେଇ ଠିଆ ହୋଇଛି । କାର୍ ଆରୋହୀଂକ ଭିତରୁ ଜଣେ ନିଜ ମୁଭି କେମେରା କାଢ଼ିଲେ ଓ ଅନ୍ୟ ଜଣକ ନିଜ ଟେପ୍ ରେକର୍ଡର ଓ ଛୋଟ ମାଇକ୍ରୋଫୋନ୍ଟିଏ କାଢ଼ିଲେ । ଲୋକଟି କୌଣସି ଉପକ୍ରମଣିକା ନକରି ନିର୍ବିକାର ଭାବରେ କହିଲା ଯେ ଡମ୍ ବୁଢ଼ାର ନାତୁଣୀ ଧନିଆଁ କୁଆଡ଼େ ଖସି ଚାଲିଯାଇଛି ଆଜି ସକାଳୁ । ତାକୁ ସେ ବହୁତ ଖୋଜିଲା କିନ୍ତୁ ପାଇଲା ନାହିଁ । ତା ମହାଜନ ତାକୁ ପଠାଇଛି ଯେମିତି ହେଉ ସେ ଝିଅକୁ ବେଳବୁଡ଼ ସୁଦ୍ଧା ଘରକୁ ଆଣିବୁ । ନଚେତ୍ ବନ୍ଧକ ବାବଦକୁ ଯେଉଁ ଏକଶହ ପଚାଶ ଟଙ୍କା ଓ କୋଡ଼ିଏ ଅଡ଼ା କୁଦୋ ଚାଉଳ ନେଇଛି ତାକୁ ଫେରାଇ ଆଣିବୁ । "ତୁ କହ ତୋ ନାତୁଣୀ କୁଆଡ଼େ ଯାଇଛି?' ଡମ୍ ବୁଢ଼ା ମାଝି କିଛି କହିଲା ନାହିଁ । ସୁଡୁକ୍ଦୁମ୍ ହୋଇଗଲା । ତଳେ ବସି ପଡ଼ିଲା ଲଥ୍ କରି । ତା ମୁଣ୍ଡ ଝିମ୍ଝିମ୍ କଲା । ଦେହରୁ ଝାଳ ବାହାରି ପଡ଼ିଲା । ଆଖିକାନ ସବୁ ଅନ୍ଧାର ଦିଶିଲା । କାନ ମୁଣ୍ଡକୁ ଆଉ କିଛି ଶୁଭିଲା ନାହିଁ । ତାର ଶୂନ୍ୟସ୍ଥାନ ଏବେ ଆହୁରି ପ୍ରଶସ୍ତ ହୋଇଗଲା । ଏତେ ବଡ଼, ପ୍ରଶସ୍ତ ଓ ଗଭୀର ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଆଉ କେହି ନାହିଁ । ତା ସ୍ତ୍ରୀ, ତା ଦୁଇ ପୁଅ ଓ ଦୁଇ ବୋହୂ ଓ ଛୋଟ ଛୋଟ ଦୁଇ ନାତି, ସମସ୍ତେ ଯାଇଛନ୍ତି ସୁଦୂର ହାଇଦ୍ରାବାଦ । ଇଟାଭାଟିରେ କାମ କରିବା ପାଇଁ ଯେଉଁ ଛ'ହଜାର ଟଙ୍କା ଅଗ୍ରିମ ସ୍ୱରୂପ ପାଇଥିଲେ, ତହିଁରୁ ଋଣ ସୁଝିବା ଓ ରାସ୍ତା ଖର୍ଚକୁ ମିଶାଇଲେ ଆଉ କିଛି ବଳିବାର ସମ୍ଭାବନା ନ ଥିଲା । ତେଣୁ ଡମ୍ ବୁଢ଼ାର ଖର୍ଚ ବାବଦକୁ କିଛି ଚାଉଳ ଓ ପଇସା ଏବଂ ତାର ଶୂନ୍ୟସ୍ଥôାନ ବାବଦକୁ ନାତୁଣିଟିଏ ଛାଡ଼ି ଯାଇ ଅନ୍ୟମାନେ ଟ୍ରେନ୍ର ଭିଡ଼ ଭିତରେ ହଜି ଯାଇଥିଲେ । ଧନିଆଁ ବନ୍ଧକ ପଡ଼ିଥିଲା ଦୂର ପାଖ ଏକ ଗାଁର ମହାଜନ ଘରେ । ଡମ୍ ବୁଢ଼ା ଓ ଧନିଆଁ କେତେବେଳେ କେମିତି ଦେଖାଚାହାଁ ହୋଇ ପାରିବେ କାଳେ । ଉଭୟେ ବଞ୍ଚି ଯିବେ କିଛିକାଳ । ଦୁହିଁଂକ ଶୂନ୍ୟସ୍ଥାନକୁ ଦୁହେଁ ପୂରଣ କରିବେ କିଛିକାଳ । ଯେତେ ସଳଖଗାର ଟାଣି ଖେଳ ଘରକୁ ଯେତେ ସଜାଇଲେ ବି କେହି କାହାର ଶୂନ୍ୟସ୍ଥାନକୁ ପୂରଣ କରି ପାରୁନାହାନ୍ତି ଏଠି । ସଳଖଗାର ସବୁ ଅଙ୍କାବଙ୍କା ହୋଇ ଯାଉଛି ।