ପୃଷ୍ଠା:Hada bagicha.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପନ୍ୟାସ ହୋଇପାରିବ ନାହିଁ । କାରଣ ତାଙ୍କର କିଛି ଧାରାବାହିକ ବିବରଣୀ ନାହିଁ, ଆରୋହ ଅବରୋହ ନାହିଁ, ଆଲିଂପନ ବା ପରିପୂର୍ତି ନାହିଁ, ତାଙ୍କର ଗତିଶୀଳତା ବି ନାହିଁ । ତାଙ୍କ ଗାଁରେ ଶଗଡ଼ଚକ ନାହିଁ । ଯେଉଁ ଗାଁରେ ଚକ ନାହିଁ ସେଇଗାଁର ଗତି ବା ଥିବ କୁଆଡୁ? ଜଣେ ଉପନ୍ୟାସକାର ଯଦି ଏ ଗାଁକୁ ଆସେ ଓ ମୂଲ୍ୟବୋଧ ବା ମୋରାଲ୍ ଖୋଜେ ତେବେ ସେ ପାଗଳ ହୋଇଯିବା ସ୍ୱାଭାବିକ । "ଏକଦା ଗୋଟିଏ ଦେଶରେ ଏକ ଗାଁ ଥିଲା...' ବୋଲି ସେ ତା ଲେଖାକୁ ଆରମ୍ଭ କରିପାରିବ ନାହିଁ, ବା "ଶେଷରେ ଗାଁ ଛାଡି ସବୁଲୋକ ଚାଲିଗଲେ...' ବୋଲି ମଧ୍ୟ ତା ଉପନ୍ୟାସକୁ ଶେଷ କରିପାରିବ ନାହିଁ । ତା ପାଇଁ ଏଠି ଶବ୍ଦ ମିଳିବ ନାହିଁ, ବାକ୍ୟ ମିଳିବ ନାହିଁ । ଶବ୍ଦ ସବୁ ଅଭିଧାନ ପୃଷ୍ଠା ଡେଇଁ, ବାକ୍ୟସବୁ ବ୍ୟାକରଣ ପୃଷ୍ଠାଡେଇଁ ବିରିପାଲି ଗାଁରେ ତରଳି ଯାଇଥାନ୍ତି । ଜଣେ ହୁଏତ ଶବ୍ଦଟିଏ ପାଇଲେ ତା ଅର୍ଥ ଖୋଜିବ ଅଭିଧାନ ପୃଷ୍ଠାରେ, କିନ୍ତୁ ଯଦି ସେ ଶବ୍ଦ ନ ପାଇ ତା ଅର୍ଥ ପାଇଯାଏ ଏବଂ ଅର୍ଥର ଅର୍ଥ ଖୋଜିବସେ ତେବେ ସେ ଛାଟିପିଟି ହୋଇଯିବା ସ୍ୱାଭାବିକ । ବିରିପାଲି ଗାଁର ଶବ୍ଦ ଓ ତାର ଅର୍ଥ, ବାକ୍ୟ ଓ ତାର ବ୍ୟାକରଣ ହେଉଛନ୍ତି ନିଜେ କନ୍ଧବୁଢ଼ା । ଏ ଗାଁର ଆଧେୟ ଓ ଆକୃତି, ଭୌତିକ ଓ ଅତିଭୌତିକ ଚରିତ୍ର, ମୋରାଲ୍ ଓ ମୂଲ୍ୟବୋଧ ହେଉଛନ୍ତି ନିଜେ କନ୍ଧବୁଢ଼ା । ଚିତ୍ରକରଟିଏ କେନ୍ଭାସରେ ବିରିପାଲି ଗାଁର ଚିତ୍ର ଆଙ୍କିଲା ବେଳକୁ ଗାଁଟି ଅଧଘଣ୍ଟାସମୟ ବି "ପୋଜ୍' ଦେଇ ପାରେନା - ଛାତଟିଏ ଉଜୁଡ଼ି ଯାଇ ଚିତ୍ରକରକୁ ପେକ୍ଅପ୍ କରିବା ପାଇଁ ବାଧ୍ୟ କରାଏ । ସରକାର ଯେଉଁ କାନ୍ଥରେ ତାଙ୍କ ଅର୍ଥନୈତିକ ଗ୍ରାଫ୍ର ପୋଷ୍ଟର ଲଗାଇବେ, ସେ କାନ୍ଥଟି ସଙ୍ଗେ ସଙ୍ଗେ ଭୁଶୁଡ଼ିଯାଏ । ସରକାରଙ୍କ ଯେଉଁ ସବୁ ଯୋଜନାର ନାଭିରଜ୍ଜୁ ଏ ଗାଁର ଅଧିବାସୀଂକୁ ଖାଦ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୃତି ଦିଏ, ସେଇ ନାଭିରଜ୍ଜୁ ଅଧବାଟରୁ ଛିଣ୍ଡିଯାଏ । ଜଣେ ଭୌଗୋଳିକ ଏଗାଁର ମାନଚିତ୍ର ଆଙ୍କି ଯଦି ଏଟଲସ୍ ପୃଷ୍ଠାରେ ରଖିବାକୁ ଚାହେଁ ତେବେ ତାକୁ ନିରାଶ ହେବାକୁ ପଡିବ, କାରଣ ରାସ୍ତା ମଝିରେ ଥିବ ଘାସ ଓ ତେନ୍ତୁଳିଗଛ ଏବଂ ଘର ସବୁ ସରିଗଲା ପରେ କିଛି ଦୂରରେ ଥିବ ଆହୁରି ଘର ଓ ଆଉ କିଛି ଦୂରରେ ଥିବ ଆହୁରି ଘର । ଏ ଗାଁର ଲୋକଙ୍କ ଆଚାର ବ୍ୟବହାର ମଧ୍ୟ ଜଣେ ଲିପିବଦ୍ଧ କରିପାରିବ ନାହିଁ, କାରଣ କେହି ଚରିତ୍ର ହିଁ ନଥିବେ । ସଭିଏଁ ଫେରାର ହୋଇଯାଇଥିବେ ଖୁବ୍ ଦୂରକୁ ଇଟା ଗଢ଼ିବା ପାଇଁ । ଇଟା ଗଢ଼ିବାକୁ ଯିବା ଏକ ବିସ୍ମୟ ଓ ପ୍ରଶ୍ନବାଚୀ ମଧ୍ୟ । ଲୋକେ କୁଆଡ଼େ ଉଭେଇ ଯାଆନ୍ତି ଜଣା ପଡ଼େନା । ଯେମିତି ଦଳବଦ୍ଧ ହୋଇ ଯାଆନ୍ତି ବିସ୍ମୟ ଲାଗେ । କନ୍ଧବୁଢାଙ୍କ ଦୁଇପୁଅ ଓ ଦୁଇଝିଅ ନିଜନିଜ ପରିବାର ସାଙ୍ଗରେ କେବେଠୁ ଉଭେଇ ଯାଇଛନ୍ତି ଯେ ତାର ହିସାବ କେହି ରଖି ନାହାନ୍ତି । ତାଙ୍କ ଦ୍ୱିତୀୟ ପୁଅର ଦ୍ୱିତୀୟ ପୁଅ ଯେତେବେଳେ ମାତ୍ର ତିନି ଘଣ୍ଟାର ବୟସ ହୋଇଥିଲା ସେତେବେଳେ ସେମାନେ ଘର ଛାଡ଼ିଥିଲେ । ସକାଳୁ ଆସି ଦଲାଲଟି ମନେପକାଇ ଦେଇ ଚାଲିଗଲା ଯେ ଆଜି ବାରଟା ବେଳେ ଟ୍ର୍ରେନ୍ । ସେମାନେ ସବୁ ଯିବାପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ । ସେତେବେଳେ ଗୋଲାପିକୁ ପ୍ରସୂତି ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଗୋଲାପି, ତା ସ୍ୱାମୀ, ତାଙ୍କର ଚାରିବର୍ଷର ପୁଅ ଓ ତିନିଘଣ୍ଟାର ପୁଅ ସଭିଏଁ ମିିଶି ଟ୍ରେନରେ ବସିଥିଲେ ହସିହସି । ଦୁଇଟି ଡେକ୍ଚିରେ ପଖାଳକୁ ଶିକାରେ ଝୁଲାଇ ଓ ଜାନୁ ସନ୍ଧିରୁ ଝରୁଥିବା ରକ୍ତକୁ ପୁଳାଏ କନାରେ ଚାପି ସେମାନେ ଟ୍ରେନ୍ର ବିରାଟ ଆଁ ଭିତରକୁ ପଶିଯାଇଥିଲେ ଏବଂ ଟ୍ରେନ୍ଟି ଯେମିତି ଆବିର୍ଭାବ ହୋଇଥିଲା ରାକ୍ଷସ ପରି ସେମିତି ବି ଅଦୃଶ୍ୟ ହୋଇ ଯାଇଥିଲା ଈଶ୍ୱର ପରି । ଖାଲି ଯାହା ଷ୍ଟେସନରେ ପଡିଥିବା ଗୁଡ଼ାଏ ଅପରିଷ୍କାର ଲୋକଙ୍କୁ ଖାଇଦେଇ ଷ୍ଟେସନଟାକୁ ପରିଷ୍କାର କରିଚାଲିଗଲା । ବିରିପାଲି ଗାଁରେ ଏବେ ପ୍ରତ୍ୟେକ ଘରେ ଜଣେ ଜଣେ ବୁଢ଼ାଲୋକ । କିନ୍ତୁ କେତୋଟି ଘର ଅଛି ଓ କେତେ ଜଣ ବୁଢ଼ାଲୋକ ଅଛନ୍ତି କେହି ଗଣି ନାହାନ୍ତି । ନା କୌଣସି ସଂସ୍ଥା ନା ସରକାର । ଅଧିକନ୍ତୁ କେହି ବ୍ୟକ୍ତି ବିଶେଷ ଯଦିବା ଗଣିବାକୁ ଚାହିଁବ ତେବେ ତାକୁ ନିରାଶ ହେବାକୁ ହୁଏ । କାରଣ ଘରକୁ ଯଦି ଜଣେ ଗଣିବସେ ସେ ଭଙ୍ଗାଘରକୁ ଗଣିବ ନା ନାହିଁ ଜାଣିପାରେନା । ଭଙ୍ଗାଘରେ ବୁଢ଼ାଲୋକ ନ ଥିବେ ଭାବି ଯଦି ଜଣେ ଛାଡ଼ି ଦିଏ ତେବେ ବି ତାକୁ ନିରାଶ ହେବାକୁ ହୁଏ । ଏକ ଘଣ୍ଟା ପରିଶ୍ରମ କରି କେହି ଯଦି ବାରଜଣ ବୁଢ଼ାଲୋକ ବୋଲି ଗଣେ ତେବେ ଆଉ ଜଣେ କେଉଁ ଗଛର ଉହାଡ଼ରୁ ନଚେତ୍ ପଥର ଉହାଡରୁ ବାହାରି ଆସୁଥିବ । ପୁଣି ଥରେ ପାସୋରିଯାଇ ମୂଳରୁ ଗଣିବା ଆରମ୍ଭ କଲେ କେହି ଜଣେ ବୁଢ଼ାଲୋକ ମରିଯାଉଥିବ ଓ କୁକୁର ଦୁଇଟି ଭୁକିବା ଆରମ୍ଭ କରିଥିବେ । ଲୋକଟି ଛାନିଆଁରେ, ଭୟରେ, ଆତଙ୍କରେ, ଆଖିଦୁଇଟିକୁ ବଡ଼