ପୃଷ୍ଠା:Hada bagicha.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଟେବୁଲଉପରୁ ପେପରୱେଟ ଦୁଇଟି ପେନ୍ ଓ ପେନ୍ ଷ୍ଟେଣ୍ଡ, ଆଇନ୍ ବହି, ଟାଇପ କାଗଜ ଅଠା ଶିଶି, ଯୋତା ସଫାକରିବା ବ୍ରସ, ମାଗାଜିନ, ଡିକ୍ସିନାରି ଓ ୱାଡବୁକ ଏବଂ ଏକ ଅଚଳନ୍ତି ଟେବୁଲ ଘଡ଼ି ଅଲଗା ହେଲା । ପରେପରେ ଅଫିସରୁ ଅଣା ଟେବୁଲ କ୍ଲଥ ଅଲଗା ହେଲା । ତା ତଳୁ ପୁରୁଣା ଚିଠି ଦଶଟି, କୋଟରୁ ଆସିଥିବା ସମନ୍ କାଗଜ ଚାରିଟି, ଲଟେରି ଟିକଟ ଗୋଛାଏ, ଗ୍ରିଟିଂ କାର୍ଡ଼ ଓ ବିବାହ କାର୍ଡ ଗୋଛାଏ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ଓ ଔଷଧ କିଣା ବିଲ୍ ଗୋଛାଏ ବାହାରିଲା । ବାପାଙ୍କୁ କିଏ ଦୁଇଜଣ ଗାଳିଦେଇ ଚିଠି ଲେଖିଥିଲେ । ତାଙ୍କଠାରୁ ପଇସା ନେଇ କାମ କରି ନ ଥିବାରୁ କୋର୍ଟକୁ ଘୋଷାରି ଆଣିବାର ଧମକ ଦେଇଥିଲେ । ଟେବୁଲର ଡ୍ର ଭିତରୁ ବାହାରିଲା ଦଶଟଙ୍କିଆ ନୋଟ ଦି'ବିଡ଼ା, ହାତୁଡ଼ି, ପ୍ଲାସ, ଆଳୁ ଚୋପା ଛଡ଼ାଇବା ଯଂତ୍ର, ଅବ୍ୟବହୁତ ଔଷଧ ପୁଡ଼ା, ଛୋଟ ଗୀତା ବହି, ଟିକିଲି, କିରାନା ଦୋକାନର ହିସାବଖାତା, ଖାତା ଭିତରେ ଫୁଲ ପାଖୁଡା, ପୁଅଝିଅ ଓ ବୋହୁଂକ ଜାତକ ଲିପି, ନାତିନାତୁଣିଂକ ବାର୍ଥ ସାର୍ଟିଫିକେଟ, ଚାରୋଟି ଡେଉଁରିଆ, କେତେଗୁଡ଼ିଏ ମରି ପଡ଼ିଥିବା କୀଟ ଓ ମୂଷାମାନଙ୍କ ଗୁଡ଼ାଏ ଲେଡିଁ । ଅଫିସ ଆଲମାରି ଗଲାବେଳକୁ ତା ଭିତରୁ ବାହାରିଲା ନେପ୍ଥେନଲିନ୍ ବାସ୍ନା ଯୁକ୍ତ ଅବ୍ୟବହୃତ ପଂଜାବି କନା, ଧୋତି, ମଠା, ସ୍ୱେଟର, କୋଟ୍କନା, ଚାରୋଟି ଥର୍ମୋଫ୍ଲାକ୍ସ, ତିନୋଟି କାନ୍ଥ ଘଣ୍ଟା, ପିତଳର ମୟୁର, ରୂପାର ଈଶ୍ୱର, ଗୋଟେ ଗୀତ- ଗଜଲ୍-ସାୟେରି ଖାତା, ନଦୀରୁ ଗୋଟା ଯାଇଥିବା ପଥର, ସମୁଦ୍ରରୁ ଗୋଟାଯାଇଥିବା ଶଂଖ, ଦୁଇଟି ବାଘନଖ, ଗୋଟିଏ ମୃଗଚର୍ମ, ଦୁଇଟି ସାଇକଣ୍ଟା, ତିନୋଟି କୁମ୍ଭିର କାତି ଏବଂ ତୁଳସୀମାଳ ଓ ରୁଦ୍ରାକ୍ଷମାଳ ବାହାରିଲା । ଆଲମାରି ଭିତରେ ଥିବା ଲକର ଭିତରୁ ବାହାରିଲା ଗୁଡ଼ାଏ ନୋଟ ବିଡ଼ା ଓ ଯେତିକି ହାଡ଼କୁ ସେତିକି ଗହଣା । ଅଫିସରୁ ଅଣା କେତେ ଗୁଡ଼ିଏ ଜିନିଷ ଘରେ ରହିଲା । ଗୁଡ଼ାଏ ପେପର-ୱେଟ, ଗୁଡ଼ାଏ ପରଦା, ଦଶ- ବାରଟି ଟରକିସ୍-ଟାୱେଲ, ପ୍ରତିଦ୍ୱାରରେ ଓ ଅଗଣାରେ ପାପୋଛ, ଦୁଇଟି କୋଠାରିରେ ଗାଲିଚା, ଗୁଡ଼ାଏ ଗାର୍ଡ ଫାଇଲ । ତା ଭିତରେ ବାପାଙ୍କ ଘରଡିହ କାଗଜ, ଲୋନମଗା ଫର୍ମ, ପାଣିଚିଆ ଦୁଇଟି ଗ୍ରୁପ ଫଟୋ, ଦୁଇଟି ହଳଦିଆ ସାର୍ଟିଫିକେଟ, ଗୋଟେ ଅଭଦ୍ର ବହି ଓ ତା ଭିତରେ ସୁରୈୟାର ଫଟୋଟିଏ । ଅଫିସରୁ ଆଉ ଦଳେ ତୃତୀୟ ଶ୍ରେଣୀ କର୍ମଚାରୀ ଆସିଲେ । ଏମାନେ ପୂର୍ବଦଳ ସହ ପଟଂତି ନାହିଁ । ଏମାନେ ଆଣି ଆସିଥିଲେ ଧୋତି, ସାର୍ଟକନା ଓ ସତରଧାତୁରେ ଗଢ଼ା ଏକ ଡେଉଁରିଆ । ସବୁ ପ୍ରକାରର ରିଷ୍ଟ ଇଷ୍ଟ ହୁଏ ତହିଁରେ । ଜଣେ କହିଲେ, "ତାଙ୍କ ସ୍ତ୍ରୀଙ୍କର ପୁରୁଣା ପେଟବେମାରି ଏହି ଡେଉଁରିଆରେ ହିଁ ଛାଡ଼ି ଯାଇଥିଲା ।' ଏମାନଙ୍କୁ କେବଳ ଚା ଦିଆଗଲା । ସେମାନେ ସ୍ମିତ ହସି ଫେରିଗଲେ । ଉପରେ ଡିମୋକ୍ଲିସ୍ଂକ ଫେନ୍ ଘୁରୁଥିଲା ଖୁବ୍ ଜୋର୍ରେ ଏବଂ ବାପାଙ୍କ ଚୌକି ଦୋହଲି ଯାଉଥିଲା ଖୁବ୍ ଜୋର୍ରେ । ହଠାତ୍ ବାପାଙ୍କ ଦାନ୍ତ ଦୁଇଟି ପଡ଼ିଗଲା ଆଶ୍ଚର୍ଯ୍ୟଜନକ ଭାବରେ । ପାଣି ଗ୍ଲାସେ ଧରି ମା ଦୌଡ଼ି ଆସିଲେ । ଦାନ୍ତ ଦୁଇଟି ନାତି ନାତୁଣୀ ଦି'ଜଣ ନେଇ ଖେଳିଲେ । ଫେନ୍ଟି ଧୀରେ ଧୀରେ ଚାଲେ ନାହିଁ । ତେଣୁ ବାପାଙ୍କୁ ଚାଦରଟିଏ ଘୋଡ଼ାଇ ଦିଆଗଲା । ତାଙ୍କ ମୁଣ୍ଡବାଳ ସବୁ ସଙ୍ଗେ ସଙ୍ଗେ ଧଳା ରଙ୍ଗରେ ରୁପାନ୍ତରିତ ହୋଇ ଯାଉଥିଲା ଏବଂ ଉଡ଼ି ଉଡ଼ି ତଳେ ଝଡ଼ି ଯାଉଥିଲା । ମା ଦେଖୁ ଦେଖୁ ବାପାଙ୍କ ନିଶଦାଢ଼ି ଧଳା ହୋଇ ଲମ୍ବିି ଯାଉଥିଲା ତଳୁ ତଳକୁ, ଆହୁରି ତଳକୁ । ମା ଚିତ୍କାର କରି ଉଠିଲେ । ଦୁଇ ପୁଅ ଓ ଦୁଇ ବୋହୁ ଦୌଡ଼ି ଆସିଲେ । ଛୁଆମାନେ ଇତସ୍ତତଃ ଦୌଡ଼ିଲେ । ମୁଁ ବି ବାରିପଟ ଅଗଣାରୁ ଆସିଲି । ବାପାଙ୍କ ଆଖିପତାର ଛୋଟ ଛୋଟ ବାଳସବୁ ଧଳା ହୋଇଆସୁଥିଲା । ତାଙ୍କ ଭ୍ରୁଲତା କାନବାଳ, ଛାତିର ବାଳ, ହାତ ଓ କାଖର ବାଳ ବି ଧଳା ହୋଇଗଲା । ଦେହର ଚର୍ମ ସବୁ ଲୋଚାକୋଚା ହୋଇଗଲା । ଶିଥିଳ ହୋଇଗଲା । ଚର୍ମ ସବୁ ବତୁରି ଗୋଟି ଗୋଟି ହୋଇ ସମସ୍ତ ହାଡ଼ର ହିଡ଼ ସ୍ପଷ୍ଟ ଦେଖାଗଲା । ଏଭିତରେ ଆହୁରି ଦଶଟି ଦାନ୍ତ ଉପୁଡ଼ି ତଳେ ଗଡିÿଗଡ଼ି ପଡ଼ି ଯାଇଥିଲା । ନାତି ନାତୁଣୀ ପୁଣି ନେବାକୁ ଆସିବାରୁ ତାଙ୍କୁ ମନା କରାଗଲା । କୁହାଗଲା ତାକୁ ସବୁ ଗଙ୍ଗାରେ ପକାଯିବ । ନାତୁଣୀ ପାଇଥିବା ଦାନ୍ତଟି ତା ବଡ଼ଭାଇ ନେଇ ଯାଉଥିବାରୁ ସେ ଅଜାଙ୍କୁ ଆହୁରି ଦାନ୍ତ ପାଇଁ ରଡ଼ି ଛାଡୁଥିଲା । ଘରକୁ ଆଉ ଦଳେ ଶିକ୍ଷକ ଆସିଲେ । ସେମାନେ ଆଣିଥିଲେ ଜଗନ୍ନାଥଂକ ଗୋଟିଏ ଆଖି, ଫାଳେ ନାକ, ଫାଳେ ପାଟି ଓ ଗୋଟିଏ ନୋଥ ଥିବା ଏକ ଚିତ୍ର ଏବଂ ବଦଳି କରି ନଥିବା ହେତୁ ସମୁଦାୟ ପଚାଶ ହଜାର ଟଙ୍କା ଓ ପୂର୍ବରୁ ନେଇଥିବା ଟେପ୍ରେକର୍ଡର ଓ ସୁନାମୁଦି ଦୁଇଟି ଫେରାଇ ଦେବାପାଇଁ କହିଲେ । ସେମାନେ ବାପାଙ୍କ ଅବସ୍ଥା ଦେଖି ତାଙ୍କୁ ବାପାଙ୍କ ଅଜା ବୋଲି ଭାବିଥିଲେ । ଚିହ୍ନିବା ପରେ ସପ୍ତାଶ୍ଚର୍ୟ୍ୟରୁ ଗୋଟିଏ ଦେଖିଲାପରି ଲାଗିବା ସତ୍ୱେ ଦିଆନିଆ କଥା ସେମାନେ ପାଶୋରିଲେ ନାହିଁ । ଚଉତିରିଶ ବର୍ଷ ଚାକିରି କରି ସାରିଥିବା ଓ ଆଉ ଏକ ବର୍ଷକାଳ ଚାକିରୀ କରିବାକୁ ବାକିଥିବା ଜଣେ ବୃଦ୍ଧ ଶିକ୍ଷକ ଆସି କାନ୍ଦିଲେ । ମା ଭାବିଲେ ବୋଧହୁଏ ବାପାଙ୍କ ଅକାଳ ବୃଦ୍ଧତ୍ୱ ଦେଖି ସହାନୁଭିତିଶୀଳ ହୋଇ କାନ୍ଦୁଛନ୍ତି । ତେଣୁ ତାଙ୍କୁ ନ