ପୃଷ୍ଠା:Hada bagicha.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣକୁ ପଚାରିଲା ମହାଦେବ ବେହେରାଙ୍କ ଘର କଥା । ସେମାନେ ମୁଣ୍ଡ ହଲାଇ ପ୍ରଥମେ ମନାକଲେ । କିନ୍ତୁ ପରେ ନିଜନିଜ ଭିତରେ ଫୁସୁରଫାସୁର ହୋଇ ଏକାଥରକୁ ତିନିଜଣ କହିଲେ, "ସେଇ ଜେଲ୍ ଯାଇଥିବା ପିଲାର କଥା କହୁଛନ୍ତି? ସେଇ ଗାଁ କ୍ଳବ ଘରକୁ ଲାଗି ଯେଉଁ ବସ୍‌ଷ୍ଟପ୍ଟି ଅଛି ସେଠି ତା ସ୍ତ୍ରୀ ରୁହେ । କିନ୍ତୁ ଆପଣଙ୍କ ତା ଘରେ କଣ କାମ ଅଛି ମାଡାମ୍?' ଧନ୍ୟବାଦ ଜଣାଇ ଫେରି ଆସିଲା ମେଘା । କାହାକୁ କିଛି କହିଲା ନାହିଁ । ସିଧା ଯାଇ ସେଇ ଘର ସାମ୍ନାରେ ଠିଆହେଲା । ଘରଟି ବସ୍ ଷ୍ଟପ୍ ପରି ଜଣା ଯାଉଥିଲା । ଅମରୀ ବାଉଁଶରେ ତିଆରି ହୋଇଛି ସାମନାପଟ କାନ୍ଥ କବାଟ । କବାଟରେ ଶିକୁଳି ନାଇଁ । କେହି ଜଣେ ଦୂରକୁ କହିଲା, "ଠେଲି ଦିଅନ୍ତୁ, ଭିତରେ ଥିବେ ।' ଶୁଣିବାକ୍ଷଣି ଆସ୍ତେ ଆସ୍ତେ କବାଟ ଠେଲି ଭିତରକୁ ପଶିଲା ମେଘା । ଗୋଟିଏ ଖଟରେ ମା ଓ ଛୋଟ ଝିଅଟେ ଶୋଇ ପଡ଼ିଥିଲେ । କବାଟ ଶବ୍ଦରେ ନିଦ ଭାଙ୍ଗିଗଲା । ଉଠି ବସିଲେ ସେମାନେ । ଘରଟି ନିହାତି ଛୋଟ । ତିନିପଟ କାନ୍ଥ, ଚଟାଣ ଓ ଛାତ ପ୍ରାୟ ଆଠଫୁଟ ଲେଖାଏଁ ହେବ । ପାଣି ଟଣା ଦଉଡ଼ିର ଏକ ଅଲଗୁଣିରେ ଫଟା କନ୍ଥା, ଚାଦର, ଅଖା, ସ୍ୱେଟର ଗୋଟେ, ଫ୍ରକ୍ ଗୋଟେ, ମଇଳା ଶାଢ଼ି ବ୍ଲାଉଜ, ମଇଳା ଟାୱେଲ । ଖଟତଳେ ଛୋଟ ବାକ୍ସଟିଏ, କଂସା, ଡେକ୍ଚି, ଶିଶି ବୋତଲ, ଗୋଟେ ଡିବିରି ଓ ଗୋଟେ ପରିବା ଡାଲାରେ ଶୁଖି ଯାଇଥିବା ମରିଚ ଗୁଡ଼ାଏ, ଉଲି ଚୋପା, ଗୋଟେ ପନିକି, ଦୁଇଟି ରବର କଂଡେଇ ଓ ଖବରକାଗଜ ଗୁଡ଼ାଏ । ଖଟର ମୁଣ୍ଡପଟେ ଚୁଲି, ତା ଭିତରେ ଅଧପୋଡ଼ା କାଠ ଓ କ୍ଷୀର, ଉପରେ ହାଣ୍ଡି, ପାଖରେ ମାଠିଆ, ଚାରୋଟି ଡବା, ଗୋଟେ ପ୍ଲାଷ୍ଟିକ୍ ବାଲ୍ଟି, ଗୋଟେ ସିଲଟ୍ ପିଲାଙ୍କ ବହି, ବହିର ଦୁଇଟି କୋଣରେ ପୃଷ୍ଠାସବୁ ମୋଡ଼ିହୋଇ ତାହା ଅର୍ଧବୃତ୍ତାକାର ହୋଇଯାଇଛି । ମେଘା ସିମେଣ୍ଟ୍ ପିଂଢା ଉପରେ ବସିପଡ଼ି ପଚାରିଲା, ତମ ନାଁ ସୁଲାପି? - ହଁ ।

- ମୋ ନାଁ ମେଘମାଳା । ମୋତେ ଜାଣ?

- ନା ।

- ଏଇ ସ୍ଲେଟ, ବହି ସବୁ କିଏ ପଢ଼େ ?

- କେହି ନୁହେଁ, ଏଇ ମୋ ଝିଅ ଖେଳେ ।

- ମୋତେ ଆଦୌ ଜାଣନା? ମେଘମାଳା ନାଁ ତମର ଆଦୌ ଶୁଣିବାପରି ମନେ ହଉନାଇଁ ?


- ନା ।

- ପ୍ରାୟ ବର୍ଷେ ତଳେ ତମ ସ୍ୱାମୀ......

ସଙ୍ଗେ ସଙ୍ଗେ ସୁଲାପି ପରିବା ଡାଲାରେ ଥିବା ଗୋଛାଏ ଖବର କାଗଜରୁ ଧୂଳିଝାଡ଼ି ତହିଁରେ ବାହାରିଥିବା ରିପୋର୍ଟ ଆଉ ତା ସ୍ୱାମୀର ଫଟୋ ଦେଖାଇଲା ।

"ଏ ସବୁ?'

- ହଁ, ସେଇ ଦୁର୍ଘଟନାର ଝିଅଟି ମୁଁ ।