ପୃଷ୍ଠା:Hada bagicha.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତା’ର ବଡ଼ ବଡ଼ ପତ୍ର ହେତୁ ଛାତକୁ କିଛିକାଂଶରେ ଛାଇ ମଧ୍ୟ ପଡୁଥିଲା । ଏତେସବୁ ଆୟୋଜନ ଯୋଗୁଁ ବାଥରୁମ୍ ଥଣ୍ଡା ରହୁଥିଲା । ଦ୍ୱାର ପାଖରେ ଟେବୁଲ ଫେନ୍ ଲଗାଇ ସ୍ୱୟଂଭୂବ ଉଲଗ୍ନ ହୋଇ ମସିଣାରେ ଗଡ଼ି ପଡୁଥିଲା । ବାଥରୁମ୍ର ଏକମାତ୍ର ପାହାଚକୁ ତକିଆ କରୁଥିଲା ଓ ବହି ପଢ଼ି ପଢ଼ି ଖରାବେଳଟା କଟାଉଥିଲା । ଏମିତି ସେ ଅନ୍ତତଃ ଦୁଇଟି ଗ୍ରୀଷ୍ମରେ ଜେମ୍ସ୍ ଜୟସ୍ଂକ "ଉଲିସିସ୍' ଓ ଦସ୍ତୋଭସ୍କିଂକ "କାରାମାଜୋଭ୍ ବ୍ରଦର୍ସ' ପୁସ୍ତକ ଦୁଇଟି ବାଥରୁମ୍ ଭିତରେ ହିଁ ପଢ଼ି ପଢ଼ି ସାରିଛି । ଥରେ ସ୍ୱୟଂଭୂବର ଜଣେ ସାଙ୍ଗ କେମିତି ରାତି ଦୁଇଟାବେଳେ ଉଲଗ୍ନ ହୋଇ ତା’ କୋଠରିର କବାଟ ବାଡ଼େଇ ତାକୁ ନିଦରୁ ଉଠାଇଥିଲେ ସେକଥା ତା’ର ମନେ ଅଛି । ସେଦିନ ସଂଧ୍ୟାରେ ତାଙ୍କୁ ସ୍ୱୟଂଭୂବ ଶରତ ଚନ୍ଦ୍ରଙ୍କ "ଦେବଦାସ’ ଉପନ୍ୟାସଟି ପଢ଼ିବା ପାଇଁ ଦେଇଥିଲା । ଛୋଟ ଉପନ୍ୟାସଟିଏ । ବନ୍ଧୁଜଣକ ସଂଧ୍ୟାରୁ ପଢ଼ିବସିଲେ ଏବଂ ରାତି ଦୁଇଟାରେ ସମାପ୍ତ କରି କାନ୍ଦି କାନ୍ଦି ତା କୋଠରିକୁ ଆସି କବାଟ ବାଡ଼େଇଲେ । କବାଟ ଖୋଲାହେବା ପରେ ବନ୍ଧୁଜଣକ ସୁଁ ସୁଁ କରି ଆଖି ମଳି ମଳି ନାକ ମାଧ୍ୟମରେ ଖନେଇ ଖନେଇ କହିଲେ, "ମୋତେ ଆଉ ଏମିତି ବହି ପଢ଼ିବାକୁ ଦେବେ ନାଇଁ ଆଜ୍ଞା ।’ ସ୍ୱୟଂଭୂବ ଦେଖି ସ୍ତବ୍ଧ ହୋଇଯାଇଥିଲା ଓ ତାଙ୍କ ଲୁଂଗି ଦେହରେ ନ ଥିବାର ଚେତେଇ ଦେଇଥିଲା । ସେ ବିଷୟରେ ସେ ସଚେତନ ନଥିଲେ । ସଚେତନ ହେବା ପରେ ମଧ୍ୟ ସୁଁ ସୁଁ କରି ଧୀରେ ଧୀରେ ନିଜ କୋଠରିକୁ ଚାଲିଯାଇଥିଲେ । ପରଦିନ ସକାଳୁ ସ୍ୱୟଂଭୂବ ଯେତେବେଳେ ଉଠିଲା, ଦେଖିଲା ସେ ମହାଶୟ ଗାଧୋଇସାରି ପରିଚ୍ଛନ୍ନ ଦେଖା ଯାଉଥିଲେ ଏବଂ ତାକୁ ଦେଖିବା କ୍ଷଣି ଲାଜେଇଯାଇ ହସି ପକାଇଥିଲେ । ବାଥରୁମ୍ ହେଉଛି ସ୍ୱୟଂଭୂବର ପ୍ରିୟ କୋଠରି । ଯଦିଓ ସେ ଦିନକୁ ଥରେ କିମ୍ବା କଦାଚିତ୍ ଦୁଇଥର ବାଥରୁମ୍ ବ୍ୟବହାର କରେ ଏବଂ ମାତ୍ର ତିରିଶ ମିନିଟ୍ପାଇଁ କରେ, ତଥାପି ତା’ ଭିତରେ ଏତେ ପରିମାଣର ପ୍ରଚ୍ଛନ୍ନ ସ୍ୱାଧୀନତା ମିଳେ ଯେ ସ୍ୱୟଂଭୂବ ଉଲ୍ଲସି ଉଠେ । ଗୁଣୁ ଗୁଣୁ ହୋଇ ଗୀତଗାଏ, କେବେକେବେ ବଡ଼ପାଟିରେ ବି ଗାଏ । ତା’ ବାଥରୁମ୍ର ଭିତର କାନ୍ଥରେ ସେ ତିନୋଟି ଦର୍ପଣ ଲଗାଇଛି । ପ୍ରତ୍ୟେକ ଏକ ବର୍ଗଫୁଟର । ଦୁଇଟି ଦର୍ପଣ ମୁହଁର ଆଗ ଓ ପଛରେ ଏବଂ ଅନ୍ୟଟି ମୁଣ୍ଡ ଉପରେ ଛାତରେ । ସାୱାରରୁ ପାଣିର ଧାର ମୁଣ୍ଡ ଉପରେ ପଡ଼ିଲାବେଳେ ସେ ଉପରକୁ ମୁହଁ ଟେକି ମୁଣ୍ଡ ଉପରେ ଥିବା ଦର୍ପଣରେ ନିଜ ପ୍ରତିବିମ୍ବ ଦେଖେ । ମୁଣ୍ଡଠୁ ପାଦ ଯାଏ । ବାଥରୁମ୍ ଭିତରେ ଚୁପଚାପ କିଛି ସମୟ ରହିଲେ ଅଜବ କଳ୍ପନାସବୁ ଆସେ । ଏ ଇଗ୍ଲୁର କଳ୍ପନା ମଧ୍ୟ ସେଇ ବାଥରୁମ୍ ଭିତରେ ହିଁ ଆସିଥିଲା । ସେ ଜାଣେ ଇତିହାସରେ ବାଥରୁମ୍ ଭିତରୁ ବାହାରିଥିବା ବିଶ୍ୱ ବିଖ୍ୟାତ ଥିଓରି ସବୁ ଆମର ଭାବନା ରାଜ୍ୟକୁ କେମିତି ଓଲଟପାଲଟ କରିଦେଇଛି । ଆର୍କିମେଡିସ୍ ଜଳ ଚାପର ଥିଓରି ବାଥରୁମ୍ ଭିତରେ ହିଁ ଆବିଷ୍କାର କରି ଉଲଗ୍ନ ହୋଇ ରାସ୍ତାରେ ଦୌଡ଼ିଥିଲେ । ନେପୋଲିଅନ ନିଜ ଯୁଦ୍ଧର ଚକ୍ରବ୍ୟୁହ ସବୁ ବାଥରୁମ୍ ଭିତରେ ପରିକଳ୍ପନା କରୁଥିଲେ । ଚିତ୍ରକର ଭେନ୍-ଗଗ୍ ବାଥରୁମ୍ ଭିତରେ ଗୁଡ଼ାଏ ଚିତ୍ରର ପରିକଳ୍ପନା କରୁଥିଲେ ଲଙ୍ଗଳା ହୋଇ । ସ୍ୱୟଂଭୂବ ଆଶ୍ଚର୍ଯ୍ୟ ବି ହୁଏ ଆମ ଗ୍ରନ୍ଥାଳୟମାନଙ୍କରେ ହଜାର ହଜାର ଧର୍ମପୁସ୍ତକ ଥିବା ସତ୍ୱେ, ଏତେ ମହାକାବ୍ୟ ଥିବା ସତ୍ୱେ, ଏତେ ପୁରାଣ ଥିବା ସତ୍ୱ୍ୱେ କୌଣସି ସ୍ଥାନରେ କାହିଁକି ବାଥରୁମ୍ ର ବ୍ୟବହାର ସମ୍ପର୍କରେ ଧାଡ଼ିଟିଏ ସୁଦ୍ଧା ନାହିଁ । ଆମ ଈଶ୍ୱରମାନେ ଚଳୁଥିଲେ କେମିତି? ତାଙ୍କର ଗାଧୋଇବା, ଦାନ୍ତ ସଫାକରିବା, ଅନ୍ତନାଳି ସଫା କରିବା କାମ ସବୁ କେଉଁଠି ସମାପନ କରାଯାଉଥିଲା? ଈଶ୍ୱରମାନଙ୍କ ମଳଦ୍ୱାର ନ ଥିଲା କି? କେହି ଜଣେ ଏ ବାବଦରେ କଣ ଗବେଷଣା କରୁନାହିଁ? ଛାଡ଼ । ଏସବୁର ସେ ଥଳକୂଳ ପାଏନା । ତା’ ମୁଣ୍ଡ ଘୁରାଇଯାଏ । ଏତକ ସେ ଉପସଂହାରରେ ପହଞ୍ଚିଛି ଯେ ଇତିହାସରେ ବାଥରୁମ୍ ଅଛି, ପୁରାଣ ବା କିମ୍ବଦନ୍ତିରେ ନାହିଁ । ବାଥରୁମ୍ ନ ଥିବା ମାନସିକ ପରାଧୀନତାର ସୂଚନା ଦିଏ ବୋଲି ତାର ଦୃଢ଼ ଧାରଣା । ଶତରୂପା ମୁଣ୍ଡ କୁଣ୍ଡାଇ ହେଉଥିଲେ ଲମ୍ବ ଦର୍ପଣ ଆଗରେ ଠିଆ ହୋଇ । ସ୍ୱୟଂଭୂବ ଉଠିପଡ଼ି କହିଲା, "ତମେ ଥାଅ, ମୁଁ ଦୋଳିଟିଏ ବାନ୍ଧିଆସେ ।' କହିଲା ଏବଂ ମୋଟା ଦଉଡ଼ି ନେଇ ଇଗ୍ଲୁ ଭିତରୁ ବାହାରକୁ ଚାଲିଗଲା । ଗୋଟିଏ ଆମ୍ବଗଛ ଉପରକୁ ଚଢ଼ିଯାଇ ଏକ ଶକ୍ତ ଡାଳରେ ଦଉଡ଼ି ତଳକୁ ଝୁଲାଇ ବାନ୍ଧିଦେଲା ଏବଂ ଓହ୍ଲାଇପଡ଼ି କିଛି ସମୟ ନିଜେ ଦୋଳିରେ ବସି ଝୁଲିଲା । ଶତରୂପା ଇଗ୍ଲୁ ଭିତରୁ ହସି ହସି ତାକୁ ଦେଖୁଥିଲେ । ସ୍ୱୟଂଭୂବ ତାଙ୍କୁ ଡାକିଲା, ମାତ୍ର ସେ ମୁଣ୍ଡ ହଲାଇ ମନାକଲେ । ସ୍ୱୟଂଭୂବ ପୁଣି ଡାକିଲା, ସେ ପୁଣି ମନାକଲେ । କହିଲେ, "ଆଜି ନୁହେଁ, କାଲି ।' ସ୍ୱୟଂଭୂବକୁ ବି ଶୀଘ୍ର ଫେରିଆସିବା ପାଇଁ କହିଲେ । ସେ କିନ୍ତୁ ଆହୁରି କିଛି ସମୟ ଦୋଳି ଝୁଲିଲା । ଦୋଳିରୁ ଓହ୍ଲାଇ କିଛି ସମୟ ପାଖେ ପାଖେ ଡିଆଁଡେଇଁ କଲା, ଠିଆହୋଇ ହାତ ଗୋଡ଼ ହଲାଇ ଡ୍ରିଲକଲା । ମାତ୍ର ପାଞ୍ଚମିନିଟ୍ । ନିଜକୁ ଟିକେ ଫୁର୍ତି ଲାଗିବାପରେ ଇଗ୍ଲୁ ଭିତରକୁ ଫେରିଆସିଲା । ନିଜ ସ୍ୱାସ୍ଥ୍ୟ ପ୍ରତି ସେ ଯଥେଷ୍ଟ ସଚେତନ । ତା’ ଶରୀରର ପ୍ରତିଟି ଅଙ୍ଗର ମାପ ସେ ଜାଣେ । ତା’ ଦେହର ମାଂସପେଶୀର ଆକୃତି, ଜଳର ପରିମାଣ, ତା’ ଚର୍ମର