ପୃଷ୍ଠା:Hada bagicha.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶକ୍ତି ତା ନିଜ ବ୍ୟତୀତ ଆଉ କାହାର ନାହିଁ । ସେ ଏବେ ସବୁ ଆଇନ୍ ସବୁ ଔପଚାରିକତା, ସବୁ ଯୁକ୍ତି, ସବୁ ସାନ୍ତ୍ୱନା, ଗିଳିଦେଇ ପାରେ । ସବୁ ବିଷ, ସବୁ ନିଦ୍ରାବଟିକା ଗିଳି ଦେଇ ପାରେ । ସବୁ ପ୍ରତିବନ୍ଧକ ଭିତରଦେଇ ସେ ଏବେ ପ୍ରତି ସେକେଣ୍ଡକୁ ଦଶ ହଜାର ମାଇଲ ବେଗରେ ଧାଇଁପାରେ । ସେ ଏକ ବିରଳ ପୁରୁଷ । ଆକାଶ, ବିଜୁଳି, ସମୁଦ୍ର, ବାତ୍ୟାକୁ ସେ ଆଡେଇ ଦେଇପାରେ । ଲୋଭ ମୋହ କାମ କ୍ରୋଧକୁ ସେ ଗବାକ୍ଷ ବାହାରକୁ ଛିଞ୍ଚାଡି ଦେଇପାରେ । ଈଶ୍ୱରଙ୍କୁ ଚେଲେଞ୍ଜ କରିପାରେ । ଇଶ୍ୱରଙ୍କ ସହ ସେ ଟସ୍ ଖେଳ ଖେଳିପାରେ । ଈଶ୍ୱରଙ୍କୁ ସେ ପଚାରିପାରେ, ତମର ମୁଣ୍ଡ ନା ଲାଞ୍ଜ, ଶୀଘ୍ର କୁହ । ରୁବେନ ଯେବେ ଆଖି ଖୋଲିଲା ସଂପୂର୍ଣ୍ଣ ଏକ ଭିନ୍ନ ପରିବେଶରେ ନିଜକୁ ଆବିଷ୍କାର କଲା । ତା ଘରର ଅବଶିଷ୍ଟାଂଶ କେଉଁଠି ରହିଲା କି ନ ରହିଲା ସେ ଯଦିଓ ଜାଣିପାରିଲା ନାହିଁ, ପାଖରେ ତା ଭଉଣୀ ରୁବିର ଶବ ପଡିଥିବାର ଦେଖିଲା । ତା ପରି ବିରଳ ପୁରୁଷର ଏପରି ସ୍ଥଳେ କର୍ତବ୍ୟ କଣ ସେ ପ୍ରଥମେ ଚିନ୍ତାକଲା । ରୁବି ମରିଯାଇଛି । ଏବେ ସେ ନନ୍-ବିଙ୍ଗ୍ ସ୍ଥିତିଟିଏ ହୋଇ ଯାଇଛି । ରୁବି ଥିଲା । ଏବେ ନାହିଁ । ରୁବିର ଡାକ, ତା କଥାବାର୍ତା, ତାର ସ୍ୱର ଲହରି, ତା ପାଦଶବ୍ଦ, ତାର ଦାବି, ତାର ଅହଂକାର, ତାର ରୁଷାଫୁଲା, ତାର ସ୍ୱପ୍ନ, ତାର ପ୍ରଶ୍ନ, ତାର ଆବେଗ, ଉଦ୍ବେଗ, ତାର କାନ୍ଦ, ଉଚ୍ଛ୍ୱାସ, ଏବେ କିଛି ନାହିଁ । ଅଛି କେବଳ ତାର ଶବ । ଶବ ବି ତ ଗୋଟାଏ ବିଙ୍ଗ୍ । ତାକୁ କଣ କରାଯିବ? ରୁବିର ଶବକୁ ପୁଣିଥରେ ଦେଖିଲା ରୁବେନ । ଲୁଣିପାଣି, ଝାଟିମାଟି, କାଦୁଅ ଫେଣ ଭିତରେ ଉଲଗ୍ନ ହୋଇ ପଡିଛି । ତା ହାତରେ କଣ ଗୋଟେ ଧରିଛି । ମକବୁଲ ଫିଦା ହୁସେନଙ୍କ "ସରସ୍ୱତୀ' ପରି ଦେଖାଯାଉଛି ସମୂଦାୟ ଶବର ଆକୃତି । ତାର ଅନୁନ୍ନତ ସ୍ତନ ଉପରେ ଶିଉଳି ଓ ଶିଉଳି ଉପରେ ମଲା ପୋକ ପୁଞ୍ଜାଏ । ଈଶ୍ୱର କଣଭାବି ରୁବିର ଶବକୁ ତା ପାଖରେ ଆଣି ଥୋଇଲେ? ବିଷାଦ କୁ ତାର ସହଚର କରିବାକୁ, ବୋଧହୁଏ । କିନ୍ତୁ ଏପରି ଆତଙ୍କଗ୍ରସ୍ତ ବିଷାଦରୁ ଯା'ର ନୂତନ ଜୀବନଟେ ଆରମ୍ଭ ହୋଇଛି ସେ ଈଶ୍ୱରଙ୍କୁ କୃତଗ୍ୟଁତା ପ୍ରକାଶ କରିବା ବ୍ୟତୀତ ଅନ୍ୟକିଛି କରିପାରିବ ନାହିଁ । ରାଗ, ଦୁଃଖ, ଅସହାୟତା ତାଠାରେ ପୁରାପୁରି ଲୋପ ପାଇ ଯାଇଛି । ରୁବି ଏଥର ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା । ତା ଗଣିତ ଖାତା, ସାହିତ୍ୟ ବହି, ତା ଇଂରାଜୀ ସାର୍, ତା ଖେଳ ମାଡାମ୍, ତା ସ୍କୁଲ ଘର, ଚକ୍ରେ ତା ନାମ ଲେଖାଥିବା ଡେସ୍କବେଞ୍ଚ, ତାକୁ ଅହରହ ଚିଡ଼ାଉ ଥିବା ସ୍କୁଲ ପିଅନ୍, ତାକୁ ତଗିଦ୍ କରୁଥିବା ହେଡ୍ ଦିଦି, ତା ପାଇଁ ପ୍ରତିଦିନ ଚକଲେଟ ଓ ଟିକିଲି ଯୋଗାଉଥିବା, ନେଲ୍ ପଲିସ୍ ଓ ଗ୍ରୀଟିଂକାର୍ଡ ଯୋଗାଉଥିବା ଛୋଟିଆ ଦୋକାନୀ, ସମସ୍ତେ ଯେତେବେଳେ ସେପାରିର ସେପାରିକୁ ଫେରାର ରୁବି ଏକା ବଞ୍ଚିରହି କଣ ବା କରିଥାନ୍ତା? ରୁବି ନାଁରେ ଚଞ୍ଚଳମତୀ ଝିଅଟେ ଥିଲାବୋଲି ଏବେ ଆଉ କିଛି ପ୍ରମାଣ ନାହିଁ । ତା ଜନ୍ମତାରିଖ ଓ ମାବାପାଙ୍କ ନାଁ ଲେଖାଥିବା ପ୍ରମାଣପତ୍ର ସବୁ ଚକ୍ରାକାରରେ ଘୁରି ଉଭେଇ ଯାଇଛି । ତା ଲୁଗା ସଫାକରୁଥିବା ଧୋବଣୀ, ତା ପାଖକୁ ପ୍ରତିଦିନ ଆସୁଥିବା ପଡ଼ୋଶୀଘରର ତିନି ବର୍ଷର ପୁଅ, ଯିଏକି ଏଇ କିଛି ଦିନ ତଳେ ହିଁ "ରୁବି ନାନି' ବୋଲି ଡାକିବାର ଶିଖିଥିଲା, ସିଏ ବି ନାହିଁ । ତା ମା ବି ନାହାନ୍ତି, ଯିଏ ତାର ମୁଣ୍ଡ କୁଣ୍ଡାଇ ଦେଉଥିଲେ ଗାଳି ଦେଇ ଦେଇ, ଯିଏ ତାକୁ ଖାଇବାକୁ ଦେଉଥିଲେ ଗାଳି ଦେଇ ଦେଇ, ଯିଏ ତାକୁ ନାକରେ ରିଂଟିଏ ଲଗାଇବା ପାଇଁ ବାରମ୍ବାର ତାଗିଦ୍ କରୁଥିଲେ, ସିଏ ବି ନାହାନ୍ତି । ରୁବି ବଞ୍ଚିରହି କଣ କରିଥାନ୍ତା ? ରୁବି ଏବେ "ସରସ୍ୱତୀ' ପାଲଟି ଯାଇଛି, ସେଇଟା ହିଁ ତାକୁ କିଛିଦିନ ଅମର କରି ରଖିପାରେ । ରୁବେନ ତା ଭଉଣୀର ଶବ ଉପରୁ ଆଖି ବୁଲାଇ ତା ଚାରିପଟେ ଥରେ ଅନାଇଲା । ନିଜ ଅନୁଷ୍ଠାନର ନାଁ ଲେଖାଥିବା ପତାକା ଝୁଲାଇ ଦଳେ ଲୋକ ତା ଆଡକୁ ହିଁ ଆସୁଥିବାର ସେ ଜାଣିପାରିଲା । ସେ ଭାବିଲା, ଉଦେ୍ଧଶ୍ୟହୀନ ଭାବରେ ବୁଲୁଥିବା ପଞ୍ଝାଏ ଲୋକଙ୍କୁ ଯାହେଉ ଶବ ଗୋଟାଇ ଗଣିବାର କାମଟିଏ ମିଳିଯାଇଛି । ସେମାନେ ପରୋପକାରିତା ଓ ନିଃସ୍ୱାର୍ଥପରତାର ଆଢୁଆଳରେ ରହି ରକ୍ଷାପାଇ ଯାଇଛନ୍ତି । ରୁବେନ ଭାବିଲା ସେ ସିନା ଏବେ ବିରଳ ପୁରୁଷଟିଏ ପାଲଟି ଯାଇଛି । କିନ୍ତୁ ୟାପୂର୍ବରୁ ସେ ବି ଅନ୍ୟମାନଙ୍କ ପରି ନିଜକୁ ଫାଙ୍କୁଥିଲା । ଦାୟିତ୍ୱ ଏଡାଉ ଥିଲା । ସମୂଦାୟ ଜଗତଟା ଗୋଟାଏ ହାଟ ବୋଲି ମନେ କରୁଥିଲା, ଯେଉଁଠି ମଣିଷ ନିଜେ ହିଁ ପଣ୍ୟଦ୍ରବ୍ୟ । ବଜାରର ଚାହିଦା ଅନୁଯାୟୀ ସେ ନିଜକୁ ଗଢୁଥିଲା । ଏବେ ସେ ବୁଝିଯାଇଛି ଯେ ନିଜେ ଯଚେଇ ହେଉଥିବା ଗୋଟେ ବେପାରୀ ନୁହେଁ । ତାର ନିଜର ଗୋଟେ ବୈଶିଷ୍ଟ୍ୟ ଅଛି, ଗୋଟେ ସ୍ୱାତଂତ୍ର୍ୟ ଅଛି । ସେ ଭିନ୍ନ, ସେ ଅନନ୍ୟ । ହୁଂକା ଭିତରେ ଉଈପରି ମଣିଷ-ହୁଂକାରେ ସେ କଦାପି ସାମିଲ ହୋଇପାରିବ ନାହିଁ । ତେଣୁ ସେ ତା ଭଉଣୀର ଶବକୁ ଛାଡି ଅନ୍ୟଆଡ଼େ ଚାଲିଗଲା । ଭାବିଲା ଚୁମକିକୁ ଖୋଜିବ । ଏମିତି ସେ ଦୁଇଦିନ ଭିତରେ ଦଶହଜାର ଶବକୁ ନିରେଖିଲା । କାହାରି