ପୃଷ୍ଠା:Hada bagicha.pdf/୧୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାହାନ୍ତା ସମୟକୁ କବାଟ ଖୋଲାହେବା ବେଳେ ଦେଖୁଥିଲେ ଏକ ଭଦ୍ର ସକାଳ, ଏକ ଲାଜ ଲାଜ ସକାଳ । ଏକ ବିଲୋଳ ସକାଳ ଯେମିତି ତାଙ୍କ ହସ । ରଜନୀ ରାନୀ ଦୀର୍ଘଦିନ ହେଲା ଆଉ ନାହାନ୍ତି । ସେ ମଲାବେଳକୁ ରାଜୁଲା ଦୀପ କହିଥିଲେ, "ଆମେ ତ ଅଛୁଆଁରେ ବୁଢ଼ୀ । ଆମେ ଆଉ ଗଙ୍ଗା ଗୋଦାବରୀ ପାର ହେବା ନାହିଁ । ନାଳନର୍ଦମା ପାରହେବା । ତୁ ଯା, ତୁ ଭଲରେ ଯା, ସବୁ ନାଳନର୍ଦମା ପାରିହୋଇ ତୋରି ଆତ୍ମା ଆର ପାରିକି ଯାଉ । ମୁଁ ବି ତୋ ପଛେ ପଛେ ଆସୁଛି । ସେ ପାରିରେ ଆମେ ପୁଣି ଝାଡୁ ଧରିବା, ଶବ ଫିଙ୍ଗିବା । ତୁ ଡାଁଣ ହେବୁ ମୁଁ ପାଣ ହେବି ।’ ରାଜୁଲା ଦୀପ ଦୀର୍ଘଦିନ ହେଲା ଏକାକୀ । ଏବେ ରାତିର ପ୍ରଥମ ପ୍ରହର । କେହିଜଣେ ତାଙ୍କ କବାଟ ବାଡ଼େଇ ବାହାରୁ କହି ଚାଲିଗଲା, ଯେ ରାଜୁଲା ବୁଢ଼ା ଭୋର ପାଞ୍ଚଟାରେ ନୁଆପଡ଼ାର ପଢ଼ିଆରୀ ଘରକୁ ଆସୁ ତାଙ୍କ ଗାଈଟା ମରିଯାଇଛି । ଗାଈ ମରିଥିବାର ଖବର କାନରେ ବାଜିବା ବେଳଠୁଁ ବୁଢ଼ା ନିଜ ଭଙ୍ଗା ଟ୍ରଲିକୁ ଏକ ଲାଇଟ ପୋଷ୍ଟ ତଳକୁ ଆଣି ସଜଡ଼ା ସଜଡି କାମରେ ଲାଗିଗଲେ । ଟ୍ରଲିରେ ତିନୋଟି ଜାଗାରେ ବଡ଼ ବଡ଼ କଣା ହୋଇଛି । ଜଙ୍କ ଲାଗିଯାଇଛି ସବୁ ସ୍ଥାନରେ । ଚକ ଦୁଇଟି ଖୋଲି ପଡିଛି ବାହାରେ । ଗତ ନବେ ଦିନ ହେଲା ମଲା ଗାଈଟିଏ ସେ ପାଇ ନ ଥିଲେ । ପିଲାଦିନେ ସେ ତାଙ୍କ ବାପାଙ୍କୁ ଏପରି କାମରେ ସାହାଯ୍ୟ କରୁଥିଲେ । ସେତେବେଳେ ସବୁକିଛି ଠିକ୍ଠାକ୍ରେ କାମ ପଟିଲେ ପାଞ୍ଚ ଛଅଟଙ୍କା ମିଳୁଥିଲା । ଗାଈ ଚମଡ଼ାର ଦାମ ଥିଲା ଦୁଇଟଙ୍କା । ହାଡ଼ର ଦାମ ଥିଲା କେଜି ପ୍ରତି ଅଧ ପଇସା ଓ ମାଂସର ଦାମଥିଲା କିଲୋ ପ୍ରତି ଚାରି ପଇସା । ଏବେ ସେସବୁ ବଢ଼ି ଯାଇଛି । ଚମଡ଼ାର ଦାମ ଦେଢ଼ଶହ ଟଙ୍କା । ମାଂସ କିଲୋପ୍ରତି ଦଶଟଙ୍କା ଓ ହାଡ଼ କିଲୋ ପ୍ରତି ଏକ ଟଙ୍କା । ସବୁ କାମ ଠିକ୍ରେ ପଟିଲେ ପ୍ରାୟ ଦୁଇଶହ ଟଙ୍କାଯାଏ ମିଳେ । କିନ୍ତୁ ଭାରି ପରିଶ୍ରମ । ସବୁକାମ ସରିବା ପାଇଁ ସାତଦିନ ଲାଗିଯାଏ । ରାଜୁଲା ଦୀପଂକ ବୟସ ଷାଠିଏରୁ ଉଧ୍ୱର୍ । ତାଙ୍କ ଶରୀରର ସବୁ ଅଙ୍ଗ, ତାଙ୍କ ଲୋଚ କୋଚା ଚର୍ମ, ଫାଟିଯାଇଥିବା ପାଦ, ସର୍ପିଳଗତିରେ ତଳୁ ଉପରକୁ ଉଠିଥିବା ଶିରାପ୍ରଶିରା, ବାଳ ଝଡି ଯାଇଥିବା ମୁଣ୍ଡ, ବାଉଁଶ ତାଟି ପରି ପଞ୍ଜରା, କୂଅପରି ଗଭୀର ନାଭି, ଓହଳି ପଡିଥିବା ଦୁଇଟି କାନ, ସବୁକିଛି ଜୀର୍ଣଶୀର୍ଣ ହୋଇଯାଇଛି, ବୁଢ଼ା ହୋଇ ଯାଇଛି । ଟିଉବ୍ ମାନଙ୍କରେ ଦଶଯାଗାରେ ପେଚ୍ କଲାପରି ଦେହର ଚର୍ମରେ ହଜାର ପୋଡାଦାଗ, ଘା'ଦାଗ, ମାଡ଼ ଦାଗ । ସବୁକିଛି ବୃଦ୍ଧ ହୋଇଯାଇଛି କେବଳ ତାଙ୍କ ଆଖି ଓ ହସ ଭିନ୍ନ । ତାଙ୍କ ଆଖିର ଡୋଳା ଦୁଇଟି ଶିଶୁ ସୁଲଭ । ତାଙ୍କ ଦୃଷ୍ଟିରେ ଏତେ ବିନମ୍ରଭାବ, ଏତେ ସ୍ୱପ୍ନ ଖୁଂଦି ହୋଇଥାଏ । ଆଶ୍ଚର୍ଯ୍ୟ ଲାଗେ । ନବେ ଦିନ ହେଲା ମଲାଗାଈ ଟିଏ ପାଇ ନ ଥିଲେ, ଅଥଚ ଆଖିର ଭରପୁର ସ୍ୱପ୍ନ ଦେଖିଲେ ବିଶ୍ୱାସ କରି ହୁଏନା । ଟିନ୍-ଏଜ୍ ଆଖିର ସ୍ୱପ୍ନ ବି ଫିକା ପଡିଯିବ । ତାଙ୍କ ହସ ତ ଅନ୍ୟମାନଙ୍କ ପାଇଁ ଈର୍ଷାର କାରଣ ହୋଇଥାଏ । ଏତେ ପ୍ରଗଳ୍ଭ, ଏତେ ଔଦ୍ଧତ୍ୟ, ଏତେ ଖୋଲା, ଏତେ ମୁକୁଳା ଯେ ଲାଗେ ସତେ ଯେପରି ସେ ହିଁ ସର୍ବେସର୍ବା । ସେ ହିଁ ଏକା । ସେ ହିଁ ନିରାକାର । ସେ ହିଁ ଈଶ୍ୱର । ତାଙ୍କ ହସଟି ଏକ କଳା ବିହୀନ କଳା । ଏମିତି ଏକ ଅନ୍ତଃସ୍ରୋତ, ଏମିତି ଏକ ସ୍ୱତଃସ୍ପୁର୍ତ ପ୍ରବାହ ଯେ ଲାଗେ ସମସ୍ତଙ୍କ ହସ ଚୋରିକରି ନେଇ ସେ ଏକାକୀ ହସୁଛନ୍ତି । ହସିବା ଯେମିତି ତାଙ୍କର ହିଁ ଜାଗିରୀ । ଅନ୍ୟମାନେ ହସିପାରୁ ନାହାନ୍ତି ଖାସ ତାଙ୍କ ପାଇଁ । ରାଜୁଲା ଦୀପ ତାଙ୍କ ସମୂଦାୟ ଜୀବନକୁ ଶୋଇବା ଓ ସ୍ୱପ୍ନ ଦେଖିବା - ଏଇ ଦୁଇଟି କାମରେ ସାରିଦେଇଛନ୍ତି । ସେ ଶୋଇଥାନ୍ତି ସବୁବେଳେ । ଶୋଇବା ଭିତରେ ସ୍ୱପ୍ନ ଦେଖନ୍ତି । ସ୍ୱପ୍ନଭିତରେ ଶବ ଗୋଟାନ୍ତି । ଟ୍ରଲିରେ ଠେଲି ଠେଲି ନିଅନ୍ତି । ରାସ୍ତାରେ ପୁଣି ଶୋଇ ଶୋଇ ଯାଆନ୍ତି । ସେଇ ଶୋଇବା ଭିତରେ ପୁଣି ସ୍ୱପ୍ନ ଦେଖନ୍ତି । ତାଙ୍କ ଘର ଆଗରେ ଗ୍ରାହକଙ୍କ ଭିଡ । ହାଡ଼, ମାଂସ, ଚମଡ଼ାର ଗ୍ରାହକ । ବିକ୍ରିକଲା ବେଳକୁ ପୁଣି ଶୋଇ ପଡ଼ନ୍ତି ଓ ସ୍ୱପ୍ନ ଦେଖନ୍ତି । ଯାହେଉ ଦଶକୋଡିଏ ଟଙ୍କା ପାଇଛନ୍ତି । କେହିକେହି ଦୁଇକିଲୋ ମାଂସ ନେଇ ଏକ କିଲୋର ଦାମ ଦେଲେ ବି ସେ ଖୁସି ହୁଅନ୍ତି । ଜାଣିପାରନ୍ତି ନାହିଁ । ହସୁଥାଆନ୍ତି । ଖାଲି ହସୁଥାଆନ୍ତି, ସ୍ୱପ୍ନ ଦେଖୁଥାଆନ୍ତି ଓ ଶୋଇ ପଡୁଥାଆନ୍ତି । ତାଙ୍କର ଶୋଇବା ଭିତରେ ସ୍ୱପ୍ନ, ସ୍ୱପ୍ନ ଭିତରେ ଶୋଇବା, ସେଇ ଶୋଇବା ଭିତରେ ସ୍ୱପ୍ନ, ସେଇ ସ୍ୱପ୍ନରେ ଶୋଇବା ଚାଲୁ ରହିଥାଏ । ଯେମିତି ବଡ ବାକ୍ସ ଭିତରେ ଛୋଟ ବାକ୍ସ, ତା ଭିତରେ ପୁଣି ବାକ୍ସ, ପୁଣି ବାକ୍ସ, ପୁଣି ବାକ୍ସ, ବାକ୍ସ, ବାକ୍ସ । ଲାଇଟ ପୋଷ୍ଟ ତଳେ ଟ୍ରଲିର ଚକ ସଜାଡ଼ିବାରେ ଲାଗିଛନ୍ତି ରାଜୁଲା ଦୀପ । ଟ୍ରଲି ନୁହେଁ ବରଂ କୁହାଯାଉ ନିଜ ସ୍ୱପ୍ନ ସଜାଡୁଛନ୍ତି । ଚକ ଦୁଇଟି ନବେ ଦିନ ହେଲା ଗଡ଼ି ନ ଥିଲା । ତା ଅଖର ହୁକ୍ ଓ କଣ୍ଟା ସବୁ ନଷ୍ଟ ହୋଇ ଯାଇଛି । ତେଣୁ ଦଉଡ଼ି ବନ୍ଧାବନ୍ଧି କରି ସଜାଡ଼ି ସାରିଲା ବେଳକୁ ଢେର ରାତି ହୋଇଗଲା । ରାସ୍ତା ଓ ପାଖ ପଡ଼ୋଶୀ ସବୁ